OnaKhabar

ଓଡିଆ ମା’ଭଉଣୀଙ୍କ ଇଜ୍ଜତ ଉପରେ ହାତ ପକାଇଥିବା ନବୀନ ସରକାର ମହିଳାଙ୍କ କ୍ରୋଧର ନିଆଁରେ ଧ୍ୱଂସ ହୋଇଯିବ – ଧର୍ମେନ୍ଦ୍ର ପ୍ରଧାନ

56

ଭୁବନେଶ୍ୱର : ଓଡିଆ ମା’ଭଉଣୀଙ୍କ ଇଜ୍ଜତ ଉପରେ ଯେ ହାତ ପକାଇବ, ସେ ତାଙ୍କ କ୍ରୋଧର ନିଆଁରେ ଜଳିପୋଡି ଧ୍ୱଂସ ହୋଇଯିବ । ଏ କଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ମନେରଖିବା ଉଚିତ ବୋଲି ଜଟଣୀରେ ନାବାଳିକା ଦୁଷ୍କର୍ମ ଓ ହତ୍ୟା ମାମଲାରେ ଜଟଣୀ ଥାନା ଅଧିକାରୀ ଏଫ୍ଆଇଆର୍ ନରଖିବା ମାମଲାରେ ସାମାଜିକ ଗଣମାଧ୍ୟମରେ ରାଜ୍ୟ ସରକାରଙ୍କୁ ପ୍ରଶ୍ନ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ଯେ ତୃତୀୟ ମହଲାର ବିନା ଅନୁମତିରେ ରାଜ୍ୟର ୫୦୦ରୁ ଉଦ୍ଧ୍ୱର୍ ଥାନାରେ ସୋରିଷ ଫୁଟେନାହିଁ । ଗତ ୧୧ ତାରିଖ ଦିନ ସଂଧ୍ୟାରେ ମୁଖ୍ୟମନ୍ତ୍ରୀଙ୍କ ନାକ ତଳେ ଖୋର୍ଦ୍ଧା ଜଟଣୀ ଥାନା ଅନ୍ତର୍ଗତ ଜଣେ ନୀରିହ ଝିଅକୁ ଆତତାୟୀ ଧର୍ଷଣ କରି ହତ୍ୟା କଲେ । ଏହା ପରେ ଶିଶୁ କନ୍ୟାର ବାପା ଥାନାକୁ ଅଭିଯୋଗ କରିବାକୁ ଆସିବା ପରେ ଥାନାରେ ତାଙ୍କ ଅଭିଯୋଗ ରଖାଗଲାନାହିଁ । ଶାସକ ଦଳର ନେତାମାନେ ଥାନା ଭିତରେ ଅଭିଯୋଗକାରୀ ବାପାକୁ ମାରପିଟ କଲେ । ଏହା କଣ ମହିଳା ସମ୍ମାନ ବୋଲି ପ୍ରଶ୍ନ କରିବା ସହ ଦୀର୍ଘ ସମୟ ଧରି ଜଟଣା ଥାନା ଅଧିକାରୀ ଏଫଆଇଆର୍ କାହା ଚକ୍ରାନ୍ତରେ ନେଲେ ନାହିଁ ବୋଲି ଶ୍ରୀ ପ୍ରଧାନ ପ୍ରଶ୍ନ କରିଛନ୍ତି ।
ଶ୍ରୀ ପ୍ରଧାନ କହିଛନ୍ତି ଯେ ଓଡିଶାରେ ମହିଳାମାନଙ୍କ ଉପରେ ଅତ୍ୟାଚାର ବଢିବା ନବୀନ ବାବୁଙ୍କ ମହିଳା ସଶକ୍ତିକରଣର ନଗ୍ନ ଉଦାହରଣ । ବେବିନା ହତ୍ୟାକାଣ୍ଡର ଦୋଷୀ ମାନେ ମୁଳିଳିବା ପରେ ମନ୍ତ୍ରୀ ପ୍ରଦୀପ ମହାରଥୀଙ୍କ ସମ୍ବେଦନ ମନ୍ତବ୍ୟ ଏବଂ ମନ୍ତ୍ରୀ ମଣ୍ଡଳରୁ ବହିଷ୍କାର ହୋଇ ସେ ପୁନର୍ବାର ଟିକେଟ୍ ପାଇବା ପ୍ରସଙ୍ଗ,
କୁନ୍ଦୁଲି ଗଣଦୁର୍ଷ୍କମ, ଓଡିଶାକୁ ସାରା ବିଶ୍ୱରେ ନିନ୍ଦିତ କରିଥିବା ଲୋକଙ୍କୁ ଭୁବନେଶ୍ୱରର ପ୍ରାର୍ଥୀ କରିବା, ମୟୂରଭଞ୍ଜର ମହିଳାଙ୍କ ବାରମ୍ବାର ଅଭିଯୋଗ ପରେ ମଧ୍ୟ ନିନ୍ଦିତ ବ୍ୟକ୍ତିକୁ ପ୍ରାର୍ଥୀ କରିବା ନବୀନ ବାବୁଙ୍କ ମହିଳା ସଶକ୍ତିକରଣର ଏକ ନମୂନା ବୋଲି କହିଛନ୍ତି ଶ୍ରୀ ପ୍ରଧାନ ।
ଶ୍ରୀ ପ୍ରଧାନ କହିଛନ୍ତି ଯେ ତୃତୀୟ ମହଲା, ମୁଖ୍ୟମନ୍ତ୍ରୀ, ନବୀନ ନିବାସର ବିନା ଅନୁମତିରେ ଓଡିଶାରେ ଗରିବ ଉପରେ ଅତ୍ୟାଚାର ହେଲେ ସେମାନଙ୍କର ଏଫଆଇଆର୍ ଥାନାରେ ରଖାଯାଉନାହିଁ । ସାମ୍ବିଧାନିକ ଅଧିକାରକୁ ତୁଲେଇବାକୁ ସୁଯୋଗ ମଧ୍ୟ ମୁଖ୍ୟମନ୍ତ୍ରୀ ଦେଉନାହାନ୍ତି । ଏହାଠୁ ବଡ ଚିନ୍ତାଜନକ ବିଷୟ କିଛି ନହୋଇପାରେ ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।
ନବୀନ ବାବୁ ଚାହୁଁଛନ୍ତି କଣ? ନିଜ ଭୋଟ ସର୍ବସ୍ୱ ରାଜନୀତିକୁ ଜାରି ରଖିବା ପାଇଁ ଓଡିଶାର ଗରିବ ମା’ ଭଉଣୀଙ୍କ ଉପରେ ନବୀନ ବାବୁ ସବୁଠୁ ଅଧିକ ଅତ୍ୟାଚାର କରୁଛନ୍ତି । ଭୁବନେଶ୍ୱର ତଥା ଓଡିଶାର ପୋଲିସ ବ୍ୟବସ୍ଥାକୁ କଣ ହୋଇଯାଇଛି ବୋଲି ଶ୍ରୀ ପ୍ରଧାନ ପ୍ରଶ୍ନ କରିଛନ୍ତି । ଓଡିଶାରେ ଅପରାଧ ବଢୁଥିବା କାରଣରୁ ପୋଲିସକୁ ଅଧିକ କ୍ଷମତା ଦେବା ପାଇଁ କମିଶନରେଟ୍ ଗଠିତ ହୋଇଥିଲା । ତେବେ ଏହା କଣ କ୍ଷମତା କି ବୋଲି ସେ ପ୍ରଶ୍ନ କରିଛନ୍ତିା
ଶ୍ରୀ ପ୍ରଧାନ ଆହୁରି କହିଛନ୍ତି ଯେ ମୁଖ୍ୟମନ୍ତ୍ରୀ ଶାସନ ସତାରେ ମଦମସ୍ତ ଅଛନ୍ତି । ପ୍ରଜାତନ୍ତ୍ରରେ ଏପ୍ରକାର ମଦମସ୍ତକାରୀଙ୍କୁ ଜନତା ସଠିକ୍ ଜବାବ୍ ଦେବେ । ମୁଖ୍ୟମନ୍ତ୍ରୀ ମହିଳା ସଶକ୍ତିକରଣ କଥା କହି ଯେଉଁ ଦମ୍ଭରେ ଅଛନ୍ତି, ଯେତେ ମିଛ କଥା କହିଲେ, ରାଧୁଆ ମିଛୁଆ ପରି ଯେତେ ପାଟି କଲେ ମଧ୍ୟ ଶେଷରେ ଧରାପଡିବେ । ସେ କହିଛନ୍ତି ଯେ ମୁଖ୍ୟମନ୍ତ୍ରୀଙ୍କ ଶାସନ ବୋଝରେ ସ୍ୱାଭିମାନୀ ଓଡିଆ ଲୋକମାନେ ଦାରିଦ୍ରତା ବୋଝ ତଳେ ଲଦି ହୋଇଗଲେଣି ।
ରାଜନୀତି ଦ୍ୱନ୍ଦ ପ୍ରତିଦ୍ୱନ୍ଦ ତା’ ବାଟରେ କିନ୍ତୁ ଓଡିଶାରେ ମା’ ଭଉଣୀଙ୍କ ଇଜ୍ଜତକୁ ସଠିକ୍ ସୁରକ୍ଷିତ ରଖିବାର ଦାୟିତ୍ୱ ସମସ୍ତଙ୍କର । ମୁଖ୍ୟମନ୍ତ୍ରୀଙ୍କ ଦିନକାଳ ଶେଷ ହୋଇଆସିଲଣି । ଓଡିଆ ଝିଅ, ମା ଭଉଣୀମାନେ ସୁରକ୍ଷିତ ରହିବାର ନୈତିକ ଦାୟିତ୍ୱ ମୁଖ୍ୟମନ୍ତ୍ରୀଙ୍କ ଉପରେ । ମୁଖ୍ୟମନ୍ତ୍ରୀ ଏହା ବୁଝିବା ଉଚିତ ବୋଲି ଶ୍ରୀ ପ୍ରଧାନ କହିଛନ୍ତି