OnaKhabar

ମୁଣ୍ଡ ବିହୀନ କଂଗ୍ରେସ ବିଧାୟକ ଦଳ

43

ଭୁବନେଶ୍ୱର: ମଙ୍ଗଳବାର ଠାରୁ ବିଧାନସଭାର ଅଧିବେଶନ ଆରମ୍ଭ ହେବାକୁ ଯାଉଛି । ହେଲେ କଂଗ୍ରେସ ବିଧାୟକ ଦଳର ବୈଠକ ବସିପାରିଲା ନାହିଁ । ଦଳ କେଉଁ ପ୍ରସଙ୍ଗକୁ ଭିତ୍ତି କରି ବିଧାନସଭାରେ ସରକାରଙ୍କୁ ଘେରିବ ସେ ନେଇ କୌଣସି ରଣକୌଶଳ ନିର୍ଦ୍ଧାରଣ କରଯାଇପାରିଲା ନାହିଁ । ସତେ ଯେପରି ଏବେ କଂଗ୍ରେସରେ କେହି ମାଆ ବାପା ନାହିଁ । କଣ ପଦକ୍ଷେପ ନିଆଯିବ କି ନିଆନଯିବ ସେ ବିଷୟରେ କେହି କାହାକୁ ପରାମର୍ଶ ଦେବାକୁ ନାହାନ୍ତି । ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଇସ୍ତଫା ଦେବା ପରେ ଯଦିଓ ତାଙ୍କର ଇସ୍ତଫା ପତ୍ର ଗୃହୀତ ହୋଇ ନାହିଁ ତଥାପି ସେ ଦଳର ସାଙ୍ଗଠନିକ କାର୍ଯ୍ୟକ୍ରମ ପ୍ରତି ଆଗ୍ରହ ଦେଖାଉନଥିବା କୁହାଯାଉଛି । ବିଧାୟକ ଦଳର ନେତା ନିର୍ବାଚନ ମଧ୍ୟ ହୋଇପାରିନାହିଁ ।
ଏଥର ନିର୍ବାଚନରେ କଂଗ୍ରେସକୁ ଶକ୍ତ ଧକ୍କା ଲାଗିଛି । ଦଳ ଘୋର ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି । ଗତଥର ଦଳରେ ୧୬ ଜଣ ବିଧାୟକ ଥିଲା ବେଳେ ଏଥର ସଂଖ୍ୟା ୯କୁ ଖସିଛି । ଦଳ ଏକ ଅଙ୍କରେ ରହିଯାଇଛି । ଏହି ବିପର୍ଯ୍ୟୟ ପରେ ପରସ୍ପରକୁ ଦୋଷାରୋପ କରିବାରେ ଲାଗିଛନ୍ତି । ବିଧାନସଭା ଆସୁଥିବାରୁ ଯେତିକି ବି ସଂଖ୍ୟା ଅଛି ସେ କିଛି କମ କୁହାଯାଇପାରିବ ନାହିଁ । ସେମାନେ ଚାହିଁଲେ ବିଧାନସଭାରେ ସରକାରଙ୍କୁ ବେଶ ଅଡୁଆରେ ପକାଇ ପାରିବେ । ହେଲେ ବିଧାୟକ ଦଳର କିଏ ନେତୃତ୍ୱ ନେବ ତାହା ବଛାଯାଇପାରିଲା ନାହିଁ । ଓଡିଶା ଦାୟିତ୍ୱରେ ଥିବା ଦଳର ପ୍ରଭାରୀ ଜିତେନ୍ଦ୍ର ପ୍ରସାଦ ସିଂହଙ୍କର ଦେଖାନାହିଁ । ସେପଟେ ଦଳର ହାଇକମାଣ୍ଡ ରାହୁଲ ଗାନ୍ଧିି ମଧ୍ୟ ଅଧ୍ୟକ୍ଷ ପଦ ଛାଡିବା ନେଇ ଘୋଷଣା କରିବା ପରେ ଆଉ କୌଣସି କଥାରେ ମନ ଦେଉନାହାନ୍ତି ।
ଫଳରେ ନେତା ନିର୍ବାଚନ ହୋଇନ ନଥିବାରୁ ଏବଂ ବିଧାୟକ ଦଳର କିଏ ସମ୍ପାଦକ ହେବ ତାହା ମଧ୍ୟ ବଛା ଯାଇନଥିବାରୁ ବିଧାୟକ ଦଳ ବୈଠକ ବସିପାରି ନାହିଁ । କିଏ ବୈଠକ ଡାକିବ ତାହାକୁ ନେଇ ଉଠିଛି ପ୍ରଶ୍ନ । କୌଣସି ବିଧାୟକଙ୍କୁ ଦଳ କ୍ଷମତା ପ୍ରାପ୍ତ କରିନଥିବାରୁ କେହି ଆଉ ବୈଠକ ଡାକିବାକୁ ଆଗେଇ ଆସି ନାହାନ୍ତି । ଯେହେତୁ ଦଳ କାହାରିକୁ ବାଛି ନାହିଁ ସେଥିପାଇଁ କେହି ଆଗକୁ ବାହାରି ବୈଠକ ଡାକି ନାହାନ୍ତି । କ୍ଷମତାପ୍ରାପ୍ତ ହୋଇ ନଥିବାରୁ କିଏ ଓ କାହିଁକି ବୈଠକ ଡାକିବ ଓ କେଉଁ ହିସାବରେ ବୈଠକ ଡାକିବ ସେ ନେଇ ମଧ୍ୟ ପ୍ରଶ୍ନ ରହିଛି । ଏଆଇସିସିକୁ ଏନେଇ ଜଣାଇ ଦିଆଯାଇଥିଲା । ଏଆଇସିସି ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ସୂଚନା ଆସି ନଥିବା କୁହାଯାଉଛି । ଏଆଇସିସିରୁ ନିର୍ଦ୍ଦେଶନାମା ନ ଆସୁଥିବାରୁ ସବୁ କାର୍ଯ୍ୟ ଅଟକି ରହିଛି । ବିଧାନସଭାରେ ବିଧାୟକମାନେ ନିଜ ନିଜ ଢଙ୍ଗରେ କାର୍ଯ୍ୟ କରିବେ । କେହି କାହା କଥା ମାନିବାକୁ ବାଧ୍ୟ ନୁହଁନ୍ତି କି କେହି କାହାକୁ କିଛି କହିପାରିବେ ନାହିଁ । ଏଭଳି ଏକ ବିପର୍ଯ୍ୟସ୍ତ ସ୍ଥିତିରେ ପହଁଞ୍ଚିଛି କଂଗ୍ରେସ ।

https://www.onakhabar.com/2019/06/bjp-meeting-2/