OnaKhabar

ରାଜ୍ୟସଭା : ଡବଲ ଇଞ୍ଜିନ କଥା କହି ଦାମଙ୍କ କଟାକ୍ଷ

0 28

ଭୁବନେଶ୍ୱର (ଓଏନଏ) : ବିଜେଡି ସୁପ୍ରିମୋ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜେପିର ରାଜ୍ୟସଭା ପ୍ରାର୍ଥୀଙ୍କୁ ସମର୍ଥନ ଦେବା ଘୋଷଣା କରିବା ପରେ ତାକୁ ନେଇ ରାଜ୍ୟ ରାଜନୀତିରେ ବେଶ ଉଷ୍ମତା ଦେଖାଦେଇଛି । ତୁଣ୍ଡରେ ଲଗାମ ନ ଥିବା ଡାକ୍ତର ଦାମୋଦର ରାଉତ ନିଜ ଦଳକୁ ବି କଟାକ୍ଷ କରିବାକୁ ପଛାଇ ନାହାଁନ୍ତି । ଡବଲ ଇଞ୍ଜିନ କଥା କହି ସେ ବାଣ ମାରିବାକୁ ଉଦ୍ୟମ କରିଛନ୍ତି । ସେ ଯେଉଁ ଢଙ୍ଗରେ ତାଙ୍କ ପ୍ରତିକ୍ରୀୟା ରଖିଛନ୍ତି ସେଥିରୁ ତାଙ୍କ ମନୋଭାବ ସ୍ପଷ୍ଟ ବୁଝାପଡ଼ିଯାଉଛି ।
ନିର୍ବାଚନ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶାକୁ ପ୍ରଚାରରେ ଆସିଲା ବେଳେ ଡବଲ ଇଞ୍ଜିନ କଥା ସବୁବେଳେ କହୁଥିଲେ । ବିଜେପିର ଅନ୍ୟ ନେତାମାନେ ଅମିତ ଶାହ ହୁଅନ୍ତୁ କି ଧର୍ମେନ୍ଦ୍ର ପ୍ରଧାନ ହୁଅନ୍ତୁ ସେମାନେ ବି ଡବଲ ଇଞ୍ଜିନ କଥା କହୁଥିଲେ । ଦିଲ୍ଲୀରେ ଓ ରାଜ୍ୟରେ ଗୋଟିଏ ସରକାର ରହିବା ପାଇଁ ଯୁକ୍ତି ରଖୁଥିଲେ । ଏହା ଦ୍ୱାରା ରାଜ୍ୟର ବିକାଶ ହୋଇପାରିବ ବୋଲି ଦର୍ଶାଉଥିଲେ । କିନ୍ତୁ ତାହା ବାସ୍ତବ କ୍ଷେତ୍ରରେ ହେଲାନାହିଁ । ଦିଲ୍ଲୀରେ ବିଜେପି ସରକାର ଓ ରାଜ୍ୟରେ ବିଜେଡି ସରକାର ହେଲା । ଏହି କଥାକୁ ଲକ୍ଷ୍ୟ କରି ରାଜ୍ୟସଭା ନିର୍ବାଚନରେ ବିଜେପି ପ୍ରାର୍ଥୀଙ୍କୁ ବିଜେଡି ସମର୍ଥନ ଦେବା ପରେ ଡାକ୍ତର ରାଉତ ଡବଲ ଇଞ୍ଜିନ କଥା ଉଠାଇ ତେରଛା ବାଣ ମାରିଛନ୍ତି । ଡାକ୍ତର ରାଉତ କଟାକ୍ଷ କରି କହିଛନ୍ତି ଡବଲ ଇଞ୍ଜିନ ଲୋକେ କରି ନ ଥିଲେ ମଧ୍ୟ ନିର୍ବାଚନ ସରିବା ପରେ ହୋଇଗଲା ଆଉ କଣ ଅଛି । ତାଙ୍କ ମତରେ ପ୍ରଧାନମନ୍ତ୍ରୀ ଦିଲ୍ଲୀରେ ରହି ଯାହା ଚାହୁଁଛନ୍ତି ଓଡ଼ିଶାରେ ନବୀନ ପଟ୍ଟନାୟକ ସରକାର କଲେ ମଧ୍ୟ ତାକୁ ମାନି କାର୍ଯ୍ୟ କରୁଛନ୍ତି । ଏକ କଟୋର ବିରୋଧୀ ଦଳର ପ୍ରାର୍ଥୀଙ୍କୁ ଶାସକ ଦଳ ସମର୍ଥନ ଦେବା ରାଜନୀତିକ ଇତିହାସରେ ବିରଳ ଘଟଣା ବୋଲି କୁହାଯାଉଛି ।
ଏତିକିରେ ଡାକ୍ତର ରାଉତଙ୍କ ସମାଲୋଚନା ସରିନାହିଁ । ସେ କହିଛନ୍ତି ରାଜ୍ୟ ସ୍ୱାର୍ଥ ଦୃଷ୍ଟିରୁ ଉଭୟ ଦଳ ଭିତରେ ଆଉ ସମଦୂରତା ନାହିଁ । ରାଜ୍ୟରେ ବିଜେପି ଅଭିବୃଦ୍ଧି ଦେଖି ବିଜେଡି ସୁସମ୍ପର୍କ ସ୍ଥାପନ କରୁଛି । ଏବେ ଆଉ ନବୀନ ପଟ୍ଟନାୟକ ୨୦୦୯ ମସିହାଠାରୁ ଯେଉଁ ସମଦୂରତା କଥା କହୁଥିଲେ ସେ ସମଦୂରତା ଥିଓରିକୁ ଭୁଲି ଯାଇକି ଏକାଠି ରହିବାର ଥିଓରିକୁ ବିଶ୍ୱାସ କରିଛନ୍ତି, ଏଇଟା ହେଇଛି । ବରିଷ୍ଠ ନେତା ଦିନକୁ ଦିନ ଗୌଣ ହେବାରେ ଲାଗିଛନ୍ତି । ୭୦ ବର୍ଷ ପାର ହୋଇଗଲା ପରେ ଦିଲ୍ଲୀଠୁ ପଲ୍ଲୀ ପର୍ଯ୍ୟନ୍ତ ସବୁଠି ବର୍ତ୍ତମାନ ପ୍ରଶାସକମାନଙ୍କର ପ୍ରାଧାନ୍ୟ ବୃଦ୍ଧି ପାଉଛି । ଲୋପ୍ରତିନିଧିମାନେ ନମସ୍ତକ ହୋଇ ତାଙ୍କ କଥା ମାନୁଛନ୍ତି । ଓଡ଼ିଶା କାହିଁକି ସାରା ଭାରତବର୍ଷରେ ଏହି ଘଟଣା ଘଟୁଛି ଏବଂ କେନ୍ଦ୍ର ସରକାର ମଧ୍ୟ ଏଥିରେ ସାମଲି ଅଛନ୍ତି । ଏଣୁ ଏ ବିଷୟରେ କହିକି କିଛି ଲାଭ ନାହିଁ ବୋଲି ଡାକ୍ତର ରାଉତ କହିଛନ୍ତି ।
ସେ କହିଛନ୍ତି ଅଶ୍ୱିନୀ ବୈଷ୍ଣବ ଜଣେ ପାରିବାର ଲୋକ । ଦିଲ୍ଲୀରେ ତାଙ୍କର ଭଲ ଲବି ଅଛି । ତେଣୁ ସେ ବିଜେପି ତରଫରୁ ପ୍ରାର୍ଥୀ ହେଲେ । ତାଙ୍କୁ ବିଜୁ ଜନତା ଦଳ ସାହାଯ୍ୟ କରିବ । କାହିଁକି ନା ବିଜୁଜନତା ଦଳ ସହ ତାଙ୍କର ଭଲ ସମ୍ପର୍କ ଅଛି । ତେଣୁ ଉଭୟଙ୍କର ହିତ ପାଇଁ ଅଶ୍ୱିନୀ ବୈଷ୍ଣବଙ୍କୁ ସେ ବିଜେପିର ରାଜ୍ୟସଭା ପ୍ରାର୍ଥୀ କରିଛନ୍ତି । କିନ୍ତୁ ବିଜେଡି ତାଙ୍କୁ ପ୍ରାର୍ଥୀ କରିବାର ଯଥେଷ୍ଟ ସମ୍ଭାବନା ଥିଲା । ତେଣୁ ପରସ୍ପରର ସୁବିଧା ପାଇଁ ଅଶ୍ୱିନୀ ବୈଷ୍ଣବଙ୍କୁ ପ୍ରାର୍ଥୀ କରିଛନ୍ତି ଏଥିରେ କହି ଲାଭ କଣ ।
ନବୀନ ତାଙ୍କ ଦଳର ଦୁଇ ନେତା ପ୍ରସନ୍ନ ପାଟ୍ଟଶାଣୀ ଓ ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକଙ୍କୁ ପ୍ରାର୍ଥୀ କରିବ ବୋଲି ପ୍ରତିଶ୍ରୁତି ଦେଇ ତାହା ରଖି ନ ଥିବା ସମ୍ପର୍କରେ ଡାକ୍ତର ରାଉତ କହିଛନ୍ତି ପ୍ରତିଶ୍ରୁତି କେହି ରଖନ୍ତି ନାହିଁ । ଏଥିରେ ନୂଆ କଥା କିଛି ନାହିଁ । ବିଜେପି ସହ ବିଜେଡିର ସମ୍ପର୍କ ନେଇ ସେ କହିଛନ୍ତି ଆମ ଦଳ ସହ ବିଜେଡି ଭଲ ସମ୍ପର୍କ ରଖିଲେ ମୁଁ ଖୁସି ।

Leave A Reply

Your email address will not be published.