OnaKhabar

କାଳିଆ ଯୋଜନା ପାଇଁ ପୁଣି ଅର୍ଥ ଘୋଷଣା କଲେ ନବୀନ, ଏସଏଚଜିଙ୍କୁ ମିଳିବ ହଜାର କୋଟି

45

ଭୁବନେଶ୍ୱର: ନିର୍ବାଚନ ସମୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କାଳିଆ ଯୋଜନା ନେଇ ଲୋକଙ୍କୁ ଯେଉଁ ପ୍ରତିଶୃତି ଦେଇଥିଲେ ତାହା ଆଜି ମନ୍ତ୍ରୀମଣ୍ଡଳର ପ୍ରଥମ ବୈଠକରେ କାର୍ଯ୍ୟକାରୀ କରିଛନ୍ତି । ଆଉ ୩୩ ଲକ୍ଷ ପରିବାରକୁ ଏହି କାଳିଆ ଯୋଜନାରେ ଅନ୍ତର୍ଭୁକ୍ତ କରାଯାଇଛି । ଅର୍ଥ ପ୍ରଦାନ କାର୍ଯ୍ୟ ଆଜି ଠାରୁ ଆରମ୍ଭ ହୋଇ ଏକ ସପ୍ତାହ ମଧ୍ୟରେ ଆଉ ପଚିଶି ଲକ୍ଷ ପରିବାରକୁ ପ୍ରଦାନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି ।
ଚାଷୀମାନଙ୍କୁ ସହାୟତା ପ୍ରଦାନ ପାଇଁ କାଳିଆ ଯୋଜନା ଆରମ୍ଭ କରାଯାଇଛି । ନିର୍ବାଚନ ପାଇଁ ଏହି ଯୋଜନାର କିଛି ହିତାଧିକାରୀ ଅର୍ଥ ପାଇବାରୁ ବଞ୍ଚିତ ହୋଇଥିଲେ । ନିର୍ବାଚନ ଆଚରଣ ବିଦ୍ଧି ଯୋଗୁଁ ଅର୍ଥ ପ୍ରଦାନ କରାଯାଇନଥିଲା । ଏହି ଯୋଜନା ବନ୍ଦ ହୋଇଯିବ ବୋଲି ପ୍ରଚାର କରାଗଲା । କିନ୍ତୁ ନବୀନ ନିର୍ବାଚନ ପ୍ରଚାର ସମୟରେ ନବୀନ ବୁଲିବୁଲି ସବୁଠି ଲୋକଙ୍କୁ ପ୍ରତିଶୃତି ଦେଇଥିଲେ ଯେ, ସରକରା ଗଠନ ହୋଇ ଯେଉଁ ଦିନ ସେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ସେହି ଦିନ ପ୍ରଥମ ମନ୍ତ୍ରୀମଣ୍ଡଳ ବୈଠକରେ “କାଳିଆ ଯୋଜନା”ରେ ବାଦ ପଡିଥିବା ହିତାଧିକାରୀ ପରିବାରକୁ ଅର୍ଥ ଦେବେ । ନବୀନ ଏହି ପ୍ରତିଶୃତି ରକ୍ଷା କରିଛନ୍ତି । ଆଜି ସେ ଶପଥ ନେବା ପରେ ସନ୍ଧ୍ୟାରେ ମନ୍ତ୍ରୀ ବୈଠକ ବସିଥିଲା । ବୈଠକ ପରେ ନବୀନ ଘୋଷଣା କରିଥିଲେ ଯେ, କାଳିଆ ଯୋଜନାରେ ବାକି ଥିବା ପରିବାରକୁ ଆଜି ଠାରୁ ଅର୍ଥ ପ୍ରଦାନ ଆରମ୍ଭ ହେବ । ଆଉ ୩୩ ଲକ୍ଷ ପରିବାରକଙ୍କୁ ଏହି ଯୋଜନାରେ ସାମିଲ କରାଯାଇଛି । ପୂର୍ବରୁ ୪୨ ଲକ୍ଷ କୃଷକ ପରିବାରଙ୍କୁ ସାମିଲ କରାଯାଇସାରିଛି । ଅର୍ଥାତ କାଳିଆ ଯୋଜନାରେ ୭୫ ଲକ୍ଷ ପରିବାର ସାମିଲ ହୋଇଛନ୍ତି ।
ଏହା ଛଡା ନବୀନ କହିଛନ୍ତି ମହିଳା ସଶକ୍ତିକରଣ ପାଇଁ କ୍ୟାବିନେଟର ପ୍ରଥମ ବୈଠକରେ ଏକ ହଜାର କୋଟି ଟଙ୍କା ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ମିଶନ ଶକ୍ତି ମାଧ୍ୟମରେ ବ୍ୟବସାୟ ପାଇଁ ଯୋଗାଇ ଦିଆଯିବ । ଏଥିରେ ସେମାନେ ୪୦ ପ୍ରକାରର ବ୍ୟବସାୟ କରିପାରିବେ । ଧାନ କିଣା, ସ୍କୁଲ ପିଲାଙ୍କ ୟୁନିଫର୍ମ କିଣା, ଡାକ୍ତରଖାନାରେ ରୋଗୀ ଖାଦ୍ୟ ଓ ମଶାରୀ ଯୋଗାଣ ଏବଂ ମଧ୍ୟାହ୍ନ ଭୋଜନ ପ୍ରଭୃତି ଏସଏଚଜି ଯୋଗାଇ ଦେବ ।
ନିର୍ବାଚନ ସମୟରେ କାଳିଆ ଯୋଜନା ଓ ସ୍ୱୟଂ ସହାୟକ ଗୋଷ୍ଠୀ ସମ୍ପର୍କରେ ସେ ଘୋଷଣା କରିଥିଲେ । ଯେଉଁ ଦିନ ଅଫିସ କାର୍ଯ୍ୟ ଆରମ୍ଭ କରିବେ ସେହିଦିନ ଏହି ପ୍ରତିଶୃତି ଆରମ୍ଭ କରିବେ ବୋଲି ନବୀନ କହିଥିଲେ ।

https://www.onakhabar.com/2019/04/today-naveen-complained-before-ceo-for-kalia-sceme/