OnaKhabar

ପୁରୀ ଜିଲ୍ଲାର ବାତ୍ୟା କ୍ଷତିଗ୍ରସ୍ତ ୬ଟି ବ୍ଲକ୍ ଅଂଚଳରେ ସ୍ୱାସ୍ଥ୍ୟସେବାର ସ୍ଥିତି ପରଖିଲେ ବିଭାଗର ବରିଷ୍ଠ ଅଧିକାରୀ

0 10

ଭୁବନେଶ୍ୱର : ବାତ୍ୟା କ୍ଷତିଗ୍ରସ୍ତ ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକର ବିଭିନ୍ନ ଗାଁରେ ସ୍ୱାସ୍ଥ୍ୟସେବାର ସ୍ଥିତି ପରଖିଛନ୍ତି ବିଭାଗର କମିଶନର ତଥା ଶାସନ ସଚିବ ଡାକ୍ତର ପ୍ରମୋଦ କୁମାର ମେହେର୍ଦ୍ଦା । ଗାଁରେ ଥିବା ଆଶାର୍କମୀଙ୍କ ସହିତ ଆଲୋଚନା କରି ଔଷଧ ବିତରଣ, ଓ ପରିମଳ ସଂକ୍ରାନ୍ତରେ ଅନୁଧ୍ୟାନ ସହିତ ଘରକୁ ଘର ବୁଲି ଲୋକଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଛନ୍ତି। ବାତ୍ୟା ପରବର୍ତ୍ତୀ ସ୍ୱାସ୍ଥ୍ୟସେବା ଉପରେ ବିଭାଗ ପକ୍ଷରୁ ଗୁରୁତ୍ୱ ଦିଆଯିବା ସହିତ ଯେଭଳି କୌଣସି ସ୍ଥାନରେ ମହାମାରୀ ନବ୍ୟାପିବ ସେଥିପାଇଁ ଯଥେଷ୍ଟ ଧ୍ୟାନ ଦିଆଯାଉଛି । ଲୋକଙ୍କୁ ବିଶୁଦ୍ଧ ଜଳଯୋଗାଣ ସହିତ ଗାଁ ପରିମଳ କ୍ଷେତ୍ରରେ କାର‌୍ୟ୍ୟ କରିବାପାଇଁ ଗାଁ କଲ୍ୟାଣ ସମିତି ଠାରୁ ଆରମ୍ଭକରି ସ୍ୱାସ୍ଥ୍ୟ ବିଭାଗର କ୍ଷେତ୍ରସ୍ତରୀୟ କର୍ମଚାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି।
ତଳ ସ୍ତରରେ କାର‌୍ୟ୍ୟ କିଭଳି ଚାଲିଛି ତାହାର ତଦାରଖ ଲାଗି ଆଜି ଖୋଦ୍‍ ଶାସନ ସଚିବଙ୍କ ସହିତ ସ୍ୱାସ୍ଥ୍ୟ ମିଶନ ନିର୍ଦ୍ଦେଶିକା ଶାଳିନୀ ପଣ୍ଡିତ ମଧ୍ୟ କୃଷ୍ଣପ୍ରସାଦ ବ୍ଲକ ଗସ୍ତରେ ଅଛନ୍ତି । ଶ୍ରୀମତୀ ପଣ୍ଡିତ ଘରକୁ ଘର ବୁଲି ଲୋକଙ୍କ ସ୍ୱାସ୍ଥ୍ୟବସ୍ଥା ପଚାରି ବୁଝିବା ସହିତ ସେମାନଙ୍କୁ ଜଳ ବିଶୋଧନ କରୁଥିବା ହାଲୋଜେନ୍‍ ବଟିକା, ଓଆରଏସ୍‍ ପ୍ୟାକେଟ୍‍ ସହିତ ଜିଙ୍କ୍‍ ଓ କ୍ଲୋରିନ୍‍ ବଟିକା ଆଦି ବଣ୍ଟନ କରିଛନ୍ତି । ସେହିପରି ବ୍ରହ୍ମଗିରିକୁ ସ୍ୱାସ୍ଥ୍ୟ ବିଭାଗର ଯୁଗ୍ମ ସଚିବ ମାନସ ପାଢୀ ଓ ଉପ ସଚିବ ରାଜେଶ ଅଗ୍ରୱାଲ , ସତ୍ୟବାଦୀ ବ୍ଲକକୁ ବିଭାଗର ଯୁଗ୍ମ ସଚିବ ୟାମିନୀ ଷଡଙ୍ଗୀ ଓ ଉପସଚିବ ଦୁର୍ଗେଶ ନନ୍ଦିନୀ ସାହୁ, କଣାସ ବ୍ଲକକୁ ଉପ ସଚିବ ଜସ୍ମିନ ପଟ୍ଟନାୟକ ଓ ସ୍ୱତନ୍ତ୍ର ଶରତ ମିଶ୍ର ଏବଂ ଗୋପ ବ୍ଲକକ ଯୁଗ୍ମ ସଚିବ ସ୍ମିତା ବିଶ୍ୱାଳ ଓ ଉପ ସଚିବ ମମତା ବାରିକ ଯାଇଛନ୍ତି । ବିଭିନ୍ନ ବ୍ଲକରେ ସ୍ୱାସ୍ଥ୍ୟସେବା ଅନୁଧ୍ୟାନ ପାଇଁ ଯାଇଥିବା ବେଳେ ଡାକ୍ତରୀଦଳ ମଧ୍ୟ ଯାଇଛନ୍ତି । ଏହି ଟିମ୍ କ୍ଷେତ୍ର ସ୍ଥଳକୁ ଯାଇ ବାତ୍ୟା ପରବର୍ତୀ ସ୍ଥିତିରେ ଲୋକେ କିଭଳି ସ୍ୱାସ୍ଥ୍ୟସେବା ପାଉଛନ୍ତି ତାହାର ଅନୁଧ୍ୟାନ କରିଛନ୍ତି । ବିଶେଷକରି ବାତ୍ୟାପରେ ଲୋକଙ୍କୁ ଆବଶ୍ୟକ ମୁତାବକ ଔଷଧ, ପ୍ରସୂତୀଙ୍କୁ ଆବଶ୍ୟକ ଚିକିତ୍ସା, ଜଳ ବିଶୋଧନ ସହିତ ମହାମାରୀ ନବ୍ୟାପିବା ପାଇଁ ବିଭାଗ ପକ୍ଷରୁ ଜାରି ସର୍ତକତା କିଭଳି କାର୍ଯ୍ୟକାରୀ ହେଉଛି ତାହା ଲୋକଙ୍କ ଠାରୁ ବୁଝିଛନ୍ତି । ସେହିଭଳି ବାତ୍ୟା ପରବର୍ତୀ ସମୟରେ ଲୋକଙ୍କୁ ସ୍ୱାସ୍ଥ୍ୟସେବା ସଂକ୍ରାନ୍ତରେ କିଭଳି ସଚେତନ କରାଯାଉଛି ତାହାର ସ୍ଥିତି
ମଧ୍ୟ ପରଖିଛନ୍ତି । ବାତ୍ୟାଞ୍ଚଳରେ ୨୯ଲକ୍ଷ ଓଆରଏସ୍‍ ପ୍ୟାକେଟ୍‍ ଓ ୨୪ଲକ୍ଷ ହାଲୋଜେନ୍‍ ବଟିକା ବଣ୍ଟନ ଲାଗି ଯୋଗାଇ ଦିଆଯାଇଛି । ସେଗୁଡିକ ଲୋକଙ୍କ ନିକଟରେ କିଭଳି ଭାବେ ପହଞ୍ଚିଛି ଖୋଦ୍‍ ସଚିବ ଓ ବରିଷ୍ଠ ଅଧିକାରୀମାନେ ଆଜି ତାହା ଦେଖିଥିଲେ । ସେହିଭଳି ବାତ୍ୟାରେ ୧୦୩୨ ଟି ସ୍ୱାସ୍ଥ୍ୟ ଅନୁଷ୍ଠାନ କ୍ଷତିଗ୍ରସ୍ତ ହୋଇଥିବାବେଳେ ସେଥିରୁ ତିନିଶହରୁ ଅଧିକକୁ ବିଭାଗ ପକ୍ଷରୁ ଯୁଦ୍ଧକାଳୀନ ଭିତରେ ବ୍ୟବହାର ଉପଯୋଗୀ କରାଯାଇ ପାରିଛି । ବାତ୍ୟା ପ୍ରପୀଡିତଙ୍କ ପାଇଁ ୭୦୩ଟି ମେଡିକାଲ ରିଲିଫ ସେଣ୍ଟ (ଏମ୍‍ଆରସି)ଖୋଲା ଯାଇଥିବାବେଳେ ୧୦ହଜାରରୁ ଅଧିକ ଆହତଙ୍କୁ ଚିକିତ୍ସା ଯୋଗାଇ ଦିଆଯାଇଛି । ସେହିଭଳି କ୍ଷତିଗ୍ରସ୍ତ ଅଞ୍ଚଳରେ ୧୮୪ଟି ମେଡିକାଲ ଟିମ୍‍ ମୁତୟନ ହୋଇଥିବାବେଳେ ପୁରୀ ଓ ଖୋରଧା ଜିଲ୍ଲାର ବିଭିନ୍ନ ବ୍ଲକରେ ଆଉ ୨୦ଜଣ ଡାକ୍ତର ଓ ୨୦୦ ବହୁମୁଖୀ ସ୍ୱାସ୍ଥ୍ୟକର୍ମୀଙ୍କୁ ମୁତୟନ କରାଯାଇଛି । ଏଥିପାଇଁ ବିଭିନ୍ନ ଜିଲ୍ଲାରୁ ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀମାନଙ୍କୁ ଅଣାଯାଇଛି ।

Leave A Reply

Your email address will not be published.