OnaKhabar

“ପରିବର୍ତ୍ତନ” କରିବାକୁ ଯାଇ ନିଜେ ପରିବର୍ତ୍ତିତ ହୋଇଗଲେ ବୈଜୟନ୍ତ

0 16

ଭୁବନେଶ୍ୱର: ଓଡିଶାରେ ଏଥର ନିର୍ବାଚନରେ ସବୁଠାରୁ ସ୍ପର୍ଶକତାର ନିର୍ବାଚନ ମଣ୍ଡଳୀ ହୋଇଥିଲା କେନ୍ଦ୍ରାପଡା ଲୋକସଭା ଆସନ । ଏଠାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମ୍ମାନର ବାଜି ଲାଗିଥିଲା । ବିଜେପିର ପ୍ରାର୍ଥୀ ଭାବେ ବୈଜୟନ୍ତ ପଣ୍ଡା ଲଢୁଥିଲା ବେଳେ ବିଜେଡିରୁ ସାଂସଦ ଅନୁଭବ ମହାନ୍ତି ଲଢୁଥିଲେ । କିନ୍ତୁ ପ୍ରକୃତରେ ବୈଜୟନ୍ତଙ୍କ ସହ ନବୀନ ଲଢୁଥିଲେ ବୋଲି କୁହାଯାଉଥିଲା । କାରଣ ନବୀନ କେନ୍ଦ୍ରାପଡାରେ କ୍ୟାମ୍ପ କରି ରହି ଦୁଇ ଦିନ ଧରି ଚାରି ଆଡେ ପ୍ରଚାର କରିଥିଲେ । ବୈଜୟନ୍ତ ବିଶ୍ୱାସ ଘାତକ ବୋଲି କହିବାକୁ ମଧ୍ୟ ପଛାଇ ନଥିଲେ । ନବୀନଙ୍କ ଏହି ଲଢେଇର ପ୍ରଭାବ ସମଗ୍ର କେନ୍ଦ୍ରପଡା ଜିଲ୍ଲାରେ ପଡିଲା । ଲୋକସଭା ଆନ୍ତର୍ଗତ ୭ଟି ବିଧାନସଭା ଆସନ ମଧ୍ୟରୁ ୬ଟିରେ ଭୋଟ ଗ୍ରହଣ ହୋଇଛି । ପାଟକୁରା ଆସନରେ ଭୋଟ ବାକି ରହିଛି । ଇତିମଧ୍ୟରେ ଫଳାଫଳ ଜଣାପଡିସାରିଛି । ନବୀନ ତାଙ୍କ ସମ୍ମାନ ବଜାୟ ରଖିଥିଲା ବେଳେ ବୈଜୟନ୍ତଙ୍କୁ ହତାଶ ହେବାକୁ ପଡିଛି ।
ନବୀନଙ୍କ ସହ ବୈଜୟନ୍ତଙ୍କର ସିଧାସଳଖ ଟକ୍କର ଚାଲିଥିଲା । କେନ୍ଦ୍ରାପଡା ଲୋକସଭା ନିର୍ବାଚନରେ ବୈଜୟନ୍ତଙ୍କୁ ହରାଇବା ପାଇଁ ନବୀନ ଯେତିକି ସମୟ ଓ ଉଦ୍ୟମ କରିଥିଲେ ଅନ୍ୟ କୌଣସି ବିଧାନସଭା କି ଲୋକସଭା ନିର୍ବାଚନ କ୍ଷେତ୍ର ପାଇଁ କରିନଥିଲେ । କେନ୍ଦ୍ରାପଡା ଚତୁର୍ଥ ପର୍ଯ୍ୟାୟରେ ହୋଇଥିବାରୁ ଯେଉଁ ସବୁ ପର୍ଯ୍ୟୟରେ ନିର୍ବାଚନ ସରିଯାଇଥିଲା ସେ ଅଞ୍ଚଳର ଦଳୀୟ ନେତାମାନଙ୍କୁ ଆଣି କେନ୍ଦ୍ରାପଡାରେ ଠୁଳ କରାଯାଇଥିଲା । ସେଠାରେ ଯେପରି ଏକ ନିର୍ବାଚନ ନୁହଁ ଯୁଦ୍ଧ ଚାଲିଛି ବୋଲି ପରିସ୍ଥିତି ସୃଷ୍ଟି କରାଯାଇଥିଲା । ସମସ୍ତଙ୍କର ନଜର ରହିଥିଲା କେନ୍ଦ୍ରାପଡାରେ କଣ ହେବ ନିର୍ବାଚନ ଫଳାଫଳ ? ନବୀନ ତାଙ୍କ ସମ୍ମାନ ରକ୍ଷା କରି ପାରିବେ କି, ବୈଜୟନ୍ତ ତାଙ୍କ ଦମ୍ଭ ରଖି ପାରିବେ ତାକୁ ନେଇ ଚାଲିଥିଲା ବିତର୍କ । ବୈଜୟନ୍ତ କେନ୍ଦ୍ରାପଡାରୁ ଗତ ୨୦୧୪ ନିର୍ବାଚନରେ ବିଜେଡି ପ୍ରାର୍ଥୀ ହୋଇ ବିଜୟୀ ହୋଇଥିଲେ । କିନ୍ତୁ ବିଜେଡି ଛାଡିବା ପରେ ସେ ବିଜେପିରେ ଯୋଗ ଦେଇ ପ୍ରାର୍ଥୀ ହୋଇଥିଲେ । ନବୀନ ପଟ୍ଟନାୟକଙ୍କୁ ବଦଳାଇବା ପାଇଁ “ପରିବର୍ତ୍ତନ”ର ନାରା ଦେଇ ରାଜ୍ୟ ସାର ବୁଲିଥିଲେ । ମୋଦିଙ୍କ “ଚାଏ ପେ ଚର୍ଚ୍ଚା”ର ନାମ କୁ “ହେଇଯାଉ” ଏବେ ପରିବର୍ତ୍ତନ କରି ବିଭିନ୍ନ ଅଞ୍ଚଳରେ ଚା’ ଦୋକାନ ଯାଇ ଲୋକଙ୍କୁ ପରିବର୍ତ୍ତନ ବାର୍ତ୍ତା ଦେଉଥିଲେ । ହେଲେ ନିର୍ବାଚନରେ ଦେଖାଗଲା ନବୀନ ନୁହେଁ ସେ ନିଜେ ପରିବର୍ତ୍ତନ ହୋଇଗଲେ । କେନ୍ଦ୍ରାପଡା ଲୋକସଭାର ଭୋଟର ବୈଜୟନ୍ତଙ୍କୁ ପରିବର୍ତ୍ତନ କରି ନବୀନଙ୍କ ଟେକ ରଖିବା ସହ ଅନୁଭବ ମହାନ୍ତିଙ୍କୁ ସାଂସଦ ଭାବରେ ଆପଣାଇଛନ୍ତି ।
ମିଳିଥିବା ଖବର ଅନୁସାରେ କେନ୍ଦ୍ରାପଡା ଲୋକସଭା ଆସସନରୁ ବିଜେଡି ପ୍ରାର୍ଥୀ ଅନୁଭବ ମହାନ୍ତି ପ୍ରାୟ ୧ ଲକ୍ଷ ୫୨ ହଜାର ୫୮୪ ଭୋଟ ବ୍ୟବଧାନରେ ବୈଜୟନ୍ତଙ୍କୁ ହରାଇ ବିଜୟୀ ହୋଇଛନ୍ତି । ଏଠାରୁ ବୈଜୟନ୍ତ ୪ ଲକ୍ଷ ୭୬ ହଜାର ୩୫୫ ଭୋଟ ପାଇଥିଲା ବେଳେ ଅନୁଭବ ୬ ଲକ୍ଷ ୨୮ ହଜାର ୯୩୯ ଭୋଟ ପାଇଛନ୍ତି ।

https://www.onakhabar.com/2019/05/baijayanta-is-very-much-confident-that-bjp-will-from-the-govt-in-odisha/

Leave A Reply

Your email address will not be published.