OnaKhabar

ପୁଣି ନବୀନଙ୍କ ଭବିଷ୍ୟବାଣୀ କେନ୍ଦ୍ରରେ କ୍ଷମତାକୁ ଆସିବନି ବିଜେପି

0 10

ଭୁବନେଶ୍ୱର (ଓଏନଏ): ନିର୍ବାଚନ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମାରାଥନ ପ୍ରଚାର ଚଳାଇଛନ୍ତି । ସବୁ ଅଂଚଳରେ ବୁଲି ବୁଲି କାଳିଆ ଯୋଜନା କଥା ଉଠାଉଛନ୍ତି ଓ ଲୋକଙ୍କୁ ଭରଷା ଦେଉଛନ୍ତି ଯେ, ପୁଣି କ୍ଷମତାକୁ ଆସିଲେ ନିଶ୍ଚୟ ଅର୍ଥ ମିଳିବ । ଏଥିସହ ଏବେ ଆଉ ଏକ ନୂଆ କଥା ଉଠାଇଚାଲିଛନ୍ତି ଯେ, କେନ୍ଦ୍ରରେ କୌଣସି ଜାତୀୟ ଦଳ କ୍ଷମତାକୁ ଆସିବ ନାହିଁ । ବିଜେପି କେନ୍ଦ୍ରରେ କ୍ଷମତାକୁ ଆସିବାର ନ ଥିବାରୁ ଭୋଟ ବିଜେଡିକୁ ଦେବା ପାଇଁ ନବୀନ ସୂଚନା ଦେଉଛନ୍ତି । କେନ୍ଦ୍ରରେ କୌଣସି ଦଳ କ୍ଷମତାକୁ ଆସିବାର ନ ଥିବାରୁ ବିଜେଡି କିଙ୍ଗ ମେକର ସାଜିବ । ସରକାର ଗଠନରେ ପ୍ରମୁଖ ଭୂମକା ନେବ । ଏଣୁ ଲୋକସଭା ପାଇଁ ବିଜେଡିକୁ ଭୋଟ ଦେବା ଲାଗି ସେ ଯୁକ୍ତି ରଖିବାକୁ ଚାହିଁଛନ୍ତି । ଏଥିସହ ବିଜେପି ନେତାମାନଙ୍କୁ ପୁଣି ଛିଗୁଲାଇଛନ୍ତି । ଟୁରିଷ୍ଟ ଭଳିଆ ନିର୍ବାଚନ ପ୍ରଚାରରେ ଆସି ଫଟୋ ଉଠାଉଛନ୍ତି ।
ନବୀନ ଆଜି ବିଭିନ୍ନ ଅଂଚଳକୁ ଯାଇ ପ୍ରଚାର ସମୟରେ ଉଦବୋଧନ ଦେଇ କାଳିଆ ଯୋଜନା କଥା କହିଥିଲେ । ସେ କହିଥିଲେ କାଳିଆ ଯୋଜନାକୁ କେହି ବନ୍ଦ କରିପାରିବେ ନାହିଁ । କ୍ଷମତାକୁ ଆସିଲା କ୍ଷଣି ୨ କିସ୍ତି ଅର୍ଥ ଏକକାଳୀନ ଦିଆଯିବ । ମହିଳାଙ୍କ ସମ୍ପର୍କରେ କହିଥିଲେ ବିଜେଡି ମହିଳାମାନଙ୍କୁ ତାଙ୍କର ହକ ଦେଇଛି । ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ମହିଳାମାନଙ୍କୁ ୧୦ ଲକ୍ଷ ଟଙ୍କା ଦିଆଯିବ । ମିଶ ଶକ୍ତି ମା’ମାନଙ୍କ ପାଇଁ ୫ ହଜାର କୋଟି ଟଙ୍କାର ବ୍ୟବସାୟ ଦିଆଯିବ । ବିଜେପି ନେତାମାନଙ୍କୁ ସମାଲୋଚନା କରି ନବୀନ କହିଥିଲେ ବିଜେପି ନେତାମାନେ ନୂଆକରି ଇଲେକସନ ଟୁରିଜିମ ଆରମ୍ଭ କରିଛନ୍ତି । ମିଛ ପ୍ରତିଶ୍ରୁତିମାନ ଦେଉଛନ୍ତି ଓ ବହୁ ଆୱାଜ କରୁଛନ୍ତି ଏବଂ ଟୁରିଷ୍ଟଙ୍କ ପରି ଫଟୋ ଉଠାଉଛନ୍ତି । ନିର୍ବାଚନ ହେଲେ ବିଜେପିର ବଡ଼ବଡ଼ ନେତାମାନେ ଓଡ଼ିଶା ଆସୁଛନ୍ତି, ଭୋଟ ମାଗୁଛନ୍ତି । ଆପଣ ସେମାନଙ୍କୁ ପଚାରନ୍ତୁ ଫାଇଲନ ହେଲା କେଉଁଠି ଥିଲେ, ବନ୍ୟା ହେଲା କେଉଁଠି ଥିଲେ, ମରୁଡ଼ି ହେଲା କେଉଁଠି ଥିଲେ । ଦେଢ଼ଗୁଣ ଏମଏସପି କୁଆଡ଼େ ଗଲା । ସବୁକ୍ଷେତକୁ ପାଣି କୁଆଡ଼େଗଲା । ମହାନଦୀ ପାଣି ବନ୍ଦ କଲେ, ଏସସିଏସଟି ପିଲାଙ୍କ ବୃତି ବନ୍ଦକଲେ । କୋଷଳି ଭାଷାକୁ ସମ୍ବିଧାନରେ ରଖିଲେ ନାହିଁ । ହାରିବା ଭୟ ବିଜେପିକୁ ଘାରିଛି । ବିଜେପି ସବୁ ରାଜ୍ୟରେ ହାରୁଛି । କୌଣସି ଜାତୀୟ ଦଳ କେନ୍ଦ୍ରରେ ସଂଖ୍ୟାଗରିଷ୍ଠତା ପାଇବେ ନାହିଁ । ଆଂଚଳିକ ଦଳ ହେବେ କିଂ ମେକର । କେନ୍ଦ୍ରରେ ସରକାର ଗଠନରେ ବିଜେଡିର ବଡ଼ ଭୁମିକା ରହିବ । ଓଡ଼ିଶା ପାଇଁ ଓ ଆମ ପାଇଁ ବଡ଼ ସୁଯୋଗ । ସାଢ଼େ ୪ କୋଟି ଓଡ଼ିଶାବାସୀ ମୋର ପରିବାର । ଶେଷ ନିଃଶ୍ୱାସ ପର୍ଯ୍ୟନ୍ତ ଆପଣମାନଙ୍କ ସେବା କରିଚାଲିବି ।

Leave A Reply

Your email address will not be published.