OnaKhabar

ହତାଶ ହେବେନି ତ ବିଜୟ

51

ଭୁବନେଶ୍ୱର (ଓଏନଏ) : ପରିବର୍ତ୍ତିତ ରାଜନୀତିକ ପରିସ୍ଥିତିରେ ବିଜେପି-ବିଜେଡି ମଧ୍ୟରେ ସମୀକରଣ ବଦଳିଛି । ନୂଆ ରାଜନୀତିକ ସମୀକରଣ ରାଜ୍ୟସଭା ନିର୍ବାଚନରେ ପ୍ରାର୍ଥୀ ଚୟନକୁ ନେଇ ସୃଷ୍ଟି ହୋଇଛି । ଏ କ୍ଷେତ୍ରରେ ନିର୍ବାଚନ ହେବାକୁ ଥିବା ପାଟକୁରା ବିଧାନସଭା ଆସନରେ ଉଭୟ ଦଳର ଆଭିମୁଖ୍ୟ କଣ ରହିବ ତାକୁ ନେଇ ଦେଖାଦେଇଛି ନାନା ଶଙ୍କା । ଏ କ୍ଷେତ୍ରରେ ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ୨୦୦୦ ମସିହାରୁ ବିଧାନସଭାକୁ ଆସିପାରୁ ନ ଥିବା ବିଜେପିର ବରିଷ୍ଠ ନେତା ବିଜୟ ମହାପାତ୍ରଙ୍କ ସ୍ଥିତି କଣ ହେବ । ତାଙ୍କ ସ୍ଥିତି ପୁଣି ଅନିଶ୍ଚିତତା ଆଡ଼କୁ ଗତି କରୁଥିବା ନେଇ ଅନେକ ମତ ରଖୁଛନ୍ତି । ବିଜେପି ପୂର୍ବପରି ବିଜୟଙ୍କ ପାଇଁ ଅଣ୍ଟାଭିଡ଼ି ବାହାରିବ ନାଁ ପଛଘୁଞ୍ଚା ଦେବ ତାହା ଏବେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଏଥର ଆସିବା ପାଇଁ ବିଜୟ ଯେଉଁ ଆଶା ବାନ୍ଧି ବସିଛନ୍ତି ତାହା ନିରାଶାରେ ପରିଣତ ହେବ ନାହିଁ ତ, ଏ କଥା ମଧ୍ୟ ଉଠୁଛି ।
ରାଜ୍ୟରେ ଏବେ ୨ଟି ବିଧାନସଭା ଆସନରେ ନିର୍ବାଚନ ହେବାର ରହିଛି । ପାଟକୁରାରେ ବିଜେଡି ପ୍ରାର୍ଥୀଙ୍କ ମୃତ୍ୟୁ ଓ ପରେ ବାତ୍ୟା ଯୋଗୁ ନିର୍ବାଚନ ହୋଇପାରିନାହିଁ । ଏଣୁ ଏଠାରେ ଶାନି ନର୍ବାଚନ ହେବ । ପ୍ରାର୍ଥୀପତ୍ର ଦାଖଲ ଓ ଯାଞ୍ଚ ସବୁ ପ୍ରକ୍ରୀୟା ସରିଛି । କେବଳ ଭୋଟ ଗ୍ରହଣ ବାକି ରହିଛି । ଆଉ ଗୋଟିଏ ହେଉଛି ବରଗଡ଼ ଜିଲ୍ଲାର ବିଜେପୁର ଆସନ । ଏଠାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜେ ନିର୍ବାଚିତ ହୋଇ ଯିବା ପରେ ଆସନ ଛାଡ଼ିଛନ୍ତି । ଫଳରେ ଏଠାରେ ଉପନିର୍ବାଚନ ହେବ । ପାଟକୁରାରେ ନିର୍ବାଚନ ଓ ବିଜେପୁରରେ ଉପ ନିର୍ବାଚନ ହେବ । ଭାରତର ନିର୍ବାଚନ କମିଶନର କେବେ ତାରିଖ ଘୋଷଣା କରୁଛନ୍ତି ତାକୁ ସବୁ ରାଜନୈତିକ ଦଳ ଅନାଇ ରହିଛନ୍ତି । ହେଲେ ଏହା ଭିତରେ ଯେଉଁ ନୂତନ ରାଜନୀତିକ ସମୀକରଣ ବିଜେପି-ବିଜେଡି ମଧ୍ୟରେ ଥିବା ପଦାକୁ ଆସିଛି ତାହା ହିଁ ସମସ୍ତଙ୍କ ମନରେ ଅନେକ ସନ୍ଦେହ ଭରିଛି । ଦୁଇଦଳ ଏବେ ଲୋକଙ୍କ ପାଖକୁ ଗଲେ କଣ କହିବେ । ଉଭୟ ଦଳ ନିର୍ବାଚନ ବେଳେ ଲୋକଙ୍କ ପାଖରେ ପରସ୍ପର ବିରୋଧୀ ଆଚରଣ ପ୍ରଦର୍ଶନ କରିଥିଲେ । ଲୋକେ ବିଜେପିକୁ ବିରୋଧୀ ଦଳରେ ବସିବା ପାଇଁ ଓ ବିଜେଡିକୁ ଶାସନ ଗାଦିରେ ବସିବା ପାଇଁ ମତ ଦେଲେ । ଏହିମତ ପାଇବା ପରେ ପରସ୍ପର ବିରୋଧୀଥିବା ଦୁଇଙ୍କ କାର୍ଯ୍ୟକ୍ରମ ବଦଳିଯାଇଛି । ରାଜ୍ୟସଭା ନିର୍ବାଚନ ସବୁ ଅଙ୍କକୁ ବଦଳାଇ ଦେଇଛି । ଏ କ୍ଷେତ୍ରରେ ଯେଉଁ ନିର୍ବାଚନ ହେବାକୁ ଯାଉଛି ଦୁଇ ଦଳ ପରସ୍ପର ବିରୋଧରେ କେତେଦୂର ଯାଇ ପାରିବେ । ଏଥିରେ ପ୍ରାର୍ଥୀଙ୍କ ଭାଗ୍ୟ ମଧ୍ୟ ନିର୍ଭର କରୁଛି । ବିରୋଧୀଦଳର ପ୍ରାର୍ଥୀଙ୍କୁ ଶାସକ ଦଳ ସମର୍ଥନ କରିବା କେବେ ରାଜନୀତିରେ ଦେଖାଯାଇ ନ ଥିଲା । କିନ୍ତୁ ବିଜେଡି ଏହା କରି ଦେଖାଇଲା । ଏହା ପଛରେ ବିଜେଡି ସୁପ୍ରିମୋ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ଯାହା ବାଧ୍ୟବାଧକତା ବା ରାଜ୍ୟ ସ୍ୱାର୍ଥ ପ୍ରସଙ୍ଗ ଥାଉନା କାହିଁକି ଏକ ନୂତନ ପରମ୍ପରା ସେ ସୃଷ୍ଟିକଲେ । ନିର୍ବାଚନରେ ଦୁଇ ଦଳ ଯାହା କହିବେ ତାକୁ ଲୋକେ କେତେଦୂର ଗ୍ରହଣ କରିବେ ତାହା ହେଉଛି ବଡ଼ ପ୍ରଶ୍ନ । କାରଣ ଦୁଇଦଳର କଥାକୁ ଏବେ ବିଶ୍ୱାସକୁ ନେବା ହୁଏତ ଲୋକଙ୍କ ପାଖରେ କଷ୍ଟକର ହୋଇପାରେ । ବିଜେପି କିଭଳି ଭାବରେ ବିଜେଡିର ସହଯୋଗ ମାଗିଲା ଓ ବିଜେଡି କିପରି ସହଯୋଗ ଦେବାକୁ ଆଗେଇ ଆସିଲା ଏ ସମ୍ପର୍କରେ କେହି କିଛି କୂଳ କିନାରା ପାଉନାହାଁନ୍ତି । ବିଜେପି-ବିଜେଡିର ରାଜନୀତି ବୁଝିବା ସମସ୍ତଙ୍କ ପକ୍ଷେ କଷ୍ଟକର ହୋଇପଡ଼ିଲାଣି ।
ଏଠି କୁହାଯାଉଛି ବିଜେଡି ଯେହେତୁ ବିଜେପିକୁ ରାଜ୍ୟସଭା ପାଇଁ ସହଯୋଗ କରିଛି ସେଥିଲାଗି ହୁଏତ ନିର୍ବାଚନ ସମୟରେ ବିଜେପି ଆଉ ବିଜେଡି ବିରୋଧରେ କଠୋର ହୋଇ ନ ପାରେ । କୌଣସି ପ୍ରସଙ୍ଗ ଆଣି କିଛି ବି ମତ ସେ ବିଜେପି ହେଉ କି ବିଜେଡି ହେଉ ରଖନ୍ତି ତେବେ ତାହା ଗ୍ରହଣଯୋଗ୍ୟ ହେବା ନେଇ ସନ୍ଦେହ ରହିଛି । ଏ କ୍ଷେତ୍ରରେ ବିଜେପି ପ୍ରାର୍ଥୀ ବିଜୟ ମହାପାତ୍ରଙ୍କ ପାଇଁ ଦେଖାଦେଇଛି ବଡ଼ ସମସ୍ୟା । ନବୀନ ୨୦୦୦ ମସିହାରୁ ବିଜୟଙ୍କୁ ବିଧାନସଭାକୁ ପୁରାଇ ନ ଦେବା ପାଇଁ କାର୍ଯ୍ୟକ୍ରମ ଜାରି ରଖିଥିଲା ବେଳେ ଏଥର ମଧ୍ୟ ସେହି ସ୍ଥିତି ହୋଇପାରେ ବୋଲି କୁହାଯାଉଛି । ପାଟକୁରାବାସୀ ତାଙ୍କୁ ଏଥର ନିଶ୍ଚୟ ପଠାଇବେ ବୋଲି ବିଜୟ ଯେଉଁ ଆଶା ବାନ୍ଧି ବସିଛନ୍ତି ତାହାର ସଫଳତା ନେଇ ସମସ୍ତଙ୍କ ମନରେ ଆଶଙ୍କା ରହିଥିବା କଥା ଚର୍ଚ୍ଚା ହେଉଛି ।