OnaKhabar

ନରମିଲା ବିଜେଡିର ସ୍ୱର

38

ଭୁବନେଶ୍ୱର (ଓଏନଏ): ରାଜନୀତିକ ମହଲରେ ଯାହା ଆଲୋଚନା ହେଉଥିଲା ତାହା ଏବେ ପ୍ରତିଫଳିତ ହେଉଥିବା ଦେଖାଯାଉଛି । ବିଜେଡିର ସ୍ୱର ବଦଳିଲା । କେନ୍ଦ୍ର ବିରୋଧରେ ଆଉ ନାହିଁ ଶାଣିତ ଆକ୍ରମଣର ସ୍ୱର । ଏକ ପ୍ରକାର କେନ୍ଦ୍ର ବିରୋଧୀ ଆଭିମୁଖ୍ୟକୁ ବିଜେଡି ପରିବର୍ତ୍ତନ କରିଥିବା ସ୍ପଷ୍ଟ ବାରି ହୋଇ ପଡୁଛି । କେବଳ ଲୋକଦେଖାଣିଆ ଭାବରେ ପ୍ରତିବାଦ କରିବା ଆଳରେ ମତ ରଖାଯାଉଛି । ବାସ୍ତବ କ୍ଷେତ୍ରରେ ତା ପଛରେ କେତେ ଆନ୍ତରିକାତ ରହୁଛି ତାକୁ ନେଇ ଉଠିଛି ପ୍ରଶ୍ନ । ପୋଲାଭରମ ସମ୍ପର୍କରେ କେନ୍ଦ୍ରର ନିଷ୍ପତ୍ତି ଓଡ଼ିଶା ପାଇଁ ସବୁଠାରୁ ବଡ଼ କ୍ଷତିକାରକ ହୋଇଥିଲା ବେଳେ ବିଜେଡି ଏ ନେଇ ଯେଉଁ ଭଳି ଭାବରେ ବିରୋଧ କରିବା କଥା ତାହା କଲାନାହିଁ । ଏ ଘଟଣା ଦେଖିଲା ପରେ ନିର୍ବାଚନ ପୂର୍ବର ବିଜେଡି ଆଉ ବର୍ତ୍ତମାନର ବିଜେଡି ଭିତରେ ଆକାଶ-ପାତାଳ ତଫାତ ବୋଲି ଅନେକ ମତ ଦେଉଛନ୍ତି । ରାଜ୍ୟସଭାରେ ବିଜେପି ପ୍ରାର୍ଥୀଙ୍କୁ ବିଜେଡି ସମର୍ଥନ ଦେବା ନେଇ ଘୋଷଣା କରିବା ପରେ କେନ୍ଦ୍ର ବିରୋଧୀ ଆଭିମୁଖ୍ୟରେ ପରିବର୍ତ୍ତନ ଘଟିଥିବା ଯାହା ଅଭିଯୋଗ କରାଯାଉଥିଲା ତାହା କ୍ରମେ ବାସ୍ତବରେ ପରିଣତ ହେଉଛି ।
ପୋଲାଭରମ ପ୍ରକଳ୍ପ ବିଜେଡି ସରକାରଙ୍କ ପାଇଁ କେନ୍ଦ୍ର ବିରୋଧରେ ଏକ ପ୍ରମୁଖ ପ୍ରସଙ୍ଗ ହୋଇ ରହିଥିଲା । କେନ୍ଦ୍ର ପୋଲାଭରମ ସମ୍ପର୍କରେ କିଛିିବି ନିଷ୍ପତ୍ତି ନେଲେ ତାହାକୁ ପ୍ରତିବାଦ କରୁଥିଲା ବିଜେଡି । କେନ୍ଦ୍ର ବିରୋଧରେ ଦୁର୍ବାର ଆନ୍ଦୋଳନ କରୁଥିଲା । ବିଧାନସଭା ଅଚଳ ବି ଅନେକଥର କରିଛି । ଗୃହ କାର୍ଯ୍ୟ ବିଜେଡି ବିଧାୟକମାନେ କରାଇ ଦେଇ ନାହାଁନ୍ତି । ବିଧାନସଭା ଭିତରେ କେନ୍ଦ୍ର ବିରୋଧରେ ସ୍ୱର ଉଠାଇ ହୁଲ୍ସ୍ତୁଲ୍ ମଧ୍ୟ କରିଛନ୍ତି । ଧାରଣା ଓ ବିକ୍ଷୋଭ ମଧ୍ୟ କରିଥିବାର ନଜିର ରହିଛି । କେନ୍ଦ୍ର ବିରୋଧରେ ନିନ୍ଦା ପ୍ରସ୍ତାବ ଆଣିବାକୁ ମଧ୍ୟ ଉଦ୍ୟମ କରାଯାଇଛି । ସମ୍ମିଳିତ ସ୍ୱର ଉଠାଇ କେନ୍ଦ୍ରକୁ ଟାର୍ଗେଟ କରାଯାଇଛି । ଅନେକ କିଛି କାର୍ଯ୍ୟ ବିଜେଡି ପୋଲାଭରମ ପ୍ରସଙ୍ଗରେ କେନ୍ଦ୍ର ବିରୋଧରେ କରିଛି । ହେଲେ ଏସବୁ ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ କରାଯାଇଛି । କିନ୍ତୁ ବର୍ତ୍ତମାନ ନୂତନ ରାଜନୈତିକ ସମୀକରଣରେ ଯାହା କିଛି ବିରୋଧ କରାଯାଉଛି ତାହା ପଛରେ ଥିବା ଆନ୍ତରିକ୍ତା ନେଇ ପ୍ରଶ୍ନ ଉଠିଛି । କେବଳ ଔପଚାରିକତା ରକ୍ଷା ପାଇଁ ବିରୋଧ କରାଯାଉଥିବା ପରିଲକ୍ଷିତ ହେଉଛି ବୋଲି କୁହାଯାଉଛି ।
ପୋଲାଭରମ ପ୍ରକଳ୍ପ କାର୍ଯ୍ୟ ଉପରେ ଯେଉଁ ରହିତାଦେଶ ରହିଥିଲା ତାହା ଉପରେ କେନ୍ଦ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରଣାଳୟ ରୋକ ଲଗାଇଛି । ଏହି ରୋକ ପୂର୍ବରୁ ବର୍ଷକ ପାଇଁ ଲଗାଯାଇ ଆନ୍ଧ୍ର ସରକାରକୁ ପ୍ରକଳ୍ପ କାମ କରିବା ଲାଗି ସୂଯୋଗ ଦିଆଯାଉଥିଲା । ଏବେ ପୁଣି ସରକାରକୁ ଆସିଲା ପରେ ଏକାଥରେ ୨ ବର୍ଷ ପାଇଁ କାମକରିବାକୁ ଅନୁମତି ଦିଆଯାଇଛି । କେନ୍ଦ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ପ୍ରକାଶ ଜାଭେଡକର ନିଜେ ଏହି ଅନୁମତି ଦେବା ନେଇ ଘୋଷଣା କରିଛନ୍ତି । ଓଡ଼ିଶାର ପ୍ରତିବାଦକୁ ବିଚାରକୁ ନିଆଯାଇନାହିଁ । ସୁପ୍ରିମକୋର୍ଟରେ ମାମାଲା ଚାଲିଥିବାରୁ ଏହା ଫଇସଲା ହେବାଯାଏଁ ଅପେକ୍ଷା ମଧ୍ୟ କରାଯାଇନାହିଁ । କୋର୍ଟରେ ମାମଲା ଶେଷ ବେଳକୁ ଯେପରି ପ୍ରକଳ୍ପ କାର୍ଯ୍ୟ ସରିଯାଇଥିବ ସେହିଭଳି ପଦକ୍ଷେପମାନ କେନ୍ଦ୍ର ସରକାର ନେଇ ଚାଲିଛନ୍ତି । ପ୍ରକଳ୍ପ କାମ ଶେଷ ହୋଇଥିଲେ କୋର୍ଟ ଆଉ ତାକୁ ଭାଙ୍ଗିବା ପାଇଁ ଆଦେଶ ଦେବାନେଇ ସନ୍ଦେହ ରହିଛି ।
ଏହା ବିରୋଧରେ ଶୁକ୍ରବାର ବିଧାନସଭାରେ ବିଜେଡିର କେତେଜଣ ବିଧାୟକ ସ୍ୱର ଉଠାଇଥିଲେ । ବିଧାୟକ ଦେବୀ ପ୍ରସାଦ ମିଶ୍ର ପ୍ରଥମେ ଏ ପ୍ରସଙ୍ଗ ଉଠାଇ କେନ୍ଦ୍ରର ପକ୍ଷପାତ ନୀତି ଆପଣାଉଥିବା ଅଭିଯୋଗ କରିଥିଲେ । ତାଙ୍କ ଦଳର ପ୍ରଫୁଲ୍ଲ ସାମଲ ଓ ଅରବିନ୍ଦ ଢ଼ାଲି ମଧ୍ୟ ସ୍ୱର ଉଠାଇଥିଲେ । କିନ୍ତୁ ସମୂହ ଭାବରେ ଯେଉଁଭଳି ସ୍ୱର ଏହି ରାଜ୍ୟସ୍ୱାର୍ଥ ବିରୋଧୀ କାର୍ଯ୍ୟ ବିରୋଧରେ ଆସିବା କଥା ତାହା ଆସି ନ ଥିଲା । ଏପରି କି କେନ୍ଦ୍ରକୁ ସେଭଳି କଠୋର ଭାଷାରେ କେହି ବିରୋଧ କରି ନ ଥିଲେ । ସତେ ଯେପରି ଜଣାପଡ଼ିଯାଉଥିଲା କେଉଁଠି ନା କେଉଁଠି କେନ୍ଦ୍ର ବିରୋଧରେ ସ୍ୱରକୁ ଶାଣିତ କରିବା ପାଇଁ ସତେ ଯେପରି କିଛି ଅଦୃଶ୍ୟ ଶକ୍ତି ଚାପି ଧରିଛି । କେତେଜଣ ସଦସ୍ୟଙ୍କ ମତ ରଖିବା ପରେ ପ୍ରତିବାଦର ସ୍ୱର ସେଇ ବିଧାନସଭାର ୪ କାନ୍ଥ ଭିତରେ ଅଟକି ରହିଗଲା ବୋଲି କୁହାଯାଉଛି ।