OnaKhabar

ପୁରୀରେ ଲ୍ୟାଣ୍ଡଫଲ କରିପାରେ ‘ଫନି’

44

ଭୁବନେଶ୍ୱର: ରାଜ୍ୟକୁ ଗୋଟେ ପରେ ପ୍ରାକୃତିକ ବିପର୍ଯ୍ୟୟ ଆସୁଥିବାର ଦେଖିବାକୁ ମିଳୁଛି | କିଛି ମାସ ପୂର୍ବରୁ ତିତଲି ଆସି ରାଜ୍ୟରେ କେତେକ ସ୍ଥାନରେ କ୍ଷଯକ୍ଷତି କରିଥିବା ବେଳେ ଏଥର ପୁଣି ରାଜ୍ୟକୁ ମାଡି ଆସୁଛି ‘ଫନି’ | ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ‘ଫନି’ ଆଜି ସକାଳେ ସିଭିୟର ସାଇକ୍ଲୋନ୍‌ରୁ ଭେରି ସିଭିୟର୍‌ ସାଇକ୍ଲୋନ୍‌ର ରୂପ ନେଇ ସାରିଥିବା ଜଣାପଡିଛି | ତେବେ ଏହି ‘ଫନି’ କେଉଁଠି ଲ୍ୟାଣ୍ଡଫଲ୍ କରିବ, ତାହା ବର୍ତ୍ତମାନ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ । ତେବେ ଏହା ପୁରୀ ନିକଟରେ କେଉଁଠି ଲ୍ୟାଣ୍ଡଫଲ୍ କରିପାରେ ବୋଲି ଅନୁମାନ କରାଯାଉଛି । ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି)ର ଏଡିଜି ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି, ୩ ତାରିଖ ଅପରାହ୍ଣରେ ‘ଫନି’ ଲ୍ୟାଣ୍ଡଫଲ୍‌ କରିବ ବୋଲି ଆକଳନ କରାଯାଉଛି । ପୁରୀ ନିକଟରେ ଏହା ଲ୍ୟାଣ୍ଡଫଲ୍ କରିପାରେ ବୋଲି ଅନୁମାନ କରାଯାଉଛି । ତେବେ ନିର୍ଦ୍ଦିଷ୍ଟ ଭାବେ ଏହା କେଉଁଠି ଓ କେତେବେଳେ ଲ୍ୟାଣ୍ଡଫଲ୍ କରିବ, ତାହା ଆଜି ସନ୍ଧ୍ୟାରେ ସ୍ପଷ୍ଟ ହେବ ବୋଲି ସେ କହିଛନ୍ତି ।
ସେ କହିଛନ୍ତି, ‘ଫନି’ ଏବେ ପୁରୀଠାରୁ ୮୩୦ କିଲୋମିଟର ଦୂରରେ ରହିଛି । ଏହା ପ୍ରଭାବରେ ପ୍ରବଳ ବର୍ଷା ଓ ପବନ ହେବ । ୨ରେ ଉପକୂଳ ଓଡ଼ିଶାରେ ବର୍ଷା ହେବ । ଏହି ଦିନ ୪୦ରୁ ୫୦ କିମି ବେଗରେ ପବନ ବହିବ । କିନ୍ତୁ ୩ ତାରିଖରେ ସାରା ଓଡ଼ିଶାରେ ବର୍ଷା ହେବ । ଆଉ ସେହି ଦିନ ସକାଳେ ପବନର ବେଗ ୬୦ରୁ ୭୦ କିମିକୁ ବଢ଼ିବ । ଅପରାହ୍ନରେ ଏହା ଯେଉଁଠି ଲ୍ୟାଣ୍ଡଫଲ୍ କରିବ ସେଠାରେ ପବନର ବେଗ ଘଣ୍ଟାପ୍ରତି ୧୭୦ରୁ ୧୮୦ କିମି ରହିବ ।

https://www.onakhabar.com/2019/04/centre-announces-advance-assistance-to-four-states-including-odisha-for-fani-storm/