OnaKhabar

ନବୀନଙ୍କ ଡାକରାକୁ ଅପେକ୍ଷା କରିଥିଲେ ଚ୍ୟାଉ, ପଟ୍ଟଶାଣୀ ବିଜେପିକୁ ଯିବା ନେଇ ଚର୍ଚ୍ଚା

0 12

ଭୁବନେଶ୍ୱର (ଓଏନଏ) : ଓଡ଼ିଶାରେ ଖାଲି ହୋଇଥିôବା ୩ ରାଜ୍ୟସଭା ଆସନ ପାଇଁ ଶୁକ୍ରବାର ବିଜେଡି ସୁପ୍ରିମୋ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨ ଦଳୀୟ ପ୍ରାର୍ଥୀ ଓ ଜଣେ ବିଜେପି ପ୍ରାର୍ଥୀଙ୍କୁ ସମର୍ଥନ କରିବେ ବୋଲି ଘୋଷଣା କରିବା ପରେ ଏହାକୁ ନେଇ ରାଜନୈତିକ ହଟଚମଟ ଦେଖାଦେଇଛି । ଏହି ଘୋଷଣା ପରେ ପୂର୍ବରୁ ରାଜ୍ୟସଭା ପାଇଁ ପ୍ରତିଶ୍ରୁତି ପାଇଥିବା ପୂର୍ବତନ ସାଂସଦ ପ୍ରସନ୍ନ ପାଟ୍ଟଶାଣୀ ଓ ପୂର୍ବତନ ବିଧାୟକ ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକଙ୍କୁ ହତାଶ ହେବାକୁ ପଡ଼ିଛି । ଉଭୟ ଏ ନେଇ ଯେଉଁ ଆଶା ରଖିଥିଲେ ତାହା ପୂରଣ ହୋଇ ନ ଥିବାରୁ ସେଥିନେଇ ଆଶ୍ଚର୍ଯ୍ୟ ହୋଇଛନ୍ତି । ଏଥିନେଇ ମନରେ ଦୁଃଖ ଆସିଥିଲେ ବି ଆଶା ଛାଡ଼ି ନ ଥିବା କଥା କହିଛନ୍ତି । ମୁଖ୍ୟମନ୍ତ୍ରୀ ଏପରି କହିବେ ବୋଲି ତାଙ୍କର ବିଶ୍ୱାସ ନ ଥିଲା । ହେଲେ ଯାହା କରିଛନ୍ତି ରାଜ୍ୟ ସ୍ୱାର୍ଥ ପାଇଁ କରିଛନ୍ତି ବୋଲି କହି ଉଭୟ ମନକୁ ବୁଝାଇଛନ୍ତି । କିନ୍ତୁ ଆଉ ଗୋଟିଏ କଥା କୁହାଯାଉଛି ଶ୍ରୀ ପାଟ୍ଟଶାଣୀ ଏହି ପଦକ୍ଷେପରେ ବେଶ ଅସନ୍ତୁଷ୍ଟ ଅଛନ୍ତି । ହୁଏତ ସେ ବିଜେଡି ଛାଡ଼ି ବିଜେପିରେ ସାମିଲ ହୋଇଯାଇପାରନ୍ତି ବୋଲି କେହି କେହି ମତ ଦେଉଛନ୍ତି । ଶ୍ରୀ ପାଟ୍ଟଶାଣୀଙ୍କ ବିଜେପିରେ ଯୋଗଦାନ ନେଇ ରାଜଧାନୀରେ ଚର୍ଚ୍ଚା ଜୋର ଧରିଛି ।
ନିର୍ବାଚନ ସମୟରେ ଟିଟେକରୁ ବଞ୍ଚିତ ହେବା ବେଳେ ନବୀନ ଉଭୟଙ୍କୁ ରାଜ୍ୟସଭା ପଠାଯିବ ବୋଲି କହିଥିଲେ । ଏଣୁ ନବୀନ କଥା ରଖିବେ ଏହି ଆଶା ଉଭୟଙ୍କର ଥିଲା । ବର୍ତ୍ତମାନ ନବୀନଙ୍କ ଘୋଷଣା ପରେ ଶ୍ରୀ ଚ୍ୟାଉ ପଟ୍ଟନାୟକ କହିଛନ୍ତି ଓଡ଼ିଶାର ବୃହତ୍ତର ସ୍ୱାର୍ଥ ସୃଷ୍ଟିରୁ ଦଳର ଦୃଢ଼ ସଙ୍ଗଠନ ପାଇଁ ଓ ଜନସାଧାରଣଙ୍କ ହୀତ ପାଇଁ ମୁଖ୍ୟମନ୍ତ୍ରୀ ଯାହା କରିଛନ୍ତି ତାହା ସ୍ୱାଗତ ଯୋଗ୍ୟ । ଆଗାମୀ ୧୦ ମାସ ପରେ ୪ଟି ଆସନ ଖାଲି ହେବ । ମୁଁ ମଧ୍ୟ ଆଶାବାଦୀ ଅଛି ମାନ୍ୟବର ମୁଖ୍ୟମନ୍ତ୍ରୀ ସେ ଆଶାକୁ ପୂରଣ କରିବେ । ଏଥର ପାଇବି ବୋଲି ମୁଁ ଆଶାବାଦୀ ଥିଲି । କିନ୍ତୁ ପରିସ୍ଥିତି ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ପଦକ୍ଷେପ ନେଇଛନ୍ତି । ସେ ପରେ ନିଶ୍ଚେ ପଦକ୍ଷେପ ନେବେ ବୋଲି ମୁଁ ଆଶା କରୁଛି ବୋଲି ଚ୍ୟାଉ ପଟ୍ଟନାୟକ କହିଛନ୍ତି ।
ତାଙ୍କ ନାମ ଘୋଷଣା ନ ହେବା ନେଇ ଶ୍ରୀ ପାଟ୍ଟଶାଣୀ କହିଛନ୍ତି ମନରେ ଟିକିଏ ଦୁଃଖ ରହିବ ସ୍ୱଭାବିକ ଭାବେ । ମୁଁ ପ୍ରବଂଚକ ଭାବେ କହିବି ନାହିଁ । ଏଇଟା କହିବା ଉଚିତ ନୁହେଁ, ହେଲେ ମୁଁ ସବୁବେଳେ ଗରିବଙ୍କ କାମ ଆଗେ କରିଥାଏ । ମୁଁ ଭାବିଥାଏ ଲୋକଗୁଡ଼ିକ ମୋ ଦୁଆରକୁ ଆସିଛନ୍ତି ତାଙ୍କ ପାଇଁ କାମ କରିବି । ଭବିଷ୍ୟତରେ ମୁଖ୍ୟମନ୍ତ୍ରୀଙ୍କ ମନ ନ ବଦଳିବ ବୋଲି କିଏ କହିବ । ମୁଁ ଆଶା ରଖିଛି ବୋଲି ପାଟ୍ଟଶାଣୀ କହିଛନ୍ତି ।
ହେଲେ ପାଟ୍ଟଶାଣୀଙ୍କ ସମ୍ପର୍କରେ ଆଉ ଏକ ଆଲୋଚନା ହେଉଛି ଯେ, ନିର୍ବାଚନ ସମୟରେ ତାଙ୍କୁ କିମ୍ବା ତାଙ୍କ ଜ୍ୱାଇଁ ପୂର୍ବତନ ବିଧାୟକ ପ୍ରୀୟଦର୍ଶୀ ମିଶ୍ରଙ୍କୁ ଦଳୀୟ ଟିକେଟ ନବୀନ ଦେଲେନାହିଁ । ତାଙ୍କୁ ନିର୍ବାଚନରେ ପ୍ରାର୍ଥୀ ନ କରି ରାଜ୍ୟସଭାକୁ ପଠାଇବେ ବୋଲି ନବୀନ ପ୍ରତିଶ୍ରୁତି ଦେଇଥିଲେ ବି ତାହା ରଖିଲେ ନାହିଁ । ଏଣୁ ତାଙ୍କର ଆଉ ଭରଷା ପାଉନାହିଁ । ଏ କ୍ଷେତ୍ରରେ ବିଜେପି ପାଟ୍ଟଶାଣୀଙ୍କ ଉପରେ ନଜର ପକାଇଛି । ଶ୍ରୀ ପାଟ୍ଟଶାଣୀ ବିଜେପି ନେତାଙ୍କ ଭିତରେ ଆଲୋଚନା ଚାଲିଥିବା କଥା କୁହାଯାଉଛି । ଯେକୌଣସି ମୁହୂର୍ତ୍ତରେ ଶ୍ରୀ ପାଟ୍ଟଶାଣୀ ବିଜେପିରେ ଯୋଗଦେଇ ପାରନ୍ତି ଏକଥା ମଧ୍ୟ ଆଲୋଚନା ହେଉଛି ।

Leave A Reply

Your email address will not be published.