OnaKhabar

ମନ୍ତ୍ରିମଣ୍ଡଳ ନେଇ ଅଙ୍କକଷା ଆରମ୍ଭ, କାହାକୁ ନେବେ ନବୀନ…

ଭୁବନେଶ୍ୱର: ନିର୍ବାଚନ ସରି ଫଳାଫଳ ପ୍ରକାଶ ପାଇସାରିଛି । ବିଜେଡି ପୂଣ୍ଣ ସଂଖ୍ୟା ଗରିଷ୍ଠତା ହାସଲ କରିଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପଞ୍ଚମ ଥର ପାଇଁ ି କ୍ଷମତାଶୀନ ହେବାକୁ ଯାଉଛନ୍ତି । ଆସନ୍ତା ସୋମବାର ନବୀନ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବାର ସମ୍ଭାବନା ରହିଛି ବୋଲି କୁହାଯାଉଛି । ଏବେ ମନ୍ତ୍ରୀ ହେବା ପାଇଁ ବିଧାୟକଙ୍କ ଭିତରେ ଲବି ଆରମ୍ଭ ହୋଇଯାଇଛି । ଯେଉଁମାନେ ଗତଥର ମନ୍ତ୍ରୀ ଥିଲେ ସେମାନେ ପୁଣି ମନ୍ତ୍ରୀ ହେବାକୁ ଆଶା ବାନ୍ଧିଛନ୍ତି । ଯେଉଁମାନେ ଦଳ ପାଇଁ କାମ କରିବା ଲାଗି ମନ୍ତ୍ରୀ ପଦ ଛାଡିଥିଲେ ସେମାନେ ବି ଗୋଡ ଟେକି ବସିଛନ୍ତି । ଏପରିକି ଯେଉଁମାନେ ଏକାଧିକ ବାର ଜିତିଥିଲେ ମଧ୍ୟ ମନ୍ତ୍ରୀ ମଣ୍ଡଳରେ ସାମିଲ ହୋଇପାରିନାହାନ୍ତି, ସେମାନଙ୍କ ଭିତରୁ ମଧ୍ୟ ଅନେକ ଏଥର ସୁଯୋଗ ପାଇବେ ବୋଲି ନିଶ୍ଚିତ ଅଛନ୍ତି । ହେଲେ ନବୀନ କାହାକୁ ତାଙ୍କ ମନ୍ତ୍ରିମଣ୍ଡଳର ସହେଯାଗୀ ଭାବେ ନେଉଛନ୍ତି ତାହା ଉପରେ ସବୁକିଛି ନିର୍ଭର କରିବ ।
ଗତଥର ନବୀନଙ୍କ ମନ୍ତ୍ରିମଣ୍ଡଳରେ ସାମିଲ ଥିବା ସୂର୍ଯ୍ୟନାରାୟଣ ପାତ୍ର, ବିକ୍ରମ ଆରୁଖ, ଉଷା ଦେବୀ, ସ୍ନେହାଙ୍ଗୀନୀ ଛୁରିଆ, ସୁଶାନ୍ତ ସିଂ, ଅନନ୍ତ ଦାସ, ପ୍ରଫୁଲ୍ଲ ସାମଲ, ଚନ୍ଦ୍ରସାରଥୀ ବେହେରା, ନୃସିଂହ ସାହୁ, ପ୍ରତାପ ଜେନା, ବଦ୍ରିନାରାୟଣ ପାତ୍ର, ଅଶୋକ ଚନ୍ଦ୍ର ପଣ୍ଡା, ପ୍ରଫୁଲ ମଲିକ, ଶଶିଭୂଷଣ ବେହେରା ଓ ନିରଞ୍ଜନ ପୂଜାରୀ ବି ଏଥର ପାଇଁ ଆଶା ରଖିଛନ୍ତି ।
ସେହିପରି ଦଳ ପାଇଁ କାମ କରିବା ଲାଗି ମନ୍ତ୍ରିମଣ୍ଡଳରୁ ଇସ୍ତଫା ଦେଇଥିବା ବିଧାୟକ ଦେବୀ ପ୍ରସାଦ ମିଶ୍ର, ଅରୁଣ ସାହୁ, ପ୍ରଣବ ପ୍ରକାଶ ଦାସ, ପ୍ରଦୀପ ପାଣିଗ୍ରାହୀ, ସୁଦାମ ମରାଣ୍ଡି ମଧ୍ୟ ଆଶାୟୀ ଅଛନ୍ତି ।
ଏହାଛଡା ନବ ନିର୍ବାଚିତ ବିଧାୟକ ଭାବେ ସୌମ୍ୟରଞ୍ଜନ ପଟ୍ଟନାୟକ ଗୋଡ ଟେକି ବସିଥିଲା ବେଳେ ପୂର୍ବତନ ମନ୍ତ୍ରୀ ଭୂପିନ୍ଦର ସିଂହ ମଧ୍ୟ ଆଶା ବାନ୍ଧିଛନ୍ତି । ଏପରିକି କଂଗ୍ରେସ ଛାଡି ବିଜେଡିକୁ ଆସିଥିବା ନବ ଦାସ, ବରିଷ୍ଠ ବିଧାୟକ ପ୍ରମିଳା ମଲ୍ଲିକ,ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ପଦ୍ମନାଭ ବେହେରା, ବିଷ୍ଣୁ ଦାସ, ପ୍ରଦୀପ ମହାରଥୀ, ପ୍ରୀତିରଞ୍ଜନ ଘଡାଇ, କିଶୋର ମହାନ୍ତି, ପ୍ରତାପ ଦେବ ଓ ଅତନୁସବ୍ୟସାଚୀ ନାୟକ ମନ୍ତ୍ରୀ ପଦ ଦୌଡରେ ଥିବା ଜଣାପଡିଛି ।
ମୁଖ୍ୟମନ୍ତ୍ରୀ ସାମ୍ବିଧାନିକ ବ୍ୟବସ୍ଥା ଅନୁସାରେ ୨୧ ଜଣଙ୍କୁ ତାଙ୍କ ମନ୍ତ୍ରିମଣ୍ଡଳରେ ନେଇପାରିବେ । କୁହାଯାଉଛି ଏହିମାନଙ୍କ ମଧ୍ୟରୁ ନବୀନ ୨୧ ଜଣଙ୍କୁ ବାଛିପାରନ୍ତି । ଏଥର କିଛି ମହିଳାଙ୍କୁ ମନ୍ତ୍ରିମଣ୍ଡଳରେ ସ୍ଥାନ ମିଳିବା କଥା କୁହାଯାଉଛି । ନବୀନ ପୂରା ଟିମ ନେଇ ଶପଥ ନେଉଛନ୍ତି କି ଅସନ୍ତୋଷକୁ ଏଡାଇବା ପାଇଁ କିଛି ବିଧାୟକଙ୍କ ମଧ୍ୟରେ ଆଶା ସଂଚାର କରି ରଖିବାକୁ ୧୯ କି ୨୦ ଜଣଙ୍କୁ ନେଇ ଶପଥ ନେବେ ତାହା ତାଙ୍କ ଉପରେ ନିର୍ଭର କରୁଛି ।

https://www.onakhabar.com/2019/05/governor-accepts-naveen-patnaiks-resignation/