OnaKhabar

କେନ୍ଦ୍ର ମନ୍ତ୍ରିମଣ୍ଡଳରେ କିଏ ହେବେ ସାମିଲ, ଅପରାଜିତା ନା ସଙ୍ଗୀତା?

0 35

ଭୁବନେଶ୍ୱର (ଓଏନଏ) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କର ଦ୍ୱିତୀୟ ଇନିଂସ ଆସନ୍ତା ୩୦ ତାରିଖରୁ ଆରମ୍ଭ କରିବାକୁ ଯାଉଛନ୍ତି । ଏହି ଦ୍ୱିତୀୟ ଇନିଂସରେ ସେ ତାଙ୍କର ପୁରୁଣା ଓ ନୂଆ ସହଯୋଗୀଙ୍କୁ ନେଇ ଆଗକୁ ବଢ଼ିବାର କାର୍ଯ୍ୟକ୍ରମ ରହିଥିବା କଥା କୁହାଯାଉଛି । ମୋଦିଙ୍କ ଟିମରୁ ଏଥର ଓଡ଼ିଶାରୁ ନୂଆ ତାଲିକାରେ କିଏ ରହୁଛନ୍ତି ତାକୁ ନେଇ ଏବେ ରାଜନୈତିକ ଚର୍ଚ୍ଚା ଲାଗି ରହିଛି । ଓଡ଼ିଶାରୁ ଆଉ କିଏ କେନ୍ଦ୍ରମନ୍ତ୍ରିମଣ୍ଡଳରେ ସ୍ଥାନ ପାଇବ ତାହା ଉପରେ ରହିଛି ନଜର ।
୨୦୧୪ ନିର୍ବାଚନରେ ବିଜେପି ମାତ୍ର ଗୋଟିଏ ଲୋକସଭା ଆସନ ଜିତିଥିଲା । ଜୁଏଲ ଓରାମ ଏକାକି ଜିତିଥିଲେ ବି ମୋଦି ତାଙ୍କୁ ତାଙ୍କ ମନ୍ତ୍ରିମଣ୍ଡଳରେ ସାମିଲ କରି କ୍ୟାବିନେଟ ପାହ୍ୟା ଦେଇଥିଲେ । ଧର୍ମେନ୍ଦ୍ର ପ୍ରଧାନ ଓଡ଼ିଶାରୁ ନିର୍ବାଚିତ ହୋଇ ନ ଥିଲେ ମଧ୍ୟ ବାହାର ରାଜ୍ୟରୁ ରାଜ୍ୟସଭାକୁ ନିର୍ବାଚିତ ହୋଇ ଯାଇଥିଲେ । ହେଲେ ମୋଦି ତାଙ୍କୁ ବି ମନ୍ତ୍ରିମଣ୍ଡଳରେ ସ୍ଥାନ ଦେଇଥିଲେ । ପ୍ରଥମେ ରାଜ୍ୟ ମନ୍ତ୍ରୀ ଓ ପରେ କ୍ୟାବିନେଟ ମନ୍ତ୍ରୀ କରିଥିଲେ । ଧର୍ମେନ୍ଦ୍ରଙ୍କୁ ମୋଦି ତାଙ୍କ ମନ୍ତ୍ରିମଣ୍ଡଳରେ ଗୁରୁତ୍ୱପୂର୍ଣ୍ଣ ବିଭାଗ ପେଟ୍ରୋଲିୟମ ଓ ନାଚୁରାଲ ଗ୍ୟାସ ମନ୍ତ୍ରଣାଳୟର ଦାୟିତ୍ୱ ଦେଇଥିଲେ । ଜୁଏଲଙ୍କୁ ଆଦିବାସୀ ମନ୍ତ୍ରଣାଳୟର ଦାୟିତ୍ୱରେ ରଖିଥିଲେ । ଧର୍ମେନ୍ଦ୍ର ଏଥର ଓଡ଼ିଶାରୁ ନିର୍ବାଚନ ଲଢ଼ି ନ ଥିଲେ । କିନ୍ତୁ ଏବେ ବି ସେ ଅନ୍ୟ ରାଜ୍ୟରୁ ରାଜ୍ୟସଭା ସଦସ୍ୟ ଅଛନ୍ତି । ଏଣୁ ମୋଦିଙ୍କ ମନ୍ତ୍ରିମଣ୍ଡଳରେ ଧର୍ମେନ୍ଦ୍ର ପୁଣି ଏଥର ଏକାଥରେ କ୍ୟାବିନେଟ ପାହ୍ୟା ପାଇବାକୁ ଯାଉଥିବା ଏକ ପ୍ରକାର ନିଶ୍ଚିନ୍ତ ବୋଲି କୁହାଯାଉଛି । ହେଲେ ତାଙ୍କ ଅଧିନରେ ଥିବା ପେଟ୍ରୋଲିୟମ ମନ୍ତ୍ରଣାଳୟ ପୁଣି ବଜାୟ ରହିବ କି ନାହିଁ କି ଅନ୍ୟ କୌଣସି ନୂଆ ଦାୟିତ୍ୱରେ ମୋଦି ତାଙ୍କୁ ରଖୁଛନ୍ତି ତାହା ପରେ ଜଣାପଡ଼ିବ । ଜୁଏଲ ମଧ୍ୟ ପୁଣି ମନ୍ତ୍ରିମଣ୍ଡଳରେ ସାମିଲ ହେବେ ବୋଲି ଏକ ପ୍ରକାର ନିଶ୍ଚିନ୍ତ ହୋଇଥିବା କଥା ବିଜେପି ନେତାମାନେ କହୁଛନ୍ତି । ଜୁଏଲଙ୍କୁ ଛାଡ଼ିଦେଲେ ଅନ୍ୟ ଯେଉଁ ୭ ଜଣ ଲୋକସଭାକୁ ନିର୍ବାଚିତ ହୋଇଛନ୍ତି । ସଙ୍ଗୀତା ସିଂହଦେଓଙ୍କୁ ଛାଡ଼ିଦେଲେ ଅନ୍ୟ ସମସ୍ତେ ପ୍ରଥମ ଥର ପାଇଁ ସାଂସଦ ହୋଇଛନ୍ତି । ଏ କ୍ଷେତ୍ରରେ ଓଡ଼ିଶାରୁ ଆଉ କେତେଜଣଙ୍କୁ ମୋଦି ତାଙ୍କ ସହଯୋଗୀ ଭାବେ ମନ୍ତ୍ରିମଣ୍ଡଳରେ ନେବେ ତାହା ଦେଖିବା କଥା । ଓଡ଼ିଶାରୁ ଯେତେବେଳେ ଜୁଏଲ ଏକମାତ୍ର ସାଂସଦ ଥିଲେ ତାଙ୍କୁ ନେଇଥିଲା ବେଳେ ଏବେ ଓଡ଼ିଶାରୁ ସମୁଦାୟ ୮ ଜଣ ସାଂସଦ ନିର୍ବାଚିତ ହୋଇଥିବାରୁ ଭାଗ ବଢ଼ିବାର ସମ୍ଭାବନା ରହିଥିବା କଥା ଆଲୋଚନା ହେଉଛି । ଯଦି ମୋଦି ଓଡ଼ିଶାକୁ ଆଉ ଗୋଟିଏ ଅଧିକ ମନ୍ତ୍ରିପଦ ଦିଅନ୍ତି ତେବେ ତାହା କାହା ଭାଗରେ ପଡ଼ିବ ତାହା ହେଉଛି ବଡ଼ ପ୍ରଶ୍ନ । ଜୁଏଲଙ୍କ ପରେ ସାଂସଦ ଭାବରେ ସଙ୍ଗୀତ ହେଉଛନ୍ତି ବରିଷ୍ଠ । କିନ୍ତୁ ପ୍ରଥମ ଥର ହୋଇଥିଲେ ବି ଅପରାଜିତା ଷଡ଼ଙ୍ଗୀଙ୍କ ନାଁ ଅଧିକା ଚର୍ଚ୍ଚା ହେଉଛି । ୧୧ବର୍ଷ ଆଇଏଏସ ଚାକିରି ଛାଡ଼ି ଅପରାଜିତା ବିଜେପିରେ ଯୋଗଦେଇ ବଡ଼ ଚ୍ୟାଲେଞ୍ଜ ଗ୍ରହଣ କରିଥିବାରୁ ହୁଏତ ତାଙ୍କ କଥାକୁ ଅଧିକ ଗୁରୁତ୍ୱ ମୋଦି ଦେଇପାରନ୍ତି ବୋଲି କେହି କେହି ମତ ଦେଉଛନ୍ତି । କିନ୍ତୁ ସଙ୍ଗୀତାଙ୍କୁ ବାଦ ଦେଇ ଅପରାଜିତାଙ୍କୁ ମନ୍ତ୍ରିମଣ୍ଡଳରେ ନେଲେ ଗୋଳମାଳିଆ ପରିସ୍ଥିତି ଉପୁଜିପାରେ ବୋଲି କୁହାଯାଉଛି । ସଙ୍ଗୀତା ଏହାକୁ ସହଜରେ ଗ୍ରହଣ କରି ନ ପାରନ୍ତି । ତାଙ୍କ ସ୍ୱଭାବ ଯାହା ସେଥିରେ ସେ ବିଷୋଦଗାର କରିବାର ସମ୍ଭାବନା ଅଛି । ରାଜ୍ୟସଭାପତି ବସନ୍ତ ପଣ୍ଡା ଥିବାରୁ ତାଙ୍କର ବି ପ୍ରଭାବ ରହିପାରେ ବୋଲି କୁହାଯାଉଛି । ମୋଦି ଯଦି ଓଡ଼ିଶାରୁ ଅଧିକ ପ୍ରତିନିଧିତ୍ୱ ଦେବାକୁ ଚାହାଁନ୍ତି ସେ କ୍ଷେତ୍ରରେ ବସନ୍ତଙ୍କ ପାଳି ପଡ଼ିପାରେ ବୋଲି କୁହାଯାଉଛି । ପ୍ରତାପ ଷଡ଼ଙ୍ଗୀ ହେଉଛନ୍ତି ସଂଘ ପରିବାରର ବ୍ୟକ୍ତି । ସଂଘ ପରିବାରର ଗୁରୁତ୍ୱପୂର୍ଣ୍ଣ ଭୂମିକା ସରକାରରେ ରହିଥାଏ । ଏଣୁ ପ୍ରତାପଙ୍କ ପାଇଁ ଆରଏସଏସ ଲବି ଆସିପାରେ ବୋଲି କେହି କେହି ମତ ଦେଉଛନ୍ତି । କିନ୍ତୁ ବେଶୀ ଆଲୋଚନା ହେଉଛି ଜୁଏଲ ଓ ଧର୍ମେନ୍ଦ୍ରଙ୍କ ବାଦ ମୋଦି ଯଦି ଆଉ ଜଣଙ୍କୁ ନିଅନ୍ତି ତେବେ ସେ କ୍ଷେତ୍ରରେ ଅପରାଜିତା କି ସଙ୍ଗୀତାଙ୍କ ଭିତରକୁ ଯିଏ ହେଲେ ଜଣେ ଯାଇପାରନ୍ତି । କୁହାଯାଉଛି ସଙ୍ଗୀତାଙ୍କ ପାଇଁ ଅପରାଜିତା କଣ୍ଟା ଓ ଅପରାଜିତାଙ୍କ ପାଇଁ ସଙ୍ଗୀତା କଣ୍ଟା । କେନ୍ଦ୍ର ସରକାରର ମୋଦିଙ୍କ ପ୍ରଭାବ ଯେତେ ରହିଛି ସେଥିରେ ଅନ୍ୟ କେହି ବିଦ୍ରୋହ କରିବାର ସମ୍ଭାବନା କମ ବୋଲି କିଛି ଦଳୀୟ ନେତା କହୁଛନ୍ତି । ଏହାଛଡ଼ା ନୀତିଶ ଗଙ୍ଗଦେବ, ସୁରେଶ ପୁଜାରୀ ଓ ବିଶେଶ୍ୱର ଡୁଡୁ ମଧ୍ୟ ପ୍ରଥମ ଥର ପାଇଁ ସଂସଦକୁ ନିର୍ବାଚିତ ହୋଇଛନ୍ତି ।

Leave A Reply

Your email address will not be published.