OnaKhabar

ଲଜ୍ଜ୍ୟାର ସୀମାପାର: ପ୍ରେମିକକୁ ପ୍ରେମିକା ପରିବାର ଘରକୁ ଡକାଇ କଲେ ହତ୍ୟା

69

ବ୍ରହ୍ମପୁର: ରାଜ୍ୟରେ ଆଜି ଏକ ଅତି ଲଜ୍ଜ୍ୟାଜନକ ଘଟଣା ଘଟିଥିବାର ସୂଚନା ମିଳିଛି | ପ୍ରେମିକଙ୍କୁ ଘରେ ପୂରାଇ ପ୍ରେମିକାଙ୍କ ପରିବାର ଲୋକେ ତାଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଛି । ଏପରି ଅଭାବନୀୟ ଘଟଣା ଗଞ୍ଜାମ ଜିଲ୍ଲାରେ ଘଟିଥିବାର ସୂଚନା ମିଳିଛି । ପୁଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଘଟଣାର ତଦନ୍ତ ଆରମ୍ଭ କରିଛି । ଏହି ଘଟଣାରେ ପୁଲିସ ବର୍ତ୍ତମାନ ସୁଦ୍ଧା ୩ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି । ମୃତ ପ୍ରେମିକ ଜଣଙ୍କ ହେଉଛନ୍ତି ଧରାକୋଟ ଥାନା ଢଉଗାଁର ଅଲେଖ ନାହକ |
ଅଲେଖ ଗାଁରେ ଚାଲିଥିବା ଯାତ୍ରା ଦେଖିବା ପାଇଁ ଜେଜେବାପାଙ୍କ ଘରକୁ ଯାଇଥିଲେ । ଏହି ସମୟରେ ୭ରୁ ୮ ଜଣ ଯୁବକ ତାଙ୍କୁ ପ୍ରେମିକାଙ୍କ ଘରକୁ ଟେକି ନେଇ ଧାରୁଆ ଅସ୍ତ୍ରରେ ଆକ୍ରମଣ କରି ରକ୍ତାକ୍ତ କରିଦେଇ ଥିବା ଅଲେଖଙ୍କ ବାପା ଅଭିଯୋଗ କରିଛନ୍ତି ।
ଅନ୍ୟପକ୍ଷରେ ଶୁଣିବାକୁ ମିଳୁଛି, ଅଲେଖ ଜଣେ ଯୁବତୀଙ୍କୁ ଭଲ ପାଉଥିଲେ । ଘରେ କେହି ନଥିବାର ସୁଯୋଗ ନେଇ ସେ ଆଜି ତାଙ୍କ ପ୍ରେମିକାଙ୍କୁ ଦେଖା କରିବା ପାଇଁ ତାଙ୍କ ଘରର ପଛପଟକୁ ଯାଇଥିଲେ । ଏ ସମ୍ପର୍କରେ ପ୍ରେମିକାଙ୍କ ପରିବାର ଲୋକେ ଜାଣିପାରି ତାଙ୍କୁ ଉଠାଇ ଆଣିବା ପରେ ଘରେ ପୂରାଇ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ଫଳରେ ସେ ଗୁରୁତର ଆହତ ହୋଇଥିଲେ । ତାଙ୍କୁ ପ୍ରଥମେ ଆସିକା ମେଡିକାଲ୍‌ରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ଏମ୍‌କେସିଜି ମେଡ଼ିକାଲ୍‌କୁ ସ୍ଥାନାନ୍ତରିତ କରାଯାଇଥିଲା । ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି । ତେବେ ବର୍ତ୍ତମାନ ସୁଦ୍ଧା ପ୍ରେମିକା ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିନଥିବା ବେଳେ ପ୍ରକୃତ କାରଣ ମଧ୍ୟ ସ୍ପଷ୍ଟ ହୋଇନାହିଁ |

https://www.onakhabar.com/2019/05/2-rapeist-arrested/