OnaKhabar

“ଆଲିଙ୍ଗନ ମୁଦ୍ରାରେ” ବିଜେପି-ବିଜେଡି

0 85

ଭୁବନେଶ୍ୱର (ଓଏନଏ) : ବିଜେଡି ଗୋଟିଏ ରାଜ୍ୟସଭା ଆସନ ବିଜେପିକୁ ଛାଡ଼ିବାକୁ ରାଜନୀତିକ ଚର୍ଚ୍ଚା ଜାରି ରହିଛି । ଏହି ଆସନ ଛାଡ଼ିବା ନେଇ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯେଉଁ କାରଣ ଦର୍ଶାଇଛନ୍ତି ତାକୁ ଅନ୍ୟମାନେ ସହଜରେ ଗ୍ରହଣ କରିପାରୁ ନାହାଁନ୍ତି । କିନ୍ତୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ତାଙ୍କ ଦଳର ନେତା ବି ଗ୍ରହଣ କରିବାକୁ ପ୍ରସ୍ତୁତ ନୁହଁନ୍ତି । ପୂର୍ବତନ ରାଜ୍ୟସଭା ସାଂସଦ ତଥା ବର୍ତ୍ତମାନର ନବନିର୍ବାଚିତ ବିଧାୟକ ସୌମ୍ୟରଂଜନ ପଟ୍ଟନାୟକ ଦଳ ସୁପ୍ରିମୋଙ୍କ କଥାକୁ ବିଶ୍ୱାସ କରିବା ସ୍ଥିତିରେ ନାହାଁନ୍ତି । ସେ ଖୋଲାଖୋଲି ଭାବେ ଏବେ ତାଙ୍କ ମତ ତାଙ୍କ କାଗଜରେ ପ୍ରକାଶ କରିବାକୁ ପଛଘଂଚା ଦେଉନାହାଁନ୍ତି । ନବୀନଙ୍କ ସହ ବିଜେପିର ସମ୍ପର୍କକୁ ନେଇ ସୌମ୍ୟରଂଜନ ସନ୍ଦେହ ପ୍ରକାଶ କରିଛନ୍ତି । ସୋମବାର ସୌମ୍ୟରଂଜନ ତାଙ୍କ କାଗଜର ସମ୍ପାଦକୀୟରେ ନିଜମତ ପ୍ରକାଶ କରିଛନ୍ତି । ଓଡ଼ିଶାରେ ତାଙ୍କ କାଗଜର ପ୍ରସାରଣ ସବୁଠୁ ଅଧିକ ବୋଲି କୁହାଯାଏ । ଏଣୁ ରାଜ୍ୟର ଲକ୍ଷ ଲକ୍ଷ ଲୋକଙ୍କ ନିକଟରେ ସେ ତାଙ୍କ କାଗଜ ମାଧ୍ୟମରେ ଏକ ବାର୍ତ୍ତା ପହଂଚାଇଛନ୍ତି ଯେଉଁଥିରେ ବିଜେପି-ବିଜେଡି ମଧ୍ୟରେ ଆଉ ତିକ୍ତତା ନାହିଁ । ଉଭୟ ଏବେ “ଆଲିଙ୍ଗନ ମୁଦ୍ରାରେ” ବୋଲି ସେ ଉଲ୍ଲେଖ କରିଛନ୍ତି । ଏଭଳି ମତ ରଖିôବା ପଛରେ ତାଙ୍କର ଉଦ୍ଦେଶ୍ୟ କ’ଣ ନିର୍ଭିକ ସାମ୍ବାଦିକତା ନାଁ ଦଳରେ ଯାହା ହେଉଛି ତାକୁ ସେ ଗ୍ରହଣ କରିପାରୁନାହାଁନ୍ତି ନାଁ ଅନ୍ୟ କିଛି ଭିତିରି ଉଦ୍ଦେଶ୍ୟ ରହିଛି ତାହା କହିବା କଷ୍ଟକର । କିନ୍ତୁ ଗୋଟିଏ କଥା ତାଙ୍କ ସମ୍ପାଦକୀୟରୁ ସୂଚନା ମିଳୁଛି ନବୀନଙ୍କ ପଦକ୍ଷେପକୁ ସମସ୍ତେ ସନ୍ଦେହ ଚକ୍ଷୁରେ ଦେଖୁଛନ୍ତି ।
ସୌମ୍ୟରଂଜନ ସମ୍ପାଦକୀୟରେ ଉଲ୍ଲେଖ କରିଛନ୍ତି, “ରାଜନୀତିରେ କିଛି ସ୍ଥାୟୀ ନୁହେଁ । ଏଇଠି ପରିବର୍ତ୍ତନ ହିଁ ଚିରନ୍ତନ । ତଥାପି ଓଡ଼ିଶାର ୩ଟି ରାଜ୍ୟସଭା ଆସନ ପାଇଁ ଉପନିର୍ବାଚନ ସକାଶେ ପ୍ରାର୍ଥୀ ମନୋନୟନ ସୂଚନା ଦେଉଥିବା ରାଜ୍ୟ ରାଜନୀତିରେ ପରିବର୍ତ୍ତନ ଅନେକଙ୍କୁ ବିସ୍ମିତ କରିଛି । କେତେକଙ୍କୁ ଏ ପରିବର୍ତ୍ତନ ବିଚଳିତ କରୁଥାଇ ପାରେ । …ପ୍ରାର୍ଥୀ ମନୋନୟନ ରାଜ୍ୟ ରାଜନୀତିରେ ଆଉ ଏକ ଗତାନୁଗତିକ ପରିବର୍ତ୍ତନ ମାତ୍ର ନୁହେଁ । ଉଣେଇସି ନିର୍ବାଚନ ପରବର୍ତ୍ତୀ ଦୃଶ୍ୟପଟ୍ଟରେ ମୁଖ୍ୟ ପ୍ରତିଦ୍ୱନ୍ଦି ଭାବେ ଉଭା ଦୁଇ ପରସ୍ପର ବିରୋଧୀ ରାଜନୈତିକ ଶକ୍ତିଙ୍କ ସମୀକରଣରେ ଜ୍ୟାମିତିକ ଭାଷାରେ ପୁରା ‘୩୬୦ଡିଗ୍ରୀ’ର ଘୁର୍ଣ୍ଣନ ଘଟିଛି ।”
ସେ ଆହୁରି ଦର୍ଶାଇଛନ୍ତି “…ବିଧାନସଭାରେ ସଂଖ୍ୟା ଦୃଷ୍ଟିରୁ ୩ଟି ଯାକ ଆସନରେ ଶାସକ ବିଜେଡିର ପ୍ରାର୍ଥୀମାନେ ପୁନଃ ନିର୍ବାଚିତ ହେବା ପୁରା ପକ୍କା ଥିଲା । … ଅନ୍ୟାୟସରେ ୩ଟି ଯାକ ରାଜ୍ୟସଭା ଆସନ ବିଜେଡି ଖାତାକୁ ଆସୁଥିଲା ବେଳେ ଦଳର ସୁପ୍ରିମୋ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨ଟି ଆସନ ପାଇଁ ଦଳୀୟ ପ୍ରାର୍ଥୀଙ୍କୁ ମନୋନୀତ କରିଛନ୍ତି । ତୃତୀୟ ଆସନଟିକୁ ସେ ପ୍ରତିଦ୍ୱନ୍ଦି ବିଜେପିକୁ ଉପହାର ଦେଇଛନ୍ତି । କୌତୁହଳର ବିଷୟ ହେଲା, ତୃତୀୟ ପ୍ରାର୍ଥୀ ପୂର୍ବତନ ଓଡ଼ିଶା କ୍ୟାଡରର ଆଇଏଏସ ଅଧିକାରୀ ଅଶ୍ୱିନୀ ବୈଷ୍ଣବ ବିଜେପିର ହୋଇଥିଲେ ସୁଦ୍ଧା ମୁଖ୍ୟମନ୍ତ୍ରୀ ମହୋଦୟ ଅନ୍ୟ ଦୁଇ ବିଜେଡି ପ୍ରାର୍ଥୀ ସସ୍ମିତ ପାତ୍ର ଓ ଅମର ପଟ୍ଟନାୟକଙ୍କ ସହ ବୈଷ୍ଣବଙ୍କ ନାମ ମଧ୍ୟ ଘୋଷଣା କରିଥିଲେ ।”… ରାଜ୍ୟ ରାଜନୀତିରେ ହଟଚମଟ ସୃଷ୍ଟି କରିଥିବା ରାଜ୍ୟସଭା ପ୍ରାର୍ଥୀ ମନୋନୟନରେ ଏ ନାଟକୀୟତା କ’ଣ ସଂକେତ ଦେଉଛି? ଏପ୍ରିଲ ୨୯ ତାରିଖ ରାଜ୍ୟରେ ଲୋକସଭା ଓ ବିଧାନସଭା ନିର୍ବାଚନ ପାଇଁ ଶେଷ ପର୍ଯ୍ୟାୟ ମତଦାନ ପର୍ଯ୍ୟନ୍ତ ଯେଉଁ ଦୁଇ ରାଜନୈତିକ ଦଳ ପରସ୍ପରର ପ୍ରତିଦ୍ୱନ୍ଦି ଭାବେ ମୁହାଁମୁହିଁ ସ୍ଥିତିରେ ଥିଲେ, ଏବେ ହାତ ମିଳାଇ ପରସ୍ପରକୁ ଆଲିଙ୍ଗନ ମୁଦ୍ରାରେ । ୧୦ ବର୍ଷ ତଳେ ୨୦୦୯ରେ ବିଜେଡି ଓ ବିଜେପି ମଧ୍ୟରେ ଭାଙ୍ଗି ଯାଇଥିବା ସମ୍ପର୍କ ଗୋଟିଏ ଦଶକ ପରେ ଏବେ ପୁଣି ଯୋଡ଼ି ହେଉଛି । ମେ ୨୩ରେ ନିର୍ବାଚନ ଫଳାଫଳ ପ୍ରକାଶ ପାଇବା ପୂର୍ବରୁ ଦୁଇ ଦଳ ପରସ୍ପରର ନିକଟତର ହେଉଥିବାର ସଂକେତ ମିଳିସାରିଥିଲା ।…ତୁଙ୍ଗ ନେତୃତ୍ୱସ୍ତରରେ ଦିଆ-ନିଆର ଏ ଖେଳରେ ଉଭୟ ଦଳର ତଳସ୍ତରର ନେତା ଓ ତୃଣମୂଳକର୍ମୀ ନିଶ୍ଚୟ ହତବାକ ।… ଆଶଙ୍କା ଯେ, ନୂଆ କରି ମୁଖ୍ୟ ବିରୋଧୀ ଦଳର ଆସନ ପାଇଥିବା ବିଜେପିର ସ୍ଥିତିକୁ ଏହା ଦୂର୍ବଳ କରିପାରେ । କ୍ଷମତାସୀନ ବିଜେଡି ସରକାରକୁ ମୁଖ୍ୟ ବିରୋଧୀ ଭାବେ ବିଜେପିର ବିରୋଧ ଶାଣ ରହିନପାରେ ।…” ଏଥିରୁ ଦଳର ବିଧାୟକ ସୌମ୍ୟରଂଜନଙ୍କ ମନୋଭାବ ସ୍ପଷ୍ଟ । କେହି କେହି କହୁଛନ୍ତି ଯେଉଁ ମାଧ୍ୟମରେ ହେଉ ଦଳ ଭିତରୁ କେହି ଜଣେ ତ ସାହାସ ଦେଖାଇଲା, କହି ସାବାସି ଦେଉଛନ୍ତି ।

Leave A Reply

Your email address will not be published.