OnaKhabar

ପରିବାର ବାଦକୁ ପ୍ରାୟ ଗ୍ରହଣ କରୁନାହାନ୍ତି ଭୋଟର, ଅଧିକାଂଶ ଚିତପଟାଙ୍ଗ

50

ଭୁବନେଶ୍ୱର (ଓଏନଏ) : ଓଡ଼ିଶାର ଭୋଟରମାନେ କ୍ରମେ ବେଶ ସଚେତନ ହେବାର ଲାଗିଲେଣି । ଭୋଟରଙ୍କୁ ବୋକା ବନେଇ କାର୍ଯ୍ୟ ହାସଲ କରିବା ଆଉ ଏବେ ସମ୍ଭବ ନୁହେଁ ଏ କଥା କ୍ରମେ ପ୍ରମାଣିତ ହେବାରେ ଲାଗିଛି । ବିଶେଷକରି ଏହି ନିର୍ବାଚନରେ ତାହା ଅଧିକ ଭାବେ ପ୍ରମାଣିତ ହୋଇଛି । ପରିବାରବାଦକୁ ଓଡ଼ିଶା ଭୋଟର ଆଉ ଗ୍ରହଣ କରିବା ସପକ୍ଷରେ ନାହାଁନ୍ତି । ହେଲେ ଦୁଇଟି କ୍ଷେତ୍ରରେ ପରିବାର ବାଦ ସଫଳ ହୋଇଛି । ଏଥର ସବୁ ପ୍ରମୁଖ ଦଳ ପରିବାରବାଦକୁ ଅଗ୍ରାଧିକାର ଦେଇଥିଲେ । ଅବଶ୍ୟ କଂଗ୍ରେସ ଏ ଦିଗରେ ସବୁଠାରୁ ଆଗରେ ଥିଲା । ଓଡ଼ିଶା ଭୋଟରମାନେ ସମସ୍ତଙ୍କୁ ନିରାଶ କରିଛନ୍ତି । ଏଥର ନିର୍ବାଚନରେ ବାପ-ପୁଅ, ବାପ-ଝିଅ, ଭାଇ-ଭାଇ, ଭଉଣୀ-ଭଉଣୀ, ସ୍ୱାମୀ-ସ୍ତ୍ରୀ ନିର୍ବାଚନ ମଇଦାନରେ ଗୋଟିଏ ଦଳରୁ ଓ ଅଲଗା ଅଲଗା ଦଳରୁ ପ୍ରାର୍ଥୀ ହୋଇଥିଲେ । ବିଜେଡିରୁ ପାର୍ଥୀ ଦୁଇଟି ପରିବାର ସଫଳ ହୋଇଛନ୍ତି ।
ବରିଷ୍ଠ ନେତା ଡାକ୍ତର ଦାମୋଦର ରାଉତ ବିଡେପିରୁ ବାଲିକୁଦା-ଏରସମା ବିଧାନସଭା ପ୍ରାର୍ଥୀ ହୋଇଥିଲା ବେଳେ ତାଙ୍କ ପୁଅ ବିଜେଡିରୁ ପାରାଦୀପ ବିଧାନସଭା ପାଇଁ ପ୍ରାର୍ଥୀ ହୋଇଥିଲେ । ହେଲେ ଡାକ୍ତର ରାଉତ ହାରିଥିଲା ବେଳେ ତାଙ୍କ ପୁଅ ଜିତିଛନ୍ତି । ସେହିପରି ବିଜେଡିରୁ କଳିକେଶ ନାରାୟଣ ସିଂହଦେଓ ବଲାଙ୍ଗୀର ଲୋକସଭା ପାଇଁ ପ୍ରାର୍ଥୀ ହୋଇଥିଲା ବେଳେ ତାଙ୍କ ସାନ ଭାଇ ଅର୍କେଶ ନାରାୟଣ ସିଂହଦେଓ ବଲାଙ୍ଗୀର ବିଧାନସଭାରୁ ପ୍ରାର୍ଥୀ ହୋଇଥିଲେ । ହେଲେ ଦୁଇ ଭାଇ ଫେଲ ମାରିଲେ । କଂଗ୍ରେସରୁ ବରିଷ୍ଠ ନେତା ନରସିଂହ ମିଶ୍ର ବଲାଙ୍ଗୀର ବିଧାନସଭା ଆସନରୁ ପ୍ରାର୍ଥୀ ହୋଇଥିଲା ବେଳେ ତାଙ୍କ ପୁଅ ସମରେନ୍ଦ୍ର ମିଶ୍ର ବଲାଙ୍ଗୀର ଲୋକସଭାରୁ ପ୍ରାର୍ଥୀ ହୋଇଥିଲେ । ସମରେନ୍ଦ୍ର ହାରିଥିଲା ବେଳେ ନରସିଂହ ଜିତିଛନ୍ତି । ବିଜେପିରୁ ବଲାଙ୍ଗୀର ଲୋକସଭା ଆସନରୁ ସଙ୍ଗୀତା ସିଂହଦେଓ ପ୍ରାର୍ଥୀ ହୋଇଥିଲା ବେଳେ ତାଙ୍କ ସ୍ୱାମୀ କନକବର୍ଦ୍ଧନ ସିଂହଦେଓ ପାଟଣାଗଡ଼ ବିଧାନସାରୁ ପ୍ରାର୍ଥୀ ହୋଇଥିଲେ । ସଙ୍ଗୀତା ଜିତିଥିଲା ବେଳେ କନକ ଫେଲ ମାରିଛନ୍ତି । କଂଗ୍ରେସରୁ ଭକ୍ତଚରଣ ଦାସ କଳାହାଣ୍ଡି ଲୋକସଭାରୁ ପ୍ରାର୍ଥୀ ହୋଇଥିଲା ବେଳେ ତାଙ୍କ ପୁଅ ସାଗର ଦାସ ଭବାନୀପାଟଣା ବିଧାନସଭାରୁ ପ୍ରାର୍ଥୀ ହୋଇଥିଲେ । ହେଲେ ଉଭୟ ବାପ ପୁଅଙ୍କୁ ପରାଜୟର ସ୍ୱାଦ ଚାଖିବାକୁ ପଡ଼ିଛି । କଂଗ୍ରେସରୁ ଜର୍ଜ ତିର୍କୀ ସୁନ୍ଦରଗଡ଼ ଲୋକସଭା ଆସନରୁ ପ୍ରାର୍ଥୀ ହୋଇଥିଲା ବେଳେ ତାଙ୍କ ପୁଅ ରୋହିତ ଜୋସେଫ ତିର୍କୀ ବିରମିତ୍ରପୁର ବିଧାନସଭାରୁ ପ୍ରାର୍ଥୀ ହୋଇଥିଲେ । ଉଭୟଙ୍କୁ ଲୋକେ ନିରାଶ କରିଛନ୍ତି । କଂଗ୍ରେସରୁ ପିସିସି ସଭାପତି ନିରଂଜନ ପଟ୍ଟନାୟକ ଘସିପୁରା ଓ ଭଣ୍ଡାରୀପୋଖରୀ ବିଧାନସଭା ଆସନରୁ ଏବଂ ତାଙ୍କ ପୁଅ ନବଜ୍ୟୋତି ପଟ୍ଟନାୟକ ବାଲେଶ୍ୱର ଲୋକସଭା ଆସନରୁ ପ୍ରାର୍ଥୀ ହୋଇଥିଲେ । ଏହି ପିତାପୁତ୍ରଙ୍କୁ ମଧ୍ୟ ଲୋକେ ଗ୍ରହଣ କଲେନାହିଁ । କଂଗ୍ରେସରୁ ଦଳର ବରିଷ୍ଠ ନେତା ଅନନ୍ତ ପ୍ରସାଦ ସେଠୀ ସିମୁଳିଆ ବିଧାନଭା ଆସନରୁ ପ୍ରାର୍ଥୀ ହୋଇଥିଲା ବେଳେ ତାଙ୍କ ଝିଅ ମଧୁସ୍ମିତା ସେଠୀ ଭଦ୍ରକ ଲୋକସଭା ଆସନରୁ ପ୍ରାର୍ଥୀ ହୋଇଥିଲେ । ଉଭୟ ବାପ-ଝିଅ ଫେଲ ମାରିଛନ୍ତି ।
ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ୱାଳଙ୍କ ଦୁଇ ଝିଅ ପ୍ରଥମଥର ପାଇଁ ନିର୍ବାଚନକୁ ଓହ୍ଲାଇଥିଲେ । ଉଭୟଙ୍କୁ ସଫଳତା ମିଳିଲା ନାହିଁ । ଝିଅ ସୁନିତା ବିଶ୍ୱାଳ ବିଜେଡିରୁ ସୁନ୍ଦରଗଡ଼ ଲୋକସଭା ଆସନରୁ ପ୍ରାର୍ଥୀ ହୋଇଥିଲା ବେଳେ ଆଉ ଜଣେ ଝିଅ ଅମିତା ବିଶ୍ୱାଳ ସୁନ୍ଦରଗଡ଼ ବିଧାନସଭା ଆସରୁ କଂଗ୍ରେସର ପ୍ରାର୍ଥୀ ହୋଇଥିଲେ ।
ଏହି ନିରାଶ ଭିତରେ ସଫଳ ହୋଇଛନ୍ତି ଭାଇଭଉଣୀ । ବିଜେଡିରୁ ପ୍ରାର୍ଥୀ ହୋଇଥିବା ମନୋହର ରାନ୍ଧାରୀ ଡାବୁଗାଁ ବିଧାନସଭାରୁ ଓ ତାଙ୍କ ଭଉଣୀ ପଦ୍ମିନୀ ଦିଆନ କୋଟପାଡ ବିଧାନସଭା ଆସନରୁ ବିଜୟୀ ହୋଇଛନ୍ତି ।
ବିଜେଡିରୁ ବିଜେଡିରୁ ପ୍ରାର୍ଥୀ ହୋଇଥିବା ଦୁଇ ଭାଇ ବିଜୟୀ ହୋଇଛନ୍ତି । ରମେଶ ମାଝି ନବରଙ୍ଗପୁର ଲୋକସଭା ଆସନରୁ ପ୍ରାର୍ଥୀ ହୋଇଥିଲା ବେଳେ ତାଙ୍କ ଭାଇ ପ୍ରକାଶ ମାଝି ନବରଙ୍ଗପୁର ବିଧାନସଭା ଆସନରୁ ପ୍ରାର୍ଥୀ ହୋଇଥିଲେ ।