OnaKhabar

ସରକାରଙ୍କୁ ଘେରିଲେ ବିରୋଧୀ, ଜବାବ ଦେଲା ବିଜେଡି

37

ଭୁବନେଶ୍ୱର:ରାଜ୍ୟରୁ ଦାରିଦ୍ର‌୍ୟ ୫ ପ୍ରତିଶତକୁ କମାଇବା ଲାଗି ରାଜ୍ୟପାଳଙ୍କ ଅଭିଭାଷଣ ଛଳରେ ସରକାର ଯାହା କହିଛନ୍ତି, ତାହା ଦିବା ସ୍ପପ୍ନ । ସରକାର ଅଭ୍ୟାସଗତ ଭାବେ ଦିନରେ ହିଁ ସ୍ୱପ୍ନ ଦେଖି ଚାଲିଛନ୍ତି । ଏମିତି ଯେ କୁଆଡ଼େ ୫ ବର୍ଷରେ ଏମିତି ବିକାଶ ହେବ, ସମଗ୍ର ବିଶ୍ୱ ଆକର୍ଶିତ ହେବ । ସରକାର ଏମିତି ଦିବା ସ୍ୱପ୍ନ ଦେଖୁଥାନ୍ତୁ ବୋଲି କଂଗ୍ରେସ ବିଧାୟକ ଦଳର ନେତା ନରସିଂହ ମିଶ୍ର ବିଧାନସଭାରେ ସରକାରଙ୍କୁ କଟାକ୍ଷ କରି କହିଛନ୍ତି ।
ରାଜ୍ୟ ସରକାରଙ୍କୁ କଡ଼ା ସମାଲୋଚନା କରି ଶ୍ରୀ ମିଶ୍ର କହିଛନ୍ତି, ବିରୋଧୀ ଦଳ ଯଦି ସମାଲୋଚନା ନ କରିବେ ତେବେ ଗଣତନ୍ତ୍ର ତିଷ୍ଠି ପାରିବ ନାହିଁ । କିନ୍ତୁ ଏମିତି ନୁହେଁ, ଯେ ବିରୋଧୀ ଦଳ ସରକାରଙ୍କୁ ସମର୍ଥନ ଦେଇ ନାହାଁନ୍ତି । ମହାନଦୀ ପ୍ରସଙ୍ଗରେ ବିରୋଧୀ ଦଳ ସରକାରଙ୍କୁ କଣ ସମର୍ଥନ ଦେଇ ନ ଥିଲା? ବାଚସ୍ପତି ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଦୁଇଦୁଇଟି କମିଟି ଗଠନ ହୋଇଥିଲା । ହେଲେ ଏ କମିଟି ବୈଠକ ଡକା ଯାଉନି? ମହାନଦୀ ପ୍ରସଙ୍ଗ ଗତଥର ରାଜ୍ୟପାଳଙ୍କ ଅଭିଭାଷଣରେ ସ୍ଥାନ ପାଇଥିଲା । ଏଥର କିନ୍ତୁ ନାହିଁ । କଣ ମହାନଦୀ ପ୍ରସଙ୍ଗର ସମାଧାନ ହୋଇଗଲା କି ବୋଲି ଶ୍ରୀ ମିଶ୍ର ପ୍ରଶ୍ନ କରିଛନ୍ତି ।
ରାଜ୍ୟସଭା ପ୍ରାର୍ଥୀ ସମ୍ପର୍କରେ ସମାଲୋଚନା କରି ସେ କହିଛନ୍ତି ବିଜେଡି-ବିଜେପି ଏମିତି ଜଣେ ସଦସ୍ୟଙ୍କୁ ମନୋନୀତ କରଛନ୍ତି, ଯାହାଙ୍କୁ ଗୃହରେ ସୁରକ୍ଷା ଦେବା ପାଇଁ ସେମାନେ ନିଜେ ପ୍ରସ୍ତୁତ ନୁହଁନ୍ତି । ବିଧାନସଭା ହେଉଛି ଉପଯୁକ୍ତ ସ୍ଥାନ ଯେଉଁଠାରେ ଏହି ପ୍ରସଙ୍ଗରେ ଆଲୋଚନା ହୋଇ ପାରିବ । କାହିଁକି ଜଣେ ରାଜ୍ୟ ବାହାର ଲୋକଙ୍କୁ ରାଜ୍ୟସଭା ପଠାଯିବ ? ଓଡ଼ିଶାରେ କଣ କେହି ଯୋଗ୍ୟ ନ ଥିଲେ? ସେ ଭଦ୍ର ବ୍ୟକ୍ତି ଜଣଙ୍କ କିଏ? ସେ ଜଣେ ରାଜନେତା ନୁହଁନ୍ତି । ଖଣି ମାଲିକ ହେବା ପାପ ନୁହେଁ । କିନ୍ତୁ ତାଙ୍କ ନାମରେ ସଙ୍ଗୀନ ଅଭିଯୋଗ ରହିଛି । ତକ୍ରାଳୀନ ରାଜସ୍ୱ ସଚିବ ଇଚ୍ଛାଧୀନ କୋଟା ଆବଣ୍ଟନ ମାମଲାରେ ତାଙ୍କ ନାମ ଉଲ୍ଲେଖ କରିଛନ୍ତି । ରାଜ୍ୟ ସରକାର ନିଜେ ଭିଜିଲାନ୍ସ ତଦନ୍ତ ପାଇଁ ଦେଇଛନ୍ତି । ଏବେ ଦେଖିବା ଖୋଦ ମୁଖ୍ୟମନ୍ତ୍ରୀ ନିଜେ ସମର୍ଥନ ଦେଇଥିବା ରାଜ୍ୟସଭା ପ୍ରାର୍ଥୀଙ୍କ ସମର୍ଥନ ପାଇଁ କଣ କହୁଛନ୍ତି ବୋଲି ସେ କହିଛନ୍ତି ।
ଶ୍ରୀ ମିଶ୍ର କହିଛନ୍ତି, ସ୍ୱାଧୀନତାର ୭୨ ବର୍ଷ ହେଲାଣି । ଆମେ କଣ ହାସଲ କରିଛୁ । ଦେଶର ଗରିବତମ ରାଜ୍ୟ । ୨୦୦୦ ରୁ ୨୦୧୯ ସ୍ଥିର ସରକାର ଅଛନ୍ତି । କଂଗ୍ରେସ ୧୬ଟି ନିର୍ବାଚନ ମଧ୍ୟରୁ ମାତ୍ର ୪ଟିରେ ସ୍ଥିର ସରକାରରେ ଥିଲା । କଂଗ୍ରେସର କ୍ଷମତାରେ ବିଜୁ ପଟ୍ଟନାୟକ, ଆରଏନ ସିଂହ ଦେଓ, ନୀଳମଣି ରାଉତରାୟ, ନନ୍ଦିନୀ ଶତପଥୀ, ହରେକୃଷ୍ଣ ମହତାବ ପ୍ରମୁଖ ନେତା ଥିଲେ । ସେମାନଙ୍କ ପୁଅ ମାନେ ଏବେ ବିଜେଡିରେ । ସେମାନେ କଂଗ୍ରେସ ସରକାର ସମୟରେ କିଛି ହୋଇନି ବୋଲି କହି ନିଜ ପିତାଙ୍କର ବିଫଳତା କଥା ଜଣାଇବାକୁ ଚାହୁଁଛନ୍ତି । ସେ ହୀରାକୁଦ ହେଉ କି ରେଙ୍ଗାଳୀ ଅବା ଇନ୍ଦ୍ରାବତୀ, ରାଉରକେଲା ଷ୍ଟିଲ ପ୍ଲାଣ୍ଟ ଏସବୁ କଂଗ୍ରେସ ସରକାର ସମୟରେ ହିଁ ହୋଇଛି । ୧୯ ବର୍ଷ ପରେ ବି ଆମେ ଲୋକଙ୍କୁ ପିଇବା ପାଣି ମୁନ୍ଦେ ଦେଇ ପାରିଲୁ ନାହିଁ । ଖୋଦ ଭୁବନେଶ୍ୱରରେ ୩୦ ରୁ ୪୦ ପ୍ରତିଶତ ଲୋକେ ପୋଖରୀରେ ଗାଧୋଉଛନ୍ତି । ଯେଉଁଠି ଶୌଚ ହେବା ପାଇଁ ପାଣି ବ୍ୟବସ୍ଥା ନାହିଁ, ସେଠି ସ୍ୱଚ୍ଛ ଭାରତର ମାନେ କ’ଣ?
କାଳିଆ ଯୋଜନା ବନ୍ଦ କରି ତା ସ୍ଥାନରେ ଛତିଶଗଡ଼ ଢାଂଚାରେ ଋଣ ଛାଡ଼ ସହ କୁଇଣ୍ଟାଲ ପିଛା ୨୫୦୦ଟଙ୍କାରେ ଧନ କିଣିବା ଲାଗି ଶ୍ରୀ ମିଶ୍ର ସରକାରଙ୍କୁ ପ୍ରସ୍ତାବ ଦେଇଛନ୍ତି ।