OnaKhabar

ଲୋକସଭା ଉପବାଚସ୍ପତି: ମୋଦିଙ୍କ ସହ କଥା ହେଲେ, କିନ୍ତୁ ପ୍ରସ୍ତାବ ରଖିଲେନି ନବୀନ

0 18

ଭୁବନେଶ୍ୱର (ଓଏନଏ) : ଲୋକସଭା ଉପବାଚସ୍ପତି ପଦକୁ ନେଇ ରାଜନୀତି ଚର୍ଚ୍ଚା ଦିଲ୍ଲୀରୁ ଆରମ୍ଭ କରି ରାଜ୍ୟ ପର୍ଯ୍ୟନ୍ତ ଚାଲିଛି । ଏଥିରେ ବିଜେଡି ପ୍ରାର୍ଥୀ ସାଂସଦ ଭର୍ତ୍ତୃହରି ମହତାବଙ୍କ ନାମ ଚର୍ଚ୍ଚାର ଆଗରେ ଅଛି । ବିଜେଡି ସୁପ୍ରିମୋ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିବାକୁ ଯିବା ପୂର୍ବରୁ ଏ ନେଇ ଆଲୋଚନା କରି ପାରନ୍ତି ବୋଲି ମଧ୍ୟ ଅନେକ ଆଶା କରୁଥିଲେ । ହେଲେ ସେପରି କିଛି ହେଲାନାହିଁ । ନବୀନ ତାଙ୍କ ଦିଲ୍ଲୀ ଗସ୍ତ ସମୟରେ ଆଜି ମୋଦିଙ୍କୁ ତାଙ୍କ ବାସଭବନରେ ଭେଟି ଓଡ଼ିଶା ସମ୍ପର୍କରେ ଆଲୋଚନା କରିଛନ୍ତି । କିନ୍ତୁ ରାଜ୍ୟସଭା ଉପବାଚସ୍ପତି ପଦ ନେଇ କୌଣସି ଆଲୋଚନା ହୋଇ ନ ଥିବା କଥା ନବୀନ କହିଛନ୍ତି ।
କୁହାଯାଉଛି ବୋଧହୁଏ ନବୀନଙ୍କର ଉପବାଚସ୍ପତି ପଦ ବିଜେଡି ପାଉ କି ଓଡ଼ିଶା ପାଉ ସେ ଦିଗରେ ଆଗ୍ରହ ନାହିଁ । ଏହାର ମୂଳ କାରଣ ବିଷୟରେ ମତ ଆସୁଛି ଯେ, ବିଜେପି ସହାୟତା ନେଇ ବୋଧହୁଏ ନବୀନ ପଦବୀ ହାସଲ କରିବାକୁ ଚାହୁଁନାହାଁନ୍ତି । ଅନ୍ୟପଟରେ ଗତ ଥର ଅପେକ୍ଷା ଏଥର ବିଜେଡିର ଲୋକସଭାରେ ଏତେ ସଂଖ୍ୟକ ସାଂସଦ ନାହାଁନ୍ତି । ସ୍ୱଳ୍ପ ସଂଖ୍ୟକ ସାଂସଦଙ୍କୁ ନେଇ ବିଜେଡି କିଛି ଦାବି ରଖିବାକୁ ନବୀନ ଆଗ୍ରହ ଦେଖାଉ ନ ଥିବା କଥା କୁହାଯାଉଛି । ଗତଥର ୨୦ ଜଣ ସାଂସଦ ଥିଲା ବେଳେ ଏଥର ଲୋକସଭା ସାଂସଦଙ୍କ ସଂଖ୍ୟା ୧୨କୁ ଖସିଛି । ଏ କ୍ଷେତ୍ରରେ ଜାତୀୟସ୍ତରରେ ଦାବି ରଖିବାର ଯେଉଁ ଦମ୍ଭୋକ୍ତି ଏକ ରାଜନ÷ତିକ ଦଳ ପାଖରେ ରହିବା କଥା ତାହା ନାହିଁ । ନବୀନ ଚାହୁଁଥିଲେ ଗତଥର ଭଳି ଏଥର ମଧ୍ୟ ତାଙ୍କର ୨୦ ଜଣ କି ପୁରା ୨୧ ଜଣ ସାଂସଦ ଜିତନ୍ତୁ । ହେଲେ ସେପରି କିଛି ହେଲାନାହିଁ । ଜାତୀୟସ୍ତରରେ ନବୀନଙ୍କ ଗଣନା ଫେଲ ମାରିଲା । ବିଜେଡି ଜାତୀୟ ରାଜନୀତିରେ କିଙ୍ଗ ମେକର ହେବ ବୋଲି ଯାହା ନବୀନ ଭାବୁଥିଲେ ତାହା ହେଲାନାହିଁ । ଓଡ଼ିଶା ଭୋଟର ଯଦିଓ ନବୀନଙ୍କୁ ପୁଣି ସମ୍ପୂର୍ଣ୍ଣ ବହୁମତ ଦେଇ କ୍ଷମତାଡୋରୀ ଧରାଇଦେଲେ ଲୋକସଭା କ୍ଷେତ୍ରରେ ସେପରି ସଫଳତା ଦେଲେନାହିଁ । ନବୀନଙ୍କ ଦମ୍ଭ ଜାତୀୟସ୍ତରରେ ବା ମୋଦିଙ୍କ ପାଖରେ ଯେପରି ରହିବା କଥା ତାହା ରହିଲା ନାହିଁ । ବିଜେପି ୮ଟି ଲୋକସଭା ଆସନ ନେଇଗଲା । ଗତଥର ବିଜେପିର ମାତ୍ର ଗୋଟିଏ ଆସନ ଥିଲା । ହୁଏତ ଜାତୀୟସ୍ତରରେ ନବୀନଙ୍କର ଯେଉଁ ଦୃଢ଼ୋକ୍ତ ପ୍ରକାଶ କରିବାର ଥିଲା ସେ ତାହା ଏଥର ଦେଖାଇ ପାରି ନାହାଁନ୍ତି । କ୍ଷମତାକୁ ଫେରିଥିଲେ ବି ତାଙ୍କର ମୁଖ୍ୟ ବିରୋଧୀ ବିଜେପି ଅଧିକ ଲୋକସଭା ଆସନ ନେବା ଘଟଣାକୁ ସେ ସହଜରେ ଗ୍ରହଣ କରିପାରି ନାହାଁନ୍ତି ବୋଲି କେହି କେହି କହୁଛନ୍ତି ।
ନବୀନ ସମଦୂରତା ନୀତି ରାଜ୍ୟ ସ୍ୱାର୍ଥ ଘଟଣାରେ ଉଠାଇ ଦେଇଥିଲେ ବି ମନ ଭିତରେ କିଛିଟା ଦ୍ୱନ୍ଦ୍ୱ ରହିଛି । ବିଜେପିକୁ ସେ ସହାୟତା ଦେଇଥାଇ ପାରନ୍ତି । କିନ୍ତୁ ଖୋଲାଖୋଲି ଭାବେ ବିଜେପିଠାରୁ କିଛି ସହାୟତା ନେବା ପାଇଁ ଚାହୁଁ ନାହାଁନ୍ତି । କାରଣ ସେ ଦେଖୁଛନ୍ତି ଆଗକୁ ବିଜେପି ମୁଖ୍ୟ ବିରୋଧୀଦଳ ଭାବେ ବିଜେଡି ବିରୋଧରେ ଲଢ଼ିବାକୁ ଯାଉଛି । ଏଥର ସିନା କ୍ଷମତା ଦଖଲ କରିପାରିଲେ ନି । ହେଲେ ଆରଥରକୁ କେନ୍ଦ୍ରରେ ବିଜେପି ସରକାର ଥିବାରୁ କିଛି ଗୋଟେ ଘଟଣା ଘଟାଇ ପାରନ୍ତି । ଯିଏ ଆଗକୁ ପରମବିରୋଧୀ ଓ ଶତ୍ରୁ ହେବାକୁ ଯାଉଛି ତାହାଠାରୁ କିଛି ସହାୟତା ନେଇ ଭବିଷ୍ୟତରେ ଅଡୁଆ ଆଣିବାକୁ ବୋଧହୁଏ ନବୀନ ଚାହୁଁନାହାଁନ୍ତି । ଏକଥା ମଧ୍ୟ କେହି ବିରୋଧୀ କହୁଛନ୍ତି ଯେ, ଜାତୀୟସ୍ତରରେ ଭର୍ତ୍ତୃହରି ମହତାବଙ୍କ ନାଁ ଚର୍ଚ୍ଚାରେ ଥିବାରୁ ଯଦି ନବୀନ ଉପବାଚସ୍ପତି ପଦ ଦାବି କରନ୍ତି ତେବେ ତାଙ୍କୁ ହିଁ ପ୍ରାର୍ଥୀ କରିବାକୁ ହେବ । ଭର୍ତ୍ତୃହରିବାଦ ଦେଇ ଅନ୍ୟ କାହାକୁ ପ୍ରାର୍ଥୀ କଲେ ନବୀନ ସମାଲୋଚିତ ହୋଇପାରନ୍ତି । ଭର୍ତ୍ତହରିଙ୍କୁ ଉପବାଚସ୍ପତି ପ୍ରାର୍ଥୀ କରିବା ପାଇଁ ନବୀନଙ୍କର ପ୍ରାୟ ଇଚ୍ଛା ନାହିଁ । କାରଣ ଏଥର ଲୋକସଭାରେ ବିଜେଡି ସଂସଦୀୟ ଦଳ ନେତା ପଦରୁ ଭର୍ତ୍ତୃହରିଙ୍କୁ ହଟାଇ ଦେଇଛନ୍ତି । ଏଥିରୁ ଯାହା ଜଣାପଡୁଛି ଭର୍ତ୍ତୃହରିଙ୍କ ପ୍ରତି ନବୀନଙ୍କ ମନୋଭାବ ଭିନ୍ନ ରହିଛି । ଏଣୁ ଏ ସବୁ କାରଣକୁ ଦେଖି ନିରାପଦରେ ରହିବା ପାଇଁ ନବୀନ ସେ ଭିତରକୁ ଯିବାକୁ ଚାହୁଁ ନ ଥିବା କଥା କୁହାଯାଉଛି ।

Leave A Reply

Your email address will not be published.