OnaKhabar

ବିଜେପୁର ପାଇଁ ଦାମ ଆଶାୟୀ !

60

ଭୁବନେଶ୍ୱର : ବିଜେପୁର ଉପ ନିର୍ବାଚନରେ କିଏ ପ୍ରାର୍ଥୀ ହେବେ ତାହା ଏଯାଏଁ ନିର୍ବାଚନ ତାରିଖ ଘୋଷଣା ହୋଇ ନଥିବାରୁ ରାଜନୀତିକ ଦଳଗୁଡିକ ପ୍ରାର୍ଥୀ ତାଲିକା ଘୋଷଣା କରିନାହାନ୍ତି । ହେଲେ ଦଳ ଭିତରେ ଆଶାୟୀଙ୍କ ସଂଖ୍ୟା ବଢୁଛି । ଏକ ନୂଆ ଖବର ଚର୍ଚ୍ଚାକୁ ଆସିଛି ଯେ ବିଜେପିର ବରିଷ୍ଠ ନେତା ଡା. ଦାମୋଦର ରାଉତ ବିଜେପୁର ଉପ ନିର୍ବାଚନରେ ପ୍ରାର୍ଥୀ ହେବା ନେଇ ଆଶାୟୀ ଅଛନ୍ତି । ଏହି କଥା ନେଇ ବିଜେପି ଭିତରେ ଗୁଞ୍ଜରଣ ସୃଷ୍ଟି ହୋଇଛି । ବାସ୍ତବରେ ଡା. ରାଉତଙ୍କ ଏହି ଇଚ୍ଛା ଖୋଲାଖୋଲି ଭାବେ ସେ ପ୍ରକାଶ କରିନଥିଲେ ବି କିଛି ନେତାଙ୍କୁ ଏନେଇ ତାଙ୍କ ଇଚ୍ଛା ସମ୍ପର୍କରେ ପ୍ରକାଶ କରି ଦାୟିତ୍ୱ ଦେଇଥିବା କଥା କୁହାଯାଉଛି । ଯାହାକୁ ନେଇ ଏବେ ରାଜନୈତିକ ଚର୍ଚ୍ଚା ଦେଖାଦେଇଛି ।
ଓଡିଶାରେ ୨ଟି ବିଧାନସଭା ଆସନରେ ନିର୍ବାଚନ ହେବ । ଏଥିରେ ଗୋଟିଏ କେନ୍ଦ୍ରାପଡା ଜିଲ୍ଲା ପାଟକୁରା ଓ ଅନ୍ୟାଟି ବରଗଡ ଜିଲ୍ଲାର ବିଜେପୁର ବିଧାନସଭା ଆସନ ରହିଛି । ପାଟକୁରା ଆସନ ପାଇଁ ପ୍ରାର୍ଥୀ ପତ୍ର ଦାଖଲ ହୋଇସାରିଛି । କେବଳ ବିଜେପୁର ବିଧାନସଭା ଆସନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଛାଡିଲା ପରେ ଏଠାରେ ଉପ ନିର୍ବାଚନ ହେବାକୁ ରହିଛି । ଏଣୁ ଏଥିଲାଗି କେହି ପ୍ରାର୍ଥୀପତ୍ର ଦାଖଲ କରିନାହାନ୍ତି । ନିର୍ବାଚନ କମିଶନ ଏ ପର୍ଯ୍ୟନ୍ତ ଏହି ଦୁଇ ଆସନରେ କେବେ ଭୋଟ ଗ୍ରହଣ ହେବ ତାହା ଘୋଷଣା କରିନାହାନ୍ତି । ବର୍ଷା ଋତୁ ଆସିଗଲାଣି । ଯେ କୌଣସି ସମୟରେ ନିର୍ବାଚନ ତାରିଖ ଘୋଷଣା ହୋଇପାରେ ବୋଲି ରାଜନୀତି ଦଳ ଗୁଡିକ ଆଶା ବାନ୍ଧି ବସିଛନ୍ତି ।
ବିଜେପୁରରେ ବିଜେପି କାହାକୁ ପ୍ରାର୍ଥୀ କରିବା ତାହା ଏ ପର୍ଯ୍ୟନ୍ତ ସ୍ଥିର ହୋଇ ନାହିଁ । ଏଥର ନିର୍ବାଚନ ସମୟରେ ଯିଏ ନବୀନ ପଟ୍ଟନାୟକଙ୍କ ବିରୋଧରେ ପ୍ରାର୍ଥୀ ହୋଇ ହାରିଥିଲେ ତାଙ୍କୁ ପୁଣି ଥରେ ଦଳ ସୁଯୋଗ ଦେବ ନା ନୂଆ ପ୍ରାର୍ଥୀ ଦେବ ତାହା ସ୍ଥିର ହୋଇ ନାହିଁ । ବିଜେପି ପ୍ରାର୍ଥୀ ଥିବା ସନ୍ନତ କୁମାର ଗଡତିଆ ୫୩ ହଜାର ୪୮୨ ଭୋଟ ପାଇଥିଲେ । ଯେଉଁଠି ମୁଖ୍ୟମନ୍ତ୍ରୀ ଲକ୍ଷ ୧୦ ହଜାରରୁ ଅଧିକ ଭୋଟ ପାଇଥିଲେ । ନୂଆ ପ୍ରାର୍ଥୀ ଦେଇ ବିଜେପି ସ୍ଥିତି ବଦଳାଇବାକୁ ଚାହୁଁଥାଏ ବୋଲି କୁହାଯାଉଛି । ବିଜେପିର ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତ ଏଥର ପଦ୍ମପୁରରୁ ହାରି ଯାଇଥିବାରୁ ତାଙ୍କୁ ବିଜେପୁରରେ ପ୍ରାର୍ଥୀ କରିବା ପାଇଁ ମଧ୍ୟ କଥା ଉଠୁୁଛି ହେଲେ ଏହି ପ୍ରାର୍ଥୀ ଛକାପଞ୍ଛା ମଧ୍ୟରେ ଏକ ନୂଆ ତଥ୍ୟ ପଦାକୁ ଆସିଛି । ଯେଉଁଥିରେ କୁହାଯାଉଛି ଡା. ରାଉତ ପଦ୍ମପୁରରୁ ଲଢିବା ଆଶାୟୀ ଅଛନ୍ତି । ନବୀନ ପଟ୍ଟନାୟକ ଯଦି ଉପକୂଳ ଅଞ୍ଚଳକୁ ଯାଇ ସେଠାରେ ଲଢି ଜିତିପାରିଲେ ତେବେ ସେ ଅଞ୍ଚଳ ବାସୀ ଆଉ ବାହାର ଲୋକ ପ୍ରାର୍ଥୀ ହେବାକୁ ସେମମାନେ ବିରୋଧ କରିନାହାନ୍ତି । ଏହି ଦୃଷ୍ଟିରୁ ବିଜେପି ଯଦି ଲାଗି ପଡେ ତେବେ ବିଜେପୁରରେ ଡା. ରାଉତ ପ୍ରାର୍ଥୀ ହେବାରେ କିଛି ସମସ୍ୟା ହେବ ନାହିଁ । ଆଉ ଯଦିବା ଡା. ରାଉତ ଜିତି ଯାଆନ୍ତି ତେବେ ବିରୋଧୀ ଦଳରେ ସେ ବସିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସଫଳ ମୁକାବିଲା କରିପାରିବେ ।
ବିଜେପୁରରୁ ବିଜେପି ଜିତିବା ସେପରି ସମ୍ଭବନା ନାହିଁ, କିନ୍ତୁ ଡା. ରାଉତ ଛିଡା ହୋଇ ଗୋଟେ ରାଜନୈତିକ ବିରୋଧୀ ମାହୋଲ ସୃଷ୍ଟି କରାଯାଇ ପାରିବ ତେବେ ସଫଳତା ମିଳିବା ଆଶା କରାଯାଉଛି । ଏହା ହେଲେ ନବୀନଙ୍କ ପାଇଁ ରାଜନୈତିକ ଧକ୍କା ହେବ । ପାଟକୁରାରେ ବିଜୟ ମହାପାତ୍ରଙ୍କୁୁ ବିଜେଡି କେବେ ଜିତାଇ ଦେବ ନାହିଁ । ଏଣୁ ବିଧାନସଭାରେ ନବୀନଙ୍କୁ ମୁକାବିଲା୍ କରିବା ପାଇଁ ହେଲେ ଡା. ରାଉତଙ୍କ ପରି ବ୍ୟକ୍ତିଙ୍କ ଅବଶ୍ୟକତା ରହିଛି । ବିଜେପୁରରେ ଯେଉଁ ୨୩ ଜଣ ବିଧାୟକ ଜିତିଛନ୍ତି ସେମାନେ ନବୀନଙ୍କୁ ମୁକାବିଲା କରିବାରେ ସେତେ ସଫଳ ହୋଇ ନପାରନ୍ତି ବୋଲି କୁହାଯାଉଛି ।
ଏଥିଲାଗି କୁଆଡେ ଡା. ରାଉତ ତାଙ୍କ ମନୋଭାବ କଥା ଦଳର ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡାଙ୍କୁ କହିଛନ୍ତି । ବୈଜୟନ୍ତଙ୍କୁ ବିଜେପିର କେନ୍ଦ୍ରୀୟ ନେତୃବୃନ୍ଦ ଗୁରୁତ୍ୱ ଦେଉଥିବାରୁ ତାଙ୍କ ମାଧ୍ୟମରେ କାର୍ଯ୍ୟ ହାସଲ ପାଇଁ ଡା. ରାଉତ ଚାହୁଁଛନ୍ତି । ବୈଜୟନ୍ତ ଦଳର ରାଷ୍ଟ୍ରୀୟ ସଭାପତି ଅମିତ ଶାଙ୍କ ସହ ଆଲୋଚନା କରି ତାଙ୍କୁ ରାଜି କରାଇ ଯଦି ଡା. ରାଉତଙ୍କ ପାଇଁ ଟିକେଟ କରାଇ ପାରିବେ ତେବେ ବିଜେପୁରରେ ଏକ ବଡ ରାଜନୈତିକ ଲଢେଇ ହୋଇ ପାରିବ ବୋଲି ଆଲୋଚନା ହେଉଛି । ବୈଜୟନ୍ତ ଡା. ରାଉତଙ୍କ ସ୍ୱପ୍ନକୁ ସାକାର କରିବାରେ କେତେ ଦୂର ସର୍ମଥ ହେଉଛନ୍ତି ତାହା ଦେଖିବା କଥା ।

https://www.onakhabar.com/2019/06/dama-is-not-agree-of-sons-word/