OnaKhabar

ନବୀନଙ୍କ ଅନାଗ୍ରହ, ଫାଇଦା ନେବେ ଜଗନମୋହନ

0 14

ଭୁବନେଶ୍ୱର (ଓଏନଏ) : ଲୋକସଭା ଉପ-ବାଚସ୍ପତି ପଦକୁ ନେଇ ଜାତୀୟ ରାଜନୀତିରେ ଚର୍ଚ୍ଚା ଜାରିରହିଛି । ବିଜେଡି ସାଂସଦ ଭର୍ତ୍ତୃହରି ମହତାବଙ୍କ ନାମ ଚର୍ଚ୍ଚାର ଆଗରେ ଥିଲା । କିନ୍ତୁ ଯାହା ଦେଖାଯାଉଛି ବିଜେଡି ସୁପ୍ରିମୋ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ଏଥିପ୍ରତି ଆଗ୍ରହ ନାହିଁ । ଏଣୁ ଆନ୍ଧ୍ର ମୁଖ୍ୟମନ୍ତ୍ରୀ ତଥା ୱାଇଏସଆର କଂଗ୍ରେସ ମୁଖ୍ୟ ଜଗନମୋହନ ରେଡ୍ଡୀ ସୁଯୋଗ ମାରିନେବା ପାଇଁ ବସିଛନ୍ତି । ବିଜେପି ଏ ନେଇ ଶ୍ରୀ ରେଡ୍ଡୀଙ୍କ ସହ ଆଲୋଚନା ଇତିମଧ୍ୟରେ ଆରମ୍ଭ କରିଦେଇଥିବା କଥା ଜଣାପଡ଼ିଛି ।
ବିଜେଡି ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମ୍ପର୍କକୁ ଭିତ୍ତିକରି ଏଥର ଲୋକସଭା ଉପବାଚସ୍ପତି ପଦ ବିଜେଡି ହାତକୁ ଯିବ ବୋଲି ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଲା । ଏଥିରେ ସିଧାସଳଖ ଭର୍ତ୍ତୃହରିଙ୍କ ନାମ ମଧ୍ୟ ଆସିଲା । ଏଣୁ ଏହାକୁ ନେଇ ରାଜ୍ୟ ରାଜନୀତିରେ ମଧ୍ୟ ଚର୍ଚ୍ଚା ଜୋର ଧରିଲା । କାରଣ ବାତ୍ୟା ପରେ ମୋଦି ଓ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ତଥା କେନ୍ଦ୍ରମନ୍ତ୍ରୀ ଅମିତ ଶାହ ଯେଭଳି ଭାବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ଉତ୍ତମ ସମ୍ପର୍କ ରଖିବା ପାଇଁ ଉଦ୍ୟମ କଲେ ସେଥିପାଇଁ ଏହି ଆଶା କରାଯାଉଥିଲା । ଜାତୀୟ ଗଣମାଧ୍ୟମର ଚର୍ଚ୍ଚା ପରେ ଶିବସେନା ଆପତ୍ତି ଉଠାଇଲା । ବିଜେଡି ବିଜେପି ବିରୋଧରେ ଲଢ଼ୁଥିବାରୁ ଏହି ପଦ ଶିବସେନାକୁ ଦିଆଯିବା ପାଇଁ ଦାବି କରାଗଲା । କିନ୍ତୁ ଲୋକସଭାର ପରମ୍ପରା ଅନୁସାରେ ବିରୋଧୀ ପକ୍ଷକୁ ଏହିପଦ ଯିବ । ଶିବସେନା କେନ୍ଦ୍ର ସରକାରରେ ଅଂଶୀଦାର ଥିବାରୁ ପଦ ପାଇବ ନାହିଁ । ଏକଥା ସ୍ପଷ୍ଟ ହେବା ପରେ ବିଜେଡି ପକ୍ଷରୁ ଯେଉଁ ଉଦ୍ୟମ କରାଯିବା କଥା ତାହା ହେଉନାହିଁ । ଅନ୍ୟ ପଟରେ ଏହା ଏକ ସାମ୍ବିଧାନିକ ପଦବୀ ହୋଇଥିବାରୁ ଅନ୍ୟ ଦଳଗୁଡ଼ିକ ଆଗ୍ରହୀ ଅଛନ୍ତି । ନବୀନ ଏଥର ପ୍ରଧାନମନ୍ତ୍ରୀଙ୍କୁ ଭୋଟିବା ପାଇଁ ଯାଇଥିଲା ବେଳେ ଏ ନେଇ ଆଲୋଚନା କରିପାରନ୍ତି ବୋଲି ପୂର୍ବରୁ ଯେଉଁ ଆଶା ପ୍ରକାଶ କରାଯାଉଥିଲା ତାହା ନିରାଶରେ ପରିଣତ ହେଲା । ନବୀନ ସଫା ମନା କଲେ ଯେ, ଏ ବିଷୟରେ ମୋଦିଙ୍କ ସହ ସେ ଆଲୋଚନା କରିନାହାଁନ୍ତି । ଏଥିରୁ ସ୍ପଷ୍ଟ ହେଲା ଯେ, ଏଭଳି ଏକ ସାମ୍ବିଧାନିକ ପଦବୀ ପାଇବା ପାଇଁ ବିଜେଡି ସୁପ୍ରିମୋଙ୍କର ଆଗ୍ରହ ନାହିଁ । ସେ ଉଦ୍ୟମ କରିଥିଲେ ହୁଏତ କିଛି ଫଳ ମିଳିଥାନ୍ତା ବୋଲି କୁହାଯାଉଛି ।
ବିଜେଡି ଦାବିଦାର ନ ଥିବାରୁ ବର୍ତ୍ତମାନ ୱାଇଏସଆର କଂଗ୍ରେସ ଏହି ପଦବୀ ପାଇଁ ଆଗ୍ରହ ଦେଖାଇଛି । ବିଜେପି ନେତା ଆନ୍ଧ୍ର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଥିବା କଥା ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଇଛି । କେହି ଦାବିଦାର ନ ଥିବାରୁ ପ୍ରଧାନମନ୍ତ୍ରୀ ଓ ଶାହ ଚାହୁଁଛନ୍ତି ୱାଇଏସଆର ସହ ଉତ୍ତମ ସମ୍ପର୍କ ପାଇଁ ଏହି ପଦବୀ ଦେବାକୁ ବୋଲି କୁହାଯାଉଛି । ଲୋକସଭାରେ ୱାଇଏସଆରର ୨୨ ଜଣ ସାଂସଦ ଅଛନ୍ତି । ବିଜେଡିର ମାତ୍ର ୮ ଜଣ ଅଛନ୍ତି । ଅବଶ୍ୟ ସଂଖ୍ୟା ଦୃଷ୍ଟିରୁ ୱାଇଏସଆର ଅଧିକ ରହିଛି । ହେଲେ ବିଜେପି ଯଦି ସମର୍ଥନ ଦେବାକୁ ରାଜି ହୁଏ ତେବେ ବିଜେଡି ପାଇଁ ସଂଖ୍ୟା କିଛି ସମସ୍ୟା ହେବନାହିଁ । କିନ୍ତୁ ନବୀନଙ୍କ ଆଗ୍ରହ ନ ଥିôବା ଦେଖାଯାଉଛି । ଏଣୁ ୱାଇଏସଆରର ସାଂସଦ ଏହି ପଦବୀ ହାତେଇବା ସମ୍ଭାବନା ଅଧିକ ବୋଲି ଏବେ କୁହାଯାଉଛି । ନବୀନ କାହିଁକି ଆଗ୍ରହ ପ୍ରକାଶ କଲେ ନାହିଁ ତାହା ମଧ୍ୟ ସନ୍ଦେହ ଘେରରେ ରହିଛି ।

Leave A Reply

Your email address will not be published.