OnaKhabar

କେନ୍ଦ୍ରାପଡ଼ା, ଭୁବନେଶ୍ୱର, କଟକ ଉପରେ ସଭିଙ୍କ ନଜର

0 16

ଭୁବନେଶ୍ୱର: ରାଜ୍ୟର ଏବେ ନିର୍ବାଚନ ପୁରାଦମରେ ଚାଲିଛି । ପ୍ରଚାରରେ ସମସ୍ତେ ଭୋଟରଙ୍କ ମନ ଜିଣିବା ପାଇଁ ଉଦ୍ୟମ ଚଳାଇଛନ୍ତି । ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଶେଷ ହୋଇଛି । ଆଉ ୩ଟି ପର୍ଯ୍ୟାୟ ବାକି ଅଛି । ରାଜ୍ୟର ୨୧ଟି ଲୋକସଭା ଆସନ ମଧ୍ୟରୁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଓ ସମସ୍ତଙ୍କ ନଜର ରହିଛି ୩ ଟି ଆସନ ଉପରେ । ଗୋଟିଏ ହେଉଛି କେନ୍ଦ୍ରାପଡ଼ା, ଆଉଗୋଟିଏ ହେଉଛି ଭୁବନେଶ୍ୱର ଅନ୍ୟଟି ହେଉଛି କଟକ । ଏହି ୩ଟି ଲୋକସଭା ଆସନ ଅଧିକ ଗୁରୁତ୍ୱପୂର୍ଣ୍ଣ ଏଥିପାଇଁ ଯେ, ଯେଉଁ ପ୍ରାର୍ଥୀମାନେ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି ବିଭିନ୍ନ ରାଜନୈତିକ ଘଟଣାକ୍ରମରେ ସେମାନେ ବେଶ ବିବାଦୀୟ ରହିଛନ୍ତି । ୧ନଂରେ ରହିଛି କେନ୍ଦ୍ରାପଡ଼ା ଓ ୨ନଂରେ ରହିଛି ଭୁବନେଶ୍ୱର ।
କେନ୍ଦ୍ରାପଡ଼ା ଲୋକସଭା ଆସନରେ ବିଜେପିରୁ ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା, ବିଜେଡିରୁ ରାଜ୍ୟସଭା ସାଂସଦ ଅନୁଭବ ମହାନ୍ତି ଓ କଂଗ୍ରେସରୁ ଧରଣୀଧର ନାୟକ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି । କିନ୍ତୁ ବୈଜୟନ୍ତ ଓ ଅନୁଭବଙ୍କ ମଧ୍ୟରେ ମୁଖ୍ୟତଃ ଟକ୍କର ଜୋରଦାର ହେଉଛି । ଏହି ଆସନ ଏଇଥିପାଇଁ ଗୁରୁତ୍ୱପୂର୍ଣ୍ଣ ବୋଲି ଆଲୋଚନା ହେଉଛି ଯେ, ବିଜେଡି ଛାଡ଼ି ବୈଜୟନ୍ତ ବିଜେପିରେ ଯୋଗଦେଇ ତାଙ୍କ ପୁରୁଣା ଆସନ କେନ୍ଦ୍ରାପଡ଼ାରୁ ଲଢ଼ୁଛନ୍ତି । ବୈଜୟନ୍ତଙ୍କ ବିରୋଧରେ ବିଜେଡିରୁ କିଏ ପ୍ରାର୍ଥୀ ହେବ ସେ ନେଇ ବହୁ କସରତ ହୋଇଥିଲା । ସ୍ଥାନୀୟ ନେତାମାନେ କେହି ରାଜି ହୋଇ ନ ଥିଲେ । ଶେଷରେ ଜିଲ୍ଲା ବାହାରର ପ୍ରାର୍ଥୀ ଅନୁଭବଙ୍କୁ ଛିଡ଼ା କରାଗଲା । ସେ ଚଳଚ୍ଚିତ୍ର ତାରକା ହୋଇଥିବାରୁ ତାଙ୍କର ଲୋକପ୍ରିୟତା ଥିôବା ଭାବି ପ୍ରାର୍ଥୀ କରାଯାଇଛି । ଅବଶ୍ୟ ବୈଜୟନ୍ତ ବି କେନ୍ଦ୍ରାପଡ଼ା ଜିଲ୍ଲାର ମୂଳ ବାସିନ୍ଦା ନୁହଁନ୍ତି । ଅନୁଭବ ବି ବୈଜୟନ୍ତଙ୍କୁ କଡ଼ା ଟକ୍କର ଦେଉଛନ୍ତି । ବୈଜୟନ୍ତଙ୍କୁ ଯେପରି ହେଉ ହରାଇବା ପାଇଁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ କଟୋରୀ ଚାହୁଁଛନ୍ତି । ବୈଜୟନ୍ତଙ୍କ ସହ ନବୀନଙ୍କର ଯେଉଁ ତିକ୍ତତା ସୃଷ୍ଟି ହୋଇଛି ତାହା ହେଉଛି ମୂଳ କାରଣ । ବୈଜୟନ୍ତଙ୍କୁ ଆଉ ଲୋକସଭା ମାଟି ମଡ଼ାଇ ଦିଆଯିବନାହିଁ ବୋଲି ବିଜେଡି ନେତାମାନେ ଶପଥ ନେଇଛନ୍ତି ବୋଲି କୁହାଯାଉଛି । ସବୁ ପ୍ରକାର କଳବଳ କୌଶଳ ଏଥିପାଇଁ ଲଗାଯାଇଥିବା କଥା ମଧ୍ୟ ଆଲୋଚନା ହେଉଛି । ବୈଜୟନ୍ତ ମଧ୍ୟ ଯେପରି ହେଉ ଜିତିବା ପାଇଁ ଲାଗିପଡ଼ିଛନ୍ତି । ଏଠି ଉଭୟ ପକ୍ଷଙ୍କର ସମ୍ମାନର ଲଢ଼େଇ ଚାଲିଛି । ସେଥିପାଇଁ କୁହାଯାଉଛି କେନ୍ଦ୍ରାପଡ଼ା ଆସନର ଫଳାଫଳ ଉପରେ କେବଳ ରାଜ୍ୟର ନୁହେଁ ଜାତୀୟସ୍ତରରେ ବି ନେତାମାନଙ୍କର ନଜର ରହିଛି । ସବୁଠାରୁ ଚର୍ଚ୍ଚିତ ନିର୍ବାଚନମଣ୍ଡଳୀ ହୋଇଛି କେନ୍ଦ୍ରାପଡ଼ା ଲୋକସଭା ଆସନ ।
ସେହିପରି ଭୁବନେଶ୍ୱର ଲୋକସଭା ଆସନରୁ ବିଜେଡିରୁ ଅବସରପ୍ରାପ୍ତ ଆଇପିଏସ ଅଫିସର ଅରୁପ ପଟ୍ଟନାୟକ, ବିଜେପିରୁ ଆଇଏଏସ ଚାକିରିରୁ ସ୍ୱେଚ୍ଛାକୃତ ଅବସର ନେଇ ରାଜନୀତିରେ ଯୋଗଦେଇ ନିର୍ବାଚନ ମଇଦାନକୁ ଓହ୍ଲାଇଥିବା ଅପରାଜିତା ଷଡ଼ଙ୍ଗୀ ପ୍ରାର୍ଥୀ ହୋଇଛନ୍ତି । ଏଠାରେ କଂଗ୍ରେସ ପ୍ରାର୍ଥୀ ଦେଇନାହିଁ, ସିପିଏମକୁ ସମର୍ଥନ କରୁଛି । ସିପିଏମରୁ ବରିଷ୍ଠ ନେତା ଜନାର୍ଦ୍ଦନ ପତି ପ୍ରାର୍ଥୀ ହୋଇଛନ୍ତି । ହେଲେ ମୁଖ୍ୟତଃ ଲଢ଼େଇ ଅରୁପ ଓ ଅପରାଜିତାଙ୍କ ଭିତରେ ଚାଲିଛି । ଏ ନିର୍ବାଚନମଣ୍ଡଳୀ ଏଇଥିପାଇଁ ଗୁରୁ୍ତ୍ୱପୂର୍ଣ୍ଣ ବୋଲି କୁହାଯାଉଛି ଉଭୟ ବିଜେପି ଓ ବିଜେଡିର ୨ ପ୍ରାର୍ଥୀ ହେଉଛନ୍ତି ପୂର୍ବତନ ପ୍ରଶାସନିକ ଅଧିକାରୀ । ପୂର୍ବରୁ କେବେ ରାଜନୀତିକୁ ଆସି ନ ଥିଲେ । ପ୍ରଥମ ଥର ପାଇଁ ଦଳରେ ଯୋଗଦେଇ ସିଧା ନିର୍ବାଚନକୁ ଓହ୍ଲାଇଛନ୍ତି । ଆଇଏଏସ ଓ ଆଇପିଏସଙ୍କ ମଧ୍ୟରେ ଏକ ଲଢ଼େଇ ବୋଲି କୁହାଯାଉଛି । କିଏ ସଫଳ ହେଉଛି ତାହା ବେଶ ଗୁରୁତ୍ୱବହନ କରିବ । ଉଭୟ ଯେଉଁ ଦଳରେ ଯୋଗ ଦେଇଛନ୍ତି ସେଥିରେ ଗୋଟିଏ ଦଳ ରାଜ୍ୟରେ ଶାସନ କରୁଥିଲା ବେଳେ ଆଉ ଗୋଟିଏ ଦଳ କେନ୍ଦ୍ରରେ ଶାସନ କରୁଛି । ଏଣୁ ଉଭୟଙ୍କ ପାଖରେ ଶକ୍ତି କିଛି କମ ନୁହେଁ । ପ୍ରଶାସନକ କ୍ଷେତ୍ରରୁ ଆସି ରାଜନୀତିକୁ ଓହ୍ଲାଇଥିବାରୁ କିଏ କେତେ ଲୋକଙ୍କ ମନକୁ ଜିଣିପାରୁଛି ତାହାହେଉଛି ସବୁଠାରୁ ବଡ଼ ପ୍ରଶ୍ନ । କାରଣ ଏମାନେ କେବେ ହେଲେ ଚାକିରିକାଳ ଭିତରେ ଯେଉଁ ସବୁ ପଦପଦବୀରେ ରହି ଆସିଛନ୍ତି ସେଥିରେ ଲୋକଙ୍କ ପାଖରେ ନତମସ୍ତକ ହେବା ଓ ଖୋସାମଦ କରିବା ସୁଯୋଗ ନ ଥିଲା । ହାକିମାତି ଦେଖାଇ ଆସିଥିବା ଦୁଇ ଅଧିକାରୀ ଶେଷରେ ଏବେ ଭୋଟ ପାଇଁ ଗାଁ ଗାଁ ଓ ଦ୍ୱାରଦ୍ୱାର ବୁଲୁଛନ୍ତି । ଫଳରେ ଏମାନଙ୍କ ଯୋଗୁ ନିର୍ବାଚନମଣ୍ଡଳୀର ପ୍ରାଧାନ୍ୟ ବଢ଼ିଥିବା କୁହାଯାଉଛି ।
ସେହିପରି କଟକ ଲୋକସଭା ଆସନରେ ବିଜେଡିରୁ ପୁରୁଖା ନେତା ତଥା ସାଂସଦ ଭର୍ତ୍ତୃହରି ମହତାବ ଓ ବିଜେପିରୁ ପୂର୍ବତନ ଡିଜି ପୁଲିସ ପ୍ରକାଶ ମିଶ୍ର ପ୍ରତିଦ୍ୱନ୍ଦ୍ୱିତା କରୁଛି ଓ କଂଗ୍ରେସରୁ ପୂର୍ବମତମନ୍ତ୍ରୀ ତଥା ଅନ୍ୟତମ ପୁରୁଖା ନେତା ପଞ୍ଚାନନ କାନୁନଗୋ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି । ଏମାନଙ୍କ ଭିତରେ ପ୍ରକାଶ ମିଶ୍ର ରାଜନୀତିରେ ସମ୍ପୂର୍ଣ୍ଣ ନୁଆ । ଚାକିରିରୁ ଅବସର ନେବା ପରେ ମଧ୍ୟ ରାଜନୀତିକୁ ଆସି ନଥିଲେ । ଏବେ ଶେଷ ମୁହୂର୍ତ୍ତରେ ବିଜେପିରେ ଯୋଗଦେଇ କଟକ ଲୋକସଭାର ପ୍ରାର୍ଥୀ ହୋଇଛନ୍ତି । କିନ୍ତୁ ତାଙ୍କ ପ୍ରଚାର ଶୈଳୀ ଦେଖିଲେ ରାଜ ନେତାମାନଙ୍କଠାରୁ ଟପି ଯାଇଛନ୍ତି । ପ୍ରକାଶ ମିଶ୍ର ବିଭିନ୍ନ ପଦପଦବୀରେ ରହି ଆସିଛନ୍ତି । ସେ ଭୋଟ ପାଇଁ ଗାଁ ଗାଁରେ ବୁଲି ତଳେ ଆଣ୍ଠୁମାଡ଼ିବସି ହାତପାତୀ ଭୋଟ ମାଗୁଥିବା ଦେଖାଯାଉଛି । ଏଣୁ ୨ ଅଭିଜ୍ଞଙ୍କ ଭିତରେ ପ୍ରକାଶ ଭଳି ନବୀନ ପ୍ରାର୍ଥୀ କେତେଦୂର ସଫଳ ହେଉଛନ୍ତି ତାହା ହେଉଛି ବଡ଼ ପ୍ରଶ୍ନ ବୋଲି କୁହାଯାଉଛି ।

Leave A Reply

Your email address will not be published.