ଶ୍ରୀଲଙ୍କାକୁ ହରାଇଲା ଅଷ୍ଟ୍ରେଲିଆ
ଓଭାଲ୍: ଅଷ୍ଟ୍ରେଲିଆ ଅଧିନାୟକ ଆରୋନ୍ ଫିଞ୍ଚଙ୍କ ଶତକ ଓ ମିଚେଲ୍ ଷ୍ଟାର୍କଙ୍କ ଘାତକ ବୋଲିଂ ବଳରେ ଅଷ୍ଟ୍ରେଲିଆ ଶ୍ରୀଲଙ୍କାକୁ ୮୭ ରନ୍ରେ ପରାସ୍ତ କରିଛି। ଅଷ୍ଟ୍ରେଲିଆ ପ୍ରଥମେ ବ୍ୟାଟିଂ କରି ୭ ୱିକେଟ୍ ହରାଇ ୩୩୪ ରନ୍ କରିଥିବା ବେଳେ ଶ୍ରୀଲଙ୍କା ମାତ୍ର ୨୪୭ ରନ୍ କରି ଅଲଆଉଟ୍ ହୋଇଯାଇଛି। ବିସ୍ଫୋରକ ୧୫୩ ରନ୍ ଇନିଂସ୍ ପାଇଁ ଫିଞ୍ଚଙ୍କୁ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ବିବେଚନା କରାଯାଇଛି। ଏହି ବିଜୟ ପରେ ବିଶ୍ୱକପ୍ ପଏଣ୍ଟ ଟେବୁଲର ଶୀର୍ଷରେ ଅଷ୍ଟ୍ରେଲିଆ ପହଞ୍ଚି ଯାଇଛି। ଦଳ ୫ଟି ମ୍ୟାଚ୍ରୁ ୪ଟି ବିଜୟ ଓ ଗୋଟିଏ ପରାଜୟ ସହ ୮ ପଏଣ୍ଟ ପାଇଛି।
ଅଷ୍ଟ୍ରେଲିଆ ଦେଇଥିବା ବିଶାଳ ୩୩୫ ରନ୍ର ଟାର୍ଗେଟ ପିଛା କରୁଥିବା ଶ୍ରୀଲଙ୍କା ଭଲ ଆରମ୍ଭ କରିଥିଲା। ଦଳର ଦୁଇ ଓପନର ଦିମୁଥ କରୁଣାରତ୍ନେ ଓ କୁଶଳ ପରେରା ବିସ୍ଫୋରକ ଢଙ୍ଗରେ ରନ୍ ସଂଗ୍ରହ କରିଥିଲେ। ଏକଦା ଦଳ ମାତ୍ର ୧୫ ଓଭରରେ ୧୧୫ ରନ୍ କରିଥିଲା। ତେବେ ଏହି ସମୟରେ ୩୬ ବଲ୍ରେ ୫୨ ରନ୍ କରିଥିବା ପରେରାଙ୍କୁ ଷ୍ଟାର୍କ ବୋଲ୍ଡ କରି ଶ୍ରୀଲଙ୍କାର ରନ୍ ହାରରେ ବ୍ରେକ୍ ଲଗାଇଥିଲେ। କରୁଣାରତ୍ନେ ଲଢ଼େଇ କରିଥିଲେ ହେଁ ବେଶୀ ସମୟ ତିଷ୍ଟି ପାରି ନଥିଲେ। ଶତକ ଠାରୁ ମାତ୍ର ୩ ରନ୍ ଦୂରରେ ଥିବା କରୁଣାରତ୍ନେଙ୍କୁ କେନ୍ ରିଚାର୍ଡସନ୍ ଆଉଟ୍ କରି ଶ୍ରୀଲଙ୍କାର ପରାଜୟକୁ ନିଶ୍ଚିତ କରିଥିଲେ।
ଅନ୍ୟମାନଙ୍କ ମଧ୍ୟରେ ଥିରୁମାନି ୧୬, କୁଶଳ ମେଣ୍ଡିସ ୩୦, ଆଞ୍ଜିଲୋ ମାଥ୍ୟୁସ ୯, ମିଲିଣ୍ଡା ସିରବର୍ଦ୍ଧନେ ୩, ଥିସିରା ପରେରା ୭, ଇସ୍ରୁ ଉଦାନ ୮, ଲସିଥ ମାଲିଙ୍ଗା ୧ ଓ ଧନଞ୍ଜୟ ଡି’ସିଲଭା ୧୬ ରନ୍ ଶେଷ ଯାଏ ଅପରାଜିତ ରହିଥିଲେ।