OnaKhabar

ଆଇଏସକୁ ଶ୍ରୀଲଙ୍କାର କଡା ଜବାବ, ନିପାତ ହେଲେ ୧୫ ଆତଙ୍କବାଦୀ

0 13

କଲମ୍ବୋ : ଶ୍ରୀଲଙ୍କାରେ ଇଷ୍ଟର ଦିନ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ସାମିଲ ଥିବା ଆତଙ୍କବାଦୀଙ୍କ ଘରେ ପଶି ଶ୍ରୀଲଙ୍କା ସେନା ୧୫ ଜଣଙ୍କ ଶବ ଉଦ୍ଧାର କରିଛି । ସେମାନଙ୍କ ମଧ୍ୟରୁ ୩ ଜଣ ସନ୍ଦିଗ୍ଧ ଆତଙ୍କବାଦୀ ବୋଲି କୁହାଯାଉଛି । ପୁଲିସ କହିବା ଅନୁଯାୟୀ, କିଛି ଆତଙ୍କୀ ନିଜକୁ ବିସ୍ଫୋଟକ ସାହାଯ୍ୟରେ ଉଡାଇ ଦେଇଛନ୍ତି ।
ଶ୍ରୀଲଙ୍କାର ଇଷ୍ଟ କୋଷ୍ଟ ଅଂଚଳରେ ଗତକାଲି ରାତିରେ ଏକ ଘରେ ଆତଙ୍କୀ ଲୁଚିଥିବା ସୂଚନା ମିଳିଥିଲା । ଏହା ପରେ ସର୍ଚ୍ଚ ଅପରେଶନ କରାଯାଇଥିଲା । ଫଳରେ ଏହି ସମୟରେ ଆତଙ୍କୀମାନେ ସେନା ଉପରକୁ ଗୁଳି ଚାଳନା କରିଥୀଲେ । ସେନା ଏହାପରେ ପାଲଟା ଆକ୍ରମଣ କରିଥିଲା । ଏହି ଗୁଳିବିନିମୟରେ ୧୫ ଜଣ ଆତଙ୍କୀ ସଫା ହୋଇଛନ୍ତି । ସେମାନଙ୍କ ମଧ୍ୟରେ ୬ଜଣ ଶିଶୁ ସାମିଲ ଅଛନ୍ତି । ସୈନ୍ୟ ପ୍ରବକ୍ତା ଅଟ୍ଟାପଟୂ ଏହି ବିଷୟରେ ସୂଚନା ଦେଇଛନ୍ତି ।

ଶ୍ରୀଲଙ୍କାର ରାଷ୍ଟ୍ରପତି ମୈତ୍ରିପାଲା ସିରିସେନା କହିଛନ୍ତି ଆତଙ୍କୀ ସଂଗଠନ ଆଇଏସ୍ ସହ ସମ୍ପର୍କ ଥିବା ୧୩୦ ଜଣ ସନ୍ଦିଗ୍ଧଙ୍କ ସୁରାକ ମିଳିଛି । କଲମ୍ବୋରେ ଇଷ୍ଟର ପାଳନ ସମୟରେ ୮ଟି ସ୍ଥାନରେ ଘଟିଥିବା ସିରିଜ୍ ବିସ୍ଫୋରଣ ପାଇଁ ଏହି ଆତଙ୍କୀ ସଂଗଠନ ନିଜକୁ ଦାୟୀ କରିଛି । ସେ ଶୁକ୍ରବାର ଏଠାରେ କହିଛନ୍ତି, ଇତିମଧ୍ୟରେ ଅନେକ ସନ୍ଦିଗ୍ଧଙ୍କୁ ଗିରଫ କରାଗଲାଣି । ଶ୍ରୀଲଙ୍କାରୁ ଆତଙ୍କୀ ନେଟ୍ୱର୍କ ସମ୍ପୂର୍ଣ୍ଣ ଧ୍ୱଂସ କରିବାକୁ ପଡ଼ିବ । ବର୍ତ୍ତମାନ ସୁଦ୍ଧା ଯେତିକି ସୂଚନା ଅଛି, ପ୍ରାୟ ୧୩୦-୧୪୦ ସନ୍ଦିଗ୍ଧ ଆଇଏସ୍ ଆତଙ୍କୀ ଶ୍ରୀଲଙ୍କାରେ ଥିଲାବେଳେ ସେମାନଙ୍କ ମଧ୍ୟରୁ ପ୍ରାୟ ୭୦ ଜଣଙ୍କୁ ଗିରଫ କରାଗଲାଣି । ଅନ୍ୟମାନଙ୍କୁ ଖୁବ୍ ଶୀଘ୍ର ଗିରଫ କରାଯିବ । ସିରିସେନା ଆହୁରି କହିଛନ୍ତି, ପ୍ରତିରକ୍ଷା ସଚିବ ଓ ପୁଲିସ ଆଇଜି ସେମାନଙ୍କ କର୍ତ୍ତବ୍ୟ ପାଳନରେ ବିଫଳ ହୋଇଛନ୍ତି । ସେଥିପାଇଁ ସେମାନଙ୍କୁ ଇସ୍ତଫା ଦେବାକୁ କୁହାଯାଇଛି । ଉଲ୍ଲେଖଯୋଗ୍ୟ ଯେ, ଗତ ଗୁରୁବାର ପ୍ରତିରକ୍ଷା ସଚିବ ହେମସିରି ଫର୍ଣ୍ଣାଣ୍ଡୋ ଇସ୍ତଫା ଦେଇଛନ୍ତି । ପୁଲିସ ଆଇଜି ପୂଜିଥ ଜୟସୁନ୍ଦରା ମଧ୍ୟ ସୁରକ୍ଷା ବ୍ୟବସ୍ଥାରେ ତ୍ରୁଟି କରିଛନ୍ତି । ସେଥିପାଇଁ ୩ ଚର୍ଚ୍ଚ, ୩ ହୋଟେଲ ସମେତ ୮ଟି ସ୍ଥାନରେ ବିସ୍ଫୋରଣ ଘଟିଲା । ୯ ଜଣ ଆତ୍ମଘାତୀ ବିସ୍ଫୋରଣକାରୀ ବିସ୍ଫୋରଣ ଘଟାଇବାରୁ ୨୫୦ରୁ ଊଦ୍ଧ୍ୱର୍ ଲୋକଙ୍କ ପ୍ରାଣହାନି ଘଟିଲା । ଆଇଏସ୍ ସହ ସମ୍ପୃକ୍ତ ଶ୍ରୀଲଙ୍କାର ସ୍ଥାନୀୟ ଆତଙ୍କୀ ସଂଗଠନ ନ୍ୟାସନାଲ ତୱହିଦ୍ ଜମାତ୍ (ଏନ୍ଟିଜେ) ଏହି ସିରିଜ୍ ବିସ୍ଫୋରଣରେ ସମ୍ପୃକ୍ତ ଥିବା ଜଣାପଡ଼ିଛି ।

Leave A Reply

Your email address will not be published.