OnaKhabar

ସବୁ କଳ୍ପନାଜଳ୍ପନାର ଘଟିଲା ଅନ୍ତ, ପ୍ରକାଶ ପାଇଲା ଯୁକ୍ତ୨ କଳା ଓ ବାଣିଜ୍ୟ ପରୀକ୍ଷାଫଳ

58

ଭୁବନେଶ୍ୱର: ଶେଷରେ ସବୁ କଳ୍ପନା ଜଳ୍ପନାର ଘଟିଲା ଅନ୍ତ | ପ୍ରକାଶ ପାଇଲା ଯୁକ୍ତ ଦୁଇ କଳା, ବାଣିଜ୍ୟ ଓ ଧନ୍ଦାମୂଳକ ଶିକ୍ଷାର ପରୀକ୍ଷା ଫଳ | ଭୁବନେଶ୍ୱରର ଗୀତ ଗୋବିନ୍ଦ ସଦନରେ ସ୍କୁଲ୍ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ପରୀକ୍ଷା ଫଳ ଘୋଷଣା କରିଛନ୍ତି ।
ସୂଚନାନୁଯାୟୀ, କଳାରେ ୬୫.୮୯% ପିଲା ପାସ୍ କରିଥିବା ବେଳେ ବାଣିଜ୍ୟରେ ୭୦.୨୬ % ପାସ୍ କରିଛନ୍ତି । ଉଭୟ କ୍ଷେତ୍ରରେ ଏଥର ପାସ୍ ହାର କମିଛି । ଏଥର କଳାରେ ୨ ଲକ୍ଷ ୩୫ ହଜାର ୧୫୦ ପିଲା ପରୀକ୍ଷା ଦେଇଥିବା ବେଳେ ୧ ଲକ୍ଷ ୫୨ ହଜାର ୩୨୩ ଜଣ ପାସ୍ କରିଛନ୍ତି । ସେମାନଙ୍କ ମଧ୍ୟରୁ ୧୮,୭୭୩ ଜଣ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଥିବା ବେଳେ ୨୨,୯୪୪ ଜଣ ଦ୍ୱିତୀୟ ଓ ୧ ଲକ୍ଷ ୧୦ ହଜାର ୪୫୨ ଜଣ ତୃତୀୟ ଶ୍ରେଣୀରେ ପାସ୍ କରିଥିଲେ । ପାସ୍ କରିଥିବା ଛାତ୍ରଛାତ୍ରୀଙ୍କ ମଧ୍ୟରେ ୫୭.୪୪୨ ଜଣ ଛାତ୍ର ଥିବା ବେଳେ ୯୪,୮୮୧ ଛାତ୍ରୀ ପାସ୍ କରିଛନ୍ତି । ୪ଟି କଲେଜରେ ଶତପ୍ରତିଶତ ଫଳାଫଳ ହୋଇଛି । ଦୁଇଟି କଲେଜର ଫଳାଫଳ ଶୂନ ହୋଇଛି । ଏଥିରୁ ଗୋଟିଏ ଖୋର୍ଦ୍ଧା ଜିଲ୍ଲାର ହୋଇଥିବା ବେଳେ ଆଉ ଗୋଟିଏ ଯାଜପୁର ଜିଲ୍ଲାର ।ସେହିପରି ବାଣିଜ୍ୟରେ ୨୬,୭୯୪ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ୧୮,୮୨୬ ଜଣ ପାସ୍ କରିଛନ୍ତି । ସେମାନଙ୍କ ମଧ୍ୟରୁ ୫,୬୨୯ ଜଣ ପ୍ରଥମ ଶ୍ରେଣୀରେ ପାସ୍ କରିଥିବା ବେଳେ ୩,୭୪୬ ଜଣ ଦ୍ୱିତୀୟ ଶ୍ରେଣୀରେ ଓ ୯,୪୨୨ ଜଣ ତୃତୀୟ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଛନ୍ତି । ପାସ୍‌ କରିଥିବା ଛାତ୍ରଛାତ୍ରୀଙ୍କ ମଧ୍ୟରେ ୧୧,୭୩୮ ଜଣ ଛାତ୍ର ଥିବା ବେଳେ ୭୦୮୮ ଜଣ ଛାତ୍ରୀ ଅଛନ୍ତି । ସେହିଭଳି ଖୋର୍ଦ୍ଧାରେ ପାସ୍ ହାର ସର୍ବାଧିକ ୮୬.୮୯% ରହିଥିବା ବେଳେ ଦେବଗଡ଼ରେ ସର୍ବନିମ୍ନ ୨୪.୪୩% ରହିଛି । ବାଣିଜ୍ୟରେ ୨୫ଟି କଲେଜରେ ଶତପ୍ରତିଶତ ରେଜଲ୍ଟ ହୋଇଥିବା ବେଳେ ୪ଟି କଲେଜରେ ଜଣେ ବି ପିଲା ପାସ୍ କରି ନାହାନ୍ତି ।
ଉଲ୍କେଖନୀୟ, ଗତ ବର୍ଷ କଳାରେ ପାସ୍ ହାର ୬୮.୭୯% ଥିବା ବେଳେ ବାଣିଜ୍ୟରେ ୭୪.୯୧ % ପିଲା ପାସ୍ କରିଥିଲେ ।

https://www.onakhabar.com/2019/06/plus-two-arts-and-commerce-result-will-be-published-at-3-o-clock/