OnaKhabar

ମେଣ୍ଟରେ ପ୍ରଧାନମନ୍ତ୍ରୀ ପଦ ନେଇ କେଁ

0 2

ଭୁବନେଶ୍ୱର (ଓଏନଏ) : ଜାତୀୟ ରାଜନୀତିରେ ବିଜେପି ବିରୋଧୀ ମେଣ୍ଟ ଭିତରେ ପ୍ରଧାନମନ୍ତ୍ରୀ ପଦକୁ ନେଇ ଦାବିଦାର ସଂଖ୍ୟା ବଢ଼ିବାରେ ଲାଗିଛି । ପ୍ରଥମେ ଯେଉଁମାନେ ପ୍ରଧାନମନ୍ତ୍ରୀ ପଦ ପାଇଁ ଆଗ୍ରହ ପ୍ରକାଶ କରୁ ନ ଥିଲେ ଓ ତ୍ୟାଗ କରିବାକୁ ଆଗେଇ ଆସିଥିଲେ ସେମାନେ ଏବେ ଜଣକ ପରେ ଜଣେ ଦାବିଦାର ସାଜିବାରେ ଲାଗିଛନ୍ତି । ଏଥିରେ କୁହାଯାଉଛି ଘରେ ନ ପଶୁଣୁ ମୁଣ୍ଡରେ ଚାଳ ବାଜିବା ଭଳି ଘଟଣା ଘଟିଲାଣି । ଆସନ୍ତା ୨୩ ତାରିଖରେ ଭୋଟ ଗଣତି ଦିନ ଅଣ ବିଜେପି ଦଳ ଗୁଡ଼ିକ ଦିଲ୍ଲୀରେ ଏକାଠି ହେବା ପାଇଁ ଯାଉଛନ୍ତି । ହେଲେ ଏହା ପୂର୍ବରୁ ପ୍ରଧାନମନ୍ତ୍ରୀ ପଦକୁ ନେଇ ସେମାନଙ୍କ ଭିତରେ ମତ ପାର୍ଥକ୍ୟ ଦେଖାଦେଲାଣି । ଜଣକ ପରେ ଜଣେ ନେତା ଦାବିଦାର ସାଜିବା ଆରମ୍ଭ କଲେଣି । ବିଏସପି ନେତ୍ରୀ ମାୟାବତୀ ଓ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ଏବେ ଦାବିଦାର ସାଜିଛନ୍ତି । ଅଣ ବିଜେପି ମେଣ୍ଟରେ ବିଜେଡିକୁ ସାମିଲ କରିବା ପାଇଁ ଉଦ୍ୟମ ହେଉଥିଲା ବେଳେ ବିଜେଡି ମଧ୍ୟ ପ୍ରଧାନମନ୍ତ୍ରୀ ପଦ ପାଇଁ ଅନ୍ୟଏକ ଦାବିଦାର ହୋଇଛି । ମେଣ୍ଟ ପୂର୍ବରୁ ଏଭଳି ବିବାଦ ବିଜେପି ପାଇଁ ବେଶ ସୁହାଇବ ବୋଲି କୁୁହାଯାଉଛି ।
ବିଜେପି ବାଟ ରୋକିବା ପାଇଁ କଂଗ୍ରେସ ପ୍ରଥମେ କହିଥିଲା ପ୍ରଧାନମନ୍ତ୍ରୀ ପଦ ପାଇଁ ଦାବି ଦାର ହେବନାହିଁ । ସବୁ ଦଳକୁ ଏକାଠି କରି ବିଜେପି ବାଟ ରୋକିବା ହେଉଛି ତାଙ୍କର ଲକ୍ଷ୍ୟ । ସେହିପରି ବିଏସପି ନେତ୍ରୀ ମାୟାବତୀ କହୁଥିଲେ ପ୍ରଧାନମନ୍ତ୍ରୀ ପଦ ପାଇଁ ସେ ଯୋଗ୍ୟ ନୁହଁନ୍ତି । ଅନେକ ଯୋଗ୍ୟ ବ୍ୟକ୍ତି ଥିବା କଥା ସେ ଦର୍ଶାଉଥିଲେ । ଏବେ ସମସ୍ତେ ନିଜ ନିଜ ମତ ବଦଳାଇବା ଆରମ୍ଭ କରିଛନ୍ତି । କଂଗ୍ରେସ ନେତା ଗୁଲାମନବୀ ଆଜାଦ କହିଛନ୍ତି ପ୍ରଧାନମନ୍ତ୍ରୀ ପଦ ପାଇଁ କଂଗ୍ରେସର କୌଣସି ଇଚ୍ଛା ନାହିଁ କହିବା ଠିକ ନୁହେଁ । କଂଗ୍ରେସ ସବୁଠାରୁ ବଡ଼ ରାଜନୈତିକ ଦଳ । ୫ ବର୍ଷ ଧରି ସୁରୁଖୁରୁରେ ସ୍ଥିର ସରକାର ଚଳାଇବା ପାଇଁ କଂଗ୍ରେସ ଭଳି ବଡ଼ ଦଳକୁ ସୁଯୋଗ ମିଳିବା ଉଚିତ । ସବୁଠାରୁ ବଡ଼ ଦଳକୁ ନେତୃତ୍ୱ ଦେବାର ସୁଯୋଗ ଦିଆଯିବା ଦରକାର । ହେଲେ ନିର୍ବାଚନର ଘଡ଼ିସନ୍ଧି ମୁହୂର୍ତ୍ତରେ ପ୍ରଧାନମନ୍ତ୍ରୀ ପଦ ପାଇଁ ବର୍ତ୍ତମାନ ସମୟରେ କୌଣସି ବିବାଦ ଉଠିବା ଠିକ ନୁହେଁ । ସମସ୍ତଙ୍କର ସହମତିରେ ପ୍ରଧାନମନ୍ତ୍ରୀ ପଦ ପାଇଁ ନିର୍ଣ୍ଣୟ ନିଆଯିବ । କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ପ୍ରଧାନମନ୍ତ୍ରୀ ପଦ ପାଇଁ ଯୋଗ୍ୟ ପ୍ରାର୍ଥୀ ବୋଲି ଗୁଲାମନବୀ କହିଛନ୍ତି ।
ଗୁଲାମନବୀ ତାଙ୍କ ଦାବିକୁ ଅଧିକ ସ୍ପଷ୍ଟ କରିବାକୁ ଯାଇ କହିଛନ୍ତି ଭାରତୀୟ ରାଜନୀତିର ଇତିହାସ ଦେଖିଲେ ଛୋଟ ଦଳ ସରକାର ଗଢ଼ିଲେ ବର୍ଷେ କି ଦୁଇବର୍ଷ ତିଷ୍ଠି ପାରିଛି । ଛୋଟ ଦଳ ସ୍ଥିର ସରକାର ଦେଇ ପାରିନାହାଁନ୍ତି । ମୋଦି ସରକାରଙ୍କଠାରୁ ଭଲ ସରକାର ଚଳାଇବାର କ୍ଷମତା କେବଳ କଂଗ୍ରେସ ପାଖରେ ରହିଛି । ସମସ୍ତଙ୍କର ସହଯୋଗରେ ହିଁ ଉଚିତ ନିର୍ଣ୍ଣୟ ନିଆଯାଇ ପାରିବ । ଏନଡିଏ ସରକାରକୁ ରୋକିବା ପାଇଁ କେବଳ କଂଗ୍ରେସ ହିଁ ସକ୍ଷମ ବୋଲି ଗୁଲାମନବୀ କହିଛନ୍ତି । କିନ୍ତୁ ପୂର୍ବରୁ ଗୁଲାମନବୀ କହିଥିଲେ ପ୍ରଧାନମନ୍ତ୍ରୀ ପଦ ଛାଡ଼ିବାକୁ କଂଗ୍ରେସ ପ୍ରସ୍ତୁତ ଅଛି । ମେଣ୍ଟ ସରକାରରେ କଂଗ୍ରେସ ପ୍ରଧାନମନ୍ତ୍ରୀ ପଦ ନ ପାଇଲେ ବି କୌଣସି ସମସ୍ୟା ନାହିଁ । ହେଲେ ତାଙ୍କ ମତ ଆଜି ବଦଳିଯାଇଛି ।
ବିଏସପି ନେତ୍ରୀ ମାୟାବତୀ ପ୍ରଧାନମନ୍ତ୍ରୀ ପଦବୀ ପାଇଁ ଦାବିଦାର ନେଇ କହିଛନ୍ତି, ଯଦି ବିକାଶକୁ ଦେଖାଯାଏ ତେବେ ଉତ୍ତରପ୍ରଦେଶର ବିକାଶ କିଭଳି ସେ କରିଛନ୍ତି ତାହା ସାରା ଦେଶବାସୀଙ୍କୁ ଜଣା । ଏପରି କି ଲକ୍ଷେ୍ମାର ସୌନ୍ଦର୍ଯ୍ୟକରଣ ଦେଶର ଏକ ନୂଆ ଅଧ୍ୟାୟ ସୃଷ୍ଟି କରିପାରିଛି । ଏହାକୁ ଦେଖିବା ପରେ ଦେଶବାସୀ ତାଙ୍କୁ ପ୍ରଧାନମନ୍ତ୍ରୀ ଭାବେ ଦେଖିବାକୁ ଚାହୁଁଛନ୍ତି ବୋଲି ମାୟାବଦୀ ଦାବି କରିଛନ୍ତି । ସେ ୪ ଥର ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଇବା ସମୟରେ ତାଙ୍କ ଛବିରେ କୌଣସି ଦାଗ ଲାଗି ନ ଥିବା ସେ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି । ତାଙ୍କ ଶାସନ ସମୟରେ ଉତ୍ତରପ୍ରଦେଶର ଆଇନଶୃଙ୍ଖଳାସ୍ଥିତି ସବୁଠାରୁ ଭଲ ରହିଥିଲା । ଯେତେବେଳେ ଗୁୁଜୁରାଟରେ ମୁଖ୍ୟମନ୍ତ୍ରୀଭାବେ ପ୍ରଧାନମନ୍ତ୍ରୀ ମୋଦି ଥିଲେ ସେ ସମୟରେ ସେଠାରେ ଦଙ୍ଗା ସୃଷ୍ଟି ହୋଇଥିଲା । ଯାହା ଦେଶର ଇତିହାସରେ ଏକ କଳଙ୍କିତ ଅଧ୍ୟାୟ ହୋଇ ରହିଛି । ଗୁଜୁରାଟରେ ଥିବା ବେଳେ ମୋଦି ଫେଲ ମାରିଥିବାରୁ ପ୍ରଧାନମନ୍ତ୍ରୀ ଭାବେ ମଧ୍ୟ ସେ ସମ୍ପୂର୍ଣ୍ଣ ଫେଲ ମାରିଛନ୍ତି ବୋଲି ମାୟାବତୀ କହିଛନ୍ତି ।
ବିଜେପି ବିରୋଧୀ ମେଣ୍ଟରେ ବିଜେଡି ଏଯାଏଁ ସାମିଲ ହୋଇ ନ ଥିଲେ ବି ପ୍ରଧାନମନ୍ତ୍ରୀ ପଦ ପାଇଁ ନବୀନ ଜଣେ ଯୋଗ୍ୟ ବ୍ୟକ୍ତି ବୋଲି ଦଳର ଉପସଭାପତି ତଥା ମନ୍ତ୍ରୀ ସୂର୍ଯ୍ୟନାରାୟଣ ପାତ୍ର ଦାବି କରିଛନ୍ତି ।

Leave A Reply

Your email address will not be published.