OnaKhabar

କିପରି କରିବେ ଅଂଶୁଘାତର ସାମ୍ନା, ଦେଖନ୍ତୁ ଏହି ଖବରରୁ…

0 0

ଭୁବନେଶ୍ୱର: ରାଜ୍ୟରେ ଏବେ ଗ୍ରୀଷ୍ମର ପ୍ରବାହ ଜୋରରେ ଦେଖିବାକୁ ମିଳୁଛି | କେବଳ ଖରା ନୁହେଁ କରା ସାଙ୍ଗକୁ ଅସହ୍ୟ ଗୁଳୁଗୁଳି ମଧ୍ୟ ଅନୁଭୂତ ହେଉଛି | ତତଲା ପବନରେ ଅତିଷ୍ଠ ହେଉଛି ଜୀବନ । ଏପରି ପ୍ରଚଣ୍ଡ ରୌଦ୍ର ତାପକୁ ସମ୍ଭାଳିବା କଷ୍ଟକର ହୋଇପଡୁଛି । ଓଡ଼ିଶାର ପ୍ରାୟ ସବୁ ସହରରେ ପାରଦ ୪୦ ଡିଗ୍ରୀ ଉପରେ ରହିଛି । ଏହି ଗରମ ଏବଂ ଗୁଳୁଗୁଳିରେ ଅନେକ ଲୋକ ଅସୁସ୍ଥ ହୋଇଯିବାର ମଧ୍ୟ ସୂଚନା ଆସୁଛି । ତେବେ ଏପରି ପରିସ୍ଥିତିରେ ଖରାରେ ନ ବାହାରିବା ଉଚିତ | ହେଲେ ଯଦି ଆପଣ ଖରାରେ ଘର ବାହାରକୁ ଯାଉଥାନ୍ତି ତାହାଲେ ସତର୍କତା ଅବଲମ୍ୱନ କଲେ ଆସିବାକୁ ଥିବା ବିପଦକୁ ଏଡ଼ାଇ ପାରିବେ । ଖରା ଦିନେ ଅଂଶୁଘାତରୁ ନିଜେ ରକ୍ଷା ପାଇବା ସହ ଅନ୍ୟମାନଙ୍କୁ ମଧ୍ୟ ରକ୍ଷା କରିପାରିବ ।
ତେବେ ଆସନ୍ତୁ ଜାଣିବା ଖରାଦିନେ ଆପଣ କିପରି ସତର୍କତା ଅବଲମ୍ବନ କରିବେ…
୧. ଟାଣ ଖରାରେ ଘରୁ ବାହାରକୁ ବାହାରନ୍ତୁ ନାହିଁ |
୨. ହାଲୁକା, ଫିକା, ଢିଲା ସୂତାଲୁଗା ପିନ୍ଧନ୍ତୁ |
୩. ଶୋଷ ନଥିଲେ ମଧ୍ୟ ପ୍ରଚୁର ପାଣି ପିଅନ୍ତୁ |
୪. ଓ.ଆର.ଏସ୍‌ ପାଉଡର କିମ୍ବା ଘରେ ଉପଲବ୍ଧ ପାନୀୟ ଯଥା, ଲସି, ଘୋଳ ଦହି, ତୋରାଣି, ଲେମ୍ବୁ ପାଣି, କ୍ଷିର ଇତ୍ୟାଦି ପ୍ରଚୁର ପରିମାଣରେ ପିଅନ୍ତୁ ।
୫. ଗରିଷ୍ଠ ଖାଦ୍ୟ ଖାଆନ୍ତୁ ନାହିଁ ।

ଛୋଟ ପିଲା ଏବଂ ବୟସ୍କ ବ୍ୟକ୍ତିଙ୍କର ନିଅନ୍ତୁ ବିଷେଶ ଧ୍ୟାନ…

୧. ଛୋଟ ପିଲାଙ୍କୁ ଖରାରେ ବାହାରକୁ ଖେଳିବାକୁ ଛାଡ଼ନ୍ତୁ ନାହିଁ ।
୨. ବାହାରକୁ ସେମାନଙ୍କୁ ନେଇକି ଗଲେ ଫୁଲ୍‌ ପୋଷାକ, ମୁଣ୍ଡରେ ଟୋପି ପିନ୍ଧାନ୍ତୁ ।
୩. ସବୁବେଳେ ପିଲାଙ୍କୁ ପାଣି ପିଇବାକୁ ଦିଅନ୍ତୁ । ପେଟ କେବେ ଖାଲି ରଖିବାକୁ ଦିଅନ୍ତୁ ନାହିଁ ।
୪. ବୟସ୍କ ବ୍ୟକ୍ତି ଖରାବେଳେ ଘରୁ ବାହାରନ୍ତୁ ନାହିଁ ।
୫. ଅତି ଆବଶ୍ୟକ ପଡ଼ିଲେ ବାହାରକୁ ଗଲେ ମୁଣ୍ଡରେ ଓଦା କପଡ଼ା ଏବଂ ପାଦରେ ଜୋତା ପିନ୍ଧନ୍ତୁ ।

ଅଂଶୁଘାତରେ ପୀଡ଼ିତ ବ୍ୟକ୍ତିଙ୍କ ଚିକିତ୍ସା…

୧. ଅଂଶୁଘାତରେ ପୀଡ଼ିତ ବ୍ୟକ୍ତିଙ୍କୁ ଏକାବେଳକେ ଅତ୍ୟଧିକ ପାନୀୟ ପିଇବାକୁ ଦିଅନ୍ତୁ ନାହିଁ ।
୨. ଅଂଶୁଘାତରେ ପୀଡ଼ିତ ବ୍ୟକ୍ତି ସୁସ୍ଥ ହେବା ପର୍ଯ୍ୟନ୍ତ ପ୍ରତି ଅଧଘଣ୍ଟାରେ ଅଧା ଗ୍ଲାସ ପାନୀୟ ପିଇବାକୁ ଦେବା ଉଚିତ ।
୩. ପୀଡ଼ିତ ବ୍ୟକ୍ତିଙ୍କ ଶରୀର ଉତ୍ତାପକୁ କମେଇବା ପାଇଁ ଥଣ୍ଡା ଓ ଛାଇ ସ୍ଥାନରେ ଶୁଆଇରଖି ପ୍ରଥମେ ଓଦା କନାରେ ତାଙ୍କୁ ପୋଛିଦିଅନ୍ତୁ |
୪. ଆବଶ୍ୟକ ହେଲେ ମୁଣ୍ଡରେ ଥଣ୍ଡାପାଣି ଢାଳନ୍ତୁ |
୫. ପାଣି, ତୋରାଣି, ଲେମ୍ବୁ, ଦହି ଇତ୍ୟାଦି ପିଇବାକୁ ଦେଇ ଦେହର ଜଳିୟଅଂଶ ପରିମାଣକୁ ଠିକ୍‌ ରଖିବାକୁ ଚେଷ୍ଟା କରନ୍ତୁ |
୬. ଆଘାତପ୍ରାପ୍ତ ବ୍ୟକ୍ତିଙ୍କୁ ତୁରନ୍ତ ନିକଟସ୍ଥ ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଅନ୍ତୁ ।

ଗୃହପାଳିତ ପଶୁ ପକ୍ଷୀଙ୍କ ପାଇଁ ସତର୍କତା….

୧. ଗୃହପାଳିତ ପଶୁଙ୍କ ପାଖରେ ସବୁବେଳେ ପାଣି ଏବଂ ଖାଦ୍ୟ ରଖନ୍ତୁ ।
୨. ସେମାନଙ୍କୁ ବାହାରକୁ ଖରାରେ ଚରାଇବାକୁ ନିଅନ୍ତୁ ନାହିଁ ।
୩. ପକ୍ଷୀମାନଙ୍କ ପାଇଁ ଛାତ ଉପରେ ବା ଗଛ ମୂଳରେ ପାଣିର ବ୍ୟବସ୍ଥା କରନ୍ତୁ ।

 

Leave A Reply

Your email address will not be published.