OnaKhabar

ପଦ୍ମ ପୁରସ୍କାରପ୍ରାପ୍ତ ପ୍ରସିଦ୍ଧ ନାଟ୍ୟକାର ଓ ଅଭିନେତା ଗିରିଶ କର୍ଣ୍ଣାଡ଼ଙ୍କ ପରଲୋକ

0 16

ବେଙ୍ଗାଲୁରୁ: ପଦ୍ମ ପୁରସ୍କାରପ୍ରାପ୍ତ ପ୍ରସିଦ୍ଧ ନାଟ୍ୟକାର, ଅଭିନେତା ଓ ନିର୍ଦ୍ଦେଶକ ଗିରିଶ କର୍ଣ୍ଣାଡ଼ଙ୍କର ଆଜି ପରଲୋକ ହୋଇଯାଇଛି । ବେଙ୍ଗାଲୁରୁର ଏକ ଡାକ୍ତରଖାନାରେ ଆଜି ସକାଳ ସାଢ଼େ ୬ଟାରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ । ମୃତ୍ୟୁ ବେଳକୁ ତାଙ୍କୁ ୮୧ ବର୍ଷ ହୋଇଥିଲା ।
ସୂଚନାନୁଯାୟୀ, ୧୯୩୮ ମସିହା ମେ’ ୧୯ ତାରିଖରେ ମୁମ୍ବାଇରେ ସେ ଜନ୍ମ ହୋଇଥିଲେ । ସେ ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟର ଛାତ୍ର ଥିଲେ ଓ ସେଠାରେ ପଢ଼ିବା ବେଳେ ହିଁ ତାଙ୍କର ପ୍ରଥମ ନାଟକ ‘ଯଯାତି’ ଲେଖିଥିଲେ । ୧୯୬୧ ମସିହାରେ ସେ ଏହି ନାଟକଟି ଲେଖିଥିଲେ । ତାଙ୍କର ଅନ୍ୟତମ ପ୍ରସିଦ୍ଧ ନାଟକ ହେଉଛି ‘ତୁଗ୍‌ଲକ୍‌’, ଯାହା ସେ ୧୯୬୪ ମସିହାରେ ଲେଖିଥିଲେ । ସେହିପରି ତାଙ୍କର ଆଉ ଏକ ପ୍ରସିଦ୍ଧ ନାଟକ ହେଉଛି ‘ହୟାଭଦାନ’ । ଏହି ନାଟକକୁ ସେ ୧୯୭୨ ମସିହାରେ ଲେଖିଥିଲେ । ସେ କନ୍ନଡ଼ ଭାଷାରେ ନାଟକ ଲେଖୁଥିଲେ। ତାଙ୍କ ନାଟକଗୁଡ଼ିକ ଇଂରାଜୀ ଭାଷା ସହିତ ଅନେକ ଭାରତୀୟ ଭାଷାକୁ ମଧ୍ୟ ଅନୁବାଦିତ ହୋଇଛି । ନାଟକ ସହିତ ଗିରିଶ ଚଳଚ୍ଚିତ୍ର ଜଗତରେ ବି ସକ୍ରିୟ ଥିଲେ । ୧୯୭୦ ମସିହାରେ କନ୍ନଡ଼ ଫିଲ୍ମ ‘ସମସ୍କାର’ ଜରିଆରେ ସେ ଡେବ୍ୟୁ କରିଥିଲେ। ସେ ହିନ୍ଦୀ ଚଳଚ୍ଚିତ୍ରରେ ବି କାମ କରିଛନ୍ତି। ସେ ଚାରି ଥର ଫିଲ୍ମ ଫେୟାର ଆୱାର୍ଡ ପାଇଛନ୍ତି ।
‘ନିଶାନ୍ତ’, ‘ମନ୍ଥନ’, ‘ସ୍ୱାମୀ’, ‘ପୁକାର’, ‘ଇକ୍‌ବାଲ୍‌’ ଓ ‘ଡୋର୍‌’ ଭଳି ଚର୍ଚ୍ଚିତ ହିନ୍ଦୀ ଫିଲ୍ମରେ ସେ କାମ କରିଛନ୍ତି।ସଲମାନ ଖାନ୍‌ଙ୍କ ଅଭିନୀତ ‘ଏକ୍‌ ଥା ଟାଇଗର୍‌’ ଓ ଏହାର ସିକ୍ୱେଲ୍‌ ‘ଟାଇଗର ଜିନ୍ଦା ହୈ’ରେ ବି ସେ ଅଭିନୟ କରିଥିଲେ । ତାଙ୍କ ମୃତ୍ୟୁରେ ବିଶ୍ୱବିଖ୍ୟାତ ଲେଖକ ଅମିତାଭ ଘୋଷଙ୍କଠାରୁ ଆରମ୍ଭ କରି ନାଟକ, ଫିଲ୍ମ ଓ ସାହିତ୍ୟ କ୍ଷେତ୍ରର ବହୁ ବିଶିଷ୍ଟ ବ୍ୟକ୍ତି ଦୁଃଖ ପ୍ରକାଶ କରିଛନ୍ତି ।

 

Leave A Reply

Your email address will not be published.