OnaKhabar

ପଶ୍ଚିମବଙ୍ଗରେ ବିଜେପି – ତୃଣମୂଳ ହିଂସା ଥମୁନି,ସଂଘର୍ଷରେ ୪ ମୃତ

41

କଲିକତା : ତୃଣମୂଳ କଂଗ୍ରେସ ଓ ବିଜେପି ମଧ୍ୟରେ ନିର୍ବାଚନ ପରେ ବି ଥମୁନି ହିଂସା | ଏହି ହିଂସା ବଢି ଏବେ ଉଗ୍ର ରୂପ ନେଇଛି | ଉତ୍ତର ଚବିଶ ପ୍ରଗଣାରେ ଏହି ଦୁଇ ଦଳର କର୍ମୀଙ୍କ ମଧ୍ୟରେ ସଂଘର୍ଷ ଘଟି ୪ ଜଣ ବିଜେପି କର୍ମୀ ମୃତ୍ୟୁ ବରଣ କରିଛନ୍ତି |

ମିଳିଥିବା ଖବର ଅନୁଯାୟୀ ଶନିବାର ରାତିରେ ପଶ୍ଚିମବଙ୍ଗ ଉତ୍ତର ୨୪ ପ୍ରଗଣା ଜିଲ୍ଲାର ନଜାତ ଅଞ୍ଚଳରେ ତୃଣମୂଳ କଂଗ୍ରେସ ଏବଂ ବିଜେପି ମଧ୍ୟରେ ସଂଘର୍ଷ ହୋଇଥିଲା । ଆଉ ଏଥିରେ ଚାରି ଜଣ ଲୋକଙ୍କର ମୃତ୍ୟୁ ଘଟିଛି ଓ ତିନି ଜଣ ଆହତ ହୋଇଛନ୍ତି | ଏନେଇ ଉଭୟ ଦଳ ପକ୍ଷରୁ ଅଭିଯୋଗ ହୋଇଛି। ମୃତ୍ୟୁ ସଂକ୍ରାନ୍ତରେ ପୁଲିସ କୌଣସି ମନ୍ତବ୍ୟ ଦେବାକୁ ମନା କରି ଦେଇଥିଲେ ବି ପରିସ୍ଥିତି ନିୟନ୍ତ୍ରଣ କରିବାକୁ ଘଟଣାସ୍ଥଳକୁ ବ୍ୟାପକ ପୁଲିସ ପଠାଯାଇଥିବା କଥା ସେମାନେ କହିଛନ୍ତି ।

ଉକ୍ତ ଅଞ୍ଚଳରୁ ବିଜେପି ପତାକା କଢ଼ାଯିବା ଘଟଣାକୁ କେନ୍ଦ୍ର କରି ସଂଘର୍ଷ ହୋଇଥିଲା | ରାଜ୍ୟ ବିଜେପି ସାଧାରଣ ସମ୍ପାଦକ ସାୟନ୍ତନ ବସୁ କହିଛନ୍ତି ଯେ ତୃଣମୂଳ କଂଗ୍ରେସର ସମର୍ଥକମାନେ ଆମ ପତାକା ଫିଙ୍ଗୁଥିବା ବେଳେ ଆମ କର୍ମୀମାନେ ବାଧା ଦେବାରୁ ସେମାନେ ତିନି ଜଣଙ୍କୁ ଗୁଳି ମାରି ହତ୍ୟା କରିଛନ୍ତି । ନିହତ କର୍ମୀମାନେ ହେଲେ ସୁକାନ୍ତ ମଣ୍ଡଳ, ପ୍ରଦୀପ ମଣ୍ଡଳ ଏବଂ ଶଙ୍କର ମଣ୍ଡଳ । ଆମେ ସେ ତିନି ଜଣଙ୍କ ଶବ ଗ୍ରହଣ କରିଛୁ। ଆଉ ଦୁଇଜଣ ମଧ୍ୟ ସଂଘର୍ଷରେ ପ୍ରାଣ ହରାଇଥିଲେ ବି ଶବ ମିଳିନାହିଁ ବୋଲି ସେ କହିଛନ୍ତି । ଅନ୍ୟପଟରେ ଟିଏମସି ମଧ୍ୟ ଦାବି କରିଛି ତାଙ୍କ ସମର୍ଥକମାନଙ୍କ ମଧ୍ୟରୁ ଜଣକୁ ହତ୍ୟା କରାଯାଇଛି ।