OnaKhabar

ପୁଅକୁ ନେଇ ବିବାଦ: ହାତ ଟେକି ଦେଲେ ନିରଞ୍ଜନ

0 22

ନୂଆଦିଲ୍ଲୀ : କଂଗ୍ରେସ ଉଭୟ ଜାତୀୟ ଓ ରାଜ୍ୟ ସ୍ତରରେ ଭୋଟ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି । ଉଭୟ କେନ୍ଦ୍ର ଓ ରାଜ୍ୟରେ ବିରୋଧୀ ଦଳର ମାନ୍ୟତା ପାଇବାକୁ ମଧ୍ୟ ହରାଇଛି । ଦଳର ଏଭଳି ଶୋଚନୀୟ ପରସ୍ଥିତିକୁ ନେଇ ଏଆଇସିସିର ଅଧ୍ୟକ୍ଷ ରାହୁଲ ଗାନ୍ଧି ଏନେଇ ଦଳୀୟ ନେତାଙ୍କ ପୁତ୍ର ମୋହ ଘଟଣାକୁ ଦାୟୀ କରିଛନ୍ତି । ଦଳୀୟ ନେତାମାନେ ପୁଅ ପାଇଁ ଲାଗି ପଡିବା ଘଟଣାକୁ ଦର୍ଶାଇ କ୍ଷୁବ୍ଧ ହୋଇଛନ୍ତି । ଓଡିଶାରେ ମଧ୍ୟ ଏହି ପୁତ୍ର ମୋହ ରାଜନୀତି ଦେଖା ଦେଇଥିଲା । ଏହାକୁ ନେଇ ଦଳର କିଛି ବରିଷ୍ଠ ନେତା ସିଧା ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କୁ ଦାୟୀ କରିଛନ୍ତି । ସମାଲୋଚନା ହେବା ପରେ ପିସିସି ସଭାପତି ଶ୍ରୀ ପଟ୍ଟନାୟକ ପୂରା ହାତ ଟେକି ଦେଇଛନ୍ତି । ଏଥିରେ ତାଙ୍କର କୌଣସି ଭୂମିକା ନାହିଁ କହି ଜିଲ୍ଲା କମିଟି ଓ ଏଆଇସିସି ଉପରକୁ ଦୋଷ ଠେଲି ଦେଇଛନ୍ତି ।
ବରିଷ୍ଠ ନେତା କାହ୍ନୁଚରଣ ଲେଙ୍କା ରବିବାର ଏହି ପାରିବାରିକ ରାଜନୀତିକୁ ନେଇ ନିରଞ୍ଜନଙ୍କ ଉପରେ ବର୍ଷିଥିଲେ । ନିରଞ୍ଜନ କଂଗ୍ରେସକୁ ଓଡିଶାରେ ବାପ-ପୁଅ ଦଳରେ ପରିଣତ କରିଦେଇଥିବା ନେଇ ଶ୍ରୀ ଲେଙ୍କା ଅଭିଯୋଗ କରିଛନ୍ତି । ଏହି ପାରିବାରିକ ରାଜନୀତିକୁ ନେଇ ରାହୁଲଙ୍କ କ୍ଷୁବ୍ଧ ହେବା ପରେ ଏହାକୁ ନେଇ ଟିକେଟ ପାଇବାରୁ ବଞ୍ଚିତ ହୋଇଥିବା ନେତାମାନେ ଦଳୀୟ ନେତାଙ୍କୁ ଟାର୍ଗେଟ କରିବା ଆରମ୍ଭ କରି ଦେଇଛନ୍ତି । ଅନ୍ୟପଟେ ପାରିବାରିକ ରାଜନୀତିକୁ ଗ୍ରହଣ କରିଥିବା ନେତାମାନଙ୍କ ମନରେ ବି ଛନକା ପଶିଥିବା କୁହାଯାଉଛି ।
ଏଥର ନିର୍ବାଚନରେ ପିସିସି ସଭାପତି ନିରଞ୍ଜନଙ୍କ ପରିବାର ସର୍ବାଧିକ ତିନୋଟି ଟିକେଟ ନେଇଥିଲେ । ନିରଞ୍ଜନ ନିଜେ ଦୁଇଟି ବିଧାନସଭା ଆସନରେ ଲଢିଥିବା ବେଳେ ପୁଅକୁ ଲୋକସଭା ଆସନରେ ଲଢାଇଥିଲେ । ଏବେ ପ୍ରଶ୍ନ ଉଠିଲା ପରେ ନିରଞ୍ଜନ ପ୍ରତିକ୍ରିୟା ରଖି ତାଙ୍କର କୌଣସି ଦୋଷ ନାହିଁ ବୋଲି ସଫେଇ ଦେଇଛନ୍ତି ।
ସେ କହିଛନ୍ତି, ଜିଲ୍ଲା କଂଗ୍ରେସର ମତାମତ ଏବଂ ଏଆଇସିସିର ନିଷ୍ପତ୍ତି କ୍ରମେ ସେ ପ୍ରାର୍ଥୀ ହୋଇଥିଲା । କେବଳ ମୋ ମତ ଅନୁସାରେ ମୋ ପୁଅ ପ୍ରାର୍ଥୀ ହୋଇ ନାହିଁ । ମୋ ପୁଅ ନିର୍ବାଚନରେ ଛିଡା ହୋଇଥିଲା । ମାତ୍ର ଦିନେ ବି ସେଠାକୁ ପ୍ରଚାର କରିବାକୁ ଯାଇ ନାହିଁ । ଅନ୍ୟମାନଙ୍କ କ୍ଷେତ୍ରରେ କଣ ହେଉଛି ମୋତେ ଜଣା ନାହିଁ । ଚିନ୍ତାମ୍ବରମ୍, କମଲନାଥ, ଗେହଲଟ ବୋଧେ ପୁତ୍ରଙ୍କ ପ୍ରତି ଅଧିକ ଧ୍ୟାନ ଦେଇଥିଲେ ।
କେବଳ ନିରଞ୍ଜନ ନୁହଁନ୍ତି ବିରୋଧୀ ଦଳ ନେତା ନରସିଂହ ମିଶ୍ର ବିଧାନସଭା ପାଇଁ ପ୍ରାର୍ଥୀ ହୋଇଥିଲା ବେଳେ ତାଙ୍କ ପୁଅକୁ ଲୋକସଭା ପ୍ରାର୍ଥୀ କରାଇଥିଲେ । ସେହିପରି ବରିଷ୍ଠ ନେତା ଅନନ୍ତ ପ୍ରସାଦ ସେଠୀ ବିଧାନସଭା ପାଇଁ ପ୍ରାର୍ଥୀ ହୋଇଥିଲା ବେଳେ ତାଙ୍କ ଝିଅକୁ ଲୋକସଭା ପାଇଁ ପ୍ରାର୍ଥୀ କରିଥିଲେ । ଅନ୍ୟତମ ବରିଷ୍ଠ ନେତା ଭକ୍ତଚରଣ ଦାସ ଲୋକସଭା ପାଇଁ ପ୍ରାର୍ଥୀ ହୋଇଥିଲା ବେଳେ ତାଙ୍କ ପୁଅ ବିଧାନସଭା ପାଇଁ ପ୍ରାର୍ଥୀ କରିଥିଲେ । ଜର୍ଜ ତିର୍କୀ ଲୋକସଭା ପାଇଁ ପ୍ରାର୍ଥୀ ହୋଇଥିଲା ବେଳେ ତାଙ୍କ ପୁଅ ବିଧାନସଭା ପାଇଁ ପ୍ରାର୍ଥୀ କରିଥିଲେ । ପୂର୍ବତନ ମନ୍ତ୍ରୀ ହେମାନନ୍ଦ ବିଶ୍ୱାଳ ନିଜେ ନିର୍ବାଚନରେ ନ ଲଢି ଗୋଟିଏ ଝିଅକୁ ବିଜେଡିରୁ ଲୋକସଭାକୁ ଓ ଆଉ ଜଣେ ଝିଅକୁ କଂଗ୍ରେସ ବିଧାନସଭା ପ୍ରାର୍ଥୀ କରାଇଥିଲେ ।
କେବଳ ନରସିଂହ ମିଶ୍ର ଏକାକୀ ବିଧାନସଭାକୁ ଜିତିଥିବା ବେଳେ ଆଉ ସମସ୍ତ ନେତା ଓ ତାଙ୍କ ପିଲାମାନେ ଫେଲ ମାରିଛନ୍ତି ।
ଏହି ପରିବାର କଥା ଓଡିଶାରେ କେବଳ ହୋଇଛି ତାହା ନୁହେଁ ଅନ୍ୟ ରାଜ୍ୟରେ ବି ହୋଇଛି । ରାଜସ୍ଥାନରେ କଂଗ୍ରେସର ସରକାର ଥିଲେ ବି ଏଥର ଦଳ ଗୋଟିଏ ହେଲେ ଲୋକସଭା ଆସନ ପାଇଲା ନାହିଁ । ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍ ତାଙ୍କ ପୁଅକୁ ପ୍ରାର୍ଥୀ କରିଥିବାରୁ ସେ ସେଥିପାଇଁ ବ୍ୟସ୍ତ ରହି ଦଳକୁ ଅବହେଳା କଲେ ବୋଲି ଅଭିଯୋଗ ହେଉଛି । ସେହିପରି ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ କମଲନାଥ ମଧ୍ୟ ତାଙ୍କ ପୁଅ ପାଇଁ ଲାଗିବାରୁ ସେଠାରେ ବି ଦଳ ଫେଲ ମାରିଲା ବୋଲି କୁହାଯାଉଛି । ପି.ଚିନ୍ତାମ୍ବରମ ମଧ୍ୟ ତାଙ୍କ ପୁଅ ପାଇଁ ବ୍ୟସ୍ତ ରହିଲେ । ଏହି ଘଟଣାକୁ ନେଇ ରାହୁଲ ଆସନ୍ତୋଷ ବ୍ୟକ୍ତ କରିସାରିଛନ୍ତି । ରାଜସ୍ଥାନ ଓ ମଧ୍ୟପ୍ରେଦେଶରେ ନିଜ ସରକାର ଥିଲେ ବି କଂଗ୍ରେସର ବିଫଳତା ରାହୁଲଙ୍କୁ ଅଧିକ ବେଥିତ କରିଛି । ଏଣୁ ଅଶୋକ ଗେହଲଟଙ୍କୁ ରାହୁଲ ଆଲୋଚନା ପାଇଁ ଡାକିଥିବା କୁହାଯାଉଛି ।

https://www.onakhabar.com/2019/05/congress-review-meeting-on-30-may-2019/

Leave A Reply

Your email address will not be published.