OnaKhabar

ଦୂରେଇ ରୁହନ୍ତୁ କେମିକାଲଯୁକ୍ତ ଫଳଠାରୁ…

48

ଖରାଦିନ ଆରମ୍ଭ ହେବା ମାତ୍ରେ ସମସ୍ତଙ୍କ ମଧ୍ୟରେ ଫଳ ଖାଇବାର ଇଛା କ୍ରମାଗତ ଭାବେ ବୃଦ୍ଧି ପାଇଥାଏ । ବଜାରରେ କଦଳୀ, ଆମ୍ବ, ତରଭୂଜ ଆଦି ବିଭିନ୍ନ ପ୍ରକାର ଫଳର ପସରା ଦେଖିବାକୁ ମିଳିଥାଏ । କିନ୍ତୁ ଏହା ସବୁ ପ୍ରାକୃତିକ ଉପାୟରେ ପାଚି ନଥାଏ । ଏସବୁକୁ ପଚାଇବା ପାଇଁ କେମିକାଲର ପ୍ରୟୋଗ କରାଯାଇଥାଏ । ଯାହାକି ଆମ ଶରୀର ପାଇଁ ବିଶେଷ କ୍ଷତିକାରକ ହୋଇଥାଏ । ଏଣୁ ଫଳ କିଣିବା ସମୟରେ ସାବଧାନ ରହିବା ନିହାତି ଜରୁରୀ ।
୧. କାର୍ବାଇଡ ଦେଇ ଫଳ ପଚାଇବା ଏକ ଅପରାଧ: ଆଇନ ଅନୁସାରେ କୌଣସି ଫଳକୁ କେମିକାଲ ଦେଇ ପଚାଇବା ଅନୁଚିତ । ଫଳକୁ ପଚାଇବା ପାଇଁ ବ୍ୟବହାର କରାଯାଉଥିବା କାର୍ବାଇଡ ଖାଦ୍ୟ ସଂରକ୍ଷଣ ଓ ମାନବ ଅଧିନିୟମ ୨୦୧୧ ଧାରା ୨,୩ ଓ ୫ ଜରିଆରେ ନିଷିଦ୍ଧ କରାଯାଇଛି । କାର୍ବାଇଡ ଦେଇ ପଚା ଯାଇଥିବା ଯେକୌଣସି ଫଳ ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ । ଏହି ଉପାୟରେ ପଚାଯାଇଥିବା ଫଳର ସଂରକ୍ଷଣ, ବିକ୍ରୀ ଓ ଆମଦାନୀ କରୁଥିବା ବ୍ୟକ୍ତିଙ୍କୁ ଜେଲ ଦଣ୍ଡର ପ୍ରବଧାନ ମଧ୍ୟ ରହିଛି ।
୨. ଶୀଘ୍ର ଫଳକୁ ପଚାଇବା ପାଇଁ ଦିଆଯାଉଛି କେମିକାଲ: ଓଡିଆରେ ଏକ ଉକ୍ତି ରହିଛି ପରିଶ୍ରମର ଫଳ ମିଠା । ଆଜି କାଲି ଏହି ଉକ୍ତି ଅର୍ଥହୀନ ହେବାରେ ଲାଗିଛିା ବିଭିନ୍ନ ଫଳକୁ ମିଠା କରିବା ଓ ସହଜରେ ପଚାଇବା ପାଇଁ କେମିକାଲର ବ୍ୟବହାର କରାଯାଉଛି । ଏବେ ବଜାରରେ ମିଳୁଥିବା ବହୁ ଆମ୍ବ, କଦଳି କାର୍ବାଇଡ ଦେଇ ପଚାଯାଉଥିବା ଦେଖିବାକୁ ମଳୁଛି । ଏଥିପାଇଁ ସାବଧାନ ହେବା ଓ ଦେଖିକିରି କିଣିବା ଉଚିତ ।
୩. କ୍ୟାଲସିୟମ କାର୍ବାଇଡର ବ୍ୟବହାର: ଆମ୍ବ, କଦଳୀ ଓ ଅନ୍ୟାନ୍ୟ ବହୁ ପ୍ରକାର ଫଳକୁ ଶୀଘ୍ର ପଚାଇବା ଓ ଏହାର ଆକାର ବଡ କରିବା ପାଇଁ କ୍ୟାଲସିୟମ କାର୍ବାଇଡର ବ୍ୟବହାର କରାଯାଇଥାଏା ଫଳକୁ ସତେଜ ରଖିବା ସହ ଅଧିକ ଦିନ ପର୍ଯ୍ୟନ୍ତ ସାଇତି ରଖିବା ପାଇଁ ମହମ ଓ କୃତ୍ରିମ ରଙ୍ଗର ମଧ୍ୟ ବ୍ୟବହାର କରାଯାଇଥାଏ ।
୪. ହାନିକାରକ କାର୍ବାଇଡ: କ୍ୟାଲସିୟମ କାର୍ବାଇଡରେ ଆର୍ସେନିକ ଓ ଫସଫରସ ରହିଥାଏ । ଯାହା ଫଳରେ ପାଣି ସଂପର୍କରେ ଆସିବା ଦ୍ୱାରା ଏଥିରୁ ଏସିଟିଲିନ ଗ୍ୟାସ ନିର୍ଗତ ହୋଇଥାଏ,ଏହାକୁ ଆମେ କାର୍ବାଇଡ କହିଥାଉ । କ୍ୟାଲସିୟମ କାର୍ବାଇଡ ଦ୍ୱାରା କ୍ୟାନସର ସୃଷ୍ଟି ହେବା ସହ ଆମ ଶରୀରର ନର୍ଭ ସିଷ୍ଟମ ମଧ୍ୟ ପ୍ରଭାବିତ ହୋଇଥାଏ । ଏହି କାରଣରୁ ମୁଣ୍ଡ ବୁଲାଇବା, ମୁଣ୍ଡବିନ୍ଧା ହେବା, ଅତ୍ୟଧିକ ନିଦ ଲାଗିବା, ମାନସିକ ଅସ୍ଥିରତା, ସ୍ମରଣ ଶକ୍ତି ହ୍ରାସ ଆଦି ସମସ୍ୟା ଦେଖା ଦେଇପାରେ ।
୫. କେମିକାଲ ଯୁକ୍ତ ଫଳଠୁ କିପରି ଦୂରେଇ ରହିବେ: କୃତ୍ରିମ ଉପାୟରେ ପଚାଯାଇଥିବା ଫଳରେ ଭିନ୍ନ ଧରଣର ଚମକଦାର ରଙ୍ଗ ଦେଖାଦେଇଥାଏ । ଯେଉଁ ଫଳକୁ କାର୍ବାଇଡ ଦ୍ୱାରା ପଚାଯାଇଥାଏ୨ରୁ ୩ଦିନ ମଧ୍ୟରେ ଏହାର ରଙ୍ଗ ପରିବର୍ତନ ହେବା ସହ ଫଳ କଳା ପଡ଼ିଯାଇଥାଏ । କେମିକାଲ ଦ୍ୱାରା ପଚାଯାଇଥିବା ଫଳର ସ୍ୱାଦ ମଝିରୁ ମିଠା କିନ୍ତୁ ପାଶ୍ୱର୍ରୁ କଂଚା ଲାଗିଥାଏ । ଫଳ କିଣିବା ସମୟରେ ଯେଉଁ ଫଳରେ ଦାଗ ରହିଛି ତାକୁ କିଣନ୍ତୁ ନାହିଁ । ଖାଇବା ପୂର୍ବରୁ ଫଳକୁ ଭଲଭାବରେ ପାଣିରେ ଧୁଅନ୍ତୁ । ଫଳକୁ ଖାଇବା ପୂର୍ବରୁ ଭଲଭାବରେ ଏହାର ଚୋପାକୁ ଛଡାନ୍ତୁ । ଏହା ଦ୍ୱାରା କୀଟନାଶକର ପ୍ରଭାବ ହ୍ରାସ ପାଇଥାଏ ।