OnaKhabar

ବିଜେପିକୁ ପୁଣି ଏକ ନୂଆ ବାଣ ମାରିଲେ ନବୀନ : ଚିଲିକାକୁ ବିକ୍ରୀ କରିବାକୁ କେନ୍ଦ୍ର କରୁଥିଲା ଉଦ୍ୟମ

42

ଭୁବନେଶ୍ୱର (ଓଏନଏ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଆଉ ଏକ ସଙ୍ଗୀନ ଅଭିଯୋଗ ବିଜେପି ବିରୋଧରେ ଆଣିଛନ୍ତି । ଚିଲିକାକୁ ନଷ୍ଟ କରିବା ପାଇଁ ବିଜେପି ଉଦ୍ୟମ କରୁଥିଲା ବୋଲି ନବୀନ ଅଭିଯୋଗ କରିଛନ୍ତି । ଚିଲିକାକୁ ବିକ୍ରୀ କରିଦେବାପାଇଁ କେନ୍ଦ୍ର ବିଜେପି ସରକାରଙ୍କ ଉଦ୍ୟମକୁ ବିଜେଡି ଭଣ୍ଡୁର କରିଛି ବୋଲି ନବୀନ କହିଛନ୍ତି । ପୂର୍ବରୁ ସେ କେନ୍ଦ୍ରୀୟ ଅବହେଳା କଥା ଉଠାଇ କୋଇଲା ରୟାଲଟି, ରେଳପଥ ଏବଂ ଅନ୍ୟାନ୍ୟ ପ୍ରସଙ୍ଗ ପଦାକୁ ଆଣିଥିଲେ । ଏହାପରେ ପ୍ରଧାନମନ୍ତ୍ରୀଙ୍କ ଡବଲ ଇଞ୍ଜିନ ପ୍ରସଙ୍ଗକୁ ନେଇ ନବୀନ ପାଲଟା ଆକ୍ରମଣ କରି ଓଡ଼ିଶାରେ ବିଜେପିର ଇଞ୍ଜିନ କିଏ ଓ ସେ କେଉଁ ନିର୍ବାଚନମଣ୍ଡଳୀର ବୋଲି ପ୍ରଶ୍ନ କରିଥିଲେ । ଏବେ ହଠାତ ଭବିଷ୍ୟବାଣୀ କରିଛନ୍ତି ବିଜେପିର ଦିଲ୍ଲୀ ଇଞ୍ଜିନ ମେ ୨୩ରେ ଲାଇନଚ୍ୟୁତ ହେବ । ୫ ରାଜ୍ୟରେ ଡବଲ ଇଞ୍ଜିନ ଥିଲା ବେଳେ ଗୋଟିଏ ଲେଖାଏଁ ଇଞ୍ଜିନ ଲାଇନଚ୍ୟୁତ ହୋଇସାରିଛି ବୋଲି କହିଥିଲେ । ଏବେ ଚିଲିକାକୁ ବିକ୍ରୀ କରିବାକୁ ବିଜେପି ଉଦ୍ୟମ କରୁଥିଲା ବୋଲି ନୂଆ ଅଭିଯୋଗ ଉଠାଇଛନ୍ତି ।
ରାଜ୍ୟରେ ନିର୍ବାଚନ ପ୍ରଚାର ଏବେ ଜୋରଦାର ଚାଲିଛି । ମୁଖ୍ୟତଃ ବିଜେପି-ବିଜେଡି ଭିତରେ ଆରୋପ ପ୍ରତ୍ୟାରୋପ ସବୁଠୁ ଅଧିକ ଚାଲିଥିବା ଦେଖାଯାଇଛି । ବିଶେଷ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଭିତରେ ପରସ୍ପରକୁ ଆକ୍ଷେପ କରିବା ଦେଖାଯାଉଛି । ହେଲେ ନବୀନ କାହା ନାଁ ନ ନେଇ ଆକ୍ଷେପ କରୁଥିଲା ବେଳେ ଧର୍ମେନ୍ଦ୍ର ସିଧା ନିବୀନଙ୍କୁ ଟାର୍ଗେଟ କରୁଛନ୍ତି ।
ବିଜେଡି ସୁପ୍ରିମୋ ମୁଖ୍ୟମନ୍ତ୍ର ନବୀନ ପଟ୍ଟନାୟକ ନୟାଗଡ଼ର ରଣପୁର ଓ ଚିଲିକା ନିର୍ବାଚନମଣ୍ଡଳୀରେ ଜନସାଧାରଣଙ୍କୁ ଉଦବୋଧନ ଦେଇ ବିଜେପି ବିରୋଧରେ ନୂଆ ଅଭିଯୋଗ ଆଣିଛନ୍ତି । ଚିଲିକାରେ ଆୟୋଜିତ ଜନସମାବେଶରେ ଉଦବୋଧନ ଦେଇ ନବୀନ କହିଛନ୍ତି କେନ୍ଦ୍ର ସରକାର ଚିଲିକାକୁ ବିକ୍ରୀ କରିଦେବାକୁ ଉଦ୍ୟମ କରୁଥିଲେ । କିନ୍ତୁ କେନ୍ଦ୍ରର ଏହି ଚକ୍ରାନ୍ତକୁ ବିଜେଡି ଅଟକାଇବାରେ ସଫଳ ହୋଇଛି । ସେମାନେ ମତ୍ସଜୀବୀଙ୍କ ଦାନାରେ ଧୂଳିଦେବାକୁ ବସିଥିଲେ । ଚିଲିକା ହେଉଛି ଆମର ମା’ ଓ ଓଡ଼ିଶାର ଗୌରବ । ହେଲେ ସେ ଥିବା ପର୍ଯ୍ୟନ୍ତ ଚିଲିକାରେ କୌଣସି କ୍ଷତି ହେବାକୁ ଦେବେ ନାହିଁ ବୋଲି ନବୀନ ଲୋକଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି । ଲୋକମାନଙ୍କ ସ୍ୱାର୍ଥ ସହିତ ସେ ସବୁବେଳେ ଅଛନ୍ତି ଓ ରହିବେ ବୋଲି ମଧ୍ୟ ଭରଷା ସେ ଦେଇଛନ୍ତି । ଏଥିସହ କାଳିଆ ଯୋଜନା ପ୍ରସଙ୍ଗ ମଧ୍ୟ ନବୀନ ଉଠାଇଥିଲେ । କେନ୍ଦ୍ର ସରକାର କାଳିଆ ଯୋଜନାକୁ ବନ୍ଦ କରିବା ପାଇଁ ଚକ୍ରାନ୍ତ କରୁଛନ୍ତି । ହେଲେ ସେ ଏହା କରାଇ ଦେବେନାହିଁ । ସେ ଥିବା ପର୍ଯ୍ୟନ୍ତ କାଳିଆ ଯୋଜନାକୁ କେହି ବନ୍ଦ କରିପାରିବେ ନାହିଁ । ୪୦ ଲକ୍ଷ ଚାଷୀ ଏହି ଯୋଜନାରେ ଉପକୃତ ହୋଇସାରିଲେଣି । ଆଉ ୨୫ ଲକ୍ଷ ଚାଷୀଙ୍କୁ ବିଜେଡି ସରକାର ଗଠନ କରିବାର ପ୍ରଥମ ଦିନରେ ଏକାଥରେ ୨ କିସ୍ତିର ଅର୍ଥ ଦିଆଯିବ ।
ସେ କହିଛନ୍ତି ବିଜେଡି ମହିଳାମାନଙ୍କୁ ସେମାନଙ୍କର ହକ ଦେଇଛି । କେନ୍ଦ୍ର ଯୋଜନା ତୁଳନାରେ ରାଜ୍ୟ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ମହିଳାମାନେ ଦୁଇଗୁଣ ଟଙ୍କା ପାଉଛନ୍ତି । ଏହି ଯୋଜନାରେ ମହିଳାମାନଙ୍କ ବୀମା ରାଶି ୭ ଲକ୍ଷରୁ ୧୦ ଲକ୍ଷ ଟଙ୍କାକୁ ବୃଦ୍ଧି କରାଯିବ ବୋଲି ସେ କହିଛନ୍ତି ।
ନବୀନ ଆଜି ରୋଡ ସୋ’ରେ ବିଭିନ୍ନ ଅଂଚଳକୁ ଯାଇ ନିର୍ବାଚନୀ ସଭାରେ ଯୋଗ ଦେଇଛନ୍ତି । ରୋଡ ସୋ’ରେ ମଧ୍ୟ ବିଭିନ୍ନ ଛକମାନଙ୍କରେ ରହି ଉଦବୋଧନ ଦେଇଛନ୍ତି । ନବୀନ ସାତପଡ଼ାରୁ ପୁରୀ ଆସି ଶ୍ରୀଜୀଉଙ୍କ ଦର୍ଶନ କରିବେ ଏହାପରେ ପୁରୀରୁ ଭୁବନେଶ୍ୱର ପର୍ଯ୍ୟନ୍ତ ରୋଡ ସୋ’ରେ ଆସିବାର କାର୍ଯ୍ୟକ୍ରମ ସ୍ଥିର ହୋଇଛି ।