OnaKhabar

ଆଜି ତୃତୀୟ ପର୍ଯ୍ୟାୟ ପ୍ରଚାର ଶେଷ, ଭାଗ୍ୟ ପରୀକ୍ଷା ଦେବେ ଆଇଏଏସ, ଆଇପିଏସ ଅଧିକାରୀ

0 11

ଭୁବନେଶ୍ୱର (ଓଏନଏ): ତୃତୀୟ ପର୍ଯ୍ୟାୟ ନିର୍ବାଚନ ଲାଗି ଆଜି ପ୍ରଚାର ସରୁଛି । ଏଥିରେ ଭାଗ୍ୟ ପରୀକ୍ଷା ଦେବାପାଇଁ ବହୁ ମନ୍ତ୍ରୀ ଓ ଦଳର ସଭାପତି ଅଛନ୍ତି । କିନ୍ତୁ ଏମାନଙ୍କ ଭିତରେ ସବୁଠାରୁ ଚର୍ଚ୍ଚିିତ ଚେହେରା ଏବଂ ସାଧାରଣ ଲୋକ ଓ ରାଜନୀତିକ ବ୍ୟକ୍ତିମାନଙ୍କ ନଜର ରହିଥିବା ପ୍ରଶାସନିକ ଅଧିକାରୀମାନଙ୍କ ଭାଗ୍ୟ କଣ ହେବ । ଆଇଏଏସ ଚାକିରି ଛାଡ଼ି ଅପରାଜିିତା ଷଡ଼ଙ୍ଗୀ ଓ ଆଇପିଏସରୁ ଚାକିରିରୁ ଅବରସ ନେବା ପରେ ପ୍ରକାଶ ମିଶ୍ର ଓ ଅରୁପ ପଟ୍ଟନାୟକ ସିଧା ରାଜନୀତିକୁ ଆସି ନିର୍ବାଚନ ମଇଦାନରେ ଅବତୀର୍ଣ୍ଣ ହୋଇଛନ୍ତି । ଏମାନଙ୍କ ଭିତରୁ କାହାକୁ ଲୋକେ ଆପଣାଉଛନ୍ତି ଓ ଏମାନେ କେତେଲୋକଙ୍କ ମନ ଜିଣିବାରେ ସଫଳ ହୋଇଛନ୍ତି ତାହା ସ୍ପଷ୍ଟ ହେବ ।
ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ, ମହେଶ୍ୱର ମହାନ୍ତି, ନୃସିଂହ ସାହୁ, ବିଦ୍ରୀ ନାରାୟଣ ପାତ୍ର, ଅଶୋକ ଚନ୍ଦ୍ର ପଣ୍ଡା, ଚନ୍ଦ୍ରସାରଥୀ ବେହେରା ପ୍ରାର୍ଥୀ ହୋଇଛନ୍ତି । ଏହି ମନ୍ତ୍ରୀମାନଙ୍କୁ ଭୋଟରମାନେ ପୁଣି ଆସ୍ଥା ପ୍ରକଟ କରୁଛନ୍ତି କି ଦୂରେଇ ଦେଉଛନ୍ତି ତାହା ଦେଖିବା କଥା । ଅନେକ ଆଶା ନେଇ ମନ୍ତ୍ରୀମାନେ ପୁଣି ଥରେ କ୍ଷମତାକୁ ଫେରିବା ନେଇ ଆଶାବାନ୍ଧି ବସିଛନ୍ତି । ପିସିସି ସଭାପତି ନିରଂଜନ ପଟ୍ଟନାୟକ ମଧ୍ୟ ଭାଗ୍ୟ ପରୀକ୍ଷା ଦେବାକୁ ଆଗେଇ ଆସିଛନ୍ତି । ତାଙ୍କ ଭାଇ ତଥା ବିଜେଡି ପ୍ରାର୍ଥୀ ସୌମ୍ୟରଂଜନ ପଟ୍ଟନାୟକ ମଧ୍ୟ ରାଜ୍ୟସଭା ମୋହ ଛାଡ଼ି ବିଧାନସଭାରେ ପ୍ରାର୍ଥୀ ହୋଇଛନ୍ତି । ନିରଂଜନ ଦୁଇଟି ବିଧାନସଭା ଆସନରୁ ପ୍ରାର୍ଥୀ ହୋଇଛନ୍ତି । ହେଲେ ଏହି ପର୍ଯ୍ୟାୟରେ କେବଳ ଘସିପୁରା ଆସନର ନିର୍ବାଚନ ହେବାକୁ ଯାଉଛି । ଭଣ୍ଡାରିପୋଖରୀ ଆସନର ନିର୍ବାଚନ ଚତୁର୍ଥ ପର୍ଯ୍ୟାୟରେ ହେବ । ଭୁବନେଶ୍ୱର ଲୋକସଭା ଆସନରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ପୂର୍ବତନ ଆଇଏଏସ ଓ ଆଇପିଏସଙ୍କ ଭିତରେ କାହାକୁ ଲୋକ ବାଛୁଛନ୍ତି ତାହା ଦେଖିବା କଥା । ଅପରାଜିତା ୧୧ ବର୍ଷର ଆଇଏଏସ ଚାକିରି ଛାଡ଼ି ରାଜନୀତିକୁ ଆସିଛନ୍ତି । ତାଙ୍କୁ ଭୋଟର ଗ୍ରହଣ କରୁଛନ୍ତି କି ନିରାଶ କରୁଛନ୍ତି ସେ କେତେଦୂର ଲୋକସମ୍ପର୍କ ରଖିଛନ୍ତି ତାହା ଜଣାପଡ଼ିବ । ସେ ବିଜେପିରୁ ପ୍ରାର୍ଥୀ ହୋଇଛନ୍ତି । ତାଙ୍କ ବିରୋଧରେ ବିଜେଡିରୁ ଆଇପିଏସ ଚାକିରିରୁ ଅବସର ନେବା ପରେ ପୂର୍ବତନ ବମ୍ବେ ପୁଲିସ କମିଶନର ଅରୁପ ପଟ୍ଟନାୟକ ପ୍ରାର୍ଥୀ ହୋଇଛନ୍ତି । ବିଜେଡିର ଭେଟେରାନ ତଥା ଲୋକପ୍ରିୟ ନେତା ବାବା ପ୍ରସନ୍ନ ପାଟ୍ଟଶାଣୀଙ୍କୁ ପ୍ରାର୍ଥୀ ନ କରି ଅରୁପଙ୍କୁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ପ୍ରାର୍ଥୀ କରିଛନ୍ତି । ଏଣୁ ଏହି ଭୁବନେଶ୍ୱର ଲୋକସଭା ଆସନର ଦୁଇ ଅଧିକାରୀଙ୍କ ଲଢ଼େଇ ମଧ୍ୟ ଜୋରଦାର ହୋଇଛି । କାହା ଭାଗ୍ୟରେ ବିଜୟ ଟିକା ଲେଖାଯାଇଛି ତାହା ମେ ୨୩ରେ ଭୋଟ ବାକ୍ସ ଖୋଲିଲେ ଜଣାପଡ଼ିବ । ସେହିପରି କଟକ ଲୋକସଭା ଆସନରୁ ୨ ଅଭିଜ୍ଞ ଓ ବରିଷ୍ଠ ନେତାଙ୍କ ସହ ଲଢ଼ୁଛନ୍ତି ଆଇପିଏସ ଚାକିରିରୁ ଅବସର ନେବା ପରେ ବିଜେପିରେ ଯୋଗଦେଇ ପ୍ରକାଶ ମିଶ୍ର ସିଧା ନିର୍ବାଚନ ମଇଦାନକୁ ଓହ୍ଲାଇଛନ୍ତି । ତାଙ୍କ ବିରୋଧରେ ବିଜେଡି ବରିଷ୍ଠ ନେତା ସାଂସଦ ଭର୍ତ୍ତୃହରି ମହତାବ ଓ କଂଗ୍ରେସରୁ ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ପଂଚାନନ କାନୁନଗୋ ମଧ୍ୟ ନିର୍ବାଚନ ଲଢ଼ୁଛନ୍ତି । ଏ କ୍ଷେତ୍ରରେ ନୂଆ ମୁହଁକୁ ଲୋକେ ଆପଣାଉଛନ୍ତି କି ଦୂରେଇ ଦେଉଛନ୍ତି ତାହା ମଧ୍ୟ ଦେଖିବାର ଅଛି ।
କେନ୍ଦୁଝର ଜିଲ୍ଲା ଘସିପୁରା ଆସନରୁ ମନ୍ତ୍ରୀ ବଦ୍ରୀ ନାରାୟଣ ପାତ୍ର ଲଢ଼ୁଥିଲା ବେଳେ ତାଙ୍କ ବିରୋଧରେ ପିସିସି ସଭାପତି ନିରଂଜନ ପଟ୍ଟନାୟକ ପ୍ରାର୍ଥୀ ହୋଇଛନ୍ତି । ପରସ୍ପରକୁ ଚ୍ୟାଲେଞ୍ଜ ଦିଆଦେଇ ହୋଇ ନିର୍ବାଚନ ଲଢ଼ୁଛନ୍ତି । ବଦ୍ରୀ ସିଦାସଳଖ ତାଙ୍କ ବିରୋଧରେ ଲଢ଼ିବା ପାଇଁ ନିରଂଜନଙ୍କୁ ଆହ୍ୱାନ ଜଣାଇଛନ୍ତି । ନିରଂଜନ ମଧ୍ୟ ଏହି ଆହ୍ୱାନକୁ ଗ୍ରହଣ କରି ନିର୍ବାଚନ ମଇଦାନକୁ ଆସିଛନ୍ତି । ଅବଶ୍ୟ ସେ ଏଥର ଭଣ୍ଡାରୀପୋଖରି ବିଧାନସଭା ଆସନରୁ ଲଢ଼ିବା ପାଇଁ ସ୍ଥିର କରିଥିଲେ । ଏପରି କି ଏଥର ପ୍ରାର୍ଥୀ ମଧ୍ୟ ହୋଇଛନ୍ତି । ଏଣୁ ଘସିପୁରା ବିଧାନସଭା ଆସନ ଚ୍ୟାଲେଞ୍ଜ ଆଦାନ ପ୍ରଦାନରେ ରହିଛି । ଚଳଚ୍ଚିତ୍ର ତାରକା ଅପରାଜିତା ମହାନ୍ତି ମଧ୍ୟ ଏହି ପର୍ଯ୍ୟାୟ ନିର୍ବାଚନରେ ଅବତୀର୍ଣ୍ଣ ହୋଇଛନ୍ତି । ଭୁବନେଶ୍ୱରର ପୂର୍ବତନ ମେୟର ଅନନ୍ତ ନାରାୟଣ ଜେନା ବି ଏହି ପର୍ଯ୍ୟାୟର ପ୍ରାର୍ଥୀ ଅଛନ୍ତି । ଭୋଟରଙ୍କ ମୁଡ଼ କଣ ରହୁଛି ଓ କାହା ପ୍ରତି ଢଳୁଛନ୍ତି ତାହା ଉପରେ ନଜର ରହିଛି ।

Leave A Reply

Your email address will not be published.