OnaKhabar

କେନ୍ଦ୍ର ମନ୍ତ୍ରିମଣ୍ଡଳରେ ପଶ୍ଚିମ ଓଡ଼ିଶା ଶୂନ: ବିଜେଡିର ସମାଲୋଚନା

55

ଭୁବନେଶ୍ୱର (ଓଏନଏ) : କେନ୍ଦ୍ରମନ୍ତ୍ରିମଣ୍ଡଳରେ ପଶ୍ଚିମ ଓଡ଼ିଶାରୁ ଏଥର କାହାରିକୁ ସ୍ଥାନ ଦିଆଯାଇ ନ ଥିବାରୁ ତାକୁ ନେଇ ବିଜେଡି ଏବେ ପ୍ରଶ୍ନ ଉଠାଇଛି । ସୁଯୋଗ ପାଇ ବିଜେପିକୁ ମାଡ଼ ଦେବାକୁ ଆଗେଇ ଆସିଛି ବିଜେଡି । ବିଜେପି ଏଥର ଯେଉଁ ୮ଟି ଲୋକସଭା ଆସନ ହାସଲ କରିଛି ସେଥିରୁ ୫ଟି ହେଉଛି ପଶ୍ଚିମ ଓଡ଼ିଶାର । କିନ୍ତୁ ଜଣେ ହେଲେ କେହି ମୋଦିଙ୍କ ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇଲେ ନାହିଁ । ମାତ୍ର ନବୀନ ପଟ୍ଟନାୟକ ପଶ୍ଚିମ ଓଡ଼ିଶାରୁ ୬ ଜଣଙ୍କୁ କ୍ୟାବିନେଟ ମନ୍ତ୍ରି କରିଥିବାରୁ ତାକୁ ନେଇ ତୁଳନା କରାଯାଉଛି । ବିଜେପିକୁ ଏହି ସୁଯୋଗରେ ପଶ୍ଚିମ ଓଡ଼ିଶା ବିରୋଧୀ ବୋଲି ଦର୍ଶାଇବା ପାଇଁ ବିଜେଡି ଆଗେଇ ଆସିଛି । ପଶ୍ଚିମ ଓଡ଼ିଶାରେ ଏଥର ବିଜେଡି ଗୋଟିଏ ହେଲେ ଲୋକସଭା ଆସନ ପାଇନାହିଁ । ଫଳରେ ବିଜେପିକୁ ସମାଲୋଚନା କରିବା ପାଇଁ ବିଜେଡିକୁ ସୁଯୋଗ ମିଳିଯାଇଛି । ମନ୍ତ୍ରୀ ସୁଶାନ୍ତ ସିଂହ ଏ ନେଇ ସିଧାସଳଖ ବିଜେପିର କାର୍ଯ୍ୟଧାରାକୁ ଆକ୍ଷେପ କରିଛନ୍ତି ।
୨୦୧୪ ନିର୍ବାଚନରେ ବିଜେପି କେବଳ ପଶ୍ଚମ ଓଡ଼ିଶାରୁ ଗୋଟିଏ ଲୋକସଭା ଆସନ ଜିତିଥିଲା । ଏଥିରେ ଜୁଏଲ ଓରାମ ସୁନ୍ଦରଗଡ଼ରୁ ଜିତି ମୋଦିଙ୍କ ମନ୍ତ୍ରିମଣ୍ଡଳରେ କ୍ୟାବିନେଟ ମନ୍ତ୍ରୀ ହୋଇଥିଲେ । ହେଲେ ଏଥର ସେ ଜିତିଥିଲେ ବି ତାଙ୍କୁ ମୋଦି ନେଇ ନାହାଁନ୍ତି । ଏହାଛଡ଼ା ବରଗଡ଼, ସମ୍ବଲପୁର, କଳାହାଣ୍ଡି, ବଲାଙ୍ଗୀର ଲୋକସଭା ଆସନ ବିଜେପି ହାତକୁ ଯାଇଛି । ପ୍ରାୟ ପଶ୍ଚିମ ଓଡ଼ିଶାରୁ ଲୋକସଭାକୁ ବିଜେପିର ପ୍ରତିନିଧିତ୍ୱ ସବୁଠୁ ଅଧିକା ରହିଛି । ଅନ୍ୟ ଅଂଚଳରୁ ୩ଟି ବିଜେପି ପାଇଛି । ଉପକୂଳ ଭାବେ ଭୁବନେଶ୍ୱର, ବାଲେଶ୍ୱର ସହ ମୟୂରଭଞ୍ଜ ଲୋକସଭା ଆସନ ପାଇଛି । ବାଲେଶ୍ୱର ବିଜେପି ସାଂସଦ ପ୍ରତାପ ଷଡ଼ଙ୍ଗୀଙ୍କୁ ରାଷ୍ଟ୍ରମନ୍ତ୍ରୀ ଭାବେ ନିଆଯାଇଛି ।
ଏହି ଘଟଣାକୁ ନେଇ ବିଜେଡିର ପଶ୍ଚିମ ଓଡ଼ିଶା ନେତା ତଥା ମନ୍ତ୍ରୀ ସୁଶାନ୍ତ ସିଂହ ବିଜେପିକୁ ସମାଲୋଚନା କରି କଡ଼ା ପ୍ରତିକ୍ରୀୟା ପ୍ରକାଶ କରିଛନ୍ତି । ସେ କହିଛନ୍ତି ଓଡ଼ିଶାରୁ କେନ୍ଦ୍ରରେ ଦୁଇଜଣମନ୍ତ୍ରୀ ହେବା କଥାକୁ ଆମେ ସ୍ୱାଗତ କରୁଛୁ । କିନ୍ତୁ ବିଜେପି ପଶ୍ଚିମ ଓଡ଼ିଶାକୁ ଗୁରୁତ୍ୱ ଦେଇନାହିଁ । ପଶ୍ଚିମ ଓଡ଼ିଶାର ଭୋଟରମାନେ ଓଡ଼ିଶାରେ ନବୀନ ପଟ୍ଟନାୟଙ୍କୁ ମୁଖ୍ୟମନ୍ତ୍ରୀ କରିବା ପାଇଁ ଭୋଟ ଦେଇଥିଲା ବେଳେ କେନ୍ଦ୍ରରେ ନରେନ୍ଦ୍ର ମୋଦିଙ୍କୁ ପ୍ରଧାନମନ୍ତ୍ରୀ ହେବା ପାଇଁ ଭୋଟ ଦେଇଛନ୍ତି । ପଶ୍ଚିମ ଓଡ଼ିଶାରେ ୨୦ଜଣ ବିଧାନସଭାକୁ ଜିତିଛନ୍ତି । ଏହି ୨୦ ଜଣଙ୍କ ଭିତରୁ ୬ ଜଣଙ୍କୁ ନବୀନ ପଟ୍ଟନାୟକ ତାଙ୍କ ମନ୍ତ୍ରିମଣ୍ଡଳରେ ନେଇଛନ୍ତି । ନବୀନ ତାଙ୍କ ମନ୍ତ୍ରିମଣ୍ଡଳରେ ସମଗ୍ର ଓଡ଼ିଶାରୁ ୧୧ ଜଣଙ୍କୁ କ୍ୟାବିନେଟରେ ନେଇଥିଲାବେଳେ ୫ ଜଣ ହେଉଛନ୍ତି ପଶ୍ଚିମ ଓଡ଼ିଶାର । ଏହାଛଡ଼ା ଜଣେ ରାଷ୍ଟ୍ରମନ୍ତ୍ରୀ (ସ୍ୱାଧୀନ) ଭାବେ ମଧ୍ୟ କାର୍ଯ୍ୟ କରୁଛନ୍ତି । କିନ୍ତୁ ବିଜେପିର ୫ ଜଣ ସାଂସଦ ନିର୍ବାଚିତ ହୋଇଥିଲା ବେଳେ ମୋଦି ଜଣଙ୍କୁ ହେଲେ ତାଙ୍କ ମନ୍ତ୍ରିମଣ୍ଡଳରେ ନେଇ ନାହାଁନ୍ତି । ସେମାନେ ସବୁବେଳେ ପଶ୍ଚିମ ଓଡ଼ିଶା କଥା କୁହଁନ୍ତି, ହେଲେ ତାଙ୍କର ପଶ୍ଚିମ ଓଡ଼ିଶା ପ୍ରତି କୌଣସି ଫୋକସ ନାହିଁ । ଉପକୂଳରୁ ଜଣେ ଓ ପଶ୍ଚିମ ଓଡ଼ିଶାରୁ ଜଣଙ୍କୁ ଦେଇଥିଲେ ଭଲ ହୋଇଥାନ୍ତା ବୋଲି ଶ୍ରୀ ସିଂହ କହିଛନ୍ତି ।
ନବକିଶୋର ଦାସ, ସୁଶାନ୍ତ ସିଂହ, ନିରଂଜନ ପୁଜାରୀ, ଟୁକୁନି ସାହୁ, ପଦ୍ମନାଭ ବେହେରା ଏବଂ ରାଷ୍ଟ୍ରମନ୍ତ୍ରୀ ଭାବେ ଦିବ୍ୟଶଙ୍କର ମିଶ୍ରଙ୍କୁ ନବୀନ ତାଙ୍କ ମନ୍ତ୍ରିମଣ୍ଡଳରେ ନେଇଛନ୍ତି । ଲୋକସଭାକୁ ବିଜେପିରୁ ସଙ୍ଗୀତା ସିଂହଦେଓ, ବସନ୍ତ ପଣ୍ଡା, ସୁରେସ ପୁଜାରୀ, ନିତିଶ ଗଙ୍ଗଦେବ, ଜୁଏଲ ଓରାମ ନିର୍ବାଚିତ ହୋଇଛନ୍ତି ।