OnaKhabar

ସୁରଟ ଅଗ୍ନିକାଣ୍ଡ ଘଟଣା: ମୃତ୍ୟୁ ସଂଖ୍ୟା ୨୨ ଛୁଇଁଲା

83

ସୁରଟ : ଗୁଜୁରାଟର ତକ୍ଷଶୀଳା କୋଠାରେ ଚାଲିଥିବା କୋଚିଂ ସେଣ୍ଟରରେ ଶୁକ୍ରବାର ହୋଇଥିବା ଅଗ୍ନିକାଣ୍ଡ ଘଟଣାରେ ମୃତ୍ୟୁ ସଂଖ୍ୟା ୨୨ ଛୁଇଁଲା । ପୂର୍ବରୁ ୨୦ ଜଣ ଛାତ୍ରଛାତ୍ରୀଙ୍କ ମୃତ୍ୟୁ ଘଟିଥିବା ବେଳେ ଚିକିତ୍ସାଧୀନ ଅବସ୍ଥାରେ ଶନିବାର ସନ୍ଧ୍ୟାରେ ପୁଣି ୨ ଜଣ ଛାତ୍ରଙ୍କର ମୃତ୍ୟୁ ଘଟିଛି । ଏହି ଘଟଣା ପରେ ସୁରଟ ପୋଲିସ ସହରରେ ଥିବା ସମସ୍ତ କୋଚିଂ ସେଣ୍ଟରକୁ ବନ୍ଦ କରିବା ପାଇ ନିର୍ଦ୍ଦେଶ ଦେଇଛନ୍ତି । ସୁରକ୍ଷା ସଂପର୍କୀତ ପ୍ରମାଣପତ୍ର ମିଳିବା ପରେ କୋଚିଂ ସେଣ୍ଟର ପୂର୍ବଭଳି ପରିଚାଳନା କରିବାକୁ ଅନୁମତି ମିଳିବ ।
କୋଚିଂ ବ୍ୟତୀତ ଅନ୍ୟ ସମସ୍ତ ପ୍ରକାରର ଟ୍ୟୁସନ କ୍ଲାସ ଗୁଡ଼ିକ ମଧ୍ୟ ବନ୍ଦ କରି ଦିଆଯାଇଛି । ଯେଉଁସ୍ଥାନରେ ଅଗ୍ନି ନିରୋଧକ ବ୍ୟବସ୍ଥା ରହିଛି, ସେଠାରେ କ୍ଲାସ ହୋଇପାରିବ ବୋଲି ସୁରଟ ପୋଲିସ କମିଶନର ସତୀଶ ଶର୍ମା କହିଛନ୍ତି ।
ଜାତୀୟ ମାନବାଧିକାର କମିଶନ (ଏନଏଚଆରସି) ଏସଂକ୍ରାନ୍ତରେ ଗୁଜୁରାଟ ସରକାରଙ୍କୁ ଏକ ନୋଟିସ ଜାରି କରିଛି । ଏଥି ସହିତ ପୋଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି । ପୋଲିସ ବିଲ୍ଡର୍ ହରସାଲ୍ ଭେକାରିଆ ଓ ଜିଗ୍ନେଶ ଏବଂ କୋଚିଂ ସେଣ୍ଟର ମାଲିକ ଭାର୍ଗବ ଭୁଟାନୀଙ୍କୁ ଗିରଫ କରିଛି । ସେପଟେ ଅଗ୍ନିଶମ ବିଭାଗ କର୍ମଚାରୀ ବିଳମ୍ବରେ ଘଟଣା ସ୍ଥଳରେ ପହଁଚିଥିବା ଅଭିଯୋଗ ହୋଇଛି । ଯଦି ଠିକ୍ ସମୟରେ ପହଁଚିଥାଆନ୍ତ ତାହା ହେଲେ ଅଧିକ ମାତ୍ରାରେ ମୃତ୍ୟୁ ସଂଖ୍ୟାକୁ ଏଡ଼ାଇ ଦିଆଯାଇ ପାରି ଥାଆନ୍ତା ବୋଲି ପ୍ରତ୍ୟକ୍ଷ ଦର୍ଶୀ କହିଛନ୍ତି । ଏହି ଘଟଣାରେ ଏବେ କ୍ରାଇମବ୍ରାଞ୍ଚ ତଦନ୍ତ କରୁଛି । ସହରରେ ଚାଲୁଥିବା ସମସ୍ତ ଟ୍ୟୁସନ୍ ସେଣ୍ଟରକୁ ବର୍ତ୍ତମାନଠାରୁ ବନ୍ଦ ରଖାଯାଇଛି । ପ୍ରଥମେ ଅଗ୍ନି ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କରାଯାଇ ଅଗ୍ନି ସୁରକ୍ଷା ସାର୍ଟିଫିକେଟ୍ ଦିଆଯିବ । ଏହା ପରେ କୋଚିଂ ସେଣ୍ଟର୍ ଖୋଲିବ ବୋଲି କମିଶନର ସତୀଶ ଶର୍ମା କହିଛନ୍ତି ।