OnaKhabar

ଆଜି ଗୁଜୁରାଟ ଉପକୂଳ ଛୁଇଁବ ବାୟୁ,୩ ସେନାର ପ୍ରସ୍ତୁତ

58

ନୂଆଦିଲ୍ଲୀ: ସାମୁଦ୍ରିକ ଝଡ଼ ‘ବାୟୁ’ ଆଜି ମାଧ୍ୟାନରେ ଗୁଜୁରାଟ ଉପକୂଳ ଛୁଇଁବ ବୋଲି ଭାରତୀୟ ପାଣିପାଗ ଆକଳନ କରିଛି । ମୁକାବିଲା ପାଇଁ ସ୍ଥଳସେନା, ବାୟୁସେନା ଓ ନୌସେନା ଯୁଦ୍ଧକାଳୀନ ଭିତ୍ତିରେ ନିଜର ପ୍ରସ୍ତୁତି ଚଳାଇଛି । ସାମୁଦ୍ରିକ ଝଡ଼ ମହାରାଷ୍ଟ୍ରରୁ ଉତ୍ତର ଦିଗରେ ଗୁଜୁରାଟ ଦିଗରେ ଅଗ୍ରସର ହେବ । ପାଣିପାଗ ବିଭାଗ ପକ୍ଷରୁ ଜାରି ହୋଇଥିବା ବୁଲେଟିନ ଅନୁସାରେ ‘ବାୟୁ’ ଗୁଜୁରାଟ ଉପକୂଳ ପୋରବନ୍ଦର ଓ କଚ୍ଛ ମଧ୍ୟରେ ସ୍ଥଳ ଭାଗକୁ ଛୁଇଁବାର ଆଶା କରାଯାଉଛି । ବାୟୁ ସ୍ଥଳଭାଗ ନିକଟତର ହୋଇଥିବା ବେଳେ ଅଧିକ ଉଗ୍ର ରୂପ ନେବାରେ ଲାଗିଛି । ଗୁଜୁରାଟର ଅଧିକାରୀ ମାନେ ଓଡ଼ିଶାରେ ଗତ ମେ’ମାସ ୩ ତାରିଖରେ ଆସିଥିବା ବାତ୍ୟା ‘ଫୋନି’ ସମୟରେ ଯେଭଳି ଭାବରେ ମୁକାବିଲା କରାଯାଇଥିଲା, ତାହା ଅନୁସରଣ କରୁଛନ୍ତି ।
ସମ୍ଭାବିତ ବାତ୍ୟା ଅଂଚଳରେ ସରକାର ଏନଡିଆରଏଫ ଟିମ ମୁତୟନ କରିଛନ୍ତି । ପ୍ରାୟ ୩ ଲକ୍ଷ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ କରିଛନ୍ତି । ବାତ୍ୟା ଆସିବା ପୂର୍ବରୁ ୮୨ଟି ଟ୍ରେନ ବାତିଲ କରି ଦିଆଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବାତ୍ୟା ଉପରେ ନଜର ରଖିବାକୁ କେନ୍ଦ୍ର ଗୃହମନ୍ତ୍ରୀ ରାଜନାଥ ସିଂହଙ୍କୁ ପରାମର୍ଶ ଦେଇଛନ୍ତି । ଏଯାଏଁ ୫୨ଟି ଏନଡିଆରଏଫ ଟିମ ସମ୍ଭାବିତ ବାତ୍ୟା ଅଂଚଳରେ ମୁତୟନ କରାଯାଇଛି ।
ଭାରତୀୟ ବିମାନ କର୍ତ୍ତୃପକ୍ଷ ବିମାନବନ୍ଦର ଗୁଡ଼ିକରୁ ବାୟୁ ଯୋଗୁଁ କ୍ଷତି କମ କରିବା ପାଇଁ ତଥା ଯାତ୍ରୀଙ୍କୁ ଅସୁବିଧାରୁ ବଂଚାଇବା ପାଇଁ ପୋରବନ୍ଦର, ଦୀବ, ଭାବାନଗର, କେଶୋଦ ଆମ୍ବା କାଣ୍ଡଲାରେ ବୁଧବାର ରାତି ଠାରୁ ଗୁରୁବାର ମଧ୍ୟ ରାତ୍ରୀ ଯାଏଁ ବିମାନ ପରିଚାଳନା ବାତିଲ କରିଦେଇଛନ୍ତି ।