OnaKhabar

ଅନୁକମ୍ପା ନିଯୁକ୍ତି ନ ଦେବାକୁ ସରକାରଙ୍କ ଜିଦ୍‍ ଉପରେ ହାଇକୋର୍ଟଙ୍କ ଝଟ୍‍କା

0 26

ଭୁବନେଶ୍ୱର : ସରକାରୀ କର୍ମଚାରୀଙ୍କ ମୃତ୍ୟୁପରେ ପରିବାରର ଆର୍ଥିକ ଦୁସ୍ଥିତି ସତ୍ତେ୍ୱ ଯଦି ବିଧବା ପତ୍ନୀ ବଞ୍ଚିଥାନ୍ତି ତେବେ ସେମାନଙ୍କ ପିଲାଙ୍କୁ ସରକାରୀ ଚାକିରିରେ ଅନୁକମ୍ପାମୂଳକ ନିଯୁକ୍ତି ନ ଦେବା ଲାଗି ସରକାରୀ ନିଷ୍ପତ୍ତିର ପୁଣିଥରେ ଅଦାଲତି ଝଟ୍‍କା ଲାଗିଛି । ଏଭଳି ଏକ ମାମଲାରେ ନିଯୁକ୍ତି ଦେବା ଲାଗି ସ୍ୟାଟ୍‍ଙ୍କ ଆଦେଶ ବିରୋଧରେ ସରକାର ହାଇକୋର୍ଟରେ ରିଟ୍‍ ଆବେଦନ କରି ହାରିଛନ୍ତି । ମାମଲାର ବିବରଣୀରୁ ପ୍ରକାଶ ଯେ କୃଷି ବିଭାଗ ଅଧିନରେ ଗାଡ଼ିଚାଳକ ଚାକିରି କରୁଥିବା ବୈକୁଣ୍ଠ ଜେନାଙ୍କର ୯ ବର୍ଷ ତଳେ ମୃତ୍ୟୁ ହୋଇଥିଲା । ତାଙ୍କ ପୁଅ ରାଜେନ୍ଦ୍ର ଅନୁକମ୍ପାମୂଳକ ନିଯୁକ୍ତି ଲାଗି ଆବେଦନ କରିଥିଲେ । ପୁରୀ ଜିଲ୍ଲାପାଳ ଘଟଣାର ଅନୁଧ୍ୟାନ କରି ପରିବାରର ଗୁରୁତର ଆର୍ଥିକ ଦୁସ୍ଥିତି ସମ୍ପର୍କରେ ସୂଚାଇ ଆବେଦନକାରୀଙ୍କୁ ଅନୁକମ୍ପାମୂଳକ ନିଯୁକ୍ତି ଦେବାକୁ ସୁପାରିଶ କରିଥିଲେ । ପରିବାରର ଅନ୍ୟ ସଦସ୍ୟମାନେ ରାଜେନ୍ଦ୍ରଙ୍କୁ ଚାକିରି ଦେବା ସପକ୍ଷରେ ସତ୍ୟପାଠ ମଧ୍ୟ କର୍ତ୍ତୃପକ୍ଷଙ୍କ ନିକଟରେ ଦାଖଲ କରିଥିଲେ ।
ଦୀର୍ଘ ବର୍ଷ ଧରି ବିଭିନ୍ନ ଦପ୍ତରକୁ ଚାକିରି ପାଇଁ ରାଜେନ୍ଦ୍ର ଦୌଡ଼ୁଥିବା ବେଳେ ୨୦୧୩ ଡିସେମ୍ବର ମାସରେ ତାଙ୍କ ବିଧବା ମା’ ସରକାରୀ ଚାକିରି ପାଇଁ ସୁସ୍ଥ କି ଅସୁସ୍ଥ ଜାଣିବା ଲାଗି ସରକାର ମେଡ଼ିକାଲ ବୋର୍ଡ ମାଧ୍ୟମରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥାର ଅନୁଧ୍ୟାନ କରିଥିଲେ । ରାଜେନ୍ଦ୍ରଙ୍କ ମା’ ମେଡ଼ିକାଲ ବୋର୍ଡ ଆଗରେ ହାଜର ହେବା ପରେ ବିଭିନ୍ନ ବିଭାଗର ଡାକ୍ତରମାନେ ତାଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ ଏବଂ ଶେଷରେ ବୋର୍ଡ ତାଙ୍କ ମା’ଙ୍କୁ ସରକାରୀ ଚାକିରି ପାଇଁ ସମ୍ପୂର୍ଣ୍ଣ ଅନୁପଯୁକ୍ତ ବୋଲି ଘୋଷଣା କରିଥିଲେ । ମୃତ କର୍ମଚାରୀଙ୍କ ବିଧବା ପତ୍ନୀଙ୍କୁ ସରକାରୀ ଚାକିରି ଲାଗି ମେଡ଼ିକାଲ ବୋର୍ଡ ଅଯୋଗ୍ୟ ଘୋଷଣା କରିଥିବା ବେଳେ ସେ କାହିଁକି ଚାକିରି ପାଇଁ ଆବେଦନ କଲେ ନାହିଁ ଏବଂ ତାଙ୍କ ପୁଅ କାହିଁକି ଆବେଦନ କଲେ ବୋଲି ପ୍ରଶ୍ନ ଉଠାଇ ଏକ କମିଟି ମାଧ୍ୟମରେ ରାଜେନ୍ଦ୍ରଙ୍କ ଅନୁକମ୍ପାମୂଳକ ନିଯୁକ୍ତି ଆବେଦନକୁ କର୍ତ୍ତୃପକ୍ଷ ନାକଚ୍‍ କରିଦେଇଥିଲେ । ଏଭଳି ଅବସ୍ଥାରେ ନ୍ୟାୟ ପାଇଁ ରାଜେନ୍ଦ୍ର ସ୍ୟାଟ୍‍ର ପୂର୍ବତନ ସରକାରୀ ଓକିଲ ପ୍ରହଲାଦ କୁମାର ସିଂହ ଓ ଅନ୍ୟତମ ଓକିଲ ଅମୀୟ କୁମାର ଛାଟୋଇଙ୍କ ମାଧ୍ୟମରେ ମାମଲା ରୁଜୁ କରିଥେି ଲ । ଆବେଦନକାରୀ ଓ ସରକାରଙ୍କ ପକ୍ଷର ଯୁକ୍ତି ଶୁଣିବା ପରେ ସ୍ୟାଟ୍‍ ସରକାରଙ୍କ ଆଦେଶନାମାକୁ ରଦ୍ଦ କରିଦେବା ସହ ସୁପ୍ରିମ୍‍କୋର୍ଟ ଓ ହାଇକୋର୍ଟଙ୍କ ବିଭିନ୍ନ ରାୟର ନଜିର୍‍ ଦେଖାଇ ରାଜେନ୍ଦ୍ରଙ୍କୁ ତିନିମାସ ମଧ୍ୟରେ ନିଯୁକ୍ତି ଦେବାକୁ କହିଥିଲେ ।
ସ୍ୟାଟ୍‍ଙ୍କର ଏହି ଆଦେଶ ବିରୋଧରେ କୃଷି ବିଭାଗ ଓଡ଼ିଶା ହାଇକୋର୍ଟରେ ରିଟ୍‍ ଆବେଦନ କରିଥିଲେ । ହାଇକୋର୍ଟର ମୁଖ୍ୟ ବିଚାରପତି କେ.ଏସ୍‍ ଝାବେରୀ ଓ ଅନ୍ୟତମ ବିଚାରପତି କେ.ଆର୍‍ ମହାପାତ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ଆଇନ୍‍ର ତର୍ଜମା ସହ ଉଭୟ ପକ୍ଷର ଯୁକ୍ତି ଶୁଣିବା ପରେ ସରକାରଙ୍କ ରିଟ୍‍ ଆବେଦନକୁ ଖାରଜ କରିଦେବା ସହ ଏ ପ୍ରସଙ୍ଗରେ ସ୍ୟାଟ୍‍ଙ୍କ ରାୟକୁ କାଏମ୍‍ ରଖିଥିବାରୁ ଦୀର୍ଘବର୍ଷ ଧରି ଅନୁକମ୍ପାମୂଳକ ନିଯୁକ୍ତି ଲାଗି ବାରଦ୍ୱାର ଶୁଣ୍ଢିପିଣ୍ଡା ହେଉଥିବା ମୃତ କର୍ମଚାରୀଙ୍କ ପୁଅକୁ ଚାକିରି ମିଳିବା ସ୍ପଷ୍ଟ ହୋଇଛି । ଏ ପ୍ରସଙ୍ଗରେ ଏବେ ସ୍ୟାଟ୍‍ରେ ଅନ୍ୟ ଏକ ଅଦାଲତ ଅବମାମଲା ଚାଲିଥିବା ପରିପ୍ରେକ୍ଷୀରେ ହାଇକୋର୍ଟଙ୍କ ରାୟ ମିଳିବା ପରେ ତାହା ଉପରେ ତ୍ୱରିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜଣେ ବରିଷ୍ଠ ବିଭାଗୀୟ ଅଧିକାରୀ କହିଛନ୍ତି ।

Leave A Reply

Your email address will not be published.