OnaKhabar

ମନ୍ତ୍ରୀଙ୍କ ଗ୍ରହ ପୂଜା: ନିଜ ପାଇଁ ନା ଅଦୃଶ ଗ୍ରହ ପାଇଁ…

0 22

ଭୁବନେଶ୍ୱର: ସଚ୍ଚିବାଳୟରେ ଏବେ ଚାଲିଛି ମନ୍ତ୍ରୀଙ୍କ ଗ୍ରହ ପୂଜା ପର୍ବ । ନୂଆ ମନ୍ତ୍ରୀମାନଙ୍କୁ ସଚ୍ଚିବାଳୟରେ ପ୍ରକୋଷ୍ଠ ମିଳିବା ପରେ ଅଫିସ ପ୍ରବେଶ ପୂର୍ବରୁ ଗ୍ରହ ପୂଜାରେ ଲାଗିଛନ୍ତି ମନ୍ତ୍ରୀମାନେ । ଏପରିକି ପୂଜାରେ ସାଥୀରେ ବସାଇବା ପାଇଁ ପତ୍ନୀଙ୍କୁ ମଧ୍ୟ ସଚ୍ଚିବାଳୟ ଆଣୁଛନ୍ତି । ଗ୍ରହ ପୂଜା ନକଲେ କେତେବେଳେ ଯେ ନବୀନ ପଟ୍ଟନାୟକଙ୍କ ସରକାରରେ ପଦବୀ ଖସିଯିବ ସେ ଭୟ ରହିଛି । ହେଲେ ପୂର୍ବରୁ ଦେଖାଦେଇଛି ଗ୍ରହ ପୂଜା କରି ମଧ୍ୟ ଅନେକ ମନ୍ତ୍ରୀଙ୍କ ପଦବୀ ଯାଇଛି । ତଥାପି ମନ ବୁଝୁ ନାହିଁ । ପୂଜା ପାଠ କରି ଅଫିସ ପ୍ରବେଶ କରିବାକୁ ମନ୍ତ୍ରୀମାନେ ଆଗଭର ହେଉଛନ୍ତି । ମନ୍ତ୍ରୀମାନେ ଯେଉଁ ଗ୍ରହ ପୂଜା ଚଳାଇଛନ୍ତି ତାହା ପ୍ରକୃତରେ ନିଜ ଗ୍ରହ ଶାନ୍ତି ପାଇଁ ନା ଅନ୍ୟ କେଉଁ ଅଦୃଶ ଗ୍ରହକୁ ଶାନ୍ତି କରିବାକୁ ଏହି ପୂଜା ପାଠ ତାହାକୁ ନେଇ ଚର୍ଚ୍ଚା ହେଉଛି ।
ଆଜି ସ୍କୁଲ ଓ ଗଣ ଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ, ରାଜସ୍ୱ ମନ୍ତ୍ରୀ ସୁଦାମ ମରାଣ୍ଡିଙ୍କୁ ମିଳିଥିବା ପ୍ରକୋଷ୍ଠରେ ପୂଜା ପାଠ ଚାଲିଥିଲା । ଉଭୟ ମନ୍ତ୍ରୀ ଗ୍ରହ ପୂଜା ପାଇଁ ବ୍ରାହ୍ମଣକୁ ଡାକି ଜୋରଦାର ଗ୍ରହ ଶାନ୍ତି ପାଇଁ ଲାଗିଥିଲେ । ଏପରିକି ମନ୍ତ୍ରୀ ଶ୍ରୀ ମରାଣ୍ଡି ଏକାକୀ ପୂଜାରେ ନ ବସି ସଚ୍ଚିବାଳୟକୁ ପତ୍ନୀକୁ ଧରି ଆସିଥିଲେ । ପତିପତ୍ନୀ ବସି ଢେର ଶୁଭ ମନାସିଛନ୍ତି ଗତଥର ଭଳି ଏଥର ଅଧାରୁ ଯେପରି ମନ୍ତ୍ରୀ ପଦ ନ ଯାଏ । ମନ୍ତ୍ରୀମାନେ ଭାବୁଛନ୍ତି ପୂଜାପାଠ କରି ଗ୍ରହ ଶାନ୍ତି କଲେ ୫ ବର୍ଷ ମନ୍ତ୍ରୀ ପଦ ସୁରୁଖୁରରେ ରହିପାରିବେ ।
ସମୀର ଦାଶ ପ୍ରଥମ ଥର କରି ମନ୍ତ୍ରୀ ହୋଇଛନ୍ତି । ସେ ଜାଣିଛନ୍ତି ନବୀନଙ୍କ ମନ୍ତ୍ରୀମଣ୍ଡଳରେ ସ୍ଥାୟିତ୍ୱ ନାହିଁ । ପୂରା ୫ ବର୍ଷ ପଦବୀରେ ରହିବେ ଏହି ଭରସା କରିବା କଷ୍ଟକର । ଅତୀତରେ ସେ ବହୁ ଟାଣୁଆ ମନ୍ତ୍ରୀ ଓ କ୍ଷମତା କେନ୍ଦ୍ରର ପାଖ ମନ୍ତ୍ରୀମାନଙ୍କୁ ବି ଅଧାରୁ ପଦ ଛାଡିବାକୁ ପଡିଛି । ତାଙ୍କୁ ଯେପରି ଏଭଳି ଅସ୍ୱାଭିବିକ ପରିସ୍ଥିତିର ମୁକାବିଲା ନ କରିବାକୁ ପଡିବ ସେହି ଆଶା ରଖି ସେ ସଚ୍ଚିବାଳୟରେ ଅଫିସ କାର୍ଯ୍ୟ ଆରମ୍ଭ କରିବା ପୂର୍ବରୁ ପୂଜା ପାଠ କରିଛନ୍ତି ।
ମନ୍ତ୍ରୀ ସୁଦାମ ମରାଣ୍ଡି ଗତଥର ମନ୍ତ୍ରୀ ଥିଲେ । କିନ୍ତୁ ପୂରା ୫ ବର୍ଷ ଭୋଗ କରିପାରିଲେ ନାହିଁ । ଅଧାରୁ ତାଙ୍କୁ ପଦ ଛାଡିବାକୁ ପଡିଥିଲା । ଏଥର ଯେତେବେଳେ ମନ୍ତ୍ରୀ ପଦ ମିଳିଛି ଆଉ କ୍ୟାବିନେଟ ପାହ୍ୟ ସହ ରାଜସ୍ୱ ଭଳି ଗୁରୁତ୍ୱପୂଣ୍ଣ ବିଭାଗ ମିଳିଛି ସେଥିରେ ଯେପରି କିଛି ବ୍ୟାଘତ ନ ଘଟୁ । ସେଥିପାଇଁ ପଛର ଅନୁଭୂତିକୁ ଦେଖି ଏଥର ସୁରୁଖୁରରେ ୫ ବର୍ଷ ଅତିବାହିତ କରିବା ପାଇଁ ଅପିସ ପଶିବା ପୂର୍ବରୁ ପୂଜା ପାଠ କରିଛନ୍ତି । ଜଣିକିଆ ପୂଜା କଲେ ତାର ସୁଫଳ ମିଳିନଥାଏ ବିଶ୍ୱାସ କରି ସେ ତାଙ୍କ ପତ୍ନୀକୁ ଆଣି ଉଭୟ ବସି ପୂଜାପାଠ କରିଛନ୍ତି । ସଚ୍ଚିବାଳୟକୁ ସାଧାରଣତଃ କେବେ କୌଣସି ମନ୍ତ୍ରୀ ପତ୍ନୀ ଓ ପିଲାଙ୍କୁ ଧରି ଆସିବା ଦେଖାଯାଇନଥିଲା । କିନ୍ତୁ ଶ୍ରୀ ମରାଣ୍ଡିିଙ୍କ ମନରେ ପୂର୍ବ ଭୟ ଏତେ ମାତ୍ରାରେ ଭରିଛି ଯେ କାର୍ଯ୍ୟ ଆରମ୍ଭ କରିବା ପୂର୍ବରୁ ସବୁ ବିଘ୍ନ ଦୂର କରିବାକୁ ଚାହିଁଛନ୍ତି ।
ପୂର୍ବରୁ କାର୍ଯ୍ୟ ଆରମ୍ଭ କରିଥିବା ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ଓ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ମଧ୍ୟ ସଚ୍ଚିବାଳୟକୁ ଆସି ଅଫିସ କାର୍ଯ୍ୟ ଆରମ୍ଭ କରିବା ପୂର୍ବରୁ ପୂଜାପାଠ କରିଥିଲେ । ଏହି ଦୁଇ ଜଣ ପୂର୍ବରୁ ନବୀନଙ୍କ ମନ୍ତ୍ରୀ ମଣ୍ଡଳରେ ସାମିଲ ଥିଲେ । କିନ୍ତୁ ଦୀର୍ଘ ଦିନ ଧରି ନବୀନ ଆଉ ଉଭୟଙ୍କ ଆଡକୁ ଅନାଇ ନଥିଲେ । ଶ୍ରୀ ବେହେରା ଖଣି ଓ ଇସ୍ପାତ ବିଭାଗର କ୍ୟାବିନେଟ ମନ୍ତ୍ରୀ ଥିଲେ । ନବୀନଙ୍କର ଖାସ ବିଶ୍ୱସ୍ଥ ମଧ୍ୟ ଥିଲେ । ହେଲେ କନ୍ଧମାଳ ଗଣ୍ଡୋଗଳ ଘଟଣାକୁ ଭିତ୍ତି କରି ତାଙ୍କୁ ମନନ୍ତରୀ ପଦରୁ ଯିବାକୁ ପଡିଥିଲା । ଏହା ପରେ ନବୀନ ଆଉ ତାଙ୍କ ଆଡକୁ ଚାହିଁନଥିଲେ । ଗତ ପାଳି ସରକାରରେ ଶ୍ରୀ ବେହେରାଙ୍କୁ ମନ୍ତ୍ରିମଣ୍ଡଳରେ ସ୍ଥାନ ଦିଆଯାଇନଥିଲା । ଏଣୁ ଏଥର ଯେତେବେଳେ ପ୍ରବେଶ କରୁଛନ୍ତି ସେଥିପାଇଁ ଗ୍ରହ ଶାନ୍ତି କରିବାକୁ ପୂଜାପାଠ କରିଛନ୍ତି ।
ସେହିପରି ରଣେନ୍ଦ୍ର ପ୍ରତାପ ସ୍ୱାଇଁ ନବୀନଙ୍କ ମନ୍ତ୍ରିମଣ୍ଡଳରେ ପ୍ରଥମେ କ୍ରୀଡା ମନ୍ତ୍ରୀ ଥିଲେ । ହେଲେ ପରବର୍ତ୍ତ୍ୀ ସମୟରେ ନବୀନ ତାଙ୍କୁ ଆଉ ସାମିଲ କଲେ ନାହିଁ । ଦୀର୍ଘ ବର୍ଷ ଧରି ସେ ଦୂରେଇ ରହିଲେ । ନବୀନ ତାଙ୍କ ଉପରେ ଆଉ ଭରସା କରିପାରିଲେ ନାହିଁ । ଏତେ ବର୍ଷ ପରେ ଏବେ ତାଙ୍କ ଉପରେ ଭରସା କରି କ୍ୟାବିନେଟ ପାହ୍ୟା ସହ ଯୋଗାଣ ବିଭାଗ ବଳି ଗୁରୁତ୍ୱପୂଣ୍ଣ ଦାୟିତ୍ୱ ଦିଆଯାଇଛି । ଆଉ ଏଥର ଯେପରି ମନ୍ତ୍ରୀ ପଦ ଖସି ନ ଯାଏ ସେଥିପାଇଁ ପୂଜାପାଠ କରି ପ୍ରବେଶ କରିଛନ୍ତି ।

https://www.onakhabar.com/2019/06/minister-offered-puja-in-scretariat-chamber/

Leave A Reply

Your email address will not be published.