OnaKhabar

ଜୁଲାଇ ୩୧ ସୁଦ୍ଧା ତାଲିକା ନଦେଲେ ସମ୍ପତି ହେବ ବାଜ୍ୟାପ୍ତ: ଜଷ୍ଟିସ ଅଜିତ ସିଂ

0 36

ଭୁବନେଶ୍ୱର : ଭ୍ରଷ୍ଟାଚାର ଏବଂ ଦୁର୍ନୀତି ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ପ୍ରତ୍ୟେକ ସରକାରୀ ଅଧିକାରୀ ପ୍ରତିବର୍ଷ ଜୁଲାଇ ୩୧ ତାରିଖ ପୂର୍ବରୁ ଆୟବ୍ୟୟ ଓ ସ୍ଥାବର ଅସ୍ଥାବର ସମ୍ପତିର ତାଲିକା ଦଖଲ କରିବେ । ନଚେତ ତାଙ୍କର ସମ୍ପତି ବାଜ୍ୟାପ୍ତ କରାଯିବ । ନେତା ମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ମୁଖ୍ୟମନ୍ତ୍ରୀ ମଧ୍ୟ ଦୁର୍ନୀତି କଲେ ତାଙ୍କ ବିରୋଧରେ ତଦନ୍ତ କରାଯିବ । ସାଧାରଣ ଲୋକମାନଙ୍କ ପକ୍ଷରୁ ଦାଏର କରାଯାଇଥିବା ମାମଲା ୬ମା୍ସରୁ ୨ବର୍ଷ ମଧ୍ୟରେ ସମାଧାନ କରାଯିବ । ରାଜ୍ୟକୁ ଦୁର୍ନୀତି ମୁକ୍ତ କରାଯାଇ ଏକ ମଡେଲ ରାଜ୍ୟ କରାଯିବ ବୋଲି ଓଡିଶା ଲୋକାୟୁକ୍ତ ଅଧ୍ୟକ୍ଷ ଜଷ୍ଟିସ ଅଜିତ ସିଂ କହିଛନ୍ତି ।
ସୋମବାର ତୋଷାଳୀ ଭବନଠାରେ ଆୟୋଜିତ ସାମ୍ବାଦିକ ସମ୍ମୀଳନୀରେ ଜଷ୍ଟିସ ସିଂ କହିଥିଲେ ଲୋକାୟୁକ୍ତ ପରିସର ମଧ୍ୟକୁ ସାଧାରଣ ଲୋକ କିପରି ଆସି ପାରିବେ ଏବଂ ନିଜର ସୁବିଧା ଅସୁବିଧା ଜଣାଇ ପାରିବେ ତାହାକୁ ନେଇ ନୂତନ ପଦକ୍ଷେପ ଗ୍ରହଣ କରାଯାଇଛି । ଲୋକାୟୁକ୍ତ ଗଠନ ହେବା ପରେ ପ୍ରଥମ ପର୍ଯ୍ୟାୟରେ ୫ ଜଣିଆ କମିଟି ଓ ତଦନ୍ତକାରୀ ସଂସ୍ଥା ଗଠନ କରାଯାଇଛି । ସାଧାରଣ ଲୋକଙ୍କୁ ଲୋକାୟୁକ୍ତ କାର୍ଯ୍ୟ କଳାପ ଆଡକୁ ଆକର୍ଷିତ କରିବା ଲାଗି ପ୍ରତି ଜିଲ୍ଲାରେ ସଚେତନତା ଶିବିର କରାଯିବ । ଏହି କ୍ରମରେ ପ୍ରଥମେ ୨୯ ତାରିଖରେ ସମ୍ବଲପୁରଠାରେ ପ୍ରଥମ ଲୋକାୟୁକ୍ତ ଶିବିର କରାଯାଇ ଲୋକଙ୍କୁ ସଚେତନ କରାଯିବ । ରାଜ୍ୟ ତମାମ ଏହି ଭଲି ସଚେତନତା ଶିବିର କରାଯିବା ଲାଗି ଯୋଜନା କରାଯାଇଛି । କିନ୍ତୁ ପ୍ରଥମେ ଆଦୀବାସି ଅଧ୍ୟୁସିତ ଜିଲ୍ଲା ଗୁଡିକୁ ପ୍ରଧାନ୍ୟତା ଦିଆଯିବ ।
ସୋ କହିଥିଲେ ଯେ,ବର୍ତମାନ ଓଡିଶା ଲୋକାୟୁକ୍ତଙ୍କ ନିକଟରେ ୮୨ଟି ଦୁର୍ନୀତି ମାମଲା ବିଚାରାଧୀନ ରହିଛି ଓ ଏଥିରୁ ୨୮ଟି ମାମଲା ସମ୍ପୂର୍ଣ୍ଣ ଭାବେ ନୂଆ । ଏହା ସହିତ ପୂର୍ବରୁ ଦାଏର ହୋଇଥିବା ୫୯୨ଟି ମାମଲା ଲୋକାୟୁକ୍ତ ପରିସରକୁ ଅଣା ଯାଇଛି । ସେଥିରୁ ୬୨ଟି ମାମଲା ଗ୍ରହଣ ଯୋଗ୍ୟ ହୋଇ ନଥିବାରୁ ତାକୁ ରଦ୍ଦ କରାଯାଇଥିଲା । ଏଥି ମଧ୍ୟରେ ସରକାରୀ କର୍ମଚାରୀଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗ ନେଇ ୫୪ଟି ମାମଲା କୁ ତଦନ୍ତ କରିବା ପାଇଁ ହାତକୁ ନିଆ ଯାଇଛି ।୪୭୬ଟି ମାମଲା ବ୍ୟକ୍ତିଗତ ଅଭିଯୋଗ ଆଧାରିତ ହୋଇ ଥିବାରୁ ସେଗୁଡିକୁ ରାଜ୍ୟ ସରକାରଙ୍କ ନିକଟକୁ ସ୍ଥାନାନ୍ତର କରାଯାଇଛି ।
ନୂତନ ଲୋକାୟୁକ୍ତ ପ୍ରତିଷ୍ଠାନ କାର୍ଯ୍ୟକାରୀ ହେବା ପରେ ମୋଟ ୨୮ଟି ନୂତନ ଅଭାଯୋଗ ରହିଛି । ଏବେ ସର୍ବମୋଟ ୮୨ଟି ଦୁର୍ନୀତି ମାମଲା ଓଡିଶା ଲୋକାୟୁକ୍ତଙ୍କ ବିଚାରାଧୀନ ରହିଛି । ସେହିପରି ସାତ ବର୍ଷ ଭିତରେ ଘଟିଥିବା ଦୁର୍ନୀତିର ତଦନ୍ତ ଲୋକାୟୁକ୍ତ କରି ପାରିବେ । ଦୁର୍ନୀତି ଅଭିଯୋଗର ୬୦ ଦିନ ଭିତରେ ପ୍ରାଥମିକ ଅନୁସନ୍ଧାନ ଓ ୬ ମାସ ଭିତରେ ତଦନ୍ତ ସମ୍ପୂର୍ଣ୍ଣ ଶେଷ କରି ତଦନ୍ତକାରୀ ସଂସ୍ଥା ନିଜର ରିପୋର୍ଟ ଲୋକାୟୁକ୍ତଙ୍କୁ ପ୍ରଦାନ କରିବା ଲୋକାୟୁକ୍ତ ଚାହଁଲେ ଯେ କୌଣସି ସମୟରେ ତଦନ୍ତକାରୀ ଅଧିକାରୀଙ୍କୁ ବଦଳାଇ ପାରିବେ । ଏହା ସହିତ ଓଡିଶା ଲୋକାୟୁକ୍ତ ଆଇନ ଅନ୍ତର୍ଗତ ସଂକ୍ରାନ୍ତ କୌଣସି ଅଭିଯୋଗକୁ ଲୋକାଯୁକ୍ତ ଗ୍ରହଣ କରିପାରିବେ । ଯହାକି ଦୁର୍ନୀତି ନିବାରଣ ଆଇନ-୧୯୮୮ରେ ଦଣ୍ଡନୀୟ ହୋଇଥିବ ।
ସମସ୍ତ ସରକାରୀ କର୍ମଚାରୀ ,ମୁଖ୍ୟମନ୍ତ୍ରୀ,ମନ୍ତ୍ରୀ,ବିଧାୟକ ଓ ଅନ୍ୟ ଜନପ୍ରତିନିଧିଙ୍କ ବିରୋଧରେ ଅଭିଯୋଗକୁ ଲୋକାୟୁକ୍ତ ଗ୍ରହଣ କରିବେ । ଅଭିଯୋଗ ମିଳିବା ପରେ ତାର ଯଥାର୍ଥତାକୁ ଉପଲବ୍ଧି କରି ଲୋକାୟୁକ୍ତ ନିଜର ତଦନ୍ତକାରୀ ସଂସ୍ଥା ମାଧ୍ୟମରେ ପ୍ରାଥମିକ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇ ପାରିବେ ବୋଲି ଜଷ୍ଟିସ ସିଂ କହିଛନ୍ତି । ଏହା ସହିତ ରାଜ୍ୟ ବାସୀଙ୍କ,ୁ ଦୁର୍ନୀତିର ଶିକାର ନହେବା ପାଇଁ ଲୋକାୟୁକ୍ତ ଅଧ୍ୟକ୍ଷ କହିଛନ୍ତି । ସାଧାରଣ ଲୋକଟିଏ ସ୍ୱଳ୍ପ ମୂଲ୍ୟରେ ଏହି ଅଭିଯୋଗ ଦାଖଲ କରିପାରିବେ । ଚିଠି ମାଧ୍ୟମରେ ହେଉ କିମ୍ବା ଇ-ମେଲ ଯୋଗେ ଲୋକଙ୍କ ଅଭିଯୋଗ ଗ୍ରହଣ କରାଯିବ ।
ସୂଚନାଯୋଗ୍ୟ ନିକଟରେ ଲୋକାୟୁକ୍ତ ଖବରକାଗଜରେ ପ୍ରକାଶିତ ୨ଟି ଦୁର୍ନୀତି ମାମଲାକୁ ନିଜ ତର‘ରୁ ଅଭିଯୋଗ ଭାବେ ସ୍ୱୀକାର କରି ତାର ତଦନ୍ତ କରିବା ଲାଗି ନିର୍ଦ୍ଦେଶ ଦେଇଥିବା ଲୋକାୟୁକ୍ତ ଜଷ୍ଟିସ ସିଂ ସୂଚନା ଦେଇଛନ୍ତି । ଏହି ସାମ୍ବାଦିକ ସମ୍ମୀଳନୀରେ ଲୋକାୟୁକ୍ତ ନ୍ୟାୟିକ କମିଟି ସଦସ୍ୟ ଜଷ୍ଟିସ ବିକେ ନାୟକ ଏବଂ ଡାକ୍ତର ଦେବବ୍ରତ ସ୍ୱାଇଁ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.