OnaKhabar

ବିଜେପିରେ ଯୋଗଦେଲେ ଅଶ୍ୱିନୀ ବୈଷ୍ଣବ

0 13

ଭୁବନେଶ୍ୱର (ଓଏନଏ) : ରାଜ୍ୟସଭା ପ୍ରାର୍ଥୀ ଭାବେ ଘୋଷିତ ହୋଇଥିବା ପୂର୍ବତନ ଆଇଏଏସ ଅଫିସର ଅଶ୍ୱିନୀ ବୈଷ୍ଣବ ଆଜି ବିଦ୍ଧିବଦ୍ଧ ଭାବେ ବିଜେପିରେ ଯୋଗ ଦେଇଛନ୍ତି । ବିଜେପି ତାଙ୍କୁ ଗତକାଲି ରାଜ୍ୟସଭା ପ୍ରାର୍ଥୀ ଭାବେ ଘୋଷଣା କରିଥିଲା । ବିଜେଡି ବିଜେପିର ପ୍ରାର୍ଥୀ ଶ୍ରୀ ବୈଷ୍ଣବଙ୍କୁ ସମର୍ଥନ ଦେବ ବୋଲି ଘୋଷଣା କରିଥିଲା । ଅବଶ୍ୟ ଶ୍ରୀ ବୈଷ୍ଣବ ବିଜେପିର ସଦସ୍ୟ ହୋଇ ନ ଥିଲେ ମଧ୍ୟ ଦଳ ତାଙ୍କୁ ପ୍ରାର୍ଥୀ ଭାବେ ନାମ ପ୍ରକାଶ କରିଥିଲା । କିନ୍ତୁ ସେ ବିଜେପିର ସଦସ୍ୟ ନ ଥିବାରୁ ଆଜି ଦଳରେ ମିଶି ସଦସ୍ୟତା ଗ୍ରହଣ କରିଛନ୍ତି । ସେ ବିଜେପି କାର୍ଯ୍ୟାଳୟକୁ ଯାଇ ଦଳର ରାଜ୍ୟ ସଭାପତି ସାଂସଦ ବସନ୍ତ ପଣ୍ଡା ଓ ଅନ୍ୟ ନେତାମାନଙ୍କ ଉପସ୍ଥିତିରେ ସାମିଲ ହୋଇଥିଲେ । ଶ୍ରୀ ପଣ୍ଡା ତାଙ୍କୁ ଦଳରେ ସ୍ୱାଗତ କରିବା ସହ ସେ ରାଜ୍ୟସଭା ପ୍ରାର୍ଥୀ ହୋଇଥିବା ନେଇ ସୂଚନା ଦେଇଥିଲେ । ଦଳର ଅନୁରୋଧକ୍ରମେ ବିଜେଡି ତାଙ୍କ ପ୍ରାର୍ଥୀଙ୍କୁ ସମର୍ଥନ ଦେବାକୁ ଘୋଷଣା କରିଥିବାରୁ ଶ୍ରୀ ପଣ୍ଡା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଜଣାଇଥିଲେ ।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗତକାଲି ଶ୍ରୀ ବୈଷ୍ଣବଙ୍କ ନାମ ବିଜେଡିର ରାଜ୍ୟସଭା ପ୍ରାର୍ଥୀ ଭାବେ ପ୍ରଥମେ ଘୋଷଣା କରିଥିଲେ । କିନ୍ତୁ ପରେ ସେ ବିଜେଡିର ନୁହେଁ ବିଜେପିର ପ୍ରାର୍ଥୀ ଓ ତାଙ୍କୁ ବିଜେଡି ସମର୍ଥନ ଦେବ ବୋଲି କହିଥିଲେ । ସେ ଅଟଳବିହାରୀ ବାଜପାୟୀ ପ୍ରଧାନମନ୍ତ୍ରୀ ଥିଲା ବେଳେ ତାଙ୍କର ବ୍ୟକ୍ତିଗତ ସଚିବ ଥିଲେ । ହେଲେ ତାଙ୍କ ନାମ ରାଜ୍ୟସଭା ପ୍ରାର୍ଥୀ ଭାବେ ଘୋଷଣା ପରେ ସୋଶାଲ ମିଡିଆରେ ଭିନ୍ନ ପରିଚୟ ତାଙ୍କର ଆସୁଛି । ଆଇଏଏସରୁ ଅବସର ପରେ ସେ ବିଭିନ୍ନ କମ୍ପାନୀର ନିର୍ଦ୍ଦେଶକଭବେ କାର୍ଯ୍ୟ କରୁଛନ୍ତି । ଏଥିରେ ତ୍ରିବେଣୀ ଆର୍ଥ ମୁଭର୍ସର ଜଣେ ନିର୍ଦ୍ଦେଶକ ଅଛନ୍ତି । ଏଥିସହ ତ୍ରିବେଣୀର ଯେଉଁସବୁ ସହଯୋଗୀ ସଂସ୍ଥା ରହିଛି ସେଥିରେ ମଧ୍ୟ ନିର୍ଦ୍ଦେଶକ ଅଛନ୍ତି । ତାଙ୍କର ଏହି ନୂତନ ପରିଚୟ କଥା ପଦାକୁ ଆସିଲା ପରେ ରାଜନୀତିକ ଚର୍ଚ୍ଚା ଆରମ୍ଭ ହୋଇଛି ।

Leave A Reply

Your email address will not be published.