OnaKhabar

୩-ତଲାକ ବିଲ: ମୋଦିଙ୍କୁ ଖୋଲା ସମର୍ଥନ ଦେଲେନି ନବୀନ

41

ଭୁବନେଶ୍ୱର (ଓଏନଏ) : ୩-ତଲାକ ବିଲରେ ବିଜେଡି ଖୋଲାଖୋଲି ଭାବେ ଆଉ ବିଜେପି ସହ ରହିଲା ନାହିଁ । ଏପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ବିଭିନ୍ନ ପ୍ରସଙ୍ଗରେ ଖୋଲା ସମର୍ଥନ ଦେଇ ଆସିଥିବା ବିଜେଡି ସୁପ୍ରିମୋ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି କ୍ଷେତ୍ରରେ କିନ୍ତୁ ଖୋଲା ସମର୍ଥନ ଦେଲେନାହିଁ । ୩-ତଲାକ ବିଲ ଆଜି ପାର୍ଲାମେଣ୍ଟରେ ଉପସ୍ଥାପିତ ହୋଇଛି । ଉପସ୍ଥାପନ ପାଇଁ ସଦସ୍ୟମାନଙ୍କ ମତାମତ ଲୋଡ଼ାଯାଇଥିଲା । ଏଥିରେ ବିଜେଡି ସମର୍ଥନ ଦେଲାନାହିଁ କିମ୍ବା ବିରୋଧ କଲାନାହିଁ ଭଳି କାର୍ଯ୍ୟକଲା । ବିଲ ଉପସ୍ଥାପନ ବେଳେ ବିଜେଡି କକ୍ଷତ୍ୟାଗ କରି ଅନୁପସ୍ଥିତ ରହିଲା । ବିଜେଡିର ଏହି ଆଭିମୁଖ୍ୟ ଏବେ ରାଜନୈତିକ ଚର୍ଚ୍ଚାର ବିଷୟ ହୋଇଛି ।
ବିଜେଡି ଏଥର ସଂସଦରେ ସହଯୋଗର ହାତ ବଢ଼ାଇଥିଲା । ବିଜେପିକୁ ବିଭିନ୍ନ କ୍ଷେତ୍ରରେ ସହଯୋଗ କରିବ ବୋଲି ସୂଚନା ଦେଇଥିଲା । ହେଲେ ୩-ତଲାକ ବିଲ କ୍ଷେତ୍ରରେ ଭିନ୍ନ ଆଭିମୁଖ୍ୟ ଦଳ ଗ୍ରହଣ କରିବା ଘଟଣାକୁ ନେଇ ସନ୍ଦେହ ପ୍ରକାଶ କରାଯାଉଛି । ବର୍ତ୍ତମାନ ସୁଦ୍ଧା ଯଦି ଦେଖାଯାଏ ସେ ନୀତି ଆୟୋଗ ବୈଠକ ହେଉ କି ବାଚସ୍ପତି ନିର୍ବାଚନ ହେଉ କିମ୍ବା ମୋଦିଙ୍କ ଗୋଟିଏ ଦେଶ ଗୋଟିଏ ନିର୍ବାଚନ ବ୍ୟବସ୍ଥା କଥା ହେଉ ସବୁଥିରେ ନବୀନ ସମର୍ଥନ ଦେଇ ଆସିଛନ୍ତି । ଏପରି କି ଗୋଟିଏ ଦେଶ ଗୋଟିଏ ନିର୍ବାଚନ ଘଟଣାରେ ଅନେକ ବିରୋଧୀଦଳ ମୋଦିଙ୍କ ଦ୍ୱାରା ଆହୁତ ସର୍ବଦଳୀୟ ବୈଠକକୁ ବର୍ଜନ କରିଥିଲା ବେଳେ ନବୀନ ଯାଇ ସାମିଲ ହୋଇଥିଲେ । ଏପରି କି ଖୋଲାଖୋଲି ପ୍ରସ୍ତାବ ସପକ୍ଷରେ ମତ ରଖିଥିଲେ । ଅବଶ୍ୟ କୁହାଯାଉଛି ୩ ତଲାକ ବିଲକୁ ନେଇ ବିଜେଡି ଗତ ସରକାର ସମୟରେ ବି ଆଭିମୁଖ୍ୟ ସ୍ପଷ୍ଟ କରି ନ ଥିଲା । ଦଳ ବିଲରେ କିଛି ପରିବର୍ତ୍ତନ ଚାହୁଁଥିଲା । ବିଶେଷ କରି ଯେଉଁ ଦଣ୍ଡବିଧାନ ବ୍ୟବସ୍ଥା ରହିଛି ତାକୁ ସଂଶୋଧନ କରିବା ପାଇଁ ଦଳ ମତ ରଖିଥିଲା । ହେଲେ ନୂତନ ଭାବେ ଏହି ବିଲ ି ପାର୍ଲାମେଣ୍ଟରେ ପୁଣି ଉପସ୍ଥାପନ ହେବାପରେ ଏଥିରେ ବିଜେଡି ଚାହୁଁଥିବା ଅନୁସାରେ କୌଣସି ପରିବର୍ତ୍ତନ କରାଯାଇ ନ ଥିବା କଥା କୁହାଯାଉଛି ।
ବିଜେଡିର ଏହି ଆଭିମୁଖ୍ୟ ନେଇ ଭିନ୍ନ ଭିନ୍ନ ମତ ପ୍ରକାଶ ପାଉଛି । ଦାନ୍ତୁରା ହସୁଛି କି କାନ୍ଦୁଛି ଯେପରି ଜଣାପଡ଼େନି ସେହିପରି ଆଭିମୁଖ୍ୟ ଗ୍ରହଣ କରିଛି ବିଜେଡି । କଟର ମୁସଲିମ ସଙ୍ଗଠନ ଓ ନେତାମାନେ ଭାବିବେ ଯେ, ବିଜେଡି ବର୍ଜନ କରି ବିଲକୁ ବିରୋଧ କରିଛି । ଏଣୁ ମୁସଲିମ ଭୋଟ ବିଜେଡିର ବଳବତ୍ତର ରହିବ । ଆଉ ଭବିଷ୍ୟତକୁ ସେମାନେ ବିଜେଡି ସହ ରହିବେ । କାରଣ ୩-ତଲାକ ବିଲକୁ ମୁସଲିମ ସଙ୍ଗଠନଗୁଡ଼ିକ ବିରୋଧ କରୁଛନ୍ତି । ଆଉ ଗୋଟିଏ କଥା କୁହାଯାଉଛି ବିଜେଡି ଦର୍ଶାଇବାକୁ ଚାହୁଁଛି ଯେ, ସେ ସବୁ କଥାରେ ବିଜେପିକୁ ଆଖିବୁଜି ସମର୍ଥନ ଦେବ ନାହିଁ । ଯେଉଁଠାରେ ଦେଶ ଓ ରାଜ୍ୟର ସ୍ୱାର୍ଥ ନ ଥିବ ଏବଂ ବିଜେପିର ରାଜନୈତିକ ଅଭିସନ୍ଧି ଥିବ ସେ କ୍ଷେତ୍ରରେ ଦଳ ସମର୍ଥନ ଦେବାକୁ ଆସିବନାହିଁ । ଏଣୁ ବିଲ ଉପସ୍ଥାପନ ସମୟରେ ଅନୁପସ୍ଥିତ ରହି ଏଭଳି ଏକ ବାର୍ତ୍ତା ସାଧାରଣରେ ଦେବା ପାଇଁ ବିଜେଡି ଚାହିଁଥିବା କଥା ଆଲୋଚନା ହେଉଛି ।
କିନ୍ତୁ ଆହୁରି କୁହାଯାଉଛି ଯେ, ବିଜେଡି ଗୃହରେ ଅନୁପସ୍ଥିତ ରହି ପରୋକ୍ଷରେ ବିଜେପିକୁ ସମର୍ଥନ କରିଛି । କାରଣ ଅନୁପସ୍ଥିତ ରହିବା ଦ୍ୱାରା ଗୃହର ସଦସ୍ୟ ସଂଖ୍ୟା ହ୍ରାସ ପାଇବ । ଯେତିକି ସଦସ୍ୟ ଥିବେ ସେଥିରେ ଭୋଟ ହେଲେ ବିରୋଧୀଙ୍କ ସଂଖ୍ୟା କମିବ । ଫଳରେ ଶାସକ ଦଳ ର୍ନିଦ୍ୱନ୍ଦରେ ଜିତିପାରିବ । ସିଧାସଳଖ ନ ହେଲେ ବି ପରୋକ୍ଷରେ ବିଜେଡି ସମର୍ଥନ ଦେଇଥିବା କଥା କିଛି ନେତା ମତ ରଖିଛନ୍ତି । ପ୍ରକୃତରେ ଯଦି ବିଲକୁ ବିରୋଧ କରିବାର ଥିଲା ତେବେ ବିଜେଡି ଗୃହରେ ରହି ବିରୋଧରେ ଭୋଟ ଦେଇଥାନ୍ତା । ଆଉ ଯଦି ସମର୍ଥନ ଦେବାର ଥିଲା ସେହିପରି ଗୃହରେ ରହି ସପକ୍ଷରେ ଭୋଟ ଦେଇଥାନ୍ତା । ଏଥିରେ ଦଳ ନିଜର ଆଭିମୁଖ୍ୟକୁ ସ୍ପଷ୍ଟ କରିବାକୁ ଚାହିଁନାହିଁ । ସମସ୍ତଙ୍କୁ ଦ୍ୱନ୍ଦ୍ୱଭିତରେ ପକାଇବା ପାଇଁ ଏହି ପଦକ୍ଷେପ ନେଇଥିବା କଥା ଚର୍ଚ୍ଚା ହେଉଛି ।