OnaKhabar

‘ଫୋନି’ ପ୍ରଭାବରେ ୨ରୁ ଆରମ୍ଭ ହେବ ବର୍ଷା,ସର୍ତକ କଲା ପାଣିପାଗ ବିଭାଗ

0 36

ଭୁବନେଶ୍ୱର: ‘ଫୋନି’କୁ ନେଇ ମିଳିଲା ସର୍ତକ ସୂଚନା | ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ବାତ୍ୟା ‘ଫୋନି’ ଧୀରେ ଧୀରେ ଶକ୍ତିଶାଳୀ ହେବାରେ ଲାଗିଛି । ଆସନ୍ତା ୩୦ ତାରିଖ ସୁଦ୍ଧା ‘ଫୋନି’ ଅତି ପ୍ରବଳ ବାତ୍ୟାର ରୂପ ନେବ ବୋଲି ସୂଚନା ମିଳିଛି । ଏହାର ପ୍ରଭାବରେ ଓଡ଼ିଶାର ଦକ୍ଷିଣ ଉପକୂଳରେ ୨ରୁ ୩ ତାରିଖ ଯାଏ ବର୍ଷା ହେବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ମେ ୨ରେ ରାୟଗଡ଼ା, ଗଜପତି, ଗଞ୍ଜାମ ଓ କୋରାପୁଟ ଜିଲ୍ଲାରେ ବର୍ଷା ହୋଇପାରେ । ସେହିଭଳି ୩ ତାରିଖରେ ଉପକୂଳ ଓଡ଼ିଶାର କିଛି ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ । ତେଣୁ ସମୁଦ୍ରରେ ଆନ୍ଧ୍ର ଉପକୂଳ ଯାଏ ନ ଯିବାକୁ ମତ୍ସ୍ୟଜୀବୀଙ୍କୁ ସତର୍କ କରି ଦେଇଛି ପାଣିପାଗ କେନ୍ଦ୍ର ।
‘ଫୋନି’କୁ ଦୃଷ୍ଟିରେ ରଖି ସତର୍କ ରହିବାକୁ ରାଜ୍ୟର ସମସ୍ତ ଜିଲ୍ଲାପାଳଙ୍କୁ ସ୍ୱତନ୍ତ୍ର ରିଲିଫ୍‌ କମିଶନର ବିଷ୍ଣୁପଦ ସେଠୀ ଚିଠି ଲେଖିଛନ୍ତି । ସ୍ଥିତି ଉପରେ ନଜର ରଖିବା ସହ ସଜାଗ ରହିବାକୁ ସେ କହିଛନ୍ତି । ଏଥିସହ ସମସ୍ତ ବାତ୍ୟା ଓ ବନ୍ୟା ଆଶ୍ରୟସ୍ଥଳୀ ସହ ଯୋଗାଯୋଗ ବ୍ୟବସ୍ଥାକୁ ଯାଞ୍ଚ କରି ପ୍ରସ୍ତୁତ ରହିବାକୁ ସେ ଚିଠିରେ ଉଲ୍ଲେଖ କରିଛନ୍ତି । ବାତ୍ୟା ‘ଫୋନି’ ଆଜି ଭୋର୍‌ ସାଢେ ୫ଟା ସୁଦ୍ଧା ଚେନ୍ନାଇଠାରୁ ୧୦୫୦ କିଲୋମିଟର ଏବଂ ମଛଲିପଟ୍ଟନମ ଉପକୂଳରୁ ୧୨୩୦କିଲୋମିଟର ଦୂରରେ ରହିଛି । ଆସନ୍ତା ୧୨ ଘଣ୍ଟା ମଧ୍ୟରେ ଏହା ଘନୀଭୂତ ହୋଇ ସିଭିୟର ସାଇକ୍ଲୋନିକ୍ ଷ୍ଟର୍ମ ଏବଂ ତା’ପରବର୍ତ୍ତୀ ୨୪ ଘଣ୍ଟା ମଧ୍ୟରେ ଭେରି ଭେରି ସିଭିୟର ସାଇକ୍ଲୋନିକ ଷ୍ଟର୍ମରେ ପରିଣତ ହେବ । ଆସନ୍ତା ୧ ତାରିଖ ପର୍ଯ୍ୟନ୍ତ ଏହା ଉତ୍ତର-ପଶ୍ଚିମଦିଗକୁ ଗତି କରିବ ଏବଂ ତା’ ପରେ ଉତ୍ତର ପୂର୍ବ-ଦିଗକୁ ବୁଲିଯାଇପାରେ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ।

Leave A Reply

Your email address will not be published.