OnaKhabar

ସୁରଟର କୋଚିଂ ସେଣ୍ଟରରେ ନିଆଁ ଲାଗିବା ଘଟଣାରେ ମୃତ୍ୟୁ ସଂଖ୍ୟା ୨୦ ଛୁଇଁଲା

0 10

ସୁରଟ : ଗୁଜରାଟ ସୁରଟରେ କୋଚିଂ ସେଣ୍ଟରରେ ନିଆଁ ଲାଗିବା ଘଟଣାରେ ମୃତ୍ୟୁ ସଂଖ୍ୟା ୨୦କୁ ବୃଦ୍ଧି ପାଇଛି । ୧୮ ଗୁରୁତରଙ୍କୁ ନିକଟସ୍ଥ ବିଭିନ୍ନ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସେମାନଙ୍କ ମଧ୍ୟରୁ କିଛି ଛାତ୍ରଙ୍କ ଅବସ୍ଥା ସଙ୍କଟାପର୍ଣ୍ଣ ଥିବାରୁ ମୃତ୍ୟୁ ସଂଖ୍ୟା ବଢିବା ଆଶଙ୍କା କରାଯାଉଛି । ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ଗୁଜରାଟ ମୁଖ୍ୟମନ୍ତ୍ରୀ ବିଜୟ ରୂପାଣୀ । ମୃତକଙ୍କ ପରିବାରକୁ ୪ ଲକ୍ଷ ଟଙ୍କାର ଅନୁକମ୍ପା ରାଶି ଘୋଷଣା କରିଛନ୍ତି ।
ଗତକାଲି ସଂଧ୍ୟାରେ ହସ୍ପିଟାଲ ଯାଇ ଆହତଙ୍କୁ ଭେଟିଥିଲେ ମୁଖ୍ୟମନ୍ତ୍ରୀ । ସୁରଟ ସର୍ଥାନା ଅଞ୍ଚଳରେ ଥିବା ତକ୍ଷଶିଳା କପ୍ଲେକ୍ସରେ ଚାଲିଥିବା କୋଚିଂ ସେଣ୍ଟରର ଉପର ଫ୍ଲୋରରେ ନିଆଁ ଲାଗିବା ପରେ କିଛି ଛାତ୍ର ଅଣନିଶ୍ୱାସ ହୋଇ ମୃତ୍ୟୁବରଣ କରିଥିବା ବେଳେ ଆଉ କିଛି ଜୀବନ୍ତ ଦଗ୍ଧ ହୋଇଯାଇଥିଲେ । ସ୍ଥିତି ଏପରି ହୋଇଥିଲା ଯେ, କିଛି ଛାତ୍ର ଭୟରେ ଉପର ୪ ମହଲାରୁ ତଳକୁ ଡେଇଁ ପଡିଥିଲେ । ସେମାନଙ୍କ ମଧ୍ୟରୁ ମଧ୍ୟ କିଛି ଜଣ ମୃତାହତ ହୋଇଛନ୍ତି । ତଳେ ଥିବା ଲୋକ ଏହି ଛାତ୍ରଙ୍କୁ ଉଦ୍ଧାର କରି ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରିଥିଲେ । ଅଗ୍ନିକାଣ୍ଡ ସମୟରେ ୫୦ରୁ ଅଧିକ ଛାତ୍ର ଓ ଶିକ୍ଷକ ବିଲ୍ଡିଂରେ ଉପସ୍ଥିତ ଥିବା ବେଳେ ମୃତକଙ୍କ ମଧ୍ୟରେ ଜଣେ ଶିକ୍ଷକ ମଧ୍ୟ ରହିଛନ୍ତି । ଘଟଣା ସ୍ଥଳରେ ୧୮ଟି ଦମକଳ ଗାଡ଼ି ନିୟୋଜିତ ହୋଇ ଆଗ୍ନକାଣ୍ଡକୁ ଆୟତ୍ତ କରିଥିଲା ।
ତେବେ ସର୍ଟ ସର୍କିଟ ଯୋଗୁଁ ନିଆଁ ଲାଗିଥିବା ଅନୁମାନ କରାଯାଉଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଘଟଣାକୁ ନେଇ ଦଃଖ ପ୍ରକାଶ କରିଛନ୍ତି । ମୃତକଙ୍କ ପରିବାରକୁ ସମସ୍ୟ ପ୍ରକାର ସହାୟତା ଯୋଗାଇ ଦେବାକୁ ମୋଦି କହିଛନ୍ତି । କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ, ସମାଜବାଦୀ ପାର୍ଟି ପ୍ରମୁଖ ଅଖିଳେଶ ଯାଦବ ପ୍ରମୁଖ ଏହି ଘଟଣାରେ ଶୋକ ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.