OnaKhabar

ଜୟଙ୍କ ମୁଣ୍ଡରେ ନବୀନ ଲଗାଇଥିବା କଳଙ୍କକୁ ଗୋଏଲଙ୍କ ଧୋଇବାକୁ ଉଦ୍ୟମ

47

ଭୁବନେଶ୍ୱର (ଓଏନଏ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏଥର ନିର୍ବାଚନରେ ବରିଷ୍ଠ ନେତା ବିଜୟ ମହାପାତ୍ରଙ୍କ ପଛରେ ନ ପଡ଼ି ବୈଜୟନ୍ତ ପଣ୍ଡାଙ୍କ ପଛରେ ପଡ଼ିଛନ୍ତି । ସେ ଯେପରି କେନ୍ଦ୍ରାପଡ଼ା ଲୋକସଭା ଆସନରୁ ନିର୍ବାଚିତ ହୋଇ ନ ପାରିବେ ସେ ନେଇ ସବୁ ପ୍ରକାର ଉଦ୍ୟମ ଚଳାଇଛନ୍ତି । ଏବେ କେନ୍ଦ୍ରାପଡ଼ା ଯାଇ ସିଧାସଳଖ ବୈଜୟନ୍ତଙ୍କ ମୁଣ୍ଡରେ ଯେଉଁ କଳଙ୍କ ବୋଳିଛନ୍ତି ତାହା ଚର୍ଚ୍ଚାର ବିଷୟ ହୋଇଛି । ବୈଜୟନ୍ତ ନିଜେ ମଧ୍ୟ ନବୀନଙ୍କ ଅଭିଯୋଗ ଶୁଣି ବିଚଳିତ ହୋଇଛନ୍ତି । କିନ୍ତୁ ତାଙ୍କର ସୌଭାଗ୍ୟ ଏପରି ଯେ, ନବୀନଙ୍କ ଅଭିଯୋଗ ପରେ ପରେ ତାଙ୍କ ପ୍ରଚାର ପାଇଁ ଆସିଥିବା କେନ୍ଦ୍ର ରେଳମନ୍ତ୍ରୀ ପିୟୁସ ଗୋଏଲ ଖଣ୍ଡନ କରିଛନ୍ତି । ହେଲେ କେନ୍ଦ୍ରାପଡ଼ା ଭୋଟରମାନେ ନବୀନଙ୍କ ଅଭିଯୋଗକୁ ଗୁରୁତ୍ୱ ଦେଉଛନ୍ତି ନାଁ ପିୟୁସ ଗୋଏଲ ଖଣ୍ଡନ କଲା ପରେ କଥାକୁ ଭୁଲି ଯାଉଛନ୍ତି ତାହା ନିର୍ବାଚନ ଫଳାଫଳ ପରେ ହିଁ ଜଣାପଡ଼ିବ । ହେଲେ ନବୀନ ଓ ବୈଜୟନ୍ତଙ୍କ ଭିତରେ ଆରୋପ ପ୍ରତ୍ୟାରୋପ ଏବେ ମୁଖ୍ୟ ଚର୍ଚ୍ଚାର ବିଷୟ ହୋଇଛି ।
ଏଥର ନିର୍ବାଚନରେ ନବୀନ ତାଙ୍କ ରଣକୌଶଳକୁ ସମ୍ପୂର୍ଣ୍ଣ ଭାବେ ବଦଳାଇ ଦେଇଛନ୍ତି । ତାଙ୍କ କାର୍ଯ୍ୟଧାରା ଓ ପ୍ରଚାର ଶୈଳୀ ସମ୍ପୂର୍ଣ୍ଣ ଭିନ୍ନ ହୋଇଛି । ନବୀନ ମାରାଥନ ପ୍ରଚାରରେ ରାଜ୍ୟର ବିଭିନ୍ନ ଅଂଚଳ ବୁଲୁଛନ୍ତି । କିନ୍ତୁ କୌଣସି ନିର୍ବାଚନମଣ୍ଡଳୀରେ ବ୍ୟକ୍ତିଗତଭାବେ କୌଣସି ପ୍ରାର୍ଥୀଙ୍କୁ ଟାର୍ଗେଟ କରିବା ଦେଖାଯାଇନାହିଁ । ମାତ୍ର କେନ୍ଦ୍ରାପଡ଼ାରେ ସ୍ଥିତିଭିନ୍ନ । ଅନ୍ୟ କୌଣସି ପ୍ରାର୍ଥୀଙ୍କ ବିରୋଧରେ ନବୀନ ମତ ରଖୁନାହାଁନ୍ତି, ତାଙ୍କ ଟାର୍ଗେଟ କେବଳ ବୈଜୟନ୍ତ । ସେ ବୈଜୟନ୍ତଙ୍କ ଉପରେ କେତେ କ୍ଷୁବ୍ଧ ତାହା ନବୀନଙ୍କ କାର୍ଯ୍ୟଧାରାରୁ ସ୍ପଷ୍ଟ ହେଉଛି । ନବୀନ ରବିବାର କେନ୍ଦ୍ରାପଡ଼ା ଜିଲ୍ଲାର ରାଜନଗର ଓ ଅନ୍ୟ କେତେକସ୍ଥାନରେ ନିର୍ବାଚନୀ ସଭାରେ ଯୋଗ ଦେଇଥିଲେ । ସେଠାରେ ସେ ବୈଜୟନ୍ତଙ୍କୁ କଡ଼ା ସମାଲୋଚନା କରିଥିଲେ । କେନ୍ଦ୍ରାପଡ଼ାବାସୀଙ୍କ ବନରେ ବୈଜୟନ୍ତଙ୍କ ପ୍ରତି ଅବିଶ୍ୱାସର ବାତାବରଣ ସୃଷ୍ଟି କରିବା ପାଇଁ ଗୋଟି ଚାଳନା ମଧ୍ୟ କରିଥିଲେ । ନବୀନ କେନ୍ଦ୍ରାପଡ଼ା ଲୋକଙ୍କୁ ଜଣାଇବାକୁ ଚାହିଁଥିଲେ ସେ ବୈଜୟନ୍ତ ପଣ୍ଡାଙ୍କୁ କେନ୍ଦ୍ରାପଡ଼ାବାସୀଙ୍କ ସେବା କରିବାକୁ ପଠାଇଥିଲେ । ଦୁଇଥର ତାଙ୍କୁ କେନ୍ଦ୍ରପଡ଼ାବାସୀ ତାଙ୍କୁ ନିର୍ବାଚିତ କରିଥିଲେ । ହେଲେ ଲୋକଙ୍କ ସେବା ବଦଳରେ ନିଜ ସ୍ୱାର୍ଥରେ ଲାଗିଛନ୍ତି । କେନ୍ଦ୍ରାପଡ଼ାରେ ରେଳ ସଂଯୋଗ ନେଇ ସେ ଦିଲ୍ଲୀରେ ଜଣେ କେନ୍ଦ୍ରମନ୍ତ୍ରୀଙ୍କ ସହ କଥା ହେଲା ବେଳେ ସେ କହିଥିଲେ “ଆପଣ କେନ୍ଦ୍ରାପଡ଼ାରେ ରେଳ ଲାଇନ କଥା କହୁଛନ୍ତି କିନ୍ତୁ କେନ୍ଦ୍ରାପଡ଼ା ସାଂସଦ ସବୁବେଳେ ତାଙ୍କ ଶିଳ୍ପର ପ୍ରସାର ପାଇଁ ରେଳ ଯୋଗାଯୋଗ କଥା ଚିନ୍ତା କରୁଛନ୍ତି । ଏପରି କି କେନ୍ଦ୍ରାପଡ଼ାରେ କିପରି ଶିଳ୍ପ ପ୍ରତିଷ୍ଠା ହେବ ତାହା ପାଇଁ ବୈଜୟନ୍ତଙ୍କର ଚିନ୍ତା ନଥିଲା । କେନ୍ଦ୍ରାପଡ଼ା ଯୁବକମାନଙ୍କ ବିଷୟରେ ଚିନ୍ତା ନ କରି ସବୁବେଳେ ନିଜ ଶିଳ୍ପର ବିକାଶ କଥା ଚିନ୍ତା କରୁଥିଲେ ବୈଜୟନ୍ତ ।” ସେ କେନ୍ଦ୍ରାପଡ଼ାବାସୀ ଓ ତାଙ୍କ ବିଶ୍ୱାସକୁ ଭାଙ୍ଗିଛନ୍ତି । ବିଜୁ ବାବୁଙ୍କ ପ୍ରତି ମଧ୍ୟ ଅସମ୍ମାନ କରିଛନ୍ତି । ଏଥର କେନ୍ଦ୍ରାପଡ଼ାବାସୀ ତାଙ୍କୁ ଉଚିତ ଜବାବ ଦେବେ ବୋଲି ନବୀନ କହିଛନ୍ତି ।
ସୌଭାଗ୍ୟକ୍ରମେ ରବିବାର ବୈଜୟନ୍ତଙ୍କ ପାଇଁ ନିର୍ବାଚନ ପ୍ରଚାରରେ କେନ୍ଦ୍ରାପଡ଼ାକୁ ଆସିଥିଲେ କେନ୍ଦ୍ର ରେଳମନ୍ତ୍ରୀ ପିୟୁସ ଗୋଏଲ । ବୈଜୟନ୍ତଙ୍କ ପକ୍ଷରୁ ନବୀନଙ୍କ ଅଭିଯୋଗକୁ ସେ ଖଣ୍ଡନ କରିବା ସହ ସାର୍ଟିଫିକେଟ ଦେଇଥିଲେ । ବୈଜୟନ୍ତ ଏଥିପାଇଁ ଉଦ୍ୟମ କରୁଥିବା ନେଇ କେନ୍ଦ୍ରମନ୍ତ୍ରୀ କହିଥିଲେ । ବୈଜୟନ୍ତଙ୍କ ସହ ରୋଡ ସୋ’ରେ ଗୋଏଲ ସାମିଲ ହୋଇଥିବା ବେଳେ ନବୀନଙ୍କ ଅଭିଯୋଗର ସତ୍ୟତା ନେଇ ତାଙ୍କୁ ପ୍ରଶ୍ନ କରାଯାଇଥିଲା । ଗୋଏଲ କହିଥିଲେ ବୈଜୟନ୍ତଙ୍କୁ ଗତ ୫ ବର୍ଷ ହେଲା ନବୀନ ନାନା ପ୍ରକାର ହଇରାଣ ହରକତ କରୁଛନ୍ତି । ମୁଁ ରେଳମନ୍ତ୍ରୀ ଦାୟିତ୍ୱ ନେବା ପୂର୍ବରୁ କେନ୍ଦ୍ରାପଡ଼ା ରେଳ ପ୍ରକଳ୍ପ କାର୍ଯ୍ୟ ଆରମ୍ଭ ହୋଇଛି । ଦୈତାରୀ-ପାରାଦୀପ ରେଳପଥ ସଂଯୋଗୀକରଣ ନେଇ ବୈଜୟନ୍ତ ପଣ୍ଡା ବହୁ ଉଦ୍ୟମ କରିଛନ୍ତି । ଏହି ରେଳପଥ କେନ୍ଦ୍ରାପଡ଼ା ଲୋକଙ୍କ ଜୀବନରେଖା ହେବ । କିନ୍ତୁ ଦୁର୍ଭାଗ୍ୟର କଥା କାର୍ଯ୍ୟ ବହୁ ମାନ୍ଦା ଚାଲିଛି । ଆମେ ଦେଖିବୁ କିପରି କାମ ଶୀଘ୍ର ସରିବ ଓ ରେଳ ଚଳାଚଳ କରିବ । ଏହା କିପରି ଶୀଘ୍ର କାର୍ଯ୍ୟକ୍ଷମ ହେବ ସେ ଦିଗରେ ଗୁରୁତ୍ୱ ଦିଆଯିବ ବୋଲି କେନ୍ଦ୍ରମନ୍ତ୍ରୀ କହିଥିଲେ । ବୈଜୟନ୍ତ କହିଛନ୍ତି ସେ ଏହି ପ୍ରକଳ୍ପ ନେଇ ଶତାଧିକ ବାର ବୈଠକ କରିଛନ୍ତି, ତାଙ୍କ ଉଦ୍ୟମ ଜାରି ରଖିଛନ୍ତି । କେନ୍ଦ୍ରାପଡ଼ାବାସୀଙ୍କର ଏହା ଏକ ସ୍ୱପ୍ନର ପ୍ରକଳ୍ପ ହୋଇଥିବାରୁ ଏଥିପାଇଁ ସେ ବହୁ ପଦକ୍ଷେପ ନେଇଛନ୍ତି । କିନ୍ତୁ କାମ ଆରମ୍ଭ ହୋଇପାରି ନ ଥିଲା । ପ୍ରକଳ୍ପ ଦାୟିତ୍ୱରେ ଥିବା ଅଧିକାରୀଙ୍କୁ ପଚାରନ୍ତୁ ମୁଁ କେତେଥର ବୈଠକ କରିଛି । ଏ ବିଷୟରେ କେନ୍ଦ୍ରାପଡ଼ାବାସୀ ଜାଣିଛନ୍ତି ବୋଲି ବୈଜୟନ୍ତ କହିଛନ୍ତି ।
ଏ କ୍ଷେତ୍ରରେ କୁହାଯାଉଛି ଲୋକେ ନବୀନଙ୍କ କଥା ଉପରେ ଭରଷା ରଖୁଛନ୍ତି କି ଗୋଏଲ ଦେଇଥିବା ସଫେଇକୁ ଗ୍ରହଣ କରୁଛନ୍ତି ତାହା ଭବିଷ୍ୟତ କହିବ ।