OnaKhabar

ହାର୍ଦ୍ଦିକ ଓ ରାହୁଲଙ୍କ ଉପରେ ୨୦ ଲକ୍ଷ ଜୋରିମାନା ଲଗାଇଲେ ବିସିସିଆଇ ଲୋକପାଳ

0 13

ନୂଆଦିଲ୍ଲୀ: ‘କଫି ୱିଥ୍ କରନ୍’ ଟିଭି ଶୋ’ରେ ରାହୁଲ ଓ ପାଣ୍ଡ୍ୟା ମହିଳାଙ୍କ ପ୍ରତି ଆପତ୍ତିଜନକ ମନ୍ତବ୍ୟ ଦେଇଥିଲେ । ଏହି କାରଣରୁ ଦୁହିଁଙ୍କୁ ଗତ ସପ୍ତାହରେ ସୁପ୍ରିମ୍ କୋର୍ଟଙ୍କ ଦ୍ୱାରା ନିଯୁକ୍ତ ଲୋକପାଳ ଜଷ୍ଟିସ୍ (ଅବସରପ୍ରାପ୍ତ) ଡିକେ ଜୈନ୍ ଦୁହିଁଙ୍କ ନିକଟରେ ହାଜର ହେବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ଦୁହେଁ ଲୋକପାଳଙ୍କ ନିକଟରେ ଉପସ୍ଥିତ ରହି ନିଜ ନିଜର ଭୁଲ ସ୍ୱୀକାର କରିବା ସହ କ୍ଷମା ପ୍ରାର୍ଥନା କରିଥିଲେ । ଜୈନ୍ ଏହି ମାମଲାର ରିପୋର୍ଟକୁ ବିସିସିଆଇ ପ୍ରଶାସନିକ କମିଟି (ସିଓଏ)କୁ ହସ୍ତାନ୍ତର କରିଥିଲେ ।
କିନ୍ତୁ ତାଙ୍କର ଏହି କାର୍ଯ୍ୟ ଉପରେ ତାଙ୍କୁ ତ୍ରାହି ମିଳିଥିବାର ସୂଚନା ମିଳିଛି | ଏହି ଦୁଇ କ୍ରିକେଟରଙ୍କ ଉପରେ ବିସିସିଆଇ ଲୋକପାଳ କମିଟି ମାତ୍ର ୨୦ ଲକ୍ଷ ଟଙ୍କାର ଜୋରିମାନା ଲଗାଇ ଛାଡ଼ି ଦେଇଥିବାର ସୂଚନା ମିଳିଛି |
ବିସିସିଆଇ ଲୋକପାଳଙ୍କ ଅନୁଯାୟୀ, ଉଭୟେ ପାଣ୍ଡ୍ୟା ଓ ରାହୁଲ ଲକ୍ଷେ ଟଙ୍କା ଲେଖାଏ ୧୦ଜଣ ସହିଦ୍ ପାରା ମିଲିଟାରୀ ଫୋର୍ସ କନଷ୍ଟେବଳଙ୍କ ପରିବାରକୁ ଦେବେ । ଏହାଛଡ଼ା ଏହି ସମାନ ଅର୍ଥରାଶି ଦୃଷ୍ଟିବାଧିତ (ବ୍ଲାଇଣ୍ଡ) କ୍ରିକେଟ୍ ପ୍ରଚାର ପାଇଁ ଦେବେ । ଏହି ରାଶିକୁ ୪ମାସ ଭିତରେ ଜମା କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।
ଲୋକପାଳ ମଧ୍ୟ ଆହୁରି କହିଛନ୍ତି, ଯଦି ଦୁଇ ଖେଳାଳି ଚାରି ସପ୍ତାହ ମଧ୍ୟରେ ଅର୍ଥରାଶି ଜମା କରିବାରେ ଅସଫଳ ରୁହନ୍ତି, ତାହେଲେ ବିସିସିଆଇ ଉଭୟ ଖେଳାଳିଙ୍କ ମ୍ୟାଚ୍ ଫି’ କାଟି ପାରନ୍ତି । ଲୋକପାଳ କହିଛନ୍ତି, ଦୁହିଁଙ୍କୁ ଅଷ୍ଟ୍ରେଲିଆ ଗସ୍ତ ଅଧାରୁ ଫେରି ଆସିବାକୁ ନିର୍ଦ୍ଦେଶ ଦିଆଯାଇଥିଲା ଏବଂ ଏହା ପୂର୍ବରୁ ସେମାନେ ପ୍ରାୟ ୩୦ଲକ୍ଷ ଟଙ୍କା ଆୟ କରିସାରିଥିଲେ । କ୍ରିକେଟରମାନେ ଦେଶର ଆଦର୍ଶ ଏବଂ ସେମାନଙ୍କୁ ଏଭଳି କାମ କରିବା ଦରକାର, ଯାହା ସେମାନଙ୍କ ସ୍ତରର ହୋଇଥିବ । ଏହାଛଡ଼ା ଦୁହେଁ ନିଜ ନିଜର ଭୁଲ୍ ପାଇଁ କ୍ଷମା ପ୍ରାର୍ଥନା କରିଛନ୍ତି ଏବଂ ନିଜ ବିରୋଧରେ ପ୍ରାରମ୍ଭିକ କାର୍ଯ୍ୟାନୁଷ୍ଠାନକୁ ନେଇ କୌଣସି ଆପତ୍ତି ମଧ୍ୟ କରିନଥିଲେ । ଏଥିପାଇଁ ଏବେ ଏହି ମାମଲାରେ ଆଉ କୌଣସି ତଦନ୍ତ ହେବ ନାହିଁ ବୋଲି ଲୋକପାଳ କହିଛନ୍ତି । ଫଳସ୍ୱରୂପ ରାହୁଲ ଓ ହାର୍ଦ୍ଦିକଙ୍କ ଉପରେ ଜୋରିମାନା ଲଗାଯିବା ପରେ ଏହି ମାମଲାରେ ଏହିଠାରେ ହିଁ ଶେଷ ହୋଇଛି । ଦୁଇ କ୍ରିକେଟର୍ ଏବେ ଦୃଢ଼ ମନୋବଳ ସହ ବିଶ୍ୱକପ୍ ପାଇଁ ୧୫ଜଣିଆ ଭାରତୀୟ ଦଳ ସହ ଇଂଲଣ୍ଡ ଯିବା ପାଇଁ ପ୍ରସ୍ତୁତି କରିପାରିବେ ।

https://www.onakhabar.com/2019/04/hardik/

Leave A Reply

Your email address will not be published.