OnaKhabar

ସମସ୍ତଙ୍କ ମନରେ ପ୍ରଶ୍ନ ଗଲେ କୁଆଡ଼େ ଶ୍ରୀକାନ୍ତ

47

ଭୁବନେଶ୍ୱର (ଓଏନଏ) : ଏବେ ରାଜ୍ୟରେ ନିର୍ବାଚନ ମାହୋଲ ବେଶ ସରଗରମ ରହିଛି । ରାଜ୍ୟର ରାଜନୀତିକ ବାତାବରଣ ବେଶ ଉଷ୍ମ ହୋଇଛି । ଶାସକ ଓ ବିରୋଧୀଙ୍କ ମଧ୍ୟରେ ଛକାପଞ୍ଝା ଓ ଆରୋପ-ପ୍ରତ୍ୟାରୋପ ଚାଲିଛି । ସବୁ ପ୍ରମୁଖ ନେତା ନିର୍ବାଚନ ମଇଦାନରେ ଅବତୀର୍ଣ୍ଣ ହୋଇଛନ୍ତି । କିନ୍ତୁ ଏତେ ହୋ ହଲ୍ଲା ଭିତରେ ବରିଷ୍ଠ ନେତା ଶ୍ରୀକାନ୍ତ ଜେନା କେଉଁଆଡ଼େ ହଜିଯାଇଛନ୍ତି । ତାଙ୍କର କୌଣସି ସୋର ଶବ୍ଦ ନାହିଁ । ନିର୍ବାଚନ ପୂର୍ବରୁ ସେ ବହୁ ରଣ ହୁଙ୍କାର ଦେଇଥିଲେ । ଆଶା କରାଯାଉଥିଲା ନିର୍ବାଚନ ବେଳେ ସେ କଂଗ୍ରେସ ଓ ବିଜେଡିକୁ ଘାଇଲା କରିବେ । ସେ ନିଜେ ବି ଘୋଷଣା କରିଥିଲେ ଏମାନଙ୍କର ମୁଖା ଖୋଲିବେ । ନିର୍ଦ୍ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ ଯାଇ ପ୍ରଚାର କରିବେ । ହେଲେ ନିର୍ବାଚନ ମଇଦାନରେ ତାଙ୍କ ଦେଖା ମିଳିଲା ନାହିଁ । ଆଜି ଓଡ଼ିଶାକୁ ଶେଷ ପର୍ଯ୍ୟାୟ ନିର୍ବାଚନ ପ୍ରଚାରରେ ବାଲେଶ୍ୱରକୁ ରାହୁଲ ଗାନ୍ଧି ଆସୁଥିବାରୁ ଶ୍ରୀକାନ୍ତ ତାଙ୍କ ପୁରୁଣା ଷ୍ଟାଇଲରେ ଏକ ପ୍ରେସ ଇସ୍ତାହାର ମାଧ୍ୟମରେ ୫ଟି ପ୍ରଶ୍ନ ପଚାରିଛନ୍ତି । କିନ୍ତୁ ସେ ଯେଉଁ ଘୋଷଣା କରିଥିଲେ ସେଥିରୁ କାହିଁକି ପଛଘୁଞ୍ଚା ଦେଲେ ଓ ସନ୍ୟାସ ନେଲାଭଳି ନିର୍ବାଚନ ରାଜନୀତି ମଇଦାନରୁ ଉଭାନ ହୋଇଗଲେ ତାହା ଏବେ ବଡ଼ ପ୍ରଶ୍ନ ହୋଇଛି । କଣ ପାଇଁ ଶ୍ରୀକାନ୍ତ ଚୁପ ରହିଲେ ସେ କଥା ସମସ୍ତଙ୍କ ମନରେ ଉଙ୍କି ମାରୁଛି । ଯେଉଁ ନେତା ନିର୍ବାଚନ ପୂର୍ବରୁ ଏତେ ଗର୍ଜନ ତର୍ଜନ କରୁଥିଲେ ସେ କିଭଳି ଭାବରେ ଚୁପ ରହିଲେ ଓ କାହିଁକି ରହିଲେ ଏହା ପଛର ରହସ୍ୟ କଣ ସେ ବିଷୟ ଜାଣିବା ପାଇଁ ସମସ୍ତେ ଏବେ ଉକ୍ରଣ୍ଠା ସହ ଅନାଇ ରହିଛନ୍ତି । ଏହାର ଉତ୍ତର କେବେ ଶ୍ରୀକାନ୍ତ ଜନସାଧାରଣଙ୍କୁ ଦେଉଛନ୍ତି ତାହା ଦେଖିôବା କଥା ।
ନିର୍ବାଚନର କିଛିଦିନ ପୂର୍ବରୁ ଶ୍ରୀକାନ୍ତଙ୍କୁ କଂଗ୍ରେସରୁ ବିଦା କରିଦିଆଗଲା । ଦଳ ବିରୋଧୀ କାର୍ଯ୍ୟ ଅଭିଯୋଗରେ ତାଙ୍କ ବିରୋଧରେ ଏହି କାର୍ଯ୍ୟାନୁଷ୍ଠାନ ନିଆଗଲା । ଦଳରେ ଥିଲା ବେଳେ ପିିସିସି ସଭାପତି ନିରଂଜନ ପଟ୍ଟନାୟକଙ୍କୁ ଟାର୍ଗେଟ କରି ମତ ରଖିବା ଏବଂ ଦଳ ଓ ନେତାମାନଙ୍କ ବିରୋଧରେ ଯାଇ ମତ ରଖୁଥିବା ପୂର୍ବତନ ବିଧାୟକ କୃଷ୍ଣଚନ୍ଦ୍ର ସଗରିଆଙ୍କୁ ସୁରକ୍ଷା ଦେବା ଘଟଣାକୁ ନେଇ ତାଙ୍କ ବିରୋଧରେ ଏଭଳି କାର୍ଯ୍ୟାନୁଷ୍ଠାନ ହୋଇଥିଲା । ଦଳରୁ ବିଦାହେଲା ପରେ ଶ୍ରୀକାନ୍ତ ରଣହୁଙ୍କାର ଦେଇଥିଲେ । ଦଳର ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କୁ କଡ଼ା ସମାଲୋଚନା କରିଥିଲେ । ରାହୁଲଙ୍କ ମୁଖା ଖୋଲିବେ ବୋଲି ଘୋଷଣା ମଧ୍ୟ କରିଥିଲେ । ହେଲେ ରାହୁଲ ଏହା ମାଧ୍ୟରେ ଏକାଧିକବାର ଓଡ଼ିଶାକୁ ନିର୍ବାଚନ ପ୍ରଚାରରେ ଆସିସାରିଲେଣି କିନ୍ତୁ ତାଙ୍କ ମୁଖା ଖୋଲିପାରି ନାହାଁନ୍ତି ଶ୍ରୀକାନ୍ତ । କେବଳ ପ୍ରଶ୍ନ ପଚାରି ସୀମିତ ରହିଛନ୍ତି ।
ଏହାଛଡ଼ା ପିସିିସି ସଭାପତି ନିରଂଜନ ପଟ୍ଟନାୟକଙ୍କୁ ଖଣିଚୋରର ଆଖ୍ୟା ଦେଇ ବାରମ୍ବାର ସମାଲୋଚନା କରିଛନ୍ତି । ଶେଷରେ ଅଭ୍ୟାଗତ ଲାଞ୍ଚଦାତା ଘଟଣା ମଧ୍ୟ ଉଲ୍ଲେଖ କଲେ । ଏପରି କି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ମଧ୍ୟ କଡ଼ା ସମାଲୋଚନା କରିଥିଲେ । ଖଣିଚୋରମାନଙ୍କୁ ଆଶ୍ରା ଦେଇଥିବା କଥା କହିଥିଲେ । ରାଜ୍ୟ ରାଜକୋଷକୁ କ୍ଷତି ପହଂଚାଇ ଖଣି ଚୋରମାନଙ୍କ ସ୍ୱାର୍ଥକୁ ଜଗିଥିବା କଥା କହିଥିଲେ । ହଜାର ହଜାର କୋଟି ଟଙ୍କା ଲାଂଚ କାରବାର କଥା ଉଲ୍ଲେଖ କରିଥିଲେ । ଶ୍ରୀକାନ୍ତ କହିଥିଲେ ରାଜ୍ୟରେ ୪୦ ବର୍ଷ ଧରି କେବଳ ଦୁଇଟି ପରିବାର ଶାସନ ଚଳାଇ ଆସୁଛନ୍ତି । ଲୋକେ ସେହି ପଟ୍ଟନାୟକ ଫାମିଲର ଶାସନ ଚାହୁଁଛନ୍ତି ନାଁ ପରିବର୍ତ୍ତନ ଚାହୁଁଛନ୍ତି ଏ ନେଇ ଗାଁ ଗାଁ ବୁଲି ଲୋକଙ୍କୁ ପଚାରିବେ ଓ ବାକ୍ସ ବସାଇ ସେମାନଙ୍କ ମତାମତ ନେବେ ।
ଏପରି କି ଆମ ଆଦମି ପାର୍ଟିର ମୁଖ୍ୟ ତଥା ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଭୁବନେଶ୍ୱରକୁ ଏକ କାର୍ଯ୍ୟକ୍ରମରେ ଯୋଗଦେବାକୁ ଆସିଥିଲା ବେଳେ ସେଠାରେ ମଧ୍ୟ ଶ୍ରୀକାନ୍ତ ଉପସ୍ଥିତ ଥିଲେ । ଏଣୁ ଆଶା କରାଯାଉଥିଲା ନିର୍ବାଚନ ସମୟରେ ବିଏସପି ପ୍ରାର୍ଥୀ କୃଷ୍ଣଚନ୍ଦ୍ର ସଗରିଆ ଓ ଆପ ଆମ ଆଦମି ପାର୍ଟି ପ୍ରାର୍ଥୀମାନଙ୍କ ପାଇଁ ଶ୍ରୀକାନ୍ତ ପ୍ରଚାରକୁ ବାହାରି କଂଗ୍ରେସ ଓ ବିଜେଡିକୁ ଟାର୍ଗେଟ କରିବେ । ନିରଂଜନଙ୍କ ନିର୍ବାଚନମଣ୍ଡଳୀକୁ ଯାଇ ତାଙ୍କ ବିରୋଧରେ ଜନମତ ସୃଷ୍ଟି କରିବେ । ସେହିପରି ନବୀନ ପଟ୍ଟନାୟକଙ୍କ ବିରୋଧରେ ମଧ୍ୟ ମତ ରଖିବେ । ହେଲେ ଏସବୁ କିଛି ହେଲାନାହିଁ । ଶେଷ ପର୍ଯ୍ୟାୟ ନିର୍ବାଚନ ପ୍ରଚାର ଶନିବାର ଶେଷ ହେବ । କୌଣସି ପ୍ରାର୍ଥୀଙ୍କ ସପକ୍ଷରେ ଶ୍ରୀକାନ୍ତ ବାହାରିଲେ ନାହିଁ କିମ୍ବା ପୂର୍ବରୁ ଯେଉଁ ଘୋଷଣା କରିଥିଲେ ସେହି ଅନୁସାରେ କୌଣସି କାର୍ଯ୍ୟକ୍ରମ ଗ୍ରହଣ କଲେନାହିଁ । ଏପରି ହଠାତ ପଛଘୁଞ୍ଚା ଦେବା ଓ ନୀରବ ରହିବା ପଛର କାରଣ କଣ ତାହା ସେ କେବେ ସ୍ପଷ୍ଟ କରୁଛନ୍ତି ତାକୁ ନେଇ ସମସ୍ତଙ୍କ ନଜର ରହିଛି ।