OnaKhabar

ପାଟକୁରା ନିର୍ବାଚନ ୨ ମାସ ଘୁଞ୍ଚିବା ନେଇ ବିଜୟଙ୍କ ସମାଲୋଚନା, କହିଲେ ଆରମ୍ଭରୁ ଚାଲିଥିଲା ଷଡ଼ଯନ୍ତ୍ର

0 8

କେନ୍ଦ୍ରାପଡ଼ା, ୭ା୫/ଏନ୍ଏନ୍ଏସ୍: ଓଡିଶାରେ ଫାନୀ ବାତ୍ୟା କ୍ଷତିକରିଛି । ତେବେ ପୁରୀ,ଖୋର୍ଦ୍ଧା, ଜଗତସିଂହପୁର,କଟକ ଓ ଭୁବନେଶ୍ୱର ତୁଳନାରେ କେନ୍ଦ୍ରାପଡାରେ କ୍ଷତି କମ୍ ହୋଇଛି । ବାତ୍ୟାପରେ ପାଟକୁରାରେ ଜୀବନଯାତ୍ରା ସ୍ୱାଭାବିକ ରହିଥିବାବେଳେ ନିର୍ବାଚନ କରାଇବାରେ କିଛି ବାଧା ନଥିଲା ବୋଲି ବରିଷ୍ଠ ରାଜନେତା ବିଜୟ ମହାପାତ୍ର  ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି ।

 

ଶ୍ରୀ ମହାପାତ୍ର ଅଭିଯୋଗ କରିଛନ୍ତି, ପାଟକୁରାରେ ନିର୍ବାଚନ କରାଇନଦେବାକୁ ଷଡଯନ୍ତ୍ରକାରୀମାନେ ନିର୍ବାଚନ କମିଶନଙ୍କୁ ଭୁଲ ତଥ୍ୟ ଦେଇ ସେଥିରେ ସଫଳ ହୋଇଛନ୍ତି । ଅତୀତରେ ଯେତେ ରାଜ୍ୟରେ ନିର୍ବାଚନ ଘୁଞ୍ଚିଛି, ତାକୁ ଅନୁଧ୍ୟାନକଲେ ପାଟକୁରାରେ ଦୁଇମାସ ନିର୍ବାଚନ ଘୁଞ୍ଚିବା ସାରା ଭାରତରେ ବିରଳ ଓ ପ୍ରଥମ ଘଟଣା ବୋଲି ସେ କହିଛନ୍ତି   । ପାଟକୁରା ନିର୍ବାଚନକୁ ଘୁଞ୍ଚାଯିବା ସଂପର୍କରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରି ଶ୍ରୀ ମହାପାତ୍ର କହିଛନ୍ତି, ମୂଳରୁ ପାଟକୁରା ନିର୍ବାଚନକୁ ଘୁଞ୍ଚାଇବାକୁ ଷଡଯନ୍ତ୍ର କରାଯାଇଥିଲା । ନିର୍ବାଚନ କରାଇନଦେବାକୁ ଯେଉଁ ମାନସିକତା ରହିଥିଲା ଏବେ ସେଥିରେ  ସେମାନେ ସଫଳ ହୋଇଛନ୍ତି । ସରକାରୀ କର୍ମଚାରୀଙ୍କୁ ପ୍ରଭାବିତ କରାଯାଇଥିବା ସଂପର୍କରେ ଅଭିଯୋଗ କରିବା ସହିତ ସେମାନଙ୍କ ମାଧ୍ୟମରେ ମିଥ୍ୟା ରିପୋର୍ଟ ନିର୍ବାଚନ କମିଶନଙ୍କୁ ପ୍ରଦାନ କରାଯାଇଛି । ପାଟକୁରାରେ ନିର୍ବାଚନ କରିବା ସମ୍ଭବ ନୁହେଁ, ଏ ସଂପର୍କରେ କିଏ ସୁପାରିସ କଲା ଏହା ଜାଣିବାର ଅଧିକାର ସମସ୍ତଙ୍କର ଅଛି ବୋଲି ସେ ପ୍ରକାଶ କରିଥିଲେ । ଏହା ଗୁପ୍ତ ଦଲିଲ ନୁହେଁ, ସର୍ବସାଧାରଣରେ ଏହା ପ୍ରକାଶ କରାଯାଉ ବୋଲି ସେ ଦାବି କରିଥିଲେ । ପାଟକୁରା ନିର୍ବାଚନ ଘୁଞ୍ଚିବାକୁ ନେଇ ବିଜୟ ସିଧାସଳଖ ମୁଖ୍ୟମନ୍ତ୍ରୀଙ୍କୁ ଦାୟୀ କରିବା ସହିତ ଗୋଟିଏ ବିଧାନସଭା ନିର୍ବାଚନ ଘୁଞ୍ଚାଇବାକୁ ମୁଖ୍ୟମନ୍ତ୍ରୀ ବାତ୍ୟା ପୂର୍ବରୁ ଦିଲ୍ଲୀ ଯିବା ମଧ୍ୟ ଭାରତର ପ୍ରଥମ ଘଟଣା ଥିଲା ବୋଲି ସେ କହିଥିଲେ ।

ତେବେ ତାଙ୍କ ସହ ଥିବା ଶତ୍ରୁତା ପାଇଁ ସମଗ୍ର ପାଟକୁରାବାସୀଙ୍କୁ ମତଦାନରୁ ବଞ୍ଚିତ କରାଯିବାକୁ ସେ ନାପସନ୍ଦ କରିଥିଲେ । ବିଜୟ କହିଥିଲେ, ଆସନ୍ତା ୨୩ ତାରିଖରେ ନୂଆ ବିଧାନସଭା ଗଠନ ହେବ, ୧୪୬ ବିଧାୟକ ଶପଥ ନେବେ । ତେବେ ଏଥିରେ ପାଟକୁରା ପ୍ରତିନିଧି ବିଧାୟକଙ୍କୁ କାହିଁକି ବଞ୍ଚିତ କରାଯିବ ସେ ସଂପର୍କରେ ରାଜ୍ୟ ସରକାର ଉତ୍ତର ରଖିବା ଉଚିତ । ଦୁଇମାସ ପରେ ମଧ୍ୟ ପୁଣି କୌଣସି ଘଟଣାକୁ ଆଳକରି ନିର୍ବାଚନ ଘୁଞ୍ଚାଇ ଦେଇପାରିବେ । ଏହାକୁ ନେଇ ଲୋକଙ୍କ ମଧ୍ୟରେ ପ୍ରତିକ୍ରିୟା ସୃଷ୍ଟି ହେଲାଣି କହି ସେ ସତର୍କ କରାଇଦେଇଥିଲେ । ତେବେ ପାଟକୁରାରେ ନିର୍ବାଚନ କରାଇଦେବାକୁ ଚାହୁଁନଥିବା ନେତାଙ୍କ ମନରେ ଅହଂକାର ରହିଛି । ଏହି ଅହଂକାରରୁ ଦୂରେଇ ନଗଲେ ଚରମ କ୍ଷତିଗ୍ରସ୍ତ ହେବେ ବୋଲି ସେ ଚେତାଇ ଦେଇଥିଲେ । ଜିଲ୍ଲାରେ ତିନିଦିନର ରିଲିଫ ମଧ୍ୟ ସବୁଆଡେ ପହଞ୍ଚିନଥିବା ସଂପର୍କରେ ଅଭିଯୋଗ କରିବା ସହିତ ସିଭିୟର ବାତ୍ୟାରେ କ’ଣ ମାତ୍ର ତିନିଦିନ ରିଲିଫ ଦିଆଯାଏ ବୋଲି ସେ ପ୍ରଶ୍ନ କରିଥିଲେ । ଏଥି ସହିତ  ପାଟକୁରାରେ ତୁରନ୍ତ ନିର୍ବାଚନ କରାଯିବାକୁ ଦାବି କରି ବିଜେପି ପକ୍ଷରୁ ପାଟକୁରା ସ୍ଥିତିକୁ ନେଇ ରିପୋର୍ଟ ନିର୍ବାଚନ କମିଶନଙ୍କୁ ପ୍ରଦାନ କରାଯିବ ବୋଲି ସେ କହିଛନ୍ତି ।

Leave A Reply

Your email address will not be published.