OnaKhabar

୮ ରେ ଓଡ଼ିଶାରେ ପ୍ରବଳରୁ ଅତିପ୍ରବଳ ବର୍ଷା ସମ୍ଭାବନା

50

ଭୁବନେଶ୍ୱର : ମୌସୁମୀକୁ ନେଇ ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ଯେ ଆସନ୍ତା ୭୨ ଘଣ୍ଟା ଅର୍ଥାତ୍ ଜୁନ୍ ୭ ତାରିଖ ମଧ୍ୟରେ କେରଳରେ ମୌସୁମୀ କେରଳ ଛୁଇଁବା । ଆଗରୁ ପାଣିପାଗ ବିଭାଗ ପୂର୍ବାନୁମାନ କରିଥିଲା ୬ ତାରିଖରେ ଛୁଇଁବ। ପାଣିପାଗ ବିଭାଗ ପୁଣି ଆକଳନ କରିଛି ଯେ ୬ ତାରିଖଠାରୁ ଓଡ଼ିଶା ସମେତ ପଶ୍ଚିମବଙ୍ଗ, ବିହାର, ଝାଡ଼ଖଣ୍ଡ, ଉତ୍ତର ପୂର୍ବ ରାଜ୍ୟଗୁଡ଼ିକରେ ପ୍ରବଳ ବର୍ଷା ହେବ।
୮ ତାରିଖରେ ଓଡ଼ିଶାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବା ନେଇ ମଧ୍ୟ ପୂର୍ବାନୁମାନ କରାଯାଇଛି। ବିଶେଷକରି ମୟୂରଭଞ୍ଜ, ବାଲେଶ୍ବର, ଭଦ୍ରକ, ଯାଜପୁର, ଢ଼େଙ୍କାନାଳ, ଅନୁଗୁଳ, କେନ୍ଦୁଝର, ସୁନ୍ଦରଗଡ଼ ଆଦି ସ୍ଥାନରେ ବର୍ଷାର ପରିମାଣ ଅଧିକ ରହିବ। ୩ରୁ ୪ ଦିନ ବର୍ଷା ଲାଗିରହିବ। ଯାହାକି ପ୍ରାକ୍ ମୌସୁମୀ ବର୍ଷା ବୋଲି ଅନୁମାନ କରାଯାଉଛି।  ପ୍ରଥମେ ଜୁନ୍ ପହିଲା ଓ ପରେ ଜୁନ୍ ୪ରେ ମୌସୁମୀ କେରଳ ଛୁଇଁବ ବୋଲି ‘ସ୍କାଏମାର୍ଟ’ କହିଥିଲା। ତେବେ ଏବେ କହିଛି ୬ କିମ୍ବା ୭ ତାରିଖରେ ଆସିପାରେ। ମୌସୁମୀର ଏଭଳି ଲୁଚକାଳି ଖେଳ ଭିତରେ ଚାଷୀମାନେ ଚିନ୍ତାରେ ପଡ଼ିଛନ୍ତି। ପ୍ରାକ୍ ମୌସୁମୀ ବର୍ଷା ହେବ କି ନାହିଁ କିଛି ଜାଣିପାରୁ ନାହାନ୍ତି।
ପାଣିପାଗ ବିଶେଷଜ୍ଞମାନେ ଆକଳନ କରିଛନ୍ତି ଯେ ମୌସୁମୀ ଏ ପର୍ଯ୍ୟନ୍ତ କେରଳରେ ସକ୍ରିୟ ହୋଇ ନାହିଁ। ୩ ଦିନ ଭିତରେ ହୋଇପାରେ। ତେବେ ଖୁସିର ଖବର ହେଉଛି ଯେ ଦକ୍ଷିଶ ପଶ୍ଚିମ ବଙ୍ଗୋପସାଗର ଓ ଲାକ୍ଷଦୀପ ଉପରେ ଗୋଟିଏ ଲେଖାଏ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଏହା ପ୍ରଭାବରେ ମୌସୁମୀ ସକ୍ରିୟ ହେବାର ବହୁତ ସମ୍ଭାବନା ରହିଛି। ଦକ୍ଷିଶ ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣବଳୟ ପ୍ରଭାବରେ ପଶ୍ଚିମବଙ୍ଗ ଓ ଓଡ଼ିଶାରେ ପ୍ରବଳ ବର୍ଷା ହେବ। ତେବେ ଏହାକୁ ପ୍ରାକ୍ ମୌସୁମୀ ବର୍ଷା କହିବା ଠିକ୍ ହେବ ନାହିଁ। ଏହି ସମୟ ମଧ୍ୟରେ ଯଦି ମୌସୁମୀ କେରଳରେ ସକ୍ରିୟ ହୁଏ ତେବେ ସିଧାସଳଖ ମୌସୁମୀ ବର୍ଷା ଆରମ୍ଭ ହୋଇଯିବ। ଆଉ ଯଦି ସକ୍ରିୟ ନହୁଏ ତେବେ ଓଡ଼ିଶାରୁ ୩ରୁ ୪ ଦିନ ବର୍ଷା ହେବା ପରେ ପୁଣିଥରେ ଛାଡ଼ିଯିବ।
ଅନ୍ୟପକ୍ଷରେ ମୌସୁମୀ ବର୍ଷା ଆଗମନକୁ ଦୃଷ୍ଟିରେ ରଖି କୃଷି ନିର୍ଦେଶାଳୟ ପକ୍ଷରୁ ଚାଷୀମାନଙ୍କ ଲାଗି କୃଷି ଉପଦେଶ ଜାରି ହୋଇଛି। ଆଗକୁ ବର୍ଷାର ସମ୍ଭାବନା ଥିବାରୁ ଜମିରେ ପାକଳ ଅବସ୍ଥାରେ ଥିବା ଧାନ ଓ ପନିପରିବା ଫସଲ ଅମଳ କରିଦେବାକୁ ପରାମର୍ଶ ଦିଆଯାଇଛି। ବର୍ଷା ପରେ ମାଟିର ବତର ଅବସ୍ଥା ଦେଖି ଖରାଦିନିଆ ହଳ କରନ୍ତୁ। ମାଟିର ବତର ଅନୁକୂଳ ହେଲେ ସଙ୍ଗେ ସଙ୍ଗେ ସବୁଜ ସାର ବୁଣିଦେବାକୁ କୁହାଯାଇଛି। କାଳବୈଶାଖୀ ବର୍ଷା ଲାଗିରହିଥିବାରୁ ଓଡ଼ିଶାରେ ତାପମାତ୍ରା ହ୍ରାସ ପାଇଛି।