OnaKhabar

ଚର୍ଚ୍ଚା : ମୋଦି-ନବୀନ ରଖିଲେ ନି ସମ୍ମାନ

0 365

ଭୁବନେଶ୍ୱର (ଓଏନଏ) : କେନ୍ଦ୍ର ଓ ରାଜ୍ୟ ମନ୍ତ୍ରିମଣ୍ଡଳ ଗଠନ ପରେ ଏବେ ଏହାକୁ ନେଇ ରାଜନୈତିକ ଚର୍ଚ୍ଚା ଜୋର ଧରିଛି । ବିଶେଷ କରି ମନ୍ତ୍ରିମଣ୍ଡଳରେ କାହାକୁ କେତେ ପ୍ରାଧାନ୍ୟ ମିଳିଲା ତାକୁ ନେଇ ଏଇ ଆଲୋଚନା ହେଉଛି । କୁହାଯାଉଛି ଉଭୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମ୍ମାନ ରଖିଲେ ନାହିଁ । ଯେଉଁମାନେ ଲାଗିପଡ଼ି ଏହି ଦୁଇ ନେତାଙ୍କ ସମ୍ମାନ ରକ୍ଷା କରିଥିଲେ ସେମାନେ ସହଯୋଗ କରିଥିବା ଲୋକଙ୍କ ସମ୍ମାନ ରଖି ନ ଥିବା କଥା କୁହାଯାଉଛି । ବିଶେଷ କରି ନିର୍ବାଚନ ସମୟରେ ଏହି ଦୁଇ ନେତା ନିଜ ନିଜର ସମ୍ମାନକୁ ବିଭିନ୍ନ କ୍ଷେତ୍ରରେ ବାଜି ଲଗାଇଥିଲେ । ସେଥିପାଇଁ ଏବେ ଏହି ଚର୍ଚ୍ଚା ବିଭିନ୍ନ ଅଂଚଳରେ ହେଉଛି ।
ନିର୍ବାଚନ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶାକୁ ୧୦ ଥର ନିର୍ବାଚନ ପ୍ରଚାରରେ ଆସିଛନ୍ତି । ଓଡ଼ିଶାବାସୀଙ୍କୁ କେନ୍ଦ୍ରରେ ଦୃଢ଼ ଓ ସଶକ୍ତ ସରକାର ଗଠନ ପାଇଁ ସମର୍ଥନ ଦେବାକୁ ଆହ୍ୱାନ ଦେଇଥିଲେ । ମଜବୁର ବା ଅସହାୟ ସରକାର ଗଠନ ନ କରି ମଜବୁତ ବା ଦୃଢ଼ ସରକାର ଗଠନ କରିବା ପାଇଁ ଲୋକଙ୍କୁ ନିବେଦନ କରୁଥିଲେ । ମୋଦିଙ୍କ ନିର୍ବାଚନୀ ସଭାରେ ବିପୁଳ ସଂଖ୍ୟାରେ ଜନସମାବେଶ ହେଉଥିଲା । ଲୋକେ ତାଙ୍କୁ ବେଶ ସ୍ୱାଗତ ସମ୍ବର୍ଦ୍ଧନା ଜଣାଉଥିଲେ । ଗୋଟେ ଗୋଟେ ସଭାରେ ଏତେ ସଂଖ୍ୟାରେ ଲୋକ ଦେଖି ସେ ନିଜେ ଭାବବିହ୍ୱଳ ହୋଇପଡୁଥିଲେ । ଅନେକ ଥର ଲୋକଙ୍କୁ ଦେଖି ସେ ଉତ୍ସାହିତ ହୋଇ ବହୁ କଥା କହିଛନ୍ତି । ଓଡ଼ିଶାର ଲୋକ ମଧ୍ୟ ତାଙ୍କ ସମ୍ମାନ ରକ୍ଷା କରିଛନ୍ତି । ୨୦୧୪ରେ ମାତ୍ର ଗୋଟିଏ ଲୋକସଭା ଆସନ ବିରୋଧୀ ପାଇଥିଲା ବେଳେ ଏଥର ୮ଟି ଆସନ ପାଇଛି । ୨୧ଟି ଆସନରୁ ୮ଟି ମୋଦିଙ୍କୁ ଓଡ଼ିଶା ଭୋଟର ଦେଇଛନ୍ତି । ଏହି ସଂଖ୍ୟାଦେଇ ମୋଦିଙ୍କ ସମ୍ମାନକୁ ଓଡ଼ିଶା ଭୋଟର ରକ୍ଷା କରିଛନ୍ତି ବୋଲି କୁହାଯାଉଛି । ଗତଥର ଭଳି ଗୋଟିଏ କିମ୍ବା କୌଣସି ଆସନ ନ ମିଳିଥିଲେ ମୋଦିଙ୍କ ସମ୍ମାନ କ୍ଷୁର୍ଣ୍ଣ ହୋଇଥାନ୍ତା । ହେଲେ ଏହାର ପ୍ରତିଦାନରେ ଓଡ଼ିଶାର ସମ୍ମାନ ମୋଦି ରଖିଲେ ନାହିଁ ବୋଲି ଅନେକ ମତ ଦେଉଛନ୍ତି । ଗତଥର ଜଣେ ସାଂସଦ ଜିତି ଦୁଇଜଣ ଓଡ଼ିଆଙ୍କୁ ତାଙ୍କ ମନ୍ତ୍ରିମଣ୍ଡଳରେ ସ୍ଥାନ ଦେଇଥିଲେ ମୋଦି । ହେଲେ ଏଥର ୮ଟି ଲୋକସଭା ଆସନ ପାଇଥିଲେ ମଧ୍ୟ ମନ୍ତ୍ରିମଣ୍ଡଳର ସଂଖ୍ୟା ବଢ଼ିଲା ନାହିଁ । ସେହି ୨ରେ ହିଁ ସୀମିତ ରହିଲା । ଏଣୁ ଏଥିଲାଗି କୁହାଯାଉଛି ମୋଦି ଓଡ଼ିଶା ଲୋକଙ୍କ ସମ୍ମାନ ରଖିଲେ ନାହିଁ ।
ସେହିପରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ରାପଡ଼ା ଲୋକସଭା ଆସନରେ ତାଙ୍କ ସମ୍ମାନର ବାଜି ଲଗାଇଥିଲେ । ନବୀନ ଅନ୍ୟ କୌଣସି ନିର୍ବାଚନମଣ୍ଡଳୀରେ ଏତେ ପ୍ରଚାର କରି ନ ଥିଲେ ଯାହା କେନ୍ଦ୍ରାପଡ଼ାରେ କହିଥିଲେ । ପୂର୍ବରୁ ପ୍ରଚାର ସତ୍ତେ୍ୱ କେନ୍ଦ୍ରାପଡ଼ାରେ ରହି ଦୁଇ ଦିନ ପ୍ରଚାର ଚଳାଇଥିଲେ । ତାଙ୍କ ପାଇଁ କେନ୍ଦ୍ରାପଡ଼ାରେ ଜିତିବା ଓ ହାରିବା ସମ୍ମାନର ପ୍ରଶ୍ନ ହୋଇଥିଲା । ବିଜେଡିରୁ ସେଠାରେ ଅନୁଭବ ମହାନ୍ତି ଲଢ଼ୁଥିଲେ ମଧ୍ୟ ବାସ୍ତବରେ ବିଜେପି ପ୍ରାର୍ଥୀ ବୈଜୟନ୍ତ ପଣ୍ଡାଙ୍କ ସହ ନବୀନ ଲଢ଼ୁଥିଲେ ବୋଲି କୁହାଯାଉଥିଲା । ଏହି ଆସନରେ କେନ୍ଦ୍ରାପଡ଼ାବାସୀ ନବୀନଙ୍କ ସମ୍ମାନକୁ ରକ୍ଷା କଲେ । ସ୍ୱପ୍ନ ବ୍ୟବଧାନରେ ନୁହେଁ ନବୀନଙ୍କ ପ୍ରାର୍ଥୀ ଅନୁଭବ ବିପୁଳ ଭୋଟରେ ଜିତିଲେ । ଦେଢ଼ ଲକ୍ଷରୁ ଊଦ୍ଧ୍ୱର୍ ଭୋଟ ବ୍ୟବଧାନରେ କେନ୍ଦ୍ରାପଡ଼ାବାସୀ ଜିତାଇଲେ । ଏପରି କି ଲୋକସଭା ନିର୍ବାଚନମଣ୍ଡଳିର ୭ ବିଧାନସଭା ଆସନ ମଧ୍ୟରୁ କେବଳ ପାଟକୁରାରେ ନିର୍ବାଚନ ହୋଇନାହିଁ । ଆଉ ୬ଟି ଯାଙ୍କ ବିଧାନସଭା ଆସନ ବିଜେଡି ଜିତିଛି । ଉଭୟ ଲୋକସଭା ଓ ବିଧାନସଭାରେ ନବୀନଙ୍କ ଟେକ ରହିଛି । ଯଦି ନବୀନଙ୍କ ପ୍ରତିନିଧି ଅନୁଭବ ଲୋକସଭାରେ ହାରିଯାଇଥାନ୍ତେ ଓ ବୈଜୟନ୍ତ ଜିତିଥାନ୍ତେ ତେବେ ନବୀନଙ୍କ ସମ୍ମାନ କଣ ହୋଇଥାନ୍ତା ତାହା ସହଜେ ଅନୁମେୟ । ଏହା ସତ୍ତେ୍ୱ ବି ନବୀନ ତାଙ୍କ ମନ୍ତ୍ରିମଣ୍ଡଳରେ କେନ୍ଦ୍ରାପଡ଼ା ଜିଲ୍ଲାରୁ ଜଣେ ହେଲେ କାହାକୁ ନେଲେ ନାହିଁ । ଏଠାରେ କୁହାଯାଉଛି ଯେଉଁ କେନ୍ଦ୍ରାପଡ଼ାବାସୀ ନବୀନଙ୍କ ଟେକ ରଖିଲେ ସେମାନଙ୍କ ସମ୍ମାନ ନବୀନ ରଖିଲେ ନାହିଁ । ଏହି ଘଟଣା ଏବେ କେନ୍ଦ୍ରାପଡ଼ା ଜିଲ୍ଲାରେ ଜୋର ଦାର ଆଲୋଚନା ହେଉଛି । ବହୁଯୋଗ୍ୟ ବିଧାୟକ ନିର୍ବାଚିତ ହୋଇଥିଲେ ବି ନବୀନ ତାଙ୍କୁ ଗ୍ରହଣ କରି ନାହାଁନ୍ତି । ଏହାକୁ ନେଇ ଜିଲ୍ଲାରେ ଅସନ୍ତୋଷ ଦେଖାଦେଇଥିବା କଥା କୁହାଯାଉଛି ।

Leave A Reply

Your email address will not be published.