OnaKhabar

ସେବା ମନୋଭାବ ଯୋଗୁଁ ବାତ୍ୟା ମୁହଁରୁ ବଂଚିଲେ ୨୨ ଶିଶୁ

54

ଭୁବନେଶ୍ୱର : କ୍ୟାପିଟାଲ ହସ୍ପିଟାଲର ଡାକ୍ତର, ସେବିକା ଓ ସହାୟକମାନଙ୍କ ଅଦ୍ୟମ ସାହସ ଯୋଗୁଁ ବାତ୍ୟା ଫନି ମୁହଁରୁ ୨୨ଜଣ
ନବଜାତକ ବଂଚି ଯାଇଛନ୍ତି । ଚଳିତମାସ ୩ ତାରିଖ ଦିନ ୧୨ଟା ୩୦ରେ ବାତ୍ୟା ଫନି ସମଗ୍ର ରାଜଧାନୀରେ
ଧ୍ୱଂସର ତାଣ୍ଡବ ଚଳାଇବାଥିବାବେଳେ ଡାକ୍ତରଖାନା ଶିଶୁ ବିଭାଗର ଏସ୍ଏନସିୟୁଟି ମଧ୍ୟ ବାତ୍ୟା ପ୍ରକୋପରୁ ରକ୍ଷା
ପାଇନଥିଲା । ପ୍ରଖର ପବନରେ ଏହାର ସିଲିଂ ଗୁଡିକ ଭାଙ୍ଗିରୁଜି ଯାଇଥିଲା । ବିଦ୍ୟୁତ୍ ସାଜ ସରଞ୍ଜାମ ସହିତ ସିଲିଂ
ଗୁଡିକ ତଳେ ଥିବା ନବଜାତକମାନଙ୍କ ଉପରକୁ ପଡିବା ଆରମ୍ଭ କରିବା ମାତ୍ରେ ସେଠାରେ ଉପସ୍ଥିତ କର୍ମଚାରୀମାନେ
ନିଜ ଜୀବନକୁ ବାଜି ଲଗାଇ ଶିଶୁମାନଙ୍କୁ ଉଠାଇ ଜାବୁଡି ଧରିଥିଲେ । ଏଥି ସହିତ ଉପସ୍ଥିତ ବୁଦ୍ଧି ଖଟାଇ
ଇନକ୍ୟୁବେଟରୁ ତୁରନ୍ତ ବିଦ୍ୟୁତ ସଂଯୋଗ କାଟି ଦେବାରୁ ସେଥିରେ ଥିବା ନବଜାତକମାନେ ମଧ୍ୟ ରକ୍ଷାପାଇ
ଯାଇଥିଲେ ।
ଏସ୍ଏନସିୟୁଟି ବାତ୍ୟା ମାଡରେ ଚୂରମାର ହୋଇଯାଇଥିବାବେଳେ ଶିଶୁମାନଙ୍କ ଜୀବନ କିନ୍ତୁ ବଂଚି ଯାଇଥିଲା ।
ଯେତେବେଳେ ବାତ୍ୟାର ପ୍ରକୋପକୁ ଦେଖି ଶିଶୁଙ୍କ ପିତାମାତା ଓ ଅନ୍ୟ ଲୋକେ ଆତଙ୍କିତ ହେବା ସହିତ ନିଜ
ଜୀବନ ବଂଚାଇବାପାଇଁ ଉଦ୍ୟମ ଚଳାଇଥିଲେ ସେତେବେଳେ ଏସ୍ଏନସିୟୁରେ କର୍ତବ୍ୟରତ ଡାକ୍ତର, ସେବିକା ଓ
ସହାୟିକାମାନେ କିନ୍ତୁ ଶିଶୁଙ୍କ ପାଇଁ ନିଜ ଜୀବନକୁ ବାଜି ଲଗାଇ ଦେଇଥିଲେ । ବାତ୍ୟା ମାଡରେ ମୁଣ୍ଡ ଉପରୁ ବଡ
ବଡ ସିଲିଂ ଖଣ୍ଡ ସହିତ ବିଦ୍ୟୁତ ସାଜ ସରଞ୍ଜାମ ପଡିବାକୁ ଖାତିର ନକରି ସେବାକୁ ପ୍ରାଥମିକତା ଦେଇ ସେମାନେ
ଶିଶୁଙ୍କ ଅମୂଲ୍ୟ ଜୀବନ ବଂଚାଇ ପାରିଛନ୍ତି । କ୍ୟାପିଟାଲ ହସ୍ପିଟାଲ ଡାକ୍ତର, ସେବିକା ଓ ସହାୟିକାମାନଙ୍କ ଏଭଳି
ସାହସିକ କାର୍ଯ୍ୟ ଓ ସେବା ମନୋବୃତିକୁ ସବୁଆଡୁ ପ୍ରଶଂସାର ସୁଅ ଛୁଟିଛି ।