OnaKhabar

ନବୀନ ଭାବୁଛନ୍ତି “ଦୁନିଆ ମୋଠୁ ଆରମ୍ଭ ଆଉ ମୋଠୁ ଶେଷ”:ଧର୍ମେନ୍ଦ୍ର

0 15

ଭୁବନେଶ୍ୱର (ଓଏନଏ) : ଓଡ଼ିଶାରେ ଶେଷ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜି ସନ୍ଧ୍ୟାରେ ପ୍ରଚାର ଶେଷ ହେଉଛି । ହେଲେ ବିଜେପି-ବିଜେଡି ମଧ୍ୟରେ ଆରୋପ ପ୍ରତ୍ୟାରୋପ ଜୋରଦାର ହେବାରେ ଲାଗିଛି । ବିଜେଡି ପକ୍ଷରୁ ଆଜି ସବୁ ଖବରକାଗଜରେ ପୃଷ୍ଠାପୃଷ୍ଠା ବିଜ୍ଞାପନ ଦିଆଯାଇ “ନବୀନ ଓଡ଼ିଶାର ପରିଚୟ”ବୋଲି ଉଲ୍ଲେଖ କରାଯାଇଛି । ଏହି ବିଜ୍ଞାପନକୁ ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗଣମାଧ୍ୟମରେ ସିଧା ନବୀନଙ୍କୁ ଟାର୍ଗେଟ କରିଛନ୍ତି । ଏହା ସ୍ୱଚ୍ଛାଚାରୀ ଶାସନର ନମୁନା ବୋଲି ଧର୍ମେନ୍ଦ୍ର ଦର୍ଶାଇଛନ୍ତି । ଓଡ଼ିଶାରେ ବିକାଶ ବାଧାପ୍ରାପ୍ତ ହୋଇଥିଲା ବେଳେ ଓ ବିଭିନ୍ନ କ୍ଷେତ୍ରରେ ଓଡ଼ିଶାରେ ପଛରେ ରହିଥିଲା ବେଳେ ନବୀନ ନିଜକୁ ବିକାଶ ପୁୁରୁଷ ବୋଲି କହିବା ଏବଂ ସେ ହେଉଛନ୍ତି ଓଡ଼ିଶାର ପରିଚୟ ବୋଲି ଗର୍ବ କରିବା ଘଟଣା ନିନ୍ଦନୀୟ ବୋଲି ସେ ଉଲ୍ଲେଖ କରିଛନ୍ତି ।
ଏହି ବିଜ୍ଞାପନରେ ଦର୍ଶାଯାଇଛି ‘ମୋ ଓଡ଼ିଶା ବିପର୍ଯ୍ୟୟ ମୁକାବିଲା ପାଇଁ ହେଉଛି ଜାତିସଂଘ ଦ୍ୱାରା ପୁରସ୍କୃତ । ମୋ ଓଡ଼ିଶା ଆଜି ସାରା ଦେଶରେ ଯୋଗାଉଛି ଖାଦ୍ୟ ସୁରକ୍ଷା । ମୋ ଓଡ଼ିଶା କାଳିଆ ଯୋଜନା କରି ସାରା ଦେଶକୁ ଦେଖାଇଛି ବାଟ । ମୋ ଓଡ଼ିଶା ସୃଷ୍ଟି କରିଛି ୪ ଲକ୍ଷ ୫୦ ହଜାର କୋଟି ଟଙ୍କାର ପୁଂଜି ନିବେଶ ଓ ୬ ଲକ୍ଷରୁ ଅଧିକ ନିଯୁକ୍ତି ସୁଯୋଗ । ମୋ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଦେଶର ଶ୍ରେଷ୍ଠ ପ୍ରଶାସକ । ମୋ ଓଡ଼ିଶା ସଫଳତାର ସହ ଆୟୋଜନ କଲା ବିଶ୍ୱକପ ହକି । ମୋ ଓଡ଼ିଶା ଦକ୍ଷତା ବିକାଶରେ ୧ ନମ୍ବର । ମୋ ଓଡ଼ିଶା ମହିଳା ସସକ୍ତିକରଣ ପାଇଁ ପାଇଛି ଜାତିସଂଘ ପୁରସ୍କାର । ମୋ ଓଡ଼ିଶା ଜମି ଅଧିକାର ଦେବାରେ ୧ ନମ୍ବର । ମୋ ଓଡ଼ିଶାର ମୁଖ୍ୟମନ୍ତ୍ରୀ ସାରା ଦେଶର ଆଦର୍ଶ ।’
ଏହି ବିଜ୍ଞାପନକୁ ଆଧାର କରି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସାମ୍ବାଦିକ ସମ୍ମିଳନୀକୁ ସିଧା ବର୍ଷିଛନ୍ତି । ସେ ଏହାକୁ ଦୃଷ୍ଟିରେ ରଖି ଉଲ୍ଲେଖ କରିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ପ୍ରଚାରରେ ସ୍ଲୋଗାନ ଦେଇଛନ୍ତି “ଓଡ଼ିଶାର ପରିଚୟ ନବୀନ” । ଇନ୍ଦିରା ଗାନ୍ଧୀଙ୍କ ଶାସନ ସମୟର ଜରୁରୀକାଳିନୀ ପରିସ୍ଥିତି କଥା ଉଠାଇ ନବୀନଙ୍କୁ କଟାକ୍ଷ କରିଥିଲେ ଧର୍ମେନ୍ଦ୍ର । ୭୦ ଦଶକ ଭଳି ଓଡ଼ିଶାରେ ଏବେ ସ୍ୱେଚ୍ଛାଚାରୀ ଶାସନ ଚାଲିଛି । ଯେତେବେଳେ ପ୍ରଜାତନ୍ତ୍ରରେ ସ୍ୱେଚ୍ଛାଚାରୀ ଶାସନ ଚାଲେ ସିଏ ଭାବେ ଦୁନିଆ ମୋଠାରୁ ଆରମ୍ଭ ଓ ମୋଠାରୁ ଶେଷ । ଏହାର ଉଚିତ ଜବାବ ଓଡ଼ିଶାର ଜନତା ଦେବେ ବୋଲି ଧର୍ମେନ୍ଦ୍ର ଚେତାଇ ଦେଇଛନ୍ତି ।
ନବୀନଙ୍କ ଅପାରଗତା କଥା ଦର୍ଶାଇ ତାର ଜବାବ ମଧ୍ୟ ସେ ମାଗିଛନ୍ତି । ସେ କହିଛନ୍ତି ମୁଖ୍ୟମନ୍ତ୍ରୀ ଦୁଇଟି ଶବ୍ଦ ଶୁଣିଲେ ବିରକ୍ତ ହେଉଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନାମ ଶୁଣିଲେ ତାଙ୍କର ଅସୁବିଧା ହେଉଛି । ଆଉ ପରିବର୍ତ୍ତନ ନାମ ଶୁଣିଲେ ତାଙ୍କ ପାଇଁ ଅସହ୍ୟ ହୋଇପଡୁଛି । ୧୯ ବର୍ଷ ଶାସନରେ ରହିବା ପରେ ମଧ୍ୟ ରାଜନୈତିକ ଇଚ୍ଛାଶକ୍ତି ନଥିବାରୁ ଓଡ଼ିଶା ଆଜି ମାତୃ ମୃତ୍ୟୁ ହାର, କୁପୋଷଣ ଆଦି କ୍ଷେତ୍ରରେ ଦେଶରେ ତଳଆଡୁ ପ୍ରତିଯୋଗିତା କରୁଛି । ୧୯ ବର୍ଷ ଶାସନ ଭିତରେ ରାଜ୍ୟବାସୀଙ୍କ ପାଇଁ କଣ କରିଛନ୍ତି ତାର ହିସାବ ସେ ଦେଉନାହାଁନ୍ତି । ଏପରି କି ଆଗାମୀ ନିର୍ବାଚନ ଜିତିଲେ ୫ ବର୍ଷରେ କଣ କରିବେ ତାହା ବି ସ୍ପଷ୍ଟ କରୁନାହାଁନ୍ତି । ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପ୍ରଚାର ଶେଷ ହେବାକୁ ଆଉ କିଛି ସମୟ ବାକି ରହିଛି । ତେଣୁ ପ୍ରଚାର ଶେଷ ହେବା ପୂର୍ବରୁ ନବୀନଙ୍କୁ ପ୍ରଥମେ ଏହାର ଉତ୍ତର ରଖିବାକୁ ଧର୍ମେନ୍ଦ୍ର ଆହ୍ୱାନ ଦେଇଛନ୍ତି ।
ଧର୍ମେନ୍ଦ୍ର କହିଛନ୍ତି କେନ୍ଦ୍ରାପଡ଼ାରେ ଏବେ ହାଇ ଭୋଲଟେଜ ରାଜନୀତି ଚାଲିଛି । କେନ୍ଦ୍ରାପଡ଼ା ଜନତା ସ୍ଥାଣୁ, ଅପାରଗ ଓ ଦୁର୍ନୀତିଗ୍ରସ୍ତ ନେତାଙ୍କୁ ଉଚିତ ଜବାବ ଦେବେ । ଏହାର ପ୍ରତିଫଳନ ଇତିହାସ ରଚୁ । ବିଜେପି ବିଜୟ ହେବ ବୋଲି ଧର୍ମେନ୍ଦ୍ର ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି । ସେଥିପାଇଁ ବିଚଳିତ ହୋଇ କେନ୍ଦ୍ରାପଡ଼ାରେ ନବୀନ ଦଳବଳ ନେଇ ଡେରା ପକାଇଛନ୍ତି । ଏଣୁ ପ୍ରଚାର ସରିବା ପୂର୍ବରୁ ପ୍ରଥମେ ସେ କଣ କରିଛନ୍ତି ଓ କଣ ଆଗକୁ କଣ କରିବେ ତାର ହିସାବ ଦେବାକୁ ଧର୍ମେନ୍ଦ୍ର ଦାବି କରିଛନ୍ତି ।

Leave A Reply

Your email address will not be published.